Unknown

 

 

 

 

 

 

 

 

 

 

ଶେକ୍‌ସପିଅର କାହାଣୀ

(ତୃତୀୟ ଖଣ୍ଡ)

ଅଧ୍ୟାପକ ଶ୍ରୀଧର ଦାସ

 

ସୂଚୀପତ୍ର

 

୧.

ଭେନିସ୍‌ର ବଣିକ

୨.

କଳିହୁଡ଼ୀର ଶିକ୍ଷା

୩.

ଟାଇମନ୍‌

୪.

ପେରିକ୍ଲସ୍‌

୫.

ତୋଫାନ

Image

 

ଭେନିସ୍‌ର ବଣିକ

 

ଇଟାଲି ରାଜ୍ୟରେ ଭେନିସ୍‌ ଗୋଟିଏ ପ୍ରସିଦ୍ଧ ନଗରୀ । ପୂର୍ବକାଳରେ ଏହି ନଗରୀରେ ଶାଇଲକ୍‌ ନାମରେ ଜଣେ ଇହୁଦୀ ମହାଜନ ବାସ କରୁଥିଲା । ସେ ଅତିରିକ୍ତ ସୁଧରେ ମହାଜନୀ ବ୍ୟବସାୟ ଚଳାଉଥିଲା । ସ୍ଥାନୀୟ ଖ୍ରୀଷ୍ଟିୟାନ ବ୍ୟବସାୟୀମାନଙ୍କୁ ବହୁତ ସୁଧରେ ଟଙ୍କା ଋଣ ଦେଇ ସେ ଖୁବ୍‌ ଧନୀ ହୋଇଥିଲା । ସେ ଯାହାକୁ ଋଣ ଦେଉଥିଲା, ତାହାଠାରୁ କଡ଼ା-କ୍ରାନ୍ତି ପର୍ଯ୍ୟନ୍ତ ସୁଧ ଆଦାୟ କରିବାରେ କୁଣ୍ଠିତ ନଥିଲା । ଏହା ଫଳରେ ସେ ଖ୍ରୀଷ୍ଟିୟାନ ସମାଜରେ ନିତାନ୍ତ ଅପ୍ରିୟ ହୋଇପଡ଼ିଥିଲା ।

 

ସେହି ଭେନିସ୍‌ ନଗରୀରେ ଆଣ୍ଟେନିଓ ନାମରେ ଜଣେ ଖ୍ରୀଷ୍ଟିୟାନ ଧନୀ ବଣିକ ମଧ୍ୟ ଥିଲେ । ସେ ଅତ୍ୟନ୍ତ ସରଳ ଓ ଉଦାରମନା ଥିବାରୁ ଲୋକମାନଙ୍କୁ ଅଭାବବେଳେ ଧାର ଦେଉଥିଲେ; ମାତ୍ର କାହାରିଠାରୁ ସୁଧ ଗ୍ରହଣ କରୁ ନ ଥିଲେ । ତେଣୁ ସେ ଲୋକସାଧାରଣଙ୍କର ଶ୍ରଦ୍ଧା ଓ ପ୍ରୀତି ଆକର୍ଷଣ କରୁଥିଲେ । ଶାଇଲକ୍‌ ଓ ଆଣ୍ଟେନିଓଙ୍କର ପ୍ରକୃତି ବିଭିନ୍ନ ହୋଇଥିବାରୁ ସେ ଦୁହିଁଙ୍କ ମଧ୍ୟରେ ବିରୋଧ ରହିଥିଲା । ଶାଇଲକ୍‌କୁ ଦେଖିଲେ ଆଣ୍ଟେନିଓ ତାକୁ ତାର ନୀଚ ବ୍ୟବହାର ସକାଶେ ଭର୍ତ୍ସନା କରିବାକୁ ଛାଡ଼ୁ ନ ଥିଲେ ।

 

ଆଣ୍ଟେନିଓ ବଡ଼ ଦୟାଳୁ ଓ ପରୋପକାରୀ ଥିଲେ । କାହାରି ଉପକାର କରିପାରିଲେ ସେ ଆନନ୍ଦିତ ହେଉଥିଲେ । ବହୁଲୋକଙ୍କ ସହିତ ସେ ବନ୍ଧୁତାସୁତ୍ରରେ ଆବଦ୍ଧ ଥିଲେ । ସେମାନଙ୍କ ମଧ୍ୟରୁ ବାସେନିଓ ବୋଲି ଜଣେ ବ୍ୟକ୍ତି ତାଙ୍କର ଅତ୍ୟନ୍ତ ପ୍ରିୟ ଥିଲେ । ଦୁହିଁଙ୍କର ଶରୀର ଭିନ୍ନ ହେଲେହେଁ ଏକ ମନ ଓ ଏକ ପ୍ରାଣ ଥିଲା ପରି ବୋଧ ହେଉଥିଲା । ଏହି ବାସେନିଓ ଉଚ୍ଚ ବଂଶରେ ଜାତ ହୋଇଥିଲେ । ତାଙ୍କର ପିତା ମୃତ୍ୟୁ ସମୟକୁ ସେପରି ବେଶି କିଛି ସମ୍ପତ୍ତି ରଖି ଯାଇ ନ ଥିଲେ । ଯାହା କିଛି ଥିଲା, ତାହାକୁ ବାସେନିଓ ନିଜ ଆଡ଼ମ୍ୱରରେ ବ୍ୟୟ କରି ଦରିଦ୍ର ହୋଇଯାଇଥିଲେ । ତେଣୁ ତାଙ୍କର ଅର୍ଥାଭାବ ଘଟିଲେ ଆଣ୍ଟେନିଓ ତାଙ୍କୁ ସାହାଯ୍ୟ କରୁଥିଲେ ।

 

ଦିନେ ବାସେନିଓ ଆସି ଆଣ୍ଟେନିଓଙ୍କୁ କହିଲେ, ‘‘ବନ୍ଧୁ, ମୁଁ ତୁମକୁ ଗୋଟିଏ ଅନୁରୋଧ କରିବାକୁ ଆସିଅଛି । ବେଲମଣ୍ଟ୍‌ ସହରରେ ପୋର୍ଶିଆ ନାମରେ ଜଣେ ସୁନ୍ଦରୀ ରମଣୀ ଅଛନ୍ତି । ସେ ତାଙ୍କ ମୃତ ପିତାଙ୍କର ଏକମାତ୍ର ସନ୍ତାନ । ଯଦି ମୁଁ ତାଙ୍କୁ ବିବାହ କରିପାରେ, ତେବେ ତାଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ ହେବି । ମୋର ପୂର୍ଣ୍ଣ ବିଶ୍ୱାସ, ମୁଁ ବେଲମଣ୍ଟ୍‌ ଯାଇ ମୋର ଅଭିପ୍ରାୟ ଜଣାଇଲେ ସେ ମୋତେ ପତି ରୂପେ ଗ୍ରହଣ କରିବାକୁ କୁଣ୍ଠିତା ହେବେ ନାହିଁ । ମାତ୍ର ତାଙ୍କ ନିକଟକୁ ଯିବାକୁ ହେଲେ ମୋତେ ଉପଯୁକ୍ତ ଆଡ଼ମ୍ୱର ସହକାରେ ଯିବାକୁ ହେବ । ସେଥିପାଇଁ ଅନ୍ତତଃ ଦଶ ହଜାର ଟଙ୍କା ଆବଶ୍ୟକ । ତୁମେ ମୋତେ ଜୀବନରେ ନାନା ପ୍ରକାରେ ସାହାଯ୍ୟ କରିଅଛ; ସେଥିପାଇଁ ମୁଁ ତୁମଠାରେ ଚିର ଋଣୀ । ଆଶାକରେ ମୋତେ ବର୍ତ୍ତମାନ ସାହାଯ୍ୟ କରିବାକୁ କୁଣ୍ଠିତ ହେବ ନାହିଁ ।’’

 

ସେତେବେଳକୁ ଆଣ୍ଟେନିଓଙ୍କ ନିକଟରେ ଟଙ୍କାର ଅଭାବ ଥିଲା । ତାଙ୍କର ଜାହାଜଗୁଡ଼ିକ ପଣ୍ୟଦ୍ରବ୍ୟ ଘେନି ବିଦେଶକୁ ଯାଇଥିଲା; ସେଗୁଡ଼ିକ ଅଳ୍ପଦିନ ପରେ ଫେରିଆସିବାର କଥା । ଆଣ୍ଟେନିଓ ସ୍ଥିର କଲେ ଯେ ସେ ଶାଇଲକ୍‌ ପାଖକୁ ଯାଇ ଆବଶ୍ୟକ ଦଶ ହଜାର ଟଙ୍କା ଋଣ ଆଣିବେ ଓ ଜାହାଜ ଫେରିଆସିଲେ ସୁଧ ସହିତ ପରିଶୋଧ କରିଦେବେ ।

 

ଦୁଇ ବନ୍ଧୁ ଶାଇଲକ୍‌ର ଗୃହକୁ ଯାଇ ତାହାକୁ ଦଶ ହଜାର ଟଙ୍କା ଋଣ ମାଗିଲେ । ଶାଇଲକ୍‌ ମନେ ମନେ ଚିନ୍ତା କଲା, ‘ଏତେ ଦିନକେ ସୁଯୋଗ ମିଳିଛି । ଏହି ଆଣ୍ଟେନିଓ ନିମନ୍ତେ ମୋର ବ୍ୟବସାୟରେ କମ୍‌ କ୍ଷତି ହୋଇନାହିଁ । ସେ ଯେ କେବଳ ମୋତେ ଘୃଣା କରେ, ତାହା ନୁହେଁ; ଆମର ସମଗ୍ର ଇହୁଦୀ ଜାତିକୁ ମଧ୍ୟ ଘୃଣା କରେ । ମୁଁ ଟଙ୍କା ଋଣ ଦେଇ ମୋର ନ୍ୟାର୍ଯ୍ୟ ସୁଧ ଆଦାୟ କରେ । ସେଥିପାଇଁ ସେ ମୋତେ ଘୃଣା କରିବା କି ପ୍ରୟୋଜନ ? ବର୍ତ୍ତମାନ ପ୍ରତିଶୋଧ ନେବାର ସୁବିଧା ଉପସ୍ଥିତ ।’

 

କିଛି ସମୟ ପର୍ଯ୍ୟନ୍ତ ଶାଇଲକ ନୀରବ ରହିବାରୁ ଆଣ୍ଟେନିଓ କହିଲେ, ‘‘ଶାଇଲକ୍‌, ମୋର ଆସିବାର ଉଦ୍ଦେଶ୍ୟ ଜାଣିଲ ତ ? ମୋର ଟଙ୍କା ଆବଶ୍ୟକ ଥିବାରୁ ତୁମଠାରୁ ଋଣ ଚାହୁଁଛି-। ସେଥିପାଇଁ ଯେଉଁ ସୁଧ ଦାବି କରିବ, ତାହା ଦେବାକୁ ମୁଁ ପ୍ରସ୍ତୁତ । ଦୁଇ ମାସ ମଧ୍ୟରେ ମୋର ଜାହାଜ ଫେରିଆସିଲେ ତୁମର ଟଙ୍କା ସୁଧ ସହ ପରିଶୋଧ କରିଦେବି ।’’

 

ଶାଇଲକ୍‌ କହିଲା, ‘‘ବେଶ୍‌ କଥା, କିନ୍ତୁ ତୁମେ ମୋତେ କି ଅପମାନ ଦେଇନାହଁ ? ତୁମେ ପରା ମୋତେ କହ ‘କୁକ୍‌କୁର’ । ଆଚ୍ଛା, କୁକୁର କି କେବେ ଋଣ ଦେଇପାରେ ? ଏପରିକି ତୁମେ ମୋର ନାମ ସୁଦ୍ଧା ଉଚ୍ଚାରଣ କରିବାକୁ ଘୃଣା କର । ତୁମର ଏଇ ସବୁ ଅନୁଗ୍ରହ ପାଇଁ କଅଣ ତୁମକୁ ଟଙ୍କା ଦେବି ?’’

 

ଆଣ୍ଟେନିଓ ଟିକିଏ ଉତ୍ତେଜିତ ହୋଇ କହିଲେ, ‘‘ମୁଁ ଯାହା କହିଛି, ତାହା ପୁନରାୟ କହିବାକୁ କୁଣ୍ଠିତ ନୁହେଁ । ମୁଁ ବନ୍ଧୁଭାବରେ ତୁମଠାରୁ ଧାର ନେବାକୁ ଆସିନାହିଁ; ବରଂ ମୋତେ ତୁମର ଶତ୍ରୁ ବୋଲି ମନେକରି ଟଙ୍କା ଋଣ ଦିଅ । ଯେଉଁ ସର୍ତ୍ତରେ ଟଙ୍କା ଦେବାକୁ ଇଚ୍ଛା, ସେ ସର୍ତ୍ତରେ ନେବାକୁ ମୋର ଆପତ୍ତି ନାହିଁ ।’’

 

ଶାଇଲକ୍‌ ଜାଣିପାରିଲା, ଏପରି କଥାବାର୍ତ୍ତା କଲେ ହାତରୁ ଶିକାର ଖସିଯିବ; ହୁଏତ ଏଭଳି ସୁଯୋଗ ଆଉ ମିଳିବ ନାହିଁ । ତେଣୁ ସେ ବାହାରେ ବନ୍ଧୁଭାବ ଦେଖାଇ କହିଲା, ‘‘ଭାଇ, ତୁମେ ଏପରି ରାଗିଉଠୁଛ କାହିଁକି ? ମୁଁ ଟିକିଏ ପରିହାସରେ ସେପରି କହିଦେଲି । ତୁମେ କଅଣ ମୋର ବନ୍ଧୁ ନୁହେଁ । ତୁମେ ମୋତେ ଯାହା ସବୁ କହିଛ ମୁଁ ଭୁଲିଯିବି । ତୁମର ଦରକାର ପଡ଼ିଛି, ଟଙ୍କା ନେବ ତ ନିଅ । ତୁମଠାରୁ ମୁଁ ପୁଣି ସୁଧ ନେବି କିପରି ? ଚାଲ, ଯିବା; ତୁମେ ଥଟ୍ଟାରେ ଗୋଟିଏ ଦଲିଲ ଲେଖିଦେବ ଯେ ଯଦି ତିନି ମାସ ମଧ୍ୟରେ ଟଙ୍କା ପରିଶୋଧ ନ ହୁଏ, ତେବେ ମୁଁ ତୁମ ଦେହରୁ ଯେଉଁଠାରୁ ଇଚ୍ଛା ଏକ ପାଉଣ୍ଡ ମାଂସ କାଟିନେବି ।’’

 

ଶାଇଲକ୍‌ର ଏହି ଅଦ୍ଭୁତ ପ୍ରସ୍ତାବକୁ ଥଟ୍ଟା ମନେ କରି ଆଣ୍ଟେନିଓ କହିଲେ, ‘‘ବେଶ୍‌, ମୋର ଏଥିରେ ଆପତ୍ତି ନାହିଁ ।’’

 

ବାସେନିଓ ଏଥିରେ ସ୍ୱୀକୃତ ନ ହୋଇ ଆଣ୍ଟେନିଓଙ୍କୁ ଏପରି ସର୍ତ୍ତରେ ଟଙ୍କା ଆଣିବାକୁ ବାରଣ କଲେ । ମାତ୍ର ଆଣ୍ଟେନିଓ କହିଲେ, ‘‘ଏଥିରେ ରାଜି ନ ହେବାର କିଛି କାରଣ ନାହିଁ । ଥଟ୍ଟା ନ ହୋଇ ସତ୍ୟ ହେଲେ ମଧ୍ୟ କ୍ଷତି କଅଣ ? ଦୁଇ ମାସ ମଧ୍ୟରେ ମୋର ଜାହାଜ ଫେରିଆସିବ । ଟଙ୍କା ପରିଶୋଧ କରିବାରେ କିଛି ଅସୁବିଧା ହେବାର କାରଣ ନାହିଁ ।’’

 

ଦୁଇ ବନ୍ଧୁଙ୍କ ମଧ୍ୟରେ ଏ ପ୍ରକାରର ଆଲୋଚନା ଚାଲିଥିବାର ଦେଖି ଶାଇଲକ୍‌ କହିଲା, ‘‘ହାୟ ଭଗବାନ, ଖ୍ରୀଷ୍ଟିଆନ୍‌ମାନେ ଏତେ ଦୂର ସନ୍ଦେହୀ ବୋଲି ମୁଁ ଜାଣିନଥିଲି । ସେମାନେ ଜଗତର ସମସ୍ତଙ୍କୁ ଆପଣାଭଳି କଠୋର ଓ ନିର୍ଦ୍ଦୟ ବୋଲି ମନେ କରନ୍ତି । ଆଚ୍ଛା, ଆଣ୍ଟେନିଓ ! ମୁଁ ଗୋଟିଏ କଥା ପଚାରୁଛି । ଧରିନିଅ, ତୁମେ ତିନିମାସ ମଧ୍ୟରେ ଟଙ୍କା ପରିଶୋଧ କରି ପାରିଲ ନାହିଁ । ତୁମ ଦେହରୁ ଏକ ପାଉଣ୍ଡ ମାଂସ ନେଇ ମୁଁ କଅଣ କରିବି ? ମଣିଷ ମାଂସ ମୋର କି କାମରେ ଲାଗିବ ? ବରଂ ଛେଳି ମାଂସ ବା ମେଣ୍ଢା ମାଂସର କିଛି ହେଲେ ମୂଲ୍ୟ ଅଛି । କେବଳ ତୁମ ସହିତ ବନ୍ଧୁତା ରକ୍ଷା କରିବା ପାଇଁ ମୁଁ ସେପରି କହିଲି । ତୁମେ ଯଦି ସେ ବନ୍ଧୁତାକୁ ଗ୍ରହଣ ନକର ମୁଁ ନାଚାର ।’’

 

ଶାଇଲକ୍‌ ଯେତେ କହିଲେ ସୁଦ୍ଧା ତାର ଉଦ୍ଦେଶ୍ୟ ଯେ ସାଧୁ, ଏ କଥା ବାସେନିଓ ବିଶ୍ୱାସ କରିପାରିଲେ ନାହିଁ । ତଥାପି ତାଙ୍କର ବାରଣ ସତ୍ତ୍ୱେ ଆଣ୍ଟେନିଓ ଶାଇଲକ୍‌ର କଥାକୁ ସତ୍ୟ ମନେକରି ଏହିପରି ସର୍ତ୍ତରେ ଗୋଟିଏ ଦଲିଲ ଲେଖି ଦେଇ ଟଙ୍କା କରଜ ଆଣିଲେ ।

 

ବାସେନିଓ ଯେଉଁ ପୋର୍ଶିଆଙ୍କୁ ବିବାହ କରିବାକୁ ଇଚ୍ଛା କରିଥିଲେ, ସେ ଭେନିସର ନିକଟବର୍ତ୍ତୀ ବେଲମଣ୍ଟ୍‌ ନାମକ ଏକ ସ୍ଥାନରେ ବାସ କରୁଥିଲେ । ସେ ଯେପରି ସୁନ୍ଦରୀ, ସେହିପରି ଗୁଣବତୀ ଥିଲେ । ତା ଛଡ଼ା ସେ ପିତାଙ୍କର ବିଶାଳ ସମ୍ପତ୍ତିର ଉତ୍ତରାଧିକାରିଣୀ ହୋଇଥିଲେ ।

 

ଅର୍ଥାଭାବ ଦୂର ହୋଇଯିବାରୁ ବାସେନିଓ ଆଡ଼ମ୍ୱର ସହକାରେ କେତେକ ଭୃତ୍ୟ ଓ ଗ୍ରାସିଆନୋ ନାମକ ଜଣେ ବିଶିଷ୍ଟ ବନ୍ଧୁଙ୍କୁ ନେଇ ବେଲମଣ୍ଟ୍‌ରେ ଉପସ୍ଥିତ ହେଲେ ।

 

ପୋର୍ଶିଆ ଏମାନଙ୍କୁ ସାଦର ଅଭ୍ୟର୍ଥନା କରି ନିଜ ପ୍ରାସାଦରେ ସ୍ଥାନ ଦେଲେ ।

 

ପୋର୍ଶିଆଙ୍କର ପିତା ତାଙ୍କର ମୃତ୍ୟୁ ପୂର୍ବରୁ ତିନୋଟି ବାକ୍‌ସ ରଖିଯାଇଥିଲେ । ସେଥିମଧ୍ୟରୁ ଗୋଟିଏ ସୁନାରେ, ଗୋଟିଏ ରୂପାରେ ଓ ଅନ୍ୟଟି ସୀସାରେ ତିଆରି ହୋଇଥିଲା । ତିନୋଟି ମଧ୍ୟରୁ ଗୋଟିକରେ ପୋର୍ଶିଆଙ୍କର ଛବି ଥିଲା । କେଉଁଟିରେ ଛବି ରଖାଯାଇଥିଲା, ତାହା ତାଙ୍କ ସ୍ୱର୍ଗତ ପିତାଙ୍କ ଛଡ଼ା ଅନ୍ୟ କାହାରିକୁ ଜଣା ନଥିଲା । ସେ କହିଯାଇଥିଲେ ଯେ, ଯେଉଁମାନେ ପୋର୍ଶିଆକୁ ବିବାହ କରିବାକୁ ଆସିବେ, ସେମାନେ ନିଜ ନିଜ ଇଚ୍ଛାନୁସାରେ ଗୋଟିଏ ଗୋଟିଏ ବାକ୍‌ସ ନେଇ ଖୋଲିବେ । ଯିଏ ବାକ୍‌ସ ଭିତରୁ ପୋର୍ଶିଆର ଛବିଟି ପାଇବ, ସେହି ତାକୁ ବିବାହ କରିବ ।

 

ବାସେନିଓଙ୍କ ପରି ଆଉ ଦୁଇ ଜଣ ବିଶିଷ୍ଟ ଯୁବକ ପୋର୍ଶିଆଙ୍କୁ ବିବାହ କରିବା ଅଭିଳାଷରେ ବେଲମଣ୍ଟ ଯାଇଥିଲେ । ନିର୍ଦ୍ଦିଷ୍ଟ ଦିନରେ ବାସେନିଓ ଏବଂ ଅନ୍ୟ ଦୁଇଜଣ ଏହି ଦୈବୀ ପରୀକ୍ଷାରେ ଯୋଗଦେଲେ । ଜଣେ ସୁନାର ବାକ୍‌ସ ଓ ଅନ୍ୟଜଣେ ରୂପାର ବାକ୍‌ସ ବାଛିନେଲେ । ସେମାନେ ମନେ କରିଥିଲେ, ଏଭଳି ରୂପବତୀ ଓ ଗୁଣବତୀ କନ୍ୟାର ଛବି ନିଶ୍ଚୟ ସୁନା କିମ୍ୱା ରୂପାର ବାକ୍‌ସରେ ଥିବ । କିନ୍ତୁ ବାସେନିଓ ସୀସାର ବାକ୍‌ସଟି ନେଲେ । ବାକ୍‌ସଗୁଡ଼ିକ ଖୋଲିବାରୁ ଦେଖାଗଲା ଯେ ପୋର୍ଶିଆଙ୍କ ଛବିଟି ସୀସାର ବାକ୍‍ସରେ ଅଛି । ତେଣୁ ବାସେନିଓ ପୋର୍ଶିଆଙ୍କୁ ବିବାହ କରିବା ସ୍ଥିର ହେଲା । ସହଜେ ବାସେନିଓ ଉଚ୍ଚକୂଳରେ ଜାତ ଓ ରୂପ-ଗୁଣରେ ତାଙ୍କଭଳି ଯୁବକ ଖୁବ୍‌ ଅଳ୍ପ ଦେଖାଯାଉଥିଲେ । ତେଣୁ ପୋର୍ଶିଆ ତାଙ୍କୁ ଆନନ୍ଦରେ ପତିରୂପେ ଗ୍ରହଣ କଲେ ।

 

ବାସେନିଓ ପୋର୍ଶିଆଙ୍କ ଆଗରେ ନିଜର ଭାଗ୍ୟ-ବିପର୍ଯ୍ୟୟ ବିଷୟ ପ୍ରକାଶ କରି କହିଲେ, ‘‘ମୋର ଧନସମ୍ପତ୍ତି ବୋଲି କିଛି ନାହିଁ, ସମସ୍ତ କ୍ଷୟ ପାଇଯାଇଅଛି । ମୋର ଯଦି କିଛିମାତ୍ର ଗର୍ବ କରିବାର ଥାଏ, ତାହା ହେଉଛି ମୋର ଉଚ୍ଚ ବଂଶ ଓ ପୁରୁଷାନୁକ୍ରମିକ ପରମ୍ପରା ।’’ ପୋର୍ଶିଆଙ୍କର ଧନର ଅଭାବ ନଥିଲା କିମ୍ୱା ସେ ସ୍ୱାମୀଙ୍କଠାରୁ ଧନ ଆଶା କରୁ ନଥିଲେ । ତେଣୁ ସେ ବିନୀତ ଭାବରେ କହିଲେ, ‘‘ମୁଁ ଆପଣଙ୍କ ଉଦାର ଚରିତ୍ରରେ ମୁଗଧ୍‌ ହୋଇ ଆପଣଙ୍କଠାରେ ଆତ୍ମସମର୍ପଣ କରିଅଛି । ଆପଣଙ୍କର ପ୍ରେମ ଲାଭ କରିପାରିଲେ ମୁଁ ନିଜକୁ ସହସ୍ର ଗୁଣେ ସୁନ୍ଦରୀ ଓ ଐଶ୍ୱର୍ଯ୍ୟଶାଳିନୀ ବୋଲି ମନେକରିବି । ମୁଁ ସାମାନ୍ୟ ନାରୀ, ମୋର ଶିକ୍ଷା ସାମାନ୍ୟ; ସଂସାର ବିଷୟରେ ମୋର ଅଭିଜ୍ଞତା ନାହିଁ; କିନ୍ତୁ ଶିକ୍ଷା କରିବାକୁ ମୋର ବୟସ ଯାଇନାହିଁ । ଆପଣ ମୋର ଜୀବନର ସର୍ବସ୍ୱ । ଆପଣ ମୋତେ ଯେପରି ଚାଳିତ କରିବେ, ମୁଁ ସେହିପରି ଚଳିବି । ମୁଁ ନିଜକୁ ଆପଣଙ୍କ ନିକଟରେ ଅର୍ପଣ କରୁଛି । ମୋର ଧନଜନ ଆଦି ଯାହା କିଛି ଅଛି, ସେସବୁ ଆଜିଠାରୁ ଆପଣଙ୍କର । କାଲି ମୁଁ ଏ ବିଶାଳ ପ୍ରାସାଦ, ଦାସଦାସୀ, ଧନରତ୍ନ ଆଦିର ଅଧିକାରିଣୀ ଥିଲି; କିନ୍ତୁ ଆଜି ସେ ସବୁର ଅଧିକାରୀ ହେଉଛନ୍ତି ଆପଣ । ଏହି ମୁଦିଟି ଦେଇ ମୁଁ ଆପଣଙ୍କ ନିକଟରେ ସର୍ବସ୍ୱ ଅର୍ପଣ କଲି ।’’ ଏହିପରି କହି ପୋର୍ଶିଆ ବାସେନିଓଙ୍କୁ ଗୋଟିଏ ମୁଦି ଉପହାର ଦେଲେ ।

 

ବାସେନିଓ ପୋର୍ଶିଆଙ୍କର ଏପ୍ରକାର ନମ୍ରତା ଓ ସରଳ ବ୍ୟବହାରରେ ଏପରି ମୁଗ୍‌ଧ ହୋଇଗଲେ ଯେ ହୃଦୟର ଆବେଗ ପ୍ରକାଶ କରିପାରିଲେ ନାହିଁ । ସଂକ୍ଷେପରେ ସେ ପୋର୍ଶିଆଙ୍କ ପ୍ରତି ଅନୁରାଗ ଓ କୃତଜ୍ଞତା ପ୍ରକାଶ କରି କହିଲେ, ‘‘ମୁଁ ତୁମର ଏହି ସ୍ନେହୋପହାରଟି ଆନନ୍ଦରେ ଗ୍ରହଣ କଲି; ଯାବଜ୍ଜୀବନ ଏଇଟି ମୋର ଅଙ୍ଗୁଳିରେ ରହିଥିବ ।’’

 

ପୋର୍ଶିଆଙ୍କର ଜଣେ ସହଚରୀ ଥିଲେ । ତାଙ୍କର ନାମ ନେରିସା । ଏଥିମଧ୍ୟରେ ଗ୍ରାସିଆନୋ ଓ ନେରିସାଙ୍କ ମଧ୍ୟରେ ପରିଚୟ ହୋଇଥିଲା । ଦୁହେଁ ଦୁହିଙ୍କ ଗୁଣରେ ମୁଗ୍‌ଧ ହୋଇ ବିଭା ହେବାକୁ ଇଚ୍ଛା ପ୍ରକାଶ କଲେ । ପୋର୍ଶିଆ ଓ ବାସେନିଓ ଅତି ଆନନ୍ଦରେ ଏହି ପ୍ରସ୍ତାବରେ ସ୍ୱୀକୃତ ହେଲେ । ନେରିସା ମଧ୍ୟ ପ୍ରେମ ଉପହାରସ୍ୱରୁପ ଗ୍ରାସିଆନୋଙ୍କୁ ଗୋଟିଏ ମୁଦି ଦେଲେ । ଗ୍ରାସିଆନୋ ପ୍ରତିଜ୍ଞା କରି କହିଲେ, ‘‘ଜୀବନ ଥିବାଯାଏ ମୁଁ ତୁମର ସ୍ନେହ ଉପହାରଟିକୁ କେବେହେଲେ ହସ୍ତାନ୍ତର କରିବି ନାହିଁ ।’’

 

ଉଭୟ ବିବାହ ଠିକ୍‌ ଶେଷ ହେଲା ବେଳକୁ ଜଣେ ଲୋକ ଆସି ବାସେନିଓଙ୍କ ହସ୍ତରେ ଖଣ୍ଡିଏ ପତ୍ର ଦେଲା । ଏହାକୁ ପାଠକଲା କ୍ଷଣି ବାସେନିଓଙ୍କ ମୁହଁ କଳା ପଡ଼ିଗଲା; ଆଖି ଛଳଛଳ ହୋଇ ଆସିଲା । ପୋର୍ଶିଆ ଏଥିର କାରଣ ପଚାରିବାରୁ ବାସେନିଓ କହିଲେ, ‘‘ପ୍ରିୟେ, ଏ ଚିଠିଟିରେ ଗୋଟିଏ ଘୋର ଦୁଃସମ୍ୱାଦ ଅଛି । ମୁଁ ତୁମକୁ ସ୍ପଷ୍ଟ କହିଥିଲି ଯେ ମୋର ଏକମାତ୍ର ଧନ ହେଉଛି କୁଳଗୌରବ; କିନ୍ତୁ ମୁଁ ଯେ ଋଣଗ୍ରସ୍ତ ସେ କଥା ମଧ୍ୟ କହିବା ଉଚିତ୍‌ ଥିଲା । ଚାରିମାସ ପୂର୍ବେ ମୁଁ ଏଠାକୁ ଆସିବା ସମୟରେ ଆଣ୍ଟେନିଓ ନାମରେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ମୋପାଇଁ ଶାଇଲକ୍‌ ବୋଲି ଜଣେ ଇହୁଦୀ ମହାଜନଠାରୁ ଦଶହଜାର ଟଙ୍କା କରଜ ଆଣିଥିଲେ । କରଜର ସର୍ତ୍ତ ଥିଲା ଯେ ଯଦି ତିନିମାସ ମଧ୍ୟରେ ଋଣ ପରିଶୋଧ ନହୁଏ, ତେବେ ଶାଇଲକ୍‌ ତାଙ୍କ ଦେହରୁ ଏକ ପାଉଣ୍ଡ ମାଂସ କାଟିନେବ । ଆଣ୍ଟେନିଓ ମୋର ପ୍ରାଣର ବନ୍ଧୁ । ତାଙ୍କଠାରେ ମୁଁ ଆଜୀବନ ଋଣୀ । ସେ ମୋ ଭଳି ଅଧମ ପାଇଁ ଏପରି ସର୍ତ୍ତରେ ଟଙ୍କା ଆଣିଲେ । ସେତେବେଳେ ମୁଁ ବାରମ୍ୱାର ମନା କରିଥିଲି । କିନ୍ତୁ ସେ କହିଲେ କି ଅଳ୍ପଦିନ ପରେ ତାଙ୍କର ଜାହାଜ ଫେରିଆସିବ ଓ ନିର୍ଦ୍ଦିଷ୍ଟ ଦିନର ବହୁପୂର୍ବରୁ ସେ ଅକ୍ଳେଶରେ ଟଙ୍କା ପରିଶୋଧ କରି ପାରିବେ । ମାତ୍ର ବର୍ତ୍ତମାନ ତାଙ୍କର ଏହି ଦୁର୍ଦ୍ଦଶା ଏହି ଚିଠିରୁ ଜଣାଯିବ । ଏହା କହି ବାସେନିଓ ଆଣ୍ଟେନିଓଙ୍କ ପତ୍ରଟି ପୋର୍ଶିଆଙ୍କୁ ପଢ଼ି ଶୁଣାଇଲେ । ସେଥିରେ ଲେଖାଥିଲା–

 

ପ୍ରାଣପ୍ରିୟ ବାସେନିଓ,

 

ମୋର ସମସ୍ତ ଜାହାଜ ନଷ୍ଟ ହୋଇଯାଇଅଛି । ଶାଇଲକକୁ ଟଙ୍କା ପରିଶୋଧ କରିବାର ତାରିଖ ଗତ ହୋଇଯାଇଥିବାରୁ ଦଲିଲର ସର୍ତ୍ତ ଅନୁସାରେ ସେ ମୋର ଛାତିରୁ ଏକ ପାଉଣ୍ଡ ମାଂସ କାଟିନେବାକୁ ମୋକଦ୍ଦମା କରିଅଛି । ଅତଏବ ମୋର ଆଉ ବଞ୍ଚିବାର ଆଶା ନାହିଁ । ମୃତ୍ୟୁ ପୂର୍ବରୁ ତୁମକୁ ଥରେ ଦେଖିବାକୁ ମୋର ବଡ଼ ଇଚ୍ଛା । ଯଦି ତୁମର ମୋଠାରେ ସ୍ନେହ ଥାଏ, ତେବେ ଥରେ ଦେଖିବାକୁ ଆସିବ । ତୁମର ଯାହା ଇଚ୍ଛା ତାହା କରିବ ।

 

ସ୍ନେହର

ଆଣ୍ଟେନିଓ

 

ଏହି ସମ୍ୱାଦ ଜାଣିବାମାତ୍ରେ ପୋର୍ଶିଆ କହିଲେ, ‘‘ଏପରି ପ୍ରାଣପ୍ରତିମ ବନ୍ଧୁଙ୍କୁ ରକ୍ଷାକରିବା ତୁମର ପ୍ରଥମ କର୍ତ୍ତବ୍ୟ । ବର୍ତ୍ତମାନ ଏସବୁ ସମ୍ପତ୍ତି ତୁମର । କରଜ ଟଙ୍କାର କୋଡ଼ିଏ ପଚିଶ ଗୁଣ ଖରଚ ହେଉ ପଛକେ ତୁମ ବନ୍ଧୁଙ୍କର ଯେପରି ଲବମାତ୍ର ଅନିଷ୍ଟ ନ ହୁଏ । ତୁମେ ଅତିଶୀଘ୍ର ଯାଇ ବନ୍ଧୁଙ୍କୁ ଋଣମୁକ୍ତ କରି ଏଠାକୁ ନେଇ ଆସ ।’’

 

ବିବାହ ଉତ୍ସବ ଶେଷ ହେଲାକ୍ଷଣି ବାସେନିଓ ଓ ଗ୍ରାସିଆନୋ ଯଥେଷ୍ଟ ଟଙ୍କା ଧରି ଭେନିସ୍‌ ଅଭିମୁଖେ ଯାତ୍ରାକଲେ । ସେଠାରେ ପହଞ୍ଚି ଦେଖିଲେ ଯେ ଆଣ୍ଟେନିଓ ହାଜତରେ ଅଛନ୍ତି-

 

ବାସେନିଓ ଆଣ୍ଟେନିଓଙ୍କ ସକାଶେ ଶାଇଲକ୍‍କୁ ଟଙ୍କା ଯାଚିବାରୁ ସେ ତାହା ନେଲା ନାହିଁ; କହିଲା, ‘‘ତାରିଖ ଗତ ହୋଇ ଯାଇଛି । ମୁଁ ଟଙ୍କା ନେବିନାହିଁ । ମୋର ବର୍ତ୍ତମାନ ପ୍ରାପ୍ୟ ହେଉଛି ଏକ ପାଉଣ୍ଡ ମାଂସ । ମୁଁ ଆଣ୍ଟେନିଓର ଛାତିରୁ ଏକ ପାଉଣ୍ଡ ମାଂସ କାଟିନେବି । ମୋର ଟଙ୍କା ଦରକାର ନାହିଁ ।’’ ବାସେନିଓଙ୍କର ସକଳ ଅନୁରୋଧ ବିଫଳ ହେଲା ।

 

ଶାଇଲକ୍‌ ଭେନିସ୍‌ର ଡିଉକ୍‌ଙ୍କ ଆଗରେ ନାଲିଶ୍‌ କରିଥିଲା । ମକଦ୍ଦମାର ବିଚାର ହେବାପାଇଁ ଗୋଟିଏ ଦିନ ଧାର୍ଯ୍ୟ ହୋଇଥିଲା ।

 

ଏଣେ ପୋର୍ଶିଆ ସ୍ୱାମୀଙ୍କୁ ଭେନିସ୍‌କୁ ପଠାଇ ଦେଇ ନିଜେ ଯେ ନିଶ୍ଚିନ୍ତ ଥିଲେ, ତାହା ନୁହେଁ । କିପରି ସ୍ୱାମୀଙ୍କ ବନ୍ଧୁଙ୍କର ଜୀବନ ରକ୍ଷା କରିବେ ତାହାହିଁ ତାଙ୍କର ପ୍ରଧାନ ଚିନ୍ତା ଥିଲା । ଅବଶ୍ୟ ଏଥିପୂର୍ବରୁ ସେ ପ୍ରକାଶ କରିଥିଲେ ଯେ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସେ ନିଜର ସ୍ୱାମୀଙ୍କଦ୍ୱାରା ପରିଚାଳିତ ହେବେ । କିନ୍ତୁ ସେ ନିଜର ବିଚାରଶକ୍ତି ଓ ବୁଦ୍ଧି ବିଷୟରେ ସଚେତନ ଥିଲେ । ତେଣୁ ସେ ନିଜେ ଭେନିସ୍‌କୁ ଯାଇ ଆଣ୍ଟେନିଓଙ୍କୁ ଉଦ୍ଧାର କରିବେ ବୋଲି ସ୍ଥିର କଲେ ।

 

ପୋର୍ଶିଆଙ୍କର ଜଣେ ଓକିଲ ବନ୍ଧୁ ଥିଲେ । ତାଙ୍କର ନାମ ବେଲାରିଓ । ମକଦ୍ଦମାର ସମସ୍ତ ବିବରଣ ଜଣାଇ ପୋର୍ଶିଆ ତାଙ୍କର ପରାମର୍ଶ ଲୋଡ଼ିଲେ ଓ ଅନୁରୋଧ କଲେ ଯେ ଉପଯୁକ୍ତ ପରାମର୍ଶ ସହିତ ତାଙ୍କର ଓକିଲ ପୋଷାକ ମଧ୍ୟ ପଠାଇବେ । ପତ୍ରବାହକ ଶୀଘ୍ର ଫେରିଆସିଲା । କିପରି ମୋକଦ୍ଦମା ଲଢ଼ିବାକୁ ହେବ ସେ ବିଷୟରେ ପରାମର୍ଶ ସହିତ ବେଲାରିଓ ତାଙ୍କ ଓକିଲ ପୋଷାକ ପଠାଇ ଦେଇଥିଲେ ।

 

ପୋର୍ଶିଆ ନିଜେ ପୁରୁଷ ବେଶରେ ଓକିଲର ପୋଷାକ ପିନ୍ଧିଲେ, ମୁଣ୍ଡରେ ଓକିଲଙ୍କ ଟୋପି ଦେଲେ ଏବଂ ସେହିପରି ନେରିସାକୁ ପୁରୁଷ ବେଶରେ ସଜାଇ ମୋହରିରର ପୋଷାକ ପିନ୍ଧାଇ ଦେଲେ । ଏହି ପୋଷାକ ପିନ୍ଧିବା ପରେ ଦୁହିଁଙ୍କୁ ସ୍ତ୍ରୀଲୋକ ବୋଲି ଜାଣିବାର କୌଣସି ଉପାୟ ରହିଲା ନାହିଁ ।

 

ପୋର୍ଶିଆ ଓ ନେରିସା ଦୁହେଁଯାକ ଭେନିସ୍‌ରେ ଡିଉକ୍‌ଙ୍କ ବିଚାରାଳୟରେ ଉପସ୍ଥିତ ହେଲେ । ସେତିକିବେଳକୁ ବିଚାର ଆରମ୍ଭ ହେଉଥାଏ । ଡିଉକ୍‌ଙ୍କ ପାଖରେ ଅନ୍ୟ କେତେଜଣ ସାହାଯ୍ୟକାରୀ ବିଚାରକ ମଧ୍ୟ ବସିଥାନ୍ତି । ଏହି ସମୟରେ ପୋର୍ଶିଆ ଓକିଲ ବେଶରେ ବିଚାରାଳୟରେ ପ୍ରବେଶ କରି ଡିଉକ୍‌ଙ୍କୁ ଯଥାବିଧି ସମ୍ମାନ ଦେଖାଇଲେ ଓ ବେଲାରିଓଙ୍କ ଦ୍ୱାରା ଲିଖିତ ଖଣ୍ଡିଏ ପତ୍ର ଡିଉକ୍‌ଙ୍କ ହାତରେ ଦେଲେ । ସେଥିରେ ବେଲାରିଓ ଡିଉକ୍‌ଙ୍କ ନିକଟକୁ ଲେଖିଥିଲେ–

 

ମୁଁ ଆଣ୍ଟେନିଓଙ୍କ ପକ୍ଷରୁ ଆପଣଙ୍କ ବିଚାରାଳୟରେ ଯୋଗ ଦେବାର କଥା ଥିଲା; କିନ୍ତୁ ଅସ୍ୱାସ୍ଥ୍ୟବଶତଃ ତାହା କରି ନ ପାରି ଦୁଃଖିତ । ମୋର ଏକାନ୍ତ ଅନୁରୋଧ ଏହି ଯେ, ମୋ ପରିବର୍ତ୍ତେ ମୋର ବନ୍ଧୁ ଓକିଲ ବାଲଥାସର ମହୋଦୟଙ୍କୁ ଆଣ୍ଟେନିଓଙ୍କ ପକ୍ଷ ସମର୍ଥନ କରିବାକୁ ଅନୁମତି ଦେବାହେବେ ।

 

ଡିଉକ୍‌ ଲବମାତ୍ର ଆପତ୍ତି ନକରି ଏହି ପ୍ରାର୍ଥନା ମଞ୍ଜୁର କଲେ । ଏହି ବାଲଥାସର ଯେ ପ୍ରକୃତପକ୍ଷରେ ଜଣେ ସ୍ତ୍ରୀଲୋକ, ତାହା ସେ ଆଦୌ ଜାଣିପାରିଲେ ନାହିଁ ।

 

ବର୍ତ୍ତମାନ ବିଚାର ଆରମ୍ଭ ହେଲା । ପୋର୍ଶିଆ ପ୍ରଥମେ ବିଚାରାଳୟର ଚାରିଆଡ଼କୁ ଥରେ ଅନାଇଁଗଲେ । ସେଠାରେ ସେ ନିଜର ସ୍ୱାମୀ ଆଣ୍ଟେନିଓଙ୍କ ପାଖରେ ଛିଡ଼ା ହୋଇଥିବାର ଦେଖିଲେ । ତାଙ୍କର ମୁଖ ଦୁଃଖରେ ମଳିନ ହୋଇ ଯାଇଥାଏ । ଆହୁରି ମଧ୍ୟ ସେ ନିଷ୍ଠୁର ଶାଇଲକ୍‍କୁ ସେଠାରେ ଦେଖିବାକୁ ପାଇଲେ । ମାତ୍ର ସେମାନେ ସମସ୍ତେ ତାଙ୍କୁ ଜଣେ ଓକିଲ ଛଡ଼ା ଆଉ କିଛି ମନେ କରି ନ ଥିଲେ ।

 

ପୋର୍ଶିଆ ଯେଉଁ କଠିନ କାର୍ଯ୍ୟରେ ହାତ ଦେଇଥିଲେ ତାହା ସଫଳ କରିବା ପାଇଁ ଯଥେଷ୍ଟ ସାହସ ଆବଶ୍ୟକ ଥିଲା । ସେ ଗମ୍ଭୀର ଭାବରେ ଓକିଲ ଭୂମିକାରେ ଅଗ୍ରସର ହେଲେ । ସେ ପ୍ରଥମେ ଦଲିଲଟିକୁ ଥରେ ପଢ଼ିନେଇ ଶାଇଲକ୍‌କୁ କହିଲେ, ‘‘ଶାଇଲକ୍‌, ଦଲିଲର ସର୍ତ୍ତ ଅନୁସାରେ ଆଣ୍ଟେନିଓଙ୍କ ଦେହରୁ ଯେକୌଣସି ଜାଗାରୁ ଏକ ପାଉଣ୍ଡ ମାଂସ କାଟିନେବାର ଅଧିକାର ତୁମର ଅଛି ବୋଲି ମୁଁ ସ୍ୱୀକାର କରୁଅଛି । କିନ୍ତୁ ଟିକିଏ ବିଚାର କରିବାକୁ ତୁମକୁ ମୁଁ ଅନୁରୋଧ କରୁଛି । ଦୟା ଗୋଟିଏ ସ୍ୱର୍ଗୀୟ ଗୁଣ । ଏହା ସ୍ୱର୍ଗର ଗଙ୍ଗା ପରି ମନୁଷ୍ୟର ହୃଦୟରେ ପ୍ରବାହିତ । ସ୍ୱର୍ଗରୁ ଜଳଧାରା ପତିତ ହୋଇ ତପ୍ତ ଧରଣୀପୃଷ୍ଠକୁ ଶୀତଳ କଲାପରି ଦୟା କେତେ ମାନବର ଦୁଃଖକ୍ଳିଷ୍ଟ ହୃଦୟରେ ସାନ୍ତ୍ୱନା ଓ ଶାନ୍ତି ଦେଇଥାଏ । ଏହି ଦୟାଗୁଣ ନେଇ ମନୁଷ୍ୟ ମଧ୍ୟରେ କେହି ଶ୍ରେଷ୍ଠ, କେହି ବା ନିକୃଷ୍ଟ । ଜଗତରେ ଯଦି କେବଳ ନ୍ୟାୟ ଥାଆନ୍ତା, ଦୟା ନଥାନ୍ତା, ତେବେ କେହି ଚଳିପାରନ୍ତା ନାହିଁ । ନ୍ୟାୟ ସଙ୍ଗେ ସଙ୍ଗେ ଦୟା ମଧ୍ୟ ରହିଅଛି । ରାଜା ଯେବେ କେବଳ ନ୍ୟାୟ ବିଚାର କରି ଦଣ୍ଡବିଧାନ କରୁଥାନ୍ତେ ଓ ଦୟା ପ୍ରକାଶ କରୁ ନ ଥାନ୍ତେ ତେବେ ଲୋକେ କେତେ କଷ୍ଟ ପାଉ ନ ଥାନ୍ତେ ? ସେହି ହେତୁରୁ ଯେଉଁ ରାଜା ନ୍ୟାୟ ବିଚାର ସଙ୍ଗେ ସଙ୍ଗେ ଯେତେ ଦୟା ପ୍ରକାଶ କରନ୍ତି ତାଙ୍କୁ ଆମେମାନେ ସେତିକି ବେଶି ସମ୍ମାନ କରୁ । ଦୟା ପ୍ରଦର୍ଶନ କରିବା ଲୋକ ଯେଉଁ ସ୍ୱର୍ଗୀୟ ଆନନ୍ଦ ଅନୁଭବ କରନ୍ତି, ତାହା ଅନ୍ୟ କେହି କରି ନ ପାରେ । ଆମେମାନେ କେବଳ ଈଶ୍ୱରଙ୍କ ନ୍ୟାୟବିଚାର ଉପରେ ନିର୍ଭର କରି ମୋକ୍ଷ ପାଇପାରିବା ନାହିଁ । ସେଥିପାଇଁ ଈଶ୍ୱରଙ୍କର କରୁଣା ଭିକ୍ଷା କରିବାକୁ ପଡ଼ିବ । ଇହଲୋକରେ ଯଦି ଆମେ କାହାରିକୁ ଦୟା ନ ଦେଖାଉ, ତେବେ ପରଲୋକରେ କିପରି ଈଶ୍ୱରଙ୍କଠାରୁ ଦୟା ଆଶା କରିବା ? ଶାଇଲକ୍‌, ତୁମକୁ ମୋର ବିଶେଷ ଅନୁରୋଧ, ତୁମେ ଆଣ୍ଟେନିଓ ପ୍ରତି ଦୟା ପ୍ରକାଶ କରି ଟଙ୍କା ଗ୍ରହଣ କର । ତାହାଦ୍ୱାରା ଆଣ୍ଟେନିଓ ଉପକୃତ ହେବା ସଙ୍ଗେ ସଙ୍ଗେ ସମସ୍ତେ ଆନନ୍ଦିତ ହେବେ ଓ ତୁମକୁ ଶତମୁଖରେ ପ୍ରଶଂସା କରିବେ ।’’

 

ଓକିଲଙ୍କର ଏକଥା ଶୁଣି ପଥର ହେଲେ ମଧ୍ୟ ପାଣି ପାଲଟି ଯାଇଥାନ୍ତା । କିନ୍ତୁ ଶାଇଲକ୍‌ର ହୃଦୟ ପଥରଠାରୁ ମଧ୍ୟ କଠିନ । ସେ କହିଲା–‘‘ମୁଁ ନ୍ୟାୟ ବିଚାର ଚାହେଁ । ଆଇନ ଅନୁସାରେ ମୋର ଯାହା ପ୍ରାପ୍ୟ, ମୁଁ ସେତିକି ମାତ୍ର ଚାହୁଁଛି । ଦଲିଲର ସର୍ତ୍ତ ଅନୁସାରେ ଆଣ୍ଟେନିଓର ଛାତିରୁ ଏକ ପାଉଣ୍ଡ ମାଂସ ହେଉଛି ମୋର ପ୍ରାପ୍ୟ ।’’

 

ପୋର୍ଶିଆ ପଚାରିଲେ, ‘‘ସେ କଅଣ ତୁମର ଟଙ୍କା ଦେଇ ପାରୁନାହାନ୍ତି ?’’

 

ଏତିକି ଶୁଣିଲାମାତ୍ରେ ବାସେନିଓ କରଜ ଟଙ୍କାର ଯେତେ ଗୁଣ ଶାଇଲକ୍‌ ଚାହିଁବ, ସେତେ ଗୁଣ ପରିଶୋଧ କରିବାକୁ ପ୍ରସ୍ତୁତ ବୋଲି ଜଣାଇଦେଲେ । କିନ୍ତୁ ଶାଇଲକ୍‌ କୌଣସିମତେ ଟଙ୍କା ନେବାକୁ ଅସ୍ୱୀକାର କରି ନିଜର ଦାବୀରେ ଦୃଢ଼ ହୋଇ ରହିଲା । ବାସେନିଓ ନିରୁପାୟ ହୋଇ ଆଣ୍ଟେନିଓଙ୍କ ଜୀବନ ରକ୍ଷା କରିବା ପାଇଁ ଆଇନକୁ ଟିକିଏ କୋହଳ କରିବାକୁ ଓକିଲଙ୍କୁ ଅନୁରୋଧ କଲେ । କିନ୍ତୁ ପୋର୍ଶିଆ ଗମ୍ଭୀର ଭାବରେ ଉତ୍ତର କଲେ-‘‘ଆଇନ ଥରେ ଗୃହୀତ ହୋଇଗଲେ, ତାକୁ ଆଉ କେହି ପରିବର୍ତ୍ତନ କରି ନ ପାରେ । ଆଇନ ତାର ପନ୍ଥା ଧରି କାର୍ଯ୍ୟ କରିବ ।’’ ଏହା ଶୁଣିଲା ମାତ୍ରେ ଶାଇଲକ୍‌ର ଧାରଣା ହେଲା, ଏହି ଯୁବକ ଓକିଲ ତାହା ସପକ୍ଷରେ କହୁଅଛନ୍ତି । ତେଣୁ ସେ କହିଲା, ‘‘ଆପଣ ସ୍ୱୟଂ ଧର୍ମର ଅବତାର । ଆପଣଙ୍କ ପରି ନ୍ୟାୟବାନ୍‌ ଲୋକ ଦେଖିନାହିଁ । ବୟସ କମ୍‌ ହେଲେହେଁ କି ଚମତ୍କାର ବୁଦ୍ଧି !’’

 

ପୋର୍ଶିଆ ଶାଇଲକ୍‌ଠାରୁ ଦଲିଲଟି ମାଗିନେଇ ପଢ଼ିଗଲେ । ତାପରେ କହିଲେ, ‘‘ଏ ଦଲିଲରେ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା ତାହା ଗତ ହୋଇଯାଇଛି । ତେଣୁ ଆଇନ ଅନୁସାରେ ଶାଇଲକ୍‌ ଆଣ୍ଟେନିଓଙ୍କ ଛାତିରୁ ଏକ ପାଉଣ୍ଡ ମାଂସ କାଟିନେବାକୁ ଦାବୀ କରିବାରେ କିଛି ଅନ୍ୟାୟ କରିନାହାନ୍ତି । କିନ୍ତୁ ହେ ଶାଇଲକ୍‌, ଅନୁଗ୍ରହ କରି ମାଂସ ଦାବୀ ନ କରି ଟଙ୍କା ଗ୍ରହଣ କର ଓ ଏ ଦଲିଲଟି ଚିରିଦେବାକୁ ମୋତେ ଅନୁମତି ଦିଅ ।’’ ତଥାପି ଶାଇଲକ୍‌ ନିଜ ଦୁଷ୍ଟ ଅଭିଳାଷରୁ ଲବ ମାତ୍ର ଟଳିଲା ନାହିଁ । ସେ କହିଲା, ‘‘ମୁଁ ଯାହା କହିଛି ତାହା ଭିନ୍ନ ଆଉ କିଛି କହିବି ନାହିଁ । କାହାରି କଥାରେ ମୁଁ କେବେହେଲେ ମୋର ମତ ପରିବର୍ତ୍ତନ କରିବି ନାହିଁ ।’’

 

ତହୁଁ ପୋର୍ଶିଆ କହିଲେ, ‘‘ତେବେ ବିଳମ୍ୱର ପ୍ରୟୋଜନ ନାହିଁ । ଆଣ୍ଟେନିଓ, ବର୍ତ୍ତମାନ ଶାଇଲକ୍‌ ତୁମ ଛାତିରୁ ଏକ ପାଉଣ୍ଡ ମାଂସ କାଟି ନେବେ । ଯଦି ତୁମର କିଛି କହିବାର ଥାଏ କହିପାର ।’’

 

ଆଣ୍ଟେନିଓ ମୃତ୍ୟୁପାଇଁ ପ୍ରସ୍ତୁତ ହୋଇଥିଲେ । ସେ ବାସେନିଓଙ୍କୁ ସମ୍ୱୋଧନ କରି କହିଲେ, ‘‘ବନ୍ଧୁ, ମୁଁ ଆଜି ତୁମଠାରୁ ଚିରବିଦାୟ ନେଉଛି । ତୁମ ସକାଶେ ମୁଁ ଏ ପରିଣାମ ଭୋଗ କଲି ବୋଲି ମନରେ କଷ୍ଟ କରିବ ନାହିଁ; ବରଂ ମୁଁ ଆନନ୍ଦିତ ହେଉଅଛି ଯେ ମୋର ବନ୍ଧୁ ନିମନ୍ତେ ଯତ୍‌ସାମାନ୍ୟ ସାହାଯ୍ୟ କରିପାରିଅଛି । ତୁମର ପତ୍ନୀଙ୍କୁ ମୋ ବିଷୟ କହିବ । ତୁମ ପ୍ରତି ମୋର ଯେଉଁ ସ୍ନେହ, ତାହା ତାଙ୍କୁ ଜଣାଇବ । ବିଦାୟ ବନ୍ଧୁ ବିଦାୟ ।’’

 

ଏ କଥାରେ ବାସେନିଓଙ୍କ ହୃଦୟ ସତେ ଯେପରି ବିଦୀର୍ଣ୍ଣ ହୋଇଗଲା । ଚକ୍ଷୁରୁ ଲୋତକ ଢାଳି ବାଷ୍ପ ଗଦ୍‌ଗଦ୍‌ କଣ୍ଠରେ ସେ କହିଲେ, ‘‘ବନ୍ଧୁ ଆଣ୍ଟେନିଓ, ମୁଁ ମୋର ନିଜ ସ୍ତ୍ରୀଙ୍କୁ ଜୀବନଠାରୁ ବଳି ଭଲପାଏଁ । କିନ୍ତୁ ମୋର ସ୍ତ୍ରୀ, ମୋର ପ୍ରାଣ, ଏପରିକି ପୃଥିବୀର ସର୍ବସ୍ୱ ତୁମର ପ୍ରାଣ ନିକଟରେ କିଛି ନୁହେଁ ବୋଲି ମୁଁ ମନେ କରେ । ଯଦି ଏ ସମସ୍ତ ବିନିମୟରେ ଏ ରକ୍ତଲୋଭୀ ଇହୁଦୀଠାରୁ ତୁମର ଜୀବନ ରକ୍ଷା ହୁଅନ୍ତା, ତେବେ ତାହା କରିବାକୁ ମୁଁ କୁଣ୍ଠିତ ହୁଅନ୍ତି ନାହିଁ ।’’

 

ପୋର୍ଶିଆ ଓକିଲ ବେଶରେ ସେଠାରେ ଥାଇ ସବୁ ଶୁଣୁଥାନ୍ତି । ବାସେନିଓ ବନ୍ଧୁଙ୍କ ଜୀବନ ରକ୍ଷାପାଇଁ ନିଜ ପତ୍ନୀଙ୍କୁ ମଧ୍ୟ ବିସର୍ଜନ କରିପାରିବେ ବୋଲି ଶୁଣି ସୁଦ୍ଧା ସେ ଲବ ମାତ୍ର କ୍ଷୂର୍ଣ୍ଣ ହେଲେ ନାହିଁ, ବରଂ ସେ ମନେ ମନେ ପତିଙ୍କର ବନ୍ଧୁପ୍ରୀତିର ପ୍ରଶଂସା କଲେ । କିନ୍ତୁ ଟିକିଏ ପରିହାସ କଲାପରି କହିଲେ, ‘‘ଭାଗ୍ୟକୁ ଆପଣଙ୍କ ସ୍ତ୍ରୀ ଏଠାରେ ନାହାନ୍ତି । ଆପଣ ବନ୍ଧୁଙ୍କ ବିନିମୟରେ ତାଙ୍କୁ ତ୍ୟାଗ କରିବାକୁ ପ୍ରସ୍ତୁତ ଥିବାର ଶୁଣି ବୋଧହୁଏ ସେ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହୋଇ ନ ଥାନ୍ତେ ।’’

 

ଗ୍ରାସିଆନୋ ତାଙ୍କର ପ୍ରଭୁ ବାସେନିଓଙ୍କ ପାଖେ ପାଖେ ଥିଲେ । ସେ କହିଲେ, ‘‘ମୁଁ ମଧ୍ୟ ମୋର ସ୍ତ୍ରୀଙ୍କୁ ବଡ଼ ସ୍ନେହ କରେ । ଯଦି ସେ ସ୍ୱର୍ଗରେ ରହି ଏ ନରପିଶାଚ ଶାଇଲକ୍‌ର ହୃଦୟ ତରଳାଇ ପାରନ୍ତେ, ତେବେ ମୁଁ ବଡ଼ ଆନନ୍ଦିତ ହୁଅନ୍ତି ।’’

 

ନେରିସା ମୋହରିର ବେଶରେ ପୋର୍ଶିଆଙ୍କ ପାଖରେ ବସି ଲେଖାଲେଖି କରୁଥିଲେ । ଗ୍ରାସିଆନୋଙ୍କ କଥା ଶୁଣି ସେ କହିଲେ, ‘‘ଆପଣଙ୍କର ସ୍ତ୍ରୀ ଏଠାରେ ନାହାନ୍ତି, ଏହାହିଁ ସୌଭାଗ୍ୟର ବିଷୟ । ସେ ଏଠାରେ ଥିଲେ, ଆପଣ ତାଙ୍କୁ ଏତେ ଶୀଘ୍ର ସ୍ୱର୍ଗପୁରକୁ ପଠାଇ ଦେବାକୁ ସାହସ କରି ନ ଥାନ୍ତେ । ସେ ଏହା ଶୁଣିପାରିଥିଲେ, ଆପଣଙ୍କ ଘରେ ଶାନ୍ତ ରହିନଥାନ୍ତା ।’’

 

ଶାଇଲକ୍‌ ଅଧୀର ହୋଇ କହିଲା, ‘‘ଆଉ ବିଳମ୍ୱ କରି ସମୟ ନଷ୍ଟ କରିବା ଦରକାର ନାହିଁ । ଧର୍ମାବତାର, ଆଦେଶ ଦିଅନ୍ତୁ ।’’ ବିଚାରାଳୟ ନିସ୍ତବ୍‌ଧ ହୋଇଗଲା । ସମସ୍ତେ ହାୟ ହାୟ କରିବାକୁ ଲାଗିଲେ ।

 

ପୋର୍ଶିଆ କହିଲେ, ‘‘ବାସ୍ତବରେ ଆଉ ବିଳମ୍ୱର ପ୍ରୟୋଜନ ନାହିଁ । ନିକିତି ଠିକ୍‌ କର ଏବଂ ଜଣେ ଡାକ୍ତରଙ୍କୁ ଡାକିଆଣ ଶାଇଲକ୍‌ !’’

 

ଶାଇଲକ୍‌-ଡାକ୍ତର କଅଣ କରିବ ?

 

ପୋର୍ଶିଆ-କାଳେ ରକ୍ତ ବୋହି ଆଣ୍ଟେନିଓଙ୍କର ମୃତ୍ୟୁ ହୋଇପାରେ ।

 

ଶାଇଲକ୍‌–ଦଲିଲରେ ତ ସେପରି ଉଲ୍ଲେଖ ନାହିଁ ?

 

ପୋର୍ଶିଆ–ଦଲିଲରେ ଡାକ୍ତର କଥା ଉଲ୍ଲେଖ ନାହିଁ, ସେ କଥା ସତ; ତେବେ ତୁମେ ଦୟା ଦେଖାଇ ଜଣେ ଡାକ୍ତର ଡାକି ପାର ।

 

ଶାଇଲକ୍‌ର ସେଇ ଗୋଟିଏ କଥା–ଦଲିଲରେ ସେପରି କିଛି ଲେଖାଯାଇ ନାହିଁ । ତହୁଁ ପୋର୍ଶିଆ କହିଲେ, ‘‘ମୁଁ ସ୍ୱୀକାର କରୁଛି, ଦଲିଲରେ ତାହା ନାହିଁ । ଦଲିଲରେ ଲେଖାଅଛି ଯେ ତୁମେ ଏକ ପାଉଣ୍ଡ ମାଂସ କାଟି ନେଇ ପାରିବ । ଆଇନ ଅନୁସାରେ ଏକ ପାଉଣ୍ଡ ମାଂସ ତୁମର ପ୍ରାପ୍ୟ । ବିଚାରାଳୟ ତାହା ତୁମକୁ ଦେବାକୁ ପ୍ରସ୍ତୁତ ।’’

 

ଶାଇଲକ୍‌ ଏହା ଶୁଣି ଆନନ୍ଦରେ ପୁଣି କହିଉଠିଲା, ‘‘କି ନ୍ୟାୟ ବିଚାର ! ସ୍ୱୟଂ ଧର୍ମରାଜ ବିରାଜମାନ ।’’ ସେ ଆଣ୍ଟେନିଓଙ୍କ ଆଡ଼କୁ ଅନାଇଁ ଗୋଟାଏ ଛୁରୀ ପଜାଇବାକୁ ଲାଗିଲା-

 

ଏହି ସମୟରେ ପୋର୍ଶିଆ ଶାଇଲକ୍‌କୁ ଚାହିଁ କହିଲେ, ‘‘ଶାଇଲକ୍‌, ଟିକିଏ ଅପେକ୍ଷା କର । ମୋର ଆଉ ଟିକିଏ ଜଣାଇଦେବାକୁ ଅଛି । ଏହି ଦଲିଲ ଅନୁସାରେ କେବଳ ଏକ ପାଉଣ୍ଡ ମାଂସ ହେଉଛି ତୁମର ପ୍ରାପ୍ୟ । ଦଲିଲରେ ସ୍ପଷ୍ଟ ଲେଖାଅଛି ‘ଏକ ପାଉଣ୍ଡ ମାଂସ’ । ତେଣୁ ଆଣ୍ଟେନିଓଙ୍କ ଶରୀରର ବିନ୍ଦୁଏ ସୁଦ୍ଧା ରକ୍ତ ଉପରେ ତୁମର ଅଧିକାର ନାହିଁ । ଅତଏବ ମାଂସ କାଟିନେବାବେଳେ ଯଦି ଏହି ଖ୍ରୀଷ୍ଟିଆନ ଭଦ୍ରବ୍ୟକ୍ତିଙ୍କ ଶରୀରରୁ ବିନ୍ଦୁଏ ମାତ୍ର ରକ୍ତ ପଡ଼େ, ତାହାହେଲେ ଭେନିସ୍‌ର ଆଇନ ଅନୁସାରେ ତୁମର ସମସ୍ତ ସ୍ଥାବରାସ୍ଥାବର ସମ୍ପତ୍ତି ସରକାର ବାଜ୍ୟାପ୍ତ କରିନେବେ ।’’

 

ଆଦୌ ରକ୍ତପାତ ନକରି ମାଂସ କାଟିନେବା ସଂପୂର୍ଣ୍ଣ ଅସମ୍ଭବ । ଦଲିଲରେ ମାଂସ କାଟି ନେବାକୁ ଲେଖାଅଛି; ରକ୍ତପାତ କରିବାକୁ ଲେଖାନାହିଁ-ପୋର୍ଶିଆଙ୍କ ଏହି ବିଚକ୍ଷଣ ଯୁକ୍ତିବଳରେ ଆଣ୍ଟେନିଓଙ୍କର ଜୀବନ ରକ୍ଷା ହେଲା । ବିଚାରାଳୟରେ ଉପସ୍ଥିତ ସମସ୍ତ ବ୍ୟକ୍ତି ତଥା ବିଚାରପତି ଡିଉକ୍‌ ଯୁବକ ଓକିଲଙ୍କ ଏହି ବୁଦ୍ଧିମତ୍ତାରେ ବିସ୍ମିତ ହୋଇ ତାଙ୍କର ପ୍ରଶଂସା ଗାନ କଲେ । ବର୍ତ୍ତମାନ ଶାଇଲକ୍‌ ଛଡ଼ା ଅନ୍ୟ ସମସ୍ତେ ଆନନ୍ଦରେ ବିଭୋର । ଗ୍ରାସିଆନୋ ଶାଇଲକ୍‌କୁ ଉପହାସ କରି କହିଲେ, ‘‘ବେଶ୍ ନ୍ୟାୟ ବିଚାର ! ସ୍ୱୟଂ ଧର୍ମରାଜଙ୍କର ବିଚାର !’’

 

ଶାଇଲକ୍‌ ଦେଖିଲା ଯେ ଆଣ୍ଟେନିଓଙ୍କର ପ୍ରାଣ ନେବା ଉଦ୍ଦେଶ୍ୟ ପଣ୍ଡ ହୋଇଗଲା । ସେ ନିରାଶ ହୋଇ ଟଙ୍କାତକ ପାଇଲେ ଚାଲିଯିବ ବୋଲି କହିଲା । ଏହା ଶୁଣି ବାସେନିଓଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ ତତ୍‌କ୍ଷଣାତ୍‌ ଟଙ୍କା ଆଣି କହିଲେ, ‘‘ନିଅ, ତୁମର ଟଙ୍କା ନିଅ ।’’ କିନ୍ତୁ ପୋର୍ଶିଆ ତାଙ୍କୁ ବାରଣ କରି କହିଲେ, ‘‘ଏତେ ବ୍ୟସ୍ତ ହେବା ଦରକାର ନାହିଁ । ଶାଇଲକ୍‌ କେବଳ ନ୍ୟାୟ ବିଚାର ଚାହାନ୍ତି । ସେ ତାଙ୍କର ଏକ ପାଉଣ୍ଡ ମାଂସ କାଟିନେବେ; ମାତ୍ର ବିନ୍ଦୁଏ ରକ୍ତ ନେଇ ପାରିବେ ନାହିଁ । ପୁଣି ଠିକ୍‌ ଏକପାଉଣ୍ଡରୁ ଟିକିଏ କମ୍‌ ବା ବେଶି କାଟିପାରିବେ ନାହିଁ । ବିନ୍ଦୁଏ ରକ୍ତ ପଡ଼ିଲେ କିମ୍ୱା ଲବମାତ୍ର କମ୍‌ ବା ବେଶୀ ମାଂସ କାଟି ପକାଇଲେ ଭେନିସ୍‌ର ଆଇନ ଅନୁସାରେ ତାହାର ପ୍ରାଣଦଣ୍ଡ ହେବ ଓ ସମସ୍ତ ସମ୍ପତ୍ତି ସରକାର ବାଜ୍ୟାପ୍ତ କରି ନେବେ ।’’ ଶାଇଲକ୍‌ ଦୁଃଖିତ ଭାବରେ କହିଲେ, ‘‘ମୋର ଟଙ୍କାତକ ମିଳୁ, ମୁଁ ଯାଏଁ ।’’ ବାସେନିଓ ପୁଣି ଟଙ୍କାଥଳି ଆଣି ରଖିଦେଲେ ।

 

ଶାଇଲକ୍‌ ଟଙ୍କା ନେବାକୁ ହାତ ବଢ଼ାଇବା ମାତ୍ରେ ପୋର୍ଶିଆ ତାକୁ ବାରଣ କରି କହିଲେ, ‘‘ଶାଇଲକ୍‌, ତୁମ ଉପରେ ଆଉ ଗୋଟିଏ ଅଭିଯୋଗ ଅଛି । ଭେନିସର ଜଣେ ନାଗରିକର ପ୍ରାଣ ନାଶ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅପରାଧରେ ଆଇନ ଅନୁସାରେ ତୁମର ସମ୍ପତ୍ତି ବାଜ୍ୟାପ୍ତ ହେବ ଓ ତୁମକୁ ପ୍ରାଣଦଣ୍ଡ ଦିଆଯିବାର କଥା; ତୁମେ ଡିଉକଙ୍କ ପାଦତଳେ ପଡ଼ି କ୍ଷମା ପ୍ରାର୍ଥନା କଲେ ସେ କେବଳ ମୃତ୍ୟୁଦଣ୍ଡରୁ ତୁମକୁ ମୁକ୍ତି ଦେଇପାରନ୍ତି ।’’

 

ଡିଉକ୍‌ ଶାଇଲକ୍‌କୁ କହିଲେ, ‘‘ଶାଇଲକ୍‌, ମୁଁ ଦୟାକରି ତୁମକୁ ପ୍ରାଣଦଣ୍ଡରୁ ମୁକ୍ତି ଦେଉଅଛି । ତୁମ ସମ୍ପତ୍ତିର ଅଧେ କ୍ଷତିପୂରଣ ସ୍ୱରୂପ ଆଣ୍ଟେନିଓଙ୍କୁ ଦିଆଯିବ ଓ ଅନ୍ୟ ଅଧକ ସରକାର ନେବେ ।’’

 

ଆଣ୍ଟେନିଓଙ୍କର ଧନପ୍ରତି ଲୋଭ ନ ଥିଲା; ଆହୁରି ମଧ୍ୟ ତାଙ୍କ ହୃଦୟ ଅତ୍ୟନ୍ତ ଉଦାର ଥିଲା । ତେଣୁ ସେ ଡିଉକଙ୍କୁ କହିଲେ, ‘‘ମହାଭାଗ, ମୁଁ ଶାଇଲକ୍‌ର ସମ୍ପତ୍ତି ନେବାକୁ ଚାହେଁ ନାହିଁ । ତାହାର କନ୍ୟା ଜଣେ ଖ୍ରୀଷ୍ଟିଆନକୁ ବିବାହ କରିଥିବାରୁ, ସେ ତାହାକୁ ପରିତ୍ୟାଗ କରି ସମ୍ପତ୍ତିରୁ ବଞ୍ଚିତ କରିଅଛି । ସେ ଉକ୍ତ ସମ୍ପତ୍ତିକୁ ନିଜ ଝିଅଜ୍ୱାଇଁଙ୍କ ନାମରେ ଉଇଲ୍‌ କରିଦେଉ ।’’

 

ଶାଇଲକ୍‌ର ଆଣ୍ଟେନିଓଙ୍କ ଉପରେ ପ୍ରତିଶୋଧ ନେବାର ଆଶା ଲୋପପାଇଗଲା; ପରନ୍ତୁ ଧନହାନି ଘଟିଲା । ତେଣୁ ସେ ବିକଳ ହୋଇ କହିଲା, ‘‘ଧର୍ମାବତାର, ମୋର ଦେହ କଅଣ ହୋଇ ଯାଉଛି । ଘରକୁ ଯିବାପାଇଁ ମତେ ଅନୁମତି ମିଳୁ । ମୁଁ ଉଇଲ୍‌ରେ ସ୍ୱାକ୍ଷର କରିଦେବି ।’’ ଡିଉକ୍‌ ଶାଇଲକ୍‌ର ପ୍ରାର୍ଥନା ମଞ୍ଜୁର କରି କହିଲେ, ‘‘ଯାଅ, ଉଇଲ୍‌ରେ ଦସ୍ତଖତ କରିଦେବ । ଯଦି ତୁମେ ନିଜର ମନ୍ଦକାର୍ଯ୍ୟ ଲାଗି ଅନୁତାପ କରି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କର, ତେବେ ବାଜ୍ୟାପ୍ତ ହୋଇଥିବା ଅର୍ଦ୍ଧେକ ସମ୍ପତ୍ତି ତୁମକୁ ଫେରାଇ ଦିଆଯିବ ।’’

 

ଡିଉକ୍‌ ଆଣ୍ଟେନିଓଙ୍କୁ ମୁକ୍ତି ଦେଇ ବିଚାର ଶେଷ କଲେ । ତତ୍ପରେ ସେ ଯୁବକ ଓକିଲଙ୍କର ବିଶେଷ ପ୍ରଶଂସା କରି ତାଙ୍କୁ ରାତ୍ରିଭୋଜନ ନିମନ୍ତେ ନିମନ୍ତ୍ରଣ କଲେ । କିନ୍ତୁ ସ୍ୱାମୀ ବେଲମଣ୍ଟକୁ ଫେରିଯିବା ପୂର୍ବରୁ ସେ ସେଠାରେ ପହଞ୍ଚିବାକୁ ଇଚ୍ଛା କରିଥିଲେ । ତେଣୁ ସେ ଡିଉକ୍‌ଙ୍କୁ ଧନ୍ୟବାଦ ଜଣାଇ ଅତିଶୀଘ୍ର ଫେରିଯିବାର ଅଭିପ୍ରାୟ ଜଣାଇଲେ । ଡିଉକ୍‌ ଆଣ୍ଟେନିଓଙ୍କୁ କହିଲେ, ‘‘ଏହି ଯୁବକ ଓକିଲଙ୍କ ନିକଟରେ ତୁମେ ବିଶେଷ ଋଣୀ । ତାଙ୍କୁ ଉପଯୁକ୍ତ ପୁରସ୍କାର ଦେବା ତୁମର କର୍ତ୍ତବ୍ୟ ।’’

 

ଡିଉକ୍‌ ଚାଲିଯିବାପରେ ବାସେନିଓ ଓକିଲଙ୍କୁ କହିଲେ, ‘‘ମହାଶୟ, ମୁଁ ଓ ମୋର ବନ୍ଧୁ ଆଣ୍ଟେନିଓ ଆପଣଙ୍କ ନିକଟରେ ବିଶେଷଭାବରେ ଋଣୀ । ଆପଣଙ୍କ ବୁଦ୍ଧିବଳରେ ଆମେ ଦୁହେଁ ଘୋର ସଙ୍କଟରୁ ଉଦ୍ଧାର ପାଇଅଛୁ । ତେଣୁ ମୋର ବିନୀତ ପ୍ରାର୍ଥନା, ଶାଇଲକ୍‌କୁ ଯେଉଁ ଦଶହଜାର ଟଙ୍କା ଦେବା କଥା ଥିଲା, ତାହା ଆପଣ ଗ୍ରହଣ କରନ୍ତୁ । ଆମେ ଆପଣଙ୍କ ନିକଟରେ ଆଜୀବନ କୃତଜ୍ଞତା ପାଶରେ ଆବଦ୍ଧ ରହିଲୁ ।’’

 

ଯେତେ ଅନୁରୋଧ କଲେ ସୁଦ୍ଧା ପୋର୍ଶିଆ ଟଙ୍କା ନେବାକୁ ଅସ୍ୱୀକାର କଲେ । ଯେତେବେଳେ ବାସେନିଓ କିଛି ଉପହାର ଗ୍ରହଣ କରିବାକୁ ନିତାନ୍ତ ବାଧ୍ୟ କଲେ, ସେତେବେଳେ ପୋର୍ଶିଆ କହିଲେ, ‘‘ପୁରସ୍କାର ସ୍ୱରୂପ ଟଙ୍କା ନେବାକୁ ମୁଁ ସମ୍ପୂର୍ଣ୍ଣ ଅନିଚ୍ଛୁକ । ଯଦି କିଛି ନେବାକୁ ନିତାନ୍ତ ବାଧ୍ୟ କରୁଛ, ତେବେ ତୁମ ହାତରେ ଯେଉଁ ମୁଦିଟି ଅଛି, ତାହା ଦିଅ । ତୁମର ସ୍ନେହର ଚିହ୍ନସ୍ୱରୂପ ସେଇଟି ମୋର ଆଙ୍ଗୁଳିରେ ରହିଥିବ ।’’

 

ଯେଉଁ ମୁଦିଟି ଆଜୀବନ ପାଖରେ ରଖିବେ ବୋଲି ବାସେନିଓ ପୋର୍ଶିଆଙ୍କ ପାଖେ ପ୍ରତିଜ୍ଞା କରିଥିଲେ, ଓକିଲ ଯେ ଟଙ୍କା ପଇସାକୁ ନ ଚାହିଁ ସେହି ମୁଦିଟିକୁ ନେବାକୁ କହିବେ, ଏହା ତାଙ୍କ କଳ୍ପନାରେ ନଥିଲା । ସେ ନିତାନ୍ତ ଦୁଃଖରେ କହିଲେ, ‘‘କ୍ଷମା କରିବେ, ସେ ମୁଦିଟି ମୋର ସ୍ତ୍ରୀ ମୋତେ ଉପହାର ଦେଇଛନ୍ତି । ମୁଁ ମଧ୍ୟ ପ୍ରତିଜ୍ଞା କରିଛି, ମୁଦିଟିକୁ ମୁଁ ହାତଛଡ଼ା କରିବି ନାହିଁ । ଭେନିସ୍‌ରେ ମିଳୁଥିବା ସର୍ବାପେକ୍ଷା ମୂଲ୍ୟବାନ ମୁଦି ଅଣାଇ ଆପଣଙ୍କୁ ଦେବି ।’’ ପୋର୍ଶିଆ ଏଥିରେ ଅପମାନ ବୋଧ କରିଥିବାର ଛଳନା କରି କହିଲେ, ‘‘ନା, ନା, ମୁଁ କିଛି ଚାହେଁନା । ମୁଁ ତ କିଛି ମାଗୁ ନ ଥିଲି, ବଳେ ଯାଚି ମୋ ପ୍ରତି ଭିକ୍ଷୁକଭଳି ବ୍ୟବହାର କରୁଛ । ମୁଁ ବେଶ୍‌ ଶିକ୍ଷା ପାଇଲି ।’’ ଏହା କହି ସେ ଚାଲିଯିବାକୁ ବସିଲେ ।

 

ଆଣ୍ଟେନିଓ କହିଲେ, ‘‘ବନ୍ଧୁ ବାସେନିଓ, ଦେଖ, ଓକିଲ ମହାଶୟ ଅଭିମାନ କରି ଚାଲିଯାଉଛନ୍ତି । ଅବଶ୍ୟ ମୁଦିଟିକୁ ଦେଲେ ତୁମର ସ୍ତ୍ରୀ ଅସନ୍ତୁଷ୍ଟ ହେବେ । କିନ୍ତୁ ଏଇ ଓକିଲ ଆମପାଇଁ ଯାହା କରିଛନ୍ତି ସେଥିସକାଶେ ତାଙ୍କୁ ମୁଦିଟି ନ ଦେବା ଉଚିତ ହେବ ନାହିଁ ।’’ ବାସେନିଓ ବାଧ୍ୟ ହୋଇ ମୁଦିଟିକୁ ଅଙ୍ଗୁଳିରୁ ବାହାର କରି ଗ୍ରାସିଆନୋଙ୍କ ହାତରେ ଓକିଲଙ୍କ ପାଖକୁ ପଠାଇ ଦେଲେ । ଓକିଲ ମୁଦିଟି ନେଲାବେଳେ ତାଙ୍କ ମୋହରିର ଗ୍ରାସିଆନୋଙ୍କୁ ତାଙ୍କ ହାତର ମୁଦିଟି ମାଗିଲେ । ଯେତେବେଳେ ବାସେନିଓ ତାଙ୍କ ମୁଦିଟି ଓକିଲଙ୍କୁ ଦେଲେଣି ସେତେବେଳେ ତାଙ୍କ ମୁଦିଟି ମୋହରିରଙ୍କୁ ନ ଦେଲେ ଅନ୍ୟାୟ ହେବ ବୋଲି ବିଚାରି ଆଙ୍ଗୁଠିରୁ ମୁଦିଟି କାଢ଼ି ବଢ଼ାଇଦେଲେ ।

 

ଏତେବେଳଯାଏ ପୋର୍ଶିଆ ଓ ନେରିସାଙ୍କୁ ସେମାନଙ୍କ ସ୍ୱାମୀମାନେ ଚିହ୍ନିପାରି ନ ଥିବାରୁ ସେ ଦୁହେଁ ମନେ ମନେ ବଡ଼ ଆନନ୍ଦିତ ହେଲେ । ଦୁହିଙ୍କ ଭିତରେ ବିଚାର ହେଲା, ‘‘ଘରକୁ ଗଲେ ଆମ ସ୍ୱାମୀଙ୍କୁ କହିବା ‘ତୁମେ ଆମ ଉପହାର-ମୁଦିକୁ ଅନ୍ୟ ସ୍ତ୍ରୀଙ୍କୁ ଦେଇଛ । ତାହାହେଲେ ବଡ଼ ମଜା ହେବ ।’

 

ଦୁହେଁଯାକ ଅତିଶୀଘ୍ର ବେଲମଣ୍ଡକୁ ଫେରିଆସି ଓକିଲ ଓ ମୋହରିରର ପୋଷାକ ବଦଳାଇପକାଇଲେ । ପତିଙ୍କର ଜଣେ ବନ୍ଧୁଙ୍କ ଜୀବନ ରକ୍ଷା କରିପାରିଥିବାରୁ ପୋର୍ଶିଆଙ୍କର ଆନନ୍ଦର ସୀମା ନାହିଁ । ତାଙ୍କୁ ସଂସାରଟାଯାକ ସୁନ୍ଦର ଦେଖାଗଲା । ସତେ ଅବା ଚନ୍ଦ୍ରଙ୍କର ଆଲୋକ ଆଜି ଆହୁରି ଉଜ୍ଜ୍ୱଳ, ଆହୁରି ଶୀତଳ । ଗୃହର ଆଲୋକମାଳା ଆଜି ତାଙ୍କ ଆଖିକୁ ଆହୁରି ମନୋହର ବୋଧହେଲା । ସେ ନେରିସାଙ୍କୁ କହିଲେ, ‘‘ଦେଖ, ଆଜି ଆମ ଘରର ଆଲୋକ କେଡ଼େ ଉଜ୍ଜ୍ୱଳ ଦିଶୁଛି । ଚାରିଆଡ଼ର ଅନ୍ଧକାର ଭିତରେ ଏ ଆଲୋକ ମନ ହରଣ କରିନେଉଛି । ଜଗତରେ ସେହିପରି ପାପ ଅନ୍ୟାୟ ଭିତରେ ଗୋଟିଏ ଗୋଟିଏ ସତ୍‌କାର୍ଯ୍ୟର ଆଲୋକ ଶୋଭାପାଇଥାଏ । ଆଜି ମୁଁ ଗୋଟିଏ ଭଲ କାମ କରି ପାରିଛି ବୋଲି ଜଗତଟାଯାକ ମଧୁମୟ ବୋଧହେଉଅଛି ।’’

 

କିଛି ସମୟ ପରେ ବାସେନିଓ ଗୃହରେ ପ୍ରବେଶ କରି ତାଙ୍କର ପ୍ରିୟବନ୍ଧୁ ଆଣ୍ଟେନିଓଙ୍କୁ ପୋର୍ଶିଆଙ୍କ ନିକଟରେ ପରିଚିତ କରାଇ ଦେଲେ । ଏମାନଙ୍କ ମଧ୍ୟରେ କୁଶଳପ୍ରଶ୍ନର ଆଦାନପ୍ରଦାନ ଚାଲିଛି, ଏହି ସମୟରେ ଗ୍ରାସିଆନୋ ଓ ନେରିସାଙ୍କ ଭିତରେ କଳି ଲାଗିଥିବାର ଶୁଣାଗଲା । ପୋର୍ଶିଆ ଏଥିରେ କାରଣ ପଚାରିବାରୁ ଗ୍ରାସିଆନୋ କହିଲେ, ‘‘ଗୋଟାଏ ସାମାନ୍ୟ ମୁଦିପାଇଁ ନେରିସା ମୋ ସାଥୀରେ କଳି କରୁଛନ୍ତି । ମୁଦିଟାର ମୂଲ୍ୟ ସାମାନ୍ୟ କେତେଟା ଟଙ୍କା । ତା ଉପରେ ଲେଖାଥିଲା, ‘ପ୍ରେମ ଉପହାର’ ।

 

ନେରିସା କହିଉଠିଲେ, ‘‘ମୁଦିଟିର ମୂଲ୍ୟ କେତେ, ତା ଉପରେ କଣ ଲେଖାଥିଲା, ସେସବୁ ବଡ଼କଥା ନୁହେଁ । ଅସଲ କଥା ହେଉଛି, ‘‘ମୁଁ ତାକୁ ତୁମକୁ ଦେଲାବେଳେ ତୁମେ ପ୍ରତିଜ୍ଞା କରିଥିଲ ଯେ ମୁଦିଟିକୁ ତୁମେ ମୃତ୍ୟୁ ପର୍ଯ୍ୟନ୍ତ ପାଖେ ପାଖେ ରଖିଥିବ । ଏବେ କହୁଛ ଯେ କେଉଁ ଓକିଲର ମୋହରିରକୁ ଦେଇଛ । ମୋର ଦୃଢ଼ ବିଶ୍ୱାସ, ତୁମେ ମୋର ସେଇ ପ୍ରୀତିଉପହାରଟିକୁ କେଉଁ ସ୍ତ୍ରୀ-ଲୋକକୁ ନିଶ୍ଚୟ ଦେଇଛ ।’’

 

ଗ୍ରାସିଆନୋ ଆତ୍ମସମର୍ଥନ କରି କହିଲେ, ‘‘ମୋତେ ବିଶ୍ୱାସ କର; ମୁଁ ସେଇଟିକୁ ଓକିଲଙ୍କ ମୋହରିରକୁ ମୋ ନିଜ ହାତରେ ଦେଇଛି । ସେ ଜଣେ ଯୁବକ, ଠିକ୍‌ ତୁମରି ଉଚ୍ଚ ହେବେ-ଯେଉଁ ଓକିଲ ଯୁକ୍ତି କରି ବାସେନିଓଙ୍କୁ ମୃତ୍ୟୁମୁଖରୁ ରକ୍ଷାକଲେ ସେହି ଓକିଲଙ୍କର ମୋହରିର । ସେ ଟଙ୍କା ପଇସା ନ ନେଇ କେବଳ ସେହି ମୁଦିଟି ଚାହିଁଲେ । ମୁଁ ତାଙ୍କୁ ମନା କରନ୍ତି କିପରି ? ମୁଁ କଣ ଏଡ଼େ କୃତଘ୍ନ ହୋଇପାରନ୍ତି ?’’

 

ପୋର୍ଶିଆ କହିଲେ, ‘‘ନା, ନା, ଗ୍ରାସିଆନୋ, ତୁମ ପତ୍ନୀଙ୍କର ପ୍ରଥମ ପ୍ରେମ ଉପହାରଟିକୁ ଅନ୍ୟ କୌଣସି ଲୋକକୁ ଦେବା ଅନ୍ୟାୟ । ମୁଁ ମଧ୍ୟ ମୋର ସ୍ୱାମୀଙ୍କୁ ବିବାହଦିନ ଗୋଟିଏ ମୁଦି ପ୍ରୀତି ଉପହାରସ୍ୱରୂପ ଦେଇଅଛି । ଦେଖିବ, ସେ ତାହାକୁ ନିଶ୍ଚୟ କାହାରିକୁ ଦେଇନଥିବେ କି ଜୀବନ ଥିବାଯାଏ ଦେବେନାହିଁ ।’’

 

ଗ୍ରାସିଆନୋ ନିଜ ଦୋଷ ଘୋଡ଼ାଇବା ଲାଗି କହିପକାଇଲେ ‘‘ମୋର ପ୍ରଭୁ ବା ବାସେନିଓ ହିଁ ଆଗେ ତାଙ୍କ ହାତର ମୁଦିଟି ଓକିଲଙ୍କୁ ଦେଲେ । ତାପରେ ତାଙ୍କ ମୋହରିର ମୋ ମୁଦିଟି ମାଗିବାରୁ ମୁଁ ମଧ୍ୟ ଦେଲି ।’’

 

ପୋର୍ଶିଆ ସ୍ୱାମୀଙ୍କୁ କହିଲେ, ‘‘ଏହା ବଡ଼ ଦୁଃଖର କଥା । ମୁଁ ଭାବିଥିଲି ଯେ ତୁମେ ବଡ଼ ବିଶ୍ୱାସୀ । ମୁଁ ତୁମକୁ ଯେଉଁ ମୁଦିଟି ଉପହାର ଦେଇଥିଲି ସେଇଟି କାହାକୁ ଦେଲ ? ନିଶ୍ଚୟ ତୁମେ କୌଣସି ସ୍ତ୍ରୀଲୋକକୁ ଦେଇଥିବ ।’’ ବାସେନିଓ ଉତ୍ତର କଲେ, ‘‘ପ୍ରିୟେ, ମୋତେ ଅବିଶ୍ୱାସ କରନାହିଁ । ଶପଥ କରି କହୁଛି ଯେଉଁ ଓକିଲ ବୁଦ୍ଧିବଳରେ ମୋର ବନ୍ଧୁଙ୍କୁ ଏଡ଼େ ବିପଦରୁ ମୁକ୍ତ କଲେ, ତାଙ୍କୁହିଁ ଦେଇଛି । କୌଣସି ସ୍ତ୍ରୀଲୋକକୁ ଦେଇନାହିଁ ।’’

 

ପୋର୍ଶିଆ ଓ ନେରିସା ଦୁହେଁଯାକ ଏକସଙ୍ଗରେ କହିଉଠିଲେ, ‘‘ଆମେ ମଧ୍ୟ ଶପଥ କରି କହିପାରୁ, ତୁମେମାନେ ଦୁଇଜଣ ସ୍ତ୍ରୀଲୋକଙ୍କୁ ମୁଦି ଦୁଇଟି ଦେଇଛ ।’’

 

ଏହିପରି ଉଚ୍ଚବାଚ ଶୁଣି ଆଣ୍ଟେନିଓ ଦୁଃଖ ପ୍ରକାଶକରି କହିଲେ, ‘‘ଦେଖୁଛି, ଏସବୁ ଅନର୍ଥର ମୂଳକାରଣ ହେଉଛି ମୁଁ । ମୋ ସକାଶେ ଯେଉଁ ଓକିଲ ଯୁକ୍ତି କରୁଥିଲେ, ସେ ବାସେନିଓଙ୍କ ମୁଦିଟି ଓ ତାଙ୍କର ମୋହରିର ଗ୍ରାସିଆନୋଙ୍କ ମୁଦିଟି ନେଇଅଛନ୍ତି । ଅବଶ୍ୟ ତୁମମାନଙ୍କ ବାରଣ ସତ୍ତ୍ୱେ ସେମାନେ ମୁଦି ଦୁଇଟି ଦେବା ଅନ୍ୟାୟ; କିନ୍ତୁ ଯେଉଁମାନେ ମୋର ପ୍ରାଣରକ୍ଷା କରିଅଛନ୍ତି ସେମାନଙ୍କପ୍ରତି କୃତଜ୍ଞତା ଦେଖାଇବା ସକାଶେ ଅନିଚ୍ଛା ଥିଲେ ମଧ୍ୟ ସେମାନେ ମୁଦି ଦୁଇଟି ହସ୍ତାନ୍ତର କରିଅଛନ୍ତି । ଭବିଷ୍ୟତରେ ଏପରି ଘଟିବ ନାହିଁ ବୋଲି ମୁଁ ଦାୟିତ୍ୱ ନେଉଛି ।’’

 

ପୋର୍ଶିଆ ଆଣ୍ଟେନିଓଙ୍କୁ ଆଶ୍ୱାସନା ଦେଇ କହିଲେ, ‘‘ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆପଣ ଆମର ବିଶିଷ୍ଟ ଅତିଥି; ତେଣୁ ଆଜି ଦିନଟି ଆମ ପକ୍ଷରେ ସ୍ମରଣୀୟ । ଆପଣ ଯେତେବେଳେ ଦାୟିତ୍ୱ ନେଉଛନ୍ତି, ତେବେ ଏଇ ମୁଦିଟି ନେଇ ମୋର ସ୍ୱାମୀଙ୍କୁ ଦିଅନ୍ତୁ ଏବଂ ଏହାକୁ ଯେପରି ହଜାଇ ନଦେବେ କି କୌଣସି ସ୍ତ୍ରୀକୁ ଦେଇ ନପକାଇବେ ସେଥିପ୍ରତି ସାବଧାନ କରାଇଦିଅନ୍ତୁ ।’’ ଏହା କହି ସେ ହସିହସି ଗୋଟିଏ ମୁଦି ବଢ଼ାଇଦେଲେ ।

 

ମୁଦିଟି ଦେଖିବାମାତ୍ରେ ବାସେନିଓଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଏ କଅଣ ସତ ନା ମାୟା ! ଏ ମୁଦିଟି ଯେ ସେ ଓକିଲଙ୍କୁ ଦେଇଥିବା ମୁଦି ! ଏହା ଏଠାକୁ ଆସିଲା କିପରି ? ତାଙ୍କ ତୁଣ୍ଡରୁ ବାକ୍ୟ ସ୍ଫୁରିଲା ନାହିଁ ।

 

ଏଣେ ନେରିସା ମଧ୍ୟ ଗୋଟିଏ ମୁଦି ବାହାର କରି, ନିଜ ସ୍ୱାମୀଙ୍କୁ ଦେଇ କହିଲେ, ‘‘ଯାହା ହେବାର ହୋଇଗଲାଣି, ଏବେ ଏ ମୁଦିଟି ନିଅ । ଖୁବ୍‌ ସାବଧାନରେ ରଖିବ ।’’ ଗ୍ରାସିଆନୋ ମଧ୍ୟ ବିସ୍ମିତ ହୋଇ ଦେଖିଲେ ଯେ ମୋହରିରଙ୍କୁ ସେ ଯେଉଁ ମୁଦି ଦେଇଥିଲେ, ଏଇଟି ସେଇ ମୁଦି ।

 

ତତ୍ପରେ ପୋର୍ଶିଆ ସମସ୍ତ ଘଟନା ସ୍ୱାମୀଙ୍କ ଆଗରେ ବର୍ଣ୍ଣନାକରି କହିଲେ, ‘‘ମୁଁ ହୋଇଥିଲି ସେ ଓକିଲ ଓ ନେରିସା ହୋଇଥିଲା ମୋର ମୋହରିର ।’’

 

ଏହି ସମୟରେ ସମ୍ୱାଦ ଆସି ପହଞ୍ଚିଲା ଯେ ଆଣ୍ଟେନିଓଙ୍କର ଜାହାଜସବୁ ବୁଡ଼ି ନ ଯାଇ ଭାସିଯାଇ ଥିଲା । ଏବେ ସେ ସବୁ ନିରାପଦରେ ବନ୍ଦରରେ ଲାଗିଛି ।

 

ବାସେନିଓ ଓ ପୋର୍ଶିଆ ଏବଂ ଗ୍ରାସିଆନୋ ଓ ନେରିସା ଏହି ଦୁଇ ଦମ୍ପତି ଯେ ପରମ ସୁଖରେ ଦିନ କଟାଇଲେ, ଏହା କହିବା ଦରକାର ନାହିଁ ।

Image

 

Unknown

କଳିହୁଡ଼ୀର ଶିକ୍ଷା

 

ପାଦୁଆ ସହରରେ ବାପିଷ୍ଟା ନାମକ ଜଣେ ସମ୍ଭ୍ରାନ୍ତବଂଶୀୟ ଧନୀ ଲୋକଙ୍କର ଦୁଇଟି କନ୍ୟା ଥିଲେ । ବଡଟିର ନାମ କାଥେରିନ୍‌ ଓ ସାନଟିର ନାମ ବିଏଙ୍କା । କାଥେରିନ୍‌କୁ ସମସ୍ତେ ‘କଳିହୁଡ଼ୀ କାଥେରିନ୍‌’ ବୋଲି କହୁଥିଲେ । ଏପରି କହିବାର ଯଥେଷ୍ଟ କାରଣ ମଧ୍ୟ ଥିଲା । ତାର ସ୍ୱଭାବ ନିତାନ୍ତ ଉଗ୍ର ଥିଲା । ତା ମୁହଁରୁ ଦିନରାତି ଗାଳି ବୃଷ୍ଟି ହେଉଥିଲା । ଏତେ ବଡ଼ ଘରର ଝିଅ ହେଲେ ମଧ୍ୟ ତାର ଦୁର୍ନାମ ଏପରି ବ୍ୟାପିଯାଇଥିଲା ଯେ ତାକୁ କୌଣସି ଭଦ୍ରଲୋକ ବିବାହ କରିବେ ବୋଲି ଆଶା ନଥିଲା । କଳିହୁଡ଼ୀ ସ୍ତ୍ରୀଟିଏ ନେଇ କିଏ କାହିଁକି ଜୀବନଯାକ ଅଶାନ୍ତିରେ କଟାଇବ ? କାଥେରିନ୍‌ର ବୟସ ବଳିଗଲାଣି; ମାତ୍ର ତାପାଇଁ ବର ମିଳିବା ଅସମ୍ଭବ ।

 

ସାନ ଭଉଣୀର ସ୍ୱଭାବ କାଥେରିନ୍‌ର ଠିକ୍‌ ବିପରୀତ । ତାଭଳି ଶାନ୍ତଶିଷ୍ଟ ଝିଅ ଦେଖିବାକୁ ବିରଳ । ଗାଳି ତ ଦୂରର କଥା; ତା ତୁଣ୍ଡରୁ କଟୂ ଭାଷା କେହି କେବେ ଶୁଣିନାହିଁ । ଦୁଇ ଭଉଣୀଯାକ ସୁନ୍ଦରପଣରେ ସହରଯାକ ଜଣାଶୁଣା; ମାତ୍ର କାଥେରିନ୍‌ଙ୍କ ଦୁଷ୍ଟ ପ୍ରକୃତିଯୋଗୁଁ ତାପାଇଁ ବର ମିଳନ୍ତି ନାହିଁ । ବିଏଙ୍କାକୁ ବିବାହ କରିବାପାଇଁ କେତେ ଧନୀମାନୀ ଯୁବକଙ୍କଠାରୁ ପ୍ରସ୍ତାବ ଆସେ । ବାପିଷ୍ଟା ଉତ୍ତର ଦିଅନ୍ତି-ବଡ଼ଝିଅର ବିବାହ ନ ହେଲେ ସାନ ଝିଅର ବିବାହ ହୋଇନପାରେ । ତାଙ୍କର ବନ୍ଧୁବାନ୍ଧବମାନେ କହନ୍ତି, ‘‘ସେଭଳି କଳିହୁଡ଼ୀ ଝିଅକୁ କେହି ବିଭା ହେବାକୁ ରାଜି ହେଉନାହାନ୍ତି; ତାବୋଲି କଅଣ ସାନଝିଅ ବିଭା ନହୋଇ ରହିଥିବ ?’’ କିନ୍ତୁ ବାପିଷ୍ଟାଙ୍କର ପ୍ରତିଜ୍ଞା, ‘ଆଗେ ବଡ଼ ଝିଅ କାଥେରିନ୍‌ର ବିବାହ ହେଲା ପରେ ବିଏଙ୍କାର ବିବାହ ବିଚାରିବାକୁ ହେବ ।’

 

ଏହି ସମୟରେ ପେଟ୍ରୁସିଓ ବୋଲି ଜଣେ ଭଦ୍ରବ୍ୟକ୍ତି ନିଜର ବିବାହପାଇଁ ଗୋଟିଏ ଉପଯୁକ୍ତ କନ୍ୟାର ସନ୍ଧାନରେ ଆସି ପାଦୁଆରେ ଉପସ୍ଥିତ ହେଲେ । ସେ କାଥେରିନ୍‌ର ସବୁ ଗୁଣଗ୍ରାମ ଶୁଣିଲେ; ମାତ୍ର ସେଥିରେ ବିଚଳିତ ହେଲେନାହିଁ । ତାଙ୍କୁ ସମ୍ୱାଦ ମିଳିଲା ଯେ କାଥେରିନ୍‌ ସୁନ୍ଦରୀ, ଧନୀ, ଭଦ୍ରପରିବାର ଝିଅ; କେବଳ କଳିହୁଡ଼ୀ ସ୍ୱଭାବ । ସେ କଅଣ ଚେଷ୍ଟାକଲେ ତାର ସ୍ୱଭାବ ବଦଳାଇ ପାରିବେ ନାହିଁ ?

 

ଯୋଗ୍ୟଂ ଯୋଗ୍ୟେନ ଯୋଜୟେତ୍‌-ବୋଧହୁଏ ଏହାହିଁ ହେଉଛି ପ୍ରଜାପତିଙ୍କର ବିଧି । କାଥେରିନ୍‌ ଯେପରି ଉଗ୍ର, କଳି କରିବାକୁ ସବୁବେଳେ ପ୍ରସ୍ତୁତ, ପେଟ୍ରୁସିଓ ସେହିପରି ଉଦ୍ଧତ, ଦୃଢମନା ଓ କୌଶଳୀ । ପରିହାସ କରିବାରେ ସେ ଧୁରନ୍ଧର । ତାଙ୍କର ବେଶ୍‌ ବିଚାରଶକ୍ତି ଥିଲା । ବେଳ ଦେଖି ସେ ବାହାରେ କ୍ରୋଧ ଓ ବିରକ୍ତି ପ୍ରକାଶ କରୁଥିଲେ; ମାତ୍ର ପ୍ରକୃତରେ ସେତେବେଳେ ତାଙ୍କ ମନରେ ସେ ପ୍ରକାର ଭାବ ଆଦୌ ନ ଥିଲା । ମୋଟଉପରେ ସେ ଆମୋଦପ୍ରିୟ ଥିଲେ ଓ ନିଜର ଉଦ୍ଦେଶ୍ୟ ସିଦ୍ଧ କରିବାପାଇଁ ସମୟ ଅନୁସାରେ ବିଭିନ୍ନ ଭାବର ଅଭିନୟ କରିପାରୁଥିଲେ । ଏହାରି ବଳରେ ସେ କାଥେରିନ୍‌କୁ ନିଜ ଆୟତ୍ତରେ ଆଣିପାରିବେ ବୋଲି ସ୍ଥିର କଲେ ।

 

କଳିହୁଡ଼ୀ କାଥେରିନ୍‌କୁ ବିବାହ କରିବା ଇଚ୍ଛା ପ୍ରକାଶ କରି ସେ ପ୍ରଥମେ ତାର ପିତା ବାପିଷ୍ଟାଙ୍କ ପାଖେ ପହଞ୍ଚି କହିଲେ-‘‘ମହାଶୟ, ଆପଣଙ୍କର ଗୁଣବତୀ କନ୍ୟା କାଥେରିନ୍‌ଙ୍କର ରୂପ, ଗୁଣ କଥା ଶୁଣି ତାଙ୍କୁ ବିବାହ କରିବାକୁ ମୋର ଇଚ୍ଛା । ତାଙ୍କର ଶାନ୍ତ ସ୍ୱଭାବ, ମଧୁର ଭାଷା ଓ ସରଳ ବ୍ୟବହାର ବିଷୟ ଶୁଣି ମୁଁ ମୁଗ୍‌ଧ ହୋଇଅଛି । ତାଙ୍କୁ ପତ୍ନୀରୂପେ ପାଇଲେ ମୁଁ କୃତାର୍ଥ ହେବି । ଏହି ଉଦ୍ଦେଶ୍ୟରେ ମୁଁ ଭେରୋନାରୁ ଏପର୍ଯ୍ୟନ୍ତ ଆସିଅଛି ।’’

 

ବାପିଷ୍ଟାଙ୍କର ଇଚ୍ଛା, କିପରି ଝିଅଟିର ବିବାହ ହେଇଯାଉ । ମାତ୍ର ଝିଅଟିର ଗୁଣ ବିଷୟରେ ଯୁବକ ଯାହା କହିଗଲେ, ସେସବୁ ଯେ ମିଥ୍ୟା, ତାହା ଲୁଚାଇ ରଖିବେ କିପରି ? ସେ ଏହି ମନୋଭାବ ପ୍ରକାଶ କରିବାକୁ ଯାଉଛନ୍ତି, ଏହି ସମୟରେ କାଥେରିନ୍‌ର ସଙ୍ଗୀତ ଶିକ୍ଷୟିତ୍ରୀ ଗୃହ ମଧ୍ୟରେ ପ୍ରବେଶ କରି ଅଭିଯୋଗ କଲେ ଯେ, କାଥେରିନ୍‌ର ବାଜଣାରେ ଦୋଷ ଦେଖାଇବାରୁ ସେ ତାଙ୍କ ମୁଣ୍ଡରେ ଗୋଟିଏ ବୀଣାରେ ଆଘାତ କରିଅଛି । ଏହା ଶୁଣିଲାମାତ୍ରେ ପେଟ୍ରୁସିଓ କହି ଉଠିଲେ, ‘‘ବାଃ, ଏଥିରୁ ତାଙ୍କର ସାହସର ପରିଚୟ ମିଳୁଛି । ମହାଶୟ, ଏକଥା ଶୁଣି ମୋର ତାଙ୍କ ପ୍ରତି ପ୍ରେମ ବୃଦ୍ଧିପାଉଛି । ମାତ୍ର ଅନୁମତି ଦେଲେ ତାଙ୍କ ସଙ୍ଗେ ଟିକିଏ କଥାବାର୍ତ୍ତା କରନ୍ତି । ଆଉ ଗୋଟିଏ କଥା, ମୁଁ ବଡ଼ କାର୍ଯ୍ୟବ୍ୟସ୍ତ ଅଛି । ପ୍ରତିଦିନ ଏଠାକୁ ଆସିବା ମୋ ପକ୍ଷରେ ସମ୍ଭବ ହୋଇ ନ ପାରେ । ଆପଣ ମୋର ପିତାଙ୍କୁ ଉତ୍ତମରୂପେ ଜାଣିଥିଲେ । ଏବେ ତାଙ୍କର ମୃତ୍ୟୁ ହୋଇ ଯାଇଅଛି ଓ ତାଙ୍କର ସମ୍ପତ୍ତିରେ ମୁଁ ଅଧିକାରୀ ହୋଇଅଛି । ଆପଣଙ୍କୁ ମୁଁ ଗୋଟିଏ ପ୍ରଶ୍ନ କରିବାକୁ ଇଚ୍ଛା କରେ । ଯଦି କାଥେରିନ୍‌ ମୋତେ ପତିରୂପେ ଗ୍ରହଣ କରିବାକୁ ସ୍ୱୀକୃତ ହୁଅନ୍ତି, ତେବେ ବିବାହକାଳରେ କଅଣ ଯୌତୁକ ଦେବେ ?’’

 

ବାପିଷ୍ଟା ଯୁବକଙ୍କର ଏ ପ୍ରକାର ଆଚରଣରେ ଯେତିକି ବିସ୍ମିତ ହେଲେ, ସେତିକି ଅସନ୍ତୁଷ୍ଟ ହେଲେ । କିନ୍ତୁ ବାହାରେ ସେପରି ଭାବ ପ୍ରକାଶ କଲେ ନାହିଁ । କିପରି କାଥେରିନ୍‌ର ବିବାହ ହୋଇଯାଉ, ଏହାହିଁ ତାଙ୍କର ଆନ୍ତରିକ ଇଚ୍ଛା । ତେଣୁ ସେ କହିଲେ, ‘‘ସେ ମୋର ବଡ଼ଝିଅ-। ତାକୁ ଲକ୍ଷେ ଟଙ୍କା ଯୌତୁକ ଦେବାକୁ ସ୍ଥିର କରିଛି । ତା ଛଡ଼ା ମୋର ମୃତ୍ୟୁ ପରେ ସେ ମୋର ଅର୍ଦ୍ଧେକ ସମ୍ପତ୍ତି ଉତ୍ତରାଧିକାର ସୂତ୍ରେ ପାଇବ ।’’ ପେଟ୍ରୁସିଓ ଏହି ପ୍ରସ୍ତାବରେ ରାଜି ହୋଇଗଲେ । ତାଙ୍କ ସହିତ କଥାବାର୍ତ୍ତା କରିବାକୁ କାଥେରିନ୍‌କୁ କହିବାପାଇଁ ବାପିଷ୍ଟା ଘର ଭିତରକୁ ଚାଲିଗଲେ ।

 

ଏଣେ ପେଟ୍ରୁସିଓ ଏକୁଟିଆ ବସି କିପରି କାଥେରିନ୍‌ଙ୍କ ସଙ୍ଗେ ବ୍ୟବହାର କରିବେ, ସେ କଥା ଚିନ୍ତା କରିବାକୁ ଲାଗିଲେ । ସେ ଭାବିଗଲେ–

 

କାଥେରିନ୍‌ ଆସିବାମାତ୍ରେ ମୁଁ ତାଙ୍କୁ ଖୁବ୍‌ ଭଲପାଏ ବୋଲି କହିବି । ସେ ମୋ ଉପରେ ରାଗି ଗାଳିଦେଲେ ମୁଁ କହିବି, ‘‘ବାଃ, ତୁମର ସ୍ୱରଟି କୋକିଳର ସ୍ୱର ପରି ମଧୁର ।’’ ସେ କ୍ରୋଧରେ ଭ୍ରୂକୁଞ୍ଚିତ କଲେ ମୁଁ କହିବି, ‘‘ତୁମର ଏ ମୁଖଶ୍ରୀ ନିକଟରେ ସଦ୍ୟ ପ୍ରସ୍ଫୁଟିତ ଗୋଲାପ ହାର ମାନିଯିବ ।’’ ସେ କିଛି ନ କହି ଚୁପ୍‌ ହୋଇ ବସିଲେ, ମୁଁ କହିବି, ‘‘ତୁମର ଏ ମଧୁର ଅଥଚ ଯୁକ୍ତିଯୁକ୍ତ କଥାରେ ମୁଁ ତୃପ୍ତ ହେଲି ।’’ ସେ ରାଗରେ ମୋତେ ତଡ଼ିଦେଲେ ମୁଁ କହିବି, ‘‘ତୁମେ ଯେ ମୋତେ ଏଠାରେ ସପ୍ତାହଟିଏ ରହିବାକୁ ନିମନ୍ତ୍ରଣ କଲ, ସେଥିପାଇଁ ତୁମକୁ ଧନ୍ୟବାଦ ।’’

 

ଏହିପରି ପେଟ୍ରୁସିଓ ବହୁତ ଭାବିଗଲେ ।

 

ଏହି ସମୟରେ କାଥେରିନ୍‌ ସେ ଘରେ ପ୍ରବେଶ କରିବାରୁ ପେଟ୍ରୁସିଓ କହିଲେ, ‘‘ତୁମ ନାଁ ପରା କେଟ୍‌ ! ହଁ କେଟ୍‌, କାଲିପାଇଁ ମୋର ନମସ୍କାର ଗ୍ରହଣ କର ।’’ ଏତିକିରେ କାଥେରିନ୍‌ର ରାଗ ଆସିଲା । ସେ କହିଲା, ‘‘ମୋର ନାଁ କେଟ୍‌ ନୁହେଁ; କାଥେରିନ୍‌ ।’’ ପେଟ୍ରୁସିଓ ସଙ୍ଗେ ସଙ୍ଗେ ପ୍ରତିବାଦ କରି କହିଲେ, ‘‘ନା ନା । କେଟ୍‌ ତୁମେ ମିଛ କହୁଛ । ତୁମକୁ କେହି ଡାକେ ଖାଲି ‘କେଟ୍‌’, କେହି ଡାକେ ‘ସୁନ୍ଦରୀ କେଟ୍‌’, ଆଉ କେହି ଅବା କହେ ‘କଳିହୁଡ଼ୀ କେଟ୍’ । କିନ୍ତୁ ଯିଏ ଯାହା ଡାକନ୍ତୁ, ମୁଁ ଜାଣେ ଯେ ତୁମେ ହେଉଛ ‘ଜଗତର ଶ୍ରେଷ୍ଠ ସୁନ୍ଦରୀ କେଟ୍‌’ । ତେଣୁ ହେ କେଟ୍‌, ତୁମର ଶିଷ୍ଟ ସ୍ୱଭାବ କଥାସବୁ ସହରରେ ଶୁଣିବାକୁ ପାଇ ଏଠାକୁ ଆସିଛି । ତୁମକୁ ପତ୍ନୀରୂପେ ପାଇବା ମୋର ଇଚ୍ଛା ।’’

 

ଏଭଳି ପ୍ରୀତି ସମ୍ଭାଷଣ ଯେ ଅଦ୍ଭୁତ, ଏଥିରେ ସନ୍ଦେହ ନାହିଁ । ପେଟ୍ରୁସିଓ ପାଖରେ କାଥେରିନ୍‌ ହାରିବାର ପାତ୍ରୀ ନୁହେଁ । ସେ କ୍ରୋଧ ପ୍ରକାଶ କରି କହିଲା ଯେ, ତାର କଳିହୁଡ଼ୀ ବିଶେଷଣଟି ସାର୍ଥକ । ତାହା ଶୁଣି ପେଟ୍ରୁସିଓ ଉତ୍ତର କଲେ, ‘‘ଆହା ତୁମର ଭାଷା କି ମଧୁର, କେଡ଼େ ଭଦ୍ର !’’

 

ଏହି ସମୟରେ ବାପିଷ୍ଟା ସେହି ଘରକୁ ଆସୁଥିବାର ଶବ୍ଦ ଶୁଣାଗଲା । ତହୁଁ ପେଟ୍ରୁସିଓ କହିଲେ, ‘‘ପ୍ରିୟେ କାଥେରିନ୍‌, ବୃଥା ଗଳ୍ପରେ ଆଉ ପ୍ରୟୋଜନ ନାହିଁ । ମୋ ସଙ୍ଗେ ତୁମର ବିବାହ ହେବ ବୋଲି ତୁମର ପିତା ସ୍ୱୀକାର କରି ସାରିଛନ୍ତି । ତୁମର ଯୌତୁକ ସ୍ଥିର ହୋଇଯାଇଛି । ତୁମର ଇଚ୍ଛା ଥାଉ ଅବା ନ ଥାଉ, ମୁଁ ନିଶ୍ଚୟ ତୁମକୁ ବିବାହ କରିବି ।’’

 

ବାପିଷ୍ଟା ଗୃହ ମଧ୍ୟରେ ପ୍ରବେଶ କରିବାରୁ ପେଟ୍ରୁସିଓ କହିଲେ, ‘‘ଆପଣଙ୍କ ଝିଅ ମୋ ପ୍ରତି ଯଥେଷ୍ଟ ଆଦର ଅଭ୍ୟର୍ଥନା ପ୍ରକାଶ କରି ଅଛନ୍ତି । ଏ ବିବାହରେ ତାଙ୍କର ସ୍ୱୀକୃତି ଦେଇଅଛନ୍ତି-। ଆସନ୍ତା ରବିବାର ଦିନ ଆମର ବିବାହ ହେବ ।’’ କାଥେରିନ୍‌ ସଙ୍ଗେ ସଙ୍ଗେ ଏହାର ପ୍ରତିବାଦ କରି କହିଲେ, ‘‘ମୁଁ ତ ଏହା କହିନାହିଁ । ରବିବାର ଦିନ ଯେବେ ଏ ଲୋକଟାର ଫାଶୀ ହୁଅନ୍ତା, ମୁଁ ଖୁସି ହୁଅନ୍ତି । ବାପା, ଏଭଳି ଗୋଟାଏ ପାଗଳ ସଇତାନକୁ ମୁଁ ବାହା ହେବି ବୋଲି ତୁମେ କହୁଛ କିପରି ?’’

 

ପେଟ୍ରୁସିଓ ହସି ହସି ବାପିଷ୍ଟାଙ୍କୁ କହିଲେ, ‘‘ମହାଶୟ, କେଟ୍‌ର ଏ କଥା ପ୍ରତି ଆପଣ ମନ ଦିଅନ୍ତୁ ନାହିଁ । ଆମ ଭିତରେ ଏହିକ୍ଷଣି ପରାମର୍ଶ ହୋଇଥିଲା ଯେ ଆପଣଙ୍କ ଆଗରେ ମୋତେ ବିବାହ କରିବାକୁ କୁଣ୍ଠିତା ବୋଲି ସେ ଛଳନା କରିବେ । ଆମ ଦୁହିଁଙ୍କର ମନ ବେଶ ମିଳିଯାଇଛି; ଦୁହେଁଯାକ ମନଖୋଲି କଥାବାର୍ତ୍ତା ହୋଇଛୁ ।’’ ଏତିକି କହି ସେ ବିଦାୟ ନେବାକୁ ବସିଲେ । ଯିବାବେଳକୁ କହିଲେ, ‘‘କେଟ୍‌, ମୋତେ ବିଦାୟ ଦିଅ । ବିବାହ ଉପଲକ୍ଷରେ ତୁମ ପାଇଁ ଉପଯୁକ୍ତ ପୋଷାକ କିଣିବାକୁ ହେବ । ସେଥିପାଇଁ ମୋତେ ଭେନିସ୍‌ ଯିବାକୁ ପଡ଼ିବ ।’’ ତତ୍ପରେ ବାପିଷ୍ଟାଙ୍କୁ ଲକ୍ଷ୍ୟ କରି କହିଲେ, ‘‘ମହାଶୟ, ଆପଣ ବିବାହ ଦିନକୁ ଅତିଥିମାନଙ୍କୁ ନିମନ୍ତ୍ରଣ କରି ଭୋଜିର ବନ୍ଦୋବସ୍ତ କରନ୍ତୁ । ମୁଁ ବିବାହ ପାଇଁ ମୁଦି, ସୁନ୍ଦର ପୋଷାକ ଓ ଅନ୍ୟାନ୍ୟ ଜିନିଷ ଆଣି ଯଥାସମୟରେ ପହଞ୍ଚିବି ।’’

 

ରବିବାର ଦିନ ଆମନ୍ତ୍ରିତ ଅତିଥିମାନେ ବାପିଷ୍ଟାଙ୍କ ଗୃହରେ ଉପସ୍ଥିତ । ବିବାହ ସମୟ ନିକଟ ହୋଇ ଆସିଲା; ମାତ୍ର ବରର ଦେଖା ନାହିଁ । କାଥେରିନ୍‌ କାନ୍ଦିବାକୁ ଲାଗିଲା । ତାର ଧାରଣା ହେଲା ଯେ ଏ ଲୋକଟା ତାକୁ ବିଭା ହେବ ବୋଲି କହି ଉପହାସ କରୁଛି ମାତ୍ର । ଯାହାହେଉ, ଟିକିଏ ଡେରିରେ ପେଟ୍ରୁସିଓ ଆସି ପହଞ୍ଚିଗଲେ; କିନ୍ତୁ ପୋଷାକପତ୍ରର ଦେଖା ନାହିଁ । ନିଜର ବରବେଶ ମଧ୍ୟ ନାହିଁ । ନିତାନ୍ତ ମଇଳା ପୋଷାକ ପିନ୍ଧିଥିବାରୁ ବୋଧହେଲା ପେଟ୍ରୁସିଓ ଯେପରି ସବୁ ଗୋଟାଏ ପ୍ରହସନ ମନେକରିଛନ୍ତି । ସେ ଓ ତାଙ୍କ ଚାକର ଯେଉଁ ଘୋଡ଼ା ଦୁଇଟି ଚଢ଼ି ଆସିଥିଲେ, ସେ ଦିଓଟିଙ୍କର ଅବସ୍ଥା ମଧ୍ୟ ତଦ୍ରୁପ । ଘୋଡ଼ା ପିଠିରେ ଥିବା ଜିନ୍‌, ଲଗାମ ପ୍ରଭୃତିର ଦୂରବସ୍ଥା ଦେଖିଲେ ହସ ମାଡ଼ିବ ।

 

କେହି କେହି ପ୍ରସ୍ତାବ କଲେ, ପେଟ୍ରୁସିଓ ଭଲ ପୋଷକ ପିନ୍ଧି ଗୀର୍ଜାକୁ ଚାଲନ୍ତୁ । କିନ୍ତୁ ସେ କହିଲେ, ‘‘ପୋଷାକ ବଦଳାଇବା ଦରକାର ନାହିଁ । କାଥେରିନ୍‌ଙ୍କର ମୋ ସଙ୍ଗେ ବିବାହ ହେବ; ମୋ ପୋଷାକ ସଙ୍ଗରେ ତ ବିବାହ ହେବ ନାହିଁ ?’’ ତାଙ୍କର ମତ ପରିବର୍ତ୍ତନ ହେବାର ଆଶା ନ ଦେଖି ସମସ୍ତେ ଗୀର୍ଜାକୁ ଗଲେ । ପେଟ୍ରୁସିଓ ମଇଳା ପୋଷାକ ପିନ୍ଧି ଯେପରି ବ୍ୟବହାର ଦେଖାଉଥାନ୍ତି, ସେଥିରୁ ଅନେକେ ତାଙ୍କୁ ପାଗଳ ବୋଲି ମନେ କରିଥିଲେ । ଗୀର୍ଜାରେ ଖ୍ରୀଷ୍ଟିଆନ ବିଧି ଅନୁସାରେ ପୁରୋହିତ ଯେତେବେଳେ ପଚାରିଲେ, ତୁମେ ଧର୍ମକୁ ସାକ୍ଷୀରଖି କାଥେରିନ୍‌ଙ୍କୁ ପତ୍ନୀରୂପେ ଗ୍ରହଣ କରିବାକୁ ରାଜି ଅଛ ତ- ସେତେବେଳେ ପେଟ୍ରୁସିଓ ଏପରି ଉଚ୍ଚ ଓ ବିକୃତ ସ୍ୱରରେ ନିଜର ସ୍ୱୀକୃତି ପ୍ରକାଶ କଲେ ଯେ ପୁରୋହିତ ଚମକି ଉଠିଲେ; ତାଙ୍କ ହାତରୁ ଧର୍ମଗ୍ରନ୍ଥଟି ଖସିପଡ଼ିଲା । ପୁରୋହିତ ନଇଁ ପଡ଼ି ପୁସ୍ତକଟି ଉଠାଇଲାବେଳକୁ ପାଗଳ ବର ତାଙ୍କୁ ଏପରି ଏକ ଧକ୍‌କା ମାରିଲା ଯେ ବହି ସଙ୍ଗେ ପୁରୋହିତ ମଧ୍ୟ ଭୂମିରେ ପଡ଼ିଗଲେ । ବିବାହ କର୍ମ ଚାଲିଥିବାଯାକେ ପେଟ୍ରୁସିଓ ଭୂମି ଉପରେ ପଦାଘାତ କରି ନାନାପ୍ରକାର ଶପଥ କରୁଥାନ୍ତି । ଏହା ଦେଖି ଉଗ୍ର କାଥେରିନ୍‌ଙ୍କର ମଧ୍ୟ ଭୟ ହୋଇଯାଇଥିଲା । ଯାହାହେଉ, ବିବାହ କର୍ମ ଶେଷ ହୋଇଗଲା । ପେଟ୍ରୁସିଓ ଗୀର୍ଜାରେ ରହି କିଛି ମଦ୍ୟ ଅଣାଇଲେ ଓ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ କାମନା କରି ପିଇଲେ । ବୋଧହୁଏ ଏଭଳି ଅଦ୍ଭୁତ ବିବାହ ଉତ୍ସବ ଆଉ କେବେ କୌଣସିଠାରେ ହୋଇ ନଥିବ । ମାତ୍ର ପେଟ୍ରୁସିଓ ଏପରି ପାଗଳାମିର ଅଭିନୟ କରିବାରେ ତାଙ୍କର ଭିତିରି ଉଦ୍ଦେଶ୍ୟ ଥିଲା, କିପରି ତାଙ୍କର କଳିହୁଡ଼ୀ ସ୍ତ୍ରୀକୁ ଜବତ୍‌ କରିବେ ।

 

ଝିଅର ବିବାହ ଉପଲକ୍ଷେ ବାପିଷ୍ଟା ଏକ ବିରାଟ ଭୋଜିର ଆୟୋଜନ କରିଥିଲେ । କିନ୍ତୁ ଗୀର୍ଜାରୁ ଆସିଲାମାତ୍ରେ ପେଟ୍ରୁସିଓ କାଥେରିନ୍‌ଙ୍କୁ ସଙ୍ଗରେ ନେଇ ତତ୍‌କ୍ଷଣାତ୍‌ ନିଜ ଘରକୁ ଯିବେବୋଲି କହିଲେ । ବାପିଷ୍ଟା ଅନେକ ଅନୁରୋଧ କଲେ, କାଥେରିନ୍‌ ବିରକ୍ତ ହୋଇ ଗାଳି ଦେଲେ; ତଥାପି ପେଟ୍ରୁସିଓ ଜିଦ୍‌ କଲେ ଯେ ଘରକୁ ଯିବାକୁ ହେବ । ସେ କହିଲେ, ‘‘ସ୍ତ୍ରୀ ଉପରେ ସ୍ୱାମୀର ଅଧିକାର ସବୁଠାରୁ ବେଶି । କାଥେରିନ୍‌ ମୋର ସ୍ତ୍ରୀ, ମୁଁ ତାକୁ ଯେଉଁଠାକୁ ଇଚ୍ଛା ସେଠାକୁ ନେଇପାରେ, ଯାହା ଇଚ୍ଛା କରି ପାରେ ।’’ ପେଟ୍ରୁସିଓଙ୍କର ଏଭଳି ମତିଗତି ଦେଖି ତାଙ୍କୁ କେହି ବାଧା ଦେବାକୁ ସାହସ କରିପାରିଲେ ନାହିଁ ।

 

ପେଟ୍ରୁସିଓ କାଥେରିନ୍‌ଙ୍କୁ ଗୋଟିଏ ରୋଗା କଦର୍ଯ୍ୟ ଘୋଡ଼ା ଉପରେ ବସାଇଦେଲେ ଏବଂ ନିଜେ ତାଙ୍କ ଚାକର ସେହିପରି ଗୋଟାଏ ଲଖାଏଁ ଘୋଡ଼ା ଉପରେ ବସି ଯିବାକୁ ବାହାରିଲେ-। ସେମାନେ ଯେଉଁ ବାଟରେ ଗଲେ, ସେ ବାଟଟା କାଦୁଅ ସନ୍ତସନ୍ତିଆ । ବେଳେବେଳେ କାଥେରିନ୍‌ଙ୍କ ଘୋଡ଼ା ଝୁଙ୍କିପଡ଼ିଲେ ପେଟ୍ରୁସିଓ ରାଗିଉଠି ଘୋଡ଼ା ଉପରେ ଗାଳି ବୃଷ୍ଟି କରୁଥିଲେ ।

 

ଏହିପରି ଯାଇ ସେମାନେ ପେଟ୍ରୁସିଓଙ୍କ ଘରେ ପହଞ୍ଚିଲେ । ବାଟଯାକ ତାଙ୍କ ତୁଣ୍ଡରୁ କେବଳ ଘୋଡ଼ା ଓ ଚାକର ଉପରେ ଗାଳି ଛଡ଼ା ଆଉ କିଛି ଶୁଣାଯାଉନଥିଲା । ଘରେ ପହଞ୍ଚିବା ପରେ ପେଟ୍ରୁସିଓ ଖୁବ୍‌ ଆଦର ଦେଖାଇ କାଥେରିନ୍‌ଙ୍କୁ ଘର ଭିତରକୁ ନେଇଗଲେ । କିନ୍ତୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଥାଏ, କାଥେରିନ୍‌ କିପରି ରାତିଟିଯାକ ଆଦୌ ଖାଇବାକୁ ନ ପାଆନ୍ତି କି ବିଶ୍ରାମ ନେଇ ନ ପାରନ୍ତି । ଖାଇବାପାଇଁ ଆସନ ପଡ଼ିଲା ଓ ଖାଦ୍ୟ ଦ୍ରବ୍ୟ ସଜାଇ ରଖାଗଲା । ମାତ୍ର ପେଟ୍ରୁସିଓ ପ୍ରତ୍ୟେକ ଖାଦ୍ୟ ପଦାର୍ଥର କିଛି ନା କିଛି ଦୋଷ ଦେଖାଇବାର ଛଳନା କରି ସେସବୁ ଘରଯାକ ଫିଙ୍ଗିଦେଲେ । ଖରାପ ରନ୍ଧା ଯୋଗେ ଚାକରମାନଙ୍କୁ ଗାଳି ଦେଇ କହିଲେ–‘‘କି ଅପଦାର୍ଥ ଗୁଡ଼ାଏ, ମୋର ପ୍ରିୟତମା କାଥେରିନ୍‌ଙ୍କ ପାଇଁ କଣ ଏ ଖାଦ୍ୟ ଉପଯୁକ୍ତ ? ଭଲ ରନ୍ଧା ନ ହେଲେ ସେ ଖାଇବେ କିପରି ? ନିଅ, ଏସବୁ ଉଠାଇ ନିଅ ।’’ କାଥେରିନ୍‌ଙ୍କୁ ଭୋକ ଲାଗୁଥାଏ । କ୍ଳାନ୍ତିରେ ଅବଶ ହୋଇ ପଡ଼ୁଥାନ୍ତି । ସେ କିଛି କହି ନପାରି ବିଶ୍ରାମ ନେବାପାଇଁ ଶୋଇବା ଘରକୁ ଗଲେ; କିନ୍ତୁ ତାଙ୍କୁ ବିଶ୍ରାମ ଦେବାକୁ ପେଟ୍ରୁସିଓଙ୍କର ଇଚ୍ଛା ନ ଥିଲା । ତେଣୁ ସେ ବିଛଣାର ନାନା ଦୋଷ ବାହାର କରି ଶେଯ ତକିଆ ପ୍ରଭୃତି ତଳେ ଫିଙ୍ଗିଦେଲେ । କାଥେରିନ୍‌ ବାଧ୍ୟ ହୋଇ ଗୋଟିଏ ଚଉକି ଉପରେ ବସିପଡ଼ିଲେ । ତାଙ୍କୁ ଟିକିଏ ଘୁମ ଆସିଲା ବେଳକୁ ପେଟ୍ରୁସିଓ ରାଗରେ ଚାକରମାନଙ୍କୁ ଗାଳି ଦେବାକୁ ଲାଗିଲେ–‘‘ତୁମମାନଙ୍କର ଟିକିଏ କଣ କାଣ୍ଡଜ୍ଞାନ ନାହିଁ ? ବିଛଣା କିପରି କରିବାକୁ ହୁଏ ତାହା ସୁଦ୍ଧା ଜାଣ ନାହିଁ ? ଏଭଳି ବିଛଣାରେ କେଉଁ ନବବଧୂ ଶୋଇପାରନ୍ତି-?’’ ଏଭଳି ଚିତ୍କାରରେ କାଥେରିନ୍‌ଙ୍କର ଘୁମ ଭାଙ୍ଗି ଯାଉଥାଏ । ସେ ବିଶ୍ରାମ ନେବାରେ ସୁବିଧା ମଧ୍ୟ ପାଇପାରିଲେ ନାହିଁ ।

 

ରାତିଯାକ ଭୋକରେ କାଥେରିନ୍‌ଙ୍କର ପେଟ ଜଳୁଛି; ଆଖିରେ ନିଦ ନାହିଁ । ସକାଳ ହେଲା, ପେଟ୍ରୁସିଓ ଖୁବ୍‌ ସ୍ନେହ ଆଦର ଦେଖାଇ କାଥେରିନ୍‌ଙ୍କ ସଙ୍ଗେ କଥାବାର୍ତ୍ତା କରୁଥାନ୍ତି । ସକାଳ ଖାନା ଆସିଲା; ମାତ୍ର କାଥେରିନ୍‌ ତାହା ଖାଇବାକୁ ବସିଲାକ୍ଷଣି ପେଟ୍ରୁସିଓ ଗଲା ରାତି ପରି ପ୍ରତ୍ୟେକ ଖାଦ୍ୟ ପଦାର୍ଥର ଦୋଷ ବାହାରକରି ସବୁ ତଳକୁ ଫିଙ୍ଗିଦେଲେ ।

 

ଭୋକର ଦାଉ ସମ୍ଭାଳି ନପାରି କାଥେରିନ୍‌ ଗୋପନରେ କିଛି ଖାଇବାକୁ ଦେବାପାଇଁ ଚାକରମାନଙ୍କୁ ଅନୁରୋଧ କଲେ । କିନ୍ତୁ ସେମାନେ ପୂର୍ବ ପରାମର୍ଶ ଅନୁଯାୟୀ ଉତ୍ତର କଲେ-‘‘ଘରର ମୁରବୀଙ୍କୁ ନ ଜଣାଇ ଆପଣଙ୍କୁ କିଛି ଖାଦ୍ୟ ଦେବାକୁ ଆମକୁ ବାରଣ କରାଯାଇଅଛି । ଏ କଥା ଜଣାପଡ଼ିଲେ ଆମର ଦାନା ବୁଡ଼ିବ । ଆପଣଙ୍କୁ ସାହାଯ୍ୟ କରି ନପାରି ଆମେ ବିଶେଷ ଦୁଃଖିତ ।’’

 

ଏତେବେଳକୁ କାଥେରିନ୍‌ଙ୍କର କିଛି ଶିକ୍ଷା ହୋଇଯାଇଥିଲା । ସେ ଚିନ୍ତା କଲେ-ତେବେ ପେଟ୍ରୁସିଓ କଅଣ ମୋତେ ଖାଇବା ପିଇବାକୁ ନ ଦେଇ ମାରିବାପାଇଁ ବିବାହ କରିଥିଲେ ? ମୋର ବାପଘରେ ଭିକାରିଟାଏ ଆସି ପହଞ୍ଚିଲେ ମଧ୍ୟ ସେ ଖାଇବାକୁ ପାଏ । ଜୀବନରେ କେବେ କାହାରିକୁ କିଛି ମାଗିବା ମୋର ଦରକାର ପଡ଼ି ନଥିଲା । ଯେତେବେଳେ ଯାହା ଚାହୁଁଥିଲି, ବଳେ ମୋ ପାଖକୁ ଆସୁଥିଲା । ଏବେ ପୁଣି ଖାଇବାକୁ ନ ପାଇ ମୋର ପ୍ରାଣ ବାହାରି ଯିବାକୁ ବସିଲାଣି-। ରାତିଯାକ ନିଦ ନାହିଁ ଯେ ମୁଣ୍ଡ ବୁଲେଇଦେଉଛି । ଟିକିଏ ଘୁମ ହୋଇ ଆସିଲାବେଳକୁ ଗାଳିଗୁଲଜ, ପାଟିତୁଣ୍ଡରେ ଘୁମ ଭାଙ୍ଗିଯାଉଛି । ସବୁଠାରୁ ଦୁଃଖର କଥା ହେଉଛି, ମୋର ସ୍ୱାମୀ ମୋପ୍ରତି ପ୍ରଗାଢ଼ ପ୍ରେମ ହେତୁ ଏପରି କରୁଥିବାର କହୁଛନ୍ତି । ତାଙ୍କ କହିବା ଅନୁସାରେ ଏଭଳି ଖାଦ୍ୟ ଖାଇଲେ କି ଏଭଳି ବିଛଣାରେ ଶୋଇଲେ ମୋର ପ୍ରାଣ ରହିବ ନାହିଁ ।

 

ସେ ଏହିପରି ଚିନ୍ତା କରୁଥିବାବେଳେ ପେଟ୍ରୁସିଓ ଖଣ୍ଡିଏ ସିଝା ମାଂସ ଥାଳିଆରେ ଧରି ସେ ଘରେ ପ୍ରବେଶ କଲେ । ପ୍ରକୃତରେ ଏକବାରେ ଖାଇବାକୁ ନଦେଇ କାଥେରିନ୍‌ଙ୍କୁ ମାରିଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା । କେବଳ ଉପଯୁକ୍ତ ଶିକ୍ଷାଦେଇ ତାଙ୍କୁ ନିଜର ବଶ କରିବା ତାଙ୍କର ଅଭିପ୍ରାୟ ଥିଲା । ତେଣୁ ସେ କାଥେରିନ୍‌ଙ୍କୁ କହିଲେ, ‘‘ପ୍ରିୟତମେ, କିପରି ଅଛ ? ଚାକରଗୁଡ଼ାଙ୍କ ହାତରେ କିଛି ହେଲାନି ଦେଖି ଏ ମାଂସ ମୁଁ ନିଜ ହାତରେ ରାନ୍ଧି ତୁମପାଇଁ ଆଣିଛି । ଏଥିପାଇଁ ତୁମେ ନିଶ୍ଚୟ ମୋତେ ଧନ୍ୟବାଦ ଦେବ । କାହିଁ, କିଛି ତ କହୁନାହଁ ? ତାହାହେଲେ ଦେଖୁଛି, ତୁମକୁ ମାଂସ ଭଲଲାଗେ ନାହିଁ । ମୋର ଏତେ ପରିଶ୍ରମ ବୃଥା ।’’ ଏହା କହି ଥାଳିଆଟାକୁ ନେଇଯିବାକୁ ସେ ଜଣେ ଚାକରକୁ ହୁକୁମ ଦେଲେ ।

 

ସେତେବେଳକୁ ଭୋକରେ କାଥେରିନ୍‌ଙ୍କର ପେଟ ଜଳୁଥାଏ । ଅଭିମାନଟା ଟିକିଏ କମି ଆସିଥାଏ । ମନ ଭିତରେ ଟିକିଏ ରାଗ ଆସୁଥିଲେ ବି ସେ କହି ପକାଇଲେ, ‘‘ନା, ନା, ନେଇଯିବା ଦରକାର ନାହିଁ ।’’ ପେଟ୍ରୁସିଓ ଦେଖିଲେ, ଔଷଧ କାମ କରୁଛି; ମାତ୍ର ପୂରା ଫଳ ଦେଇନାହିଁ । ତାଙ୍କର ଇଚ୍ଛା, କାଥେରିନ୍‌ ଏକବାରେ ତାଙ୍କର ବଶ ହୋଇ ରହିବେ । ସେ କାଥେରିନ୍‌ଙ୍କୁ ଆହୁରି ଶିକ୍ଷା ଦେବା ପାଇଁ କହିଲେ, ‘‘ଦେଖ, ଅତି ସାମାନ୍ୟ ଉପକାର ପାଇଁ ମଧ୍ୟ ଧନ୍ୟବାଦ ଦେବା ଉଚିତ । ମୁଁ ନିଜ ହାତରେ ତୁମ ପାଇଁ ଖାଦ୍ୟ ତିଆରି କରି ଆଣିଛି । ସେଥିପାଇଁ ଖାଇବା ପୂର୍ବରୁ ମୋତେ ଧନ୍ୟବାଦ ଦେବା ଦରକାର ।’’ ଏହା ଶୁଣି ଟିକିଏ ଅନିଚ୍ଛା ଥିଲେ ମଧ୍ୟ କାଥେରିନ୍‌ କହିଲେ, ‘‘ମହାଶୟ, ଆପଣଙ୍କୁ ଧନ୍ୟବାଦ ।’’ ଏଣିକି ପେଟ୍ରୁସିଓ କିଛି ଆପତ୍ତି ନକରି ଶୀଘ୍ର ଖାଇବାକୁ କାଥେରିନ୍‌ଙ୍କୁ କହିଲେ ଓ ଅତି ଶୀଘ୍ର ତାଙ୍କ ଘରକୁ ଯାଇ ସେଠାରେ ଆମୋଦପ୍ରମୋଦ କରିବାର ଇଚ୍ଛା ପ୍ରକାଶ କଲେ । ତାଙ୍କ ପାଇଁ ସୁନ୍ଦର ସୁନ୍ଦର ପୋଷାକ ଓ ଅଳଙ୍କାରର ବ୍ୟବସ୍ଥା କରୁଥିବାର ବିଶ୍ୱାସ ଜନ୍ମାଇବା ଉଦ୍ଦେଶ୍ୟରେ ଜଣେ ଦରଜୀ ଓ ଜଣେ ପୋଷାକ-ବିକ୍ରେତାଙ୍କୁ ଡକାଇ ପଠାଇଲେ । ସେମାନେ ଆଦେଶ ଅନୁସାରେ କେତେକ ପୋଷାକ ଓ ଟୋପି ପ୍ରଭୃତି ଆଣିଥିଲେ । ଏଣେ କେଥରିନ୍‌ଙ୍କର ଖାଇବା ସରି ନଥାଏ । କିନ୍ତୁ ପେଟ୍ରୁସିଓ ହଠାତ୍‌ କାଥେରିନ୍‌ଙ୍କ ପାଖରୁ ଥାଳିଆଟି ଉଠାଇନେଇ ଚାକରକୁ ଦେଲେ । ତା ସଙ୍ଗେ ସଙ୍ଗେ କହିଲେ, ‘‘କଣ, ଏତେ ଶୀଘ୍ର ଖାଇବା ସରିଗଲା ? ବେଶ୍‌, ବେଶ୍‌ ।’’ ପୋଷାକ-ବିକ୍ରେତା ଗୋଟିଏ ଟୋପି ବାହାର କରି କହିଲା, ‘‘ଆପଣ ଯେଉଁ ଟୋପି ପାଇଁ ହୁକୁମ କରିଥିଲେ, ଆଣିଛି ।’’ ପେଟ୍ରୁସିଓ ତାକୁ ଚାହିଁ ଦେଇ ରାଗ ତମତମ୍‌ ହୋଇ କହିଲେ, ‘‘ଏ କଅଣ ଆଣିଛ ? ଏପରି ଛୋଟ ଟୋପି କାଥେରିନ୍‌ ପିନ୍ଧିବେ କିପରି ? ଆହୁରି ବଡ଼ ହେବା ଦରକାର ଥିଲା ।’’ କାଥେରିନ୍‌ କହିଲେ, ‘‘ମୋର ଏଇ ଟୋପି ହେଲେ ବେଶ୍‌ ଚଳିବ । ଆଜିକାଲିକାର ଫେଶନ୍‌ ହେଉଛି ଏଇପରି । ସବୁ ଭଦ୍ରମହିଳା ଏଭଳି ଟୋପି ପିନ୍ଧିବାକୁ ପସନ୍ଦ କରୁଛନ୍ତି ।’’ ଏହାର ଉତ୍ତରରେ ପେଟ୍ରୁସିଓ କହିଲେ, ‘‘ତୁମେ ଯେତେବେଳେ ଭଦ୍ର ହେବ, ସେତେବେଳେ ତୁମେ ମଧ୍ୟ ସେହି ଭଦ୍ରମହିଳାମାନଙ୍କ ପରି ଟୋପି ପିନ୍ଧିବ; କିନ୍ତୁ ତା ପୂର୍ବରୁ ପିନ୍ଧିପାରିବ ନାହିଁ ।’’

 

କିଛି ମାଂସ ଖାଇବାପରେ କାଥେରିନ୍‌ଙ୍କର ଉଗ୍ର ସ୍ୱଭାବ ଟିକିଏ ତେଜି ଉଠିଥିଲା । ସେ କହି ଉଠିଲେ, ‘‘ମୋର କହିବାର ଅଧିକାର ଅଛି; ମୁଁ ନିଶ୍ଚୟ କହିବି । ମୁଁ କଅଁଳା ପିଲା ନୁହେଁ ଯେ ଚୁପ୍‌ କରି ରହିବି । ଆପଣଙ୍କର ଗୁରୁଜନଙ୍କ ଆଗରେ ବି ମନକଥା କହିବାକୁ ଭୟ କରିନାହିଁ । ମୋ କଥା ଶୁଣିବାକୁ ଇଚ୍ଛା ନଥିଲେ ଆପଣ କାନ ବନ୍ଦ କରିଦେଇ ପାରନ୍ତି ।’’

 

ଏପ୍ରକାର ଉଦ୍ଧତ କଥା ଶୁଣି ପେଟ୍ରୁସିଓ ଆଉ କାଥେରିନ୍‌ଙ୍କ ସଙ୍ଗେ ଯୁକ୍ତିତର୍କ କରିବା ଉଚିତ ମନେ କଲେ ନାହିଁ । ସେ ତାଙ୍କୁ ଜବତ୍‌ କରିବାପାଇଁ ଆଉ ଗୋଟିଏ ନୂଆ କୌଶଳ ସ୍ଥିର କରି ସାରିଥିଲେ । ସେ କହିଲେ, ‘‘ପ୍ରିୟେ, ତୁମେ ଯେ ଟୋପିଟା ନିତାନ୍ତ ଖରାପ, ନିହାତି ବାଜେ ବୋଲି କହିଲ, ତା ଠିକ୍‌ । ତୁମର ବେଶ୍‌ ରୁଚିଜ୍ଞାନ ଅଛି । ସେଇଥିପାଇଁ ମୁଁ ତୁମକୁ ଏତେ ଭଲ ପାଏ ।’’ କାଥେରିନ୍‌ ରାଗିଯାଇ କହିଲେ, ‘‘ତୁମେ ମୋତେ ଭଲ ପାଅ ବା ନପାଅ, ମୁଁ କହୁଛି ଯେ ଟୋପିଟା ମୋର ପସନ୍ଦ ହୋଇଛି; ମୁଁ ସେଟା ରଖିବି । ତା ନ ହେଲେ ମୋର ଟୋପିର ଦରକାର ନାହିଁ ।’’

 

ପେଟ୍ରୁସିଓ ସବୁ ଶୁଣିଲେ, ମାତ୍ର ତାଙ୍କ କଥା ବୁଝି ପାରି ନଥିବାର ଛଳନା କରି କହିଲେ, ‘‘ବେଶ୍‌, ଗାଉନଟା କିପରି ହୋଇଛି ଦେଖିବାକୁ କହୁଛ ପରା ! ହେ ଦରଜି !’’ ଦରଜି ତିଆରି କରିଥିବା ଗୋଟିଏ ସୁନ୍ଦର ଗାଉନ୍‌ ବାହାରକରି ଦେଖାଇଲା । କୌଣସି ଟୋପି ବା ଗାଉନ୍‌ କାଥେରିନ୍‌ଙ୍କୁ ଦେବା ପେଟ୍ରୁସିଓଙ୍କର ପ୍ରକୃତ ଅଭିପ୍ରାୟ ନଥିଲା । ତେଣୁ ସେ ଗାଉନ୍‌ଟିର ସହସ୍ର ଦୋଷ ବାହାର କରି ତାହା ଫିଙ୍ଗି ଦେଲେ । ଦରଜି ହାତ ଯୋଡ଼ି କହିଲା, ‘‘ଆପଣ ବରାଦ ଦେଇଥିଲେ ଯେ ଆଜିକାଲିକା ଫେଶନରେ ଗାଉନଟା ତିଆରି ହେବ । ମୁଁ ତାହାହିଁ କରିଛି ।’’ କିନ୍ତୁ ପ୍ରକୃତରେ ଗାଉନ୍‌ଟି ସୁନ୍ଦର ଥିଲା । କାଥେରିନ୍‌ ଏହାକୁ ଲୋଭକରି କହିଲେ, ‘‘ମୋ ମତରେ ଗାଉନ୍‌ଟି ବଡ଼ ସୁନ୍ଦର । ଏପରି ଗାଉନ୍‌ ମୁଁ ଖୁବ୍‌ କମ୍‌ ଦେଖିଛି ।’’ ମାତ୍ର ତାଙ୍କ କଥା ଶୁଣୁଛି କିଏ ? ଦରଜି ଓ ପୋଷାକ ବିକ୍ରେତାକୁ ଖୁବ୍‌ କଡ଼ା କଡ଼ା କଥା କହି ପେଟ୍ରୁସିଓ ତଡ଼ିଦେଲେ । ତାପରେ କାଥେରିନ୍‌ଙ୍କୁ କହିଲେ, ‘‘ପ୍ରିୟେ, ଏସବୁ ବାଜେ ଜିନିଷ ରଖି କିଛି ଲାଭ ନାହିଁ । ଆମେ ଯେଉଁ ପୋଷାକ ପିନ୍ଧିଥାଏଁ, ତାହା ସେତେ ଭଲ ନହେଲେ ବି ସେଇଥିରେ କାମ ଚଳିଯିବ । ଏଇ ପୁରୁଣା ପୋଷାକ ପିନ୍ଧି ଚାଲ ତୁମ୍ଭ ବାପାଙ୍କ ପାଖକୁ ଯିବା ।’’

 

ପେଟ୍ରୁସିଓ ଚାକରମାନଙ୍କୁ ଗୋପନରେ ଉପଦେଶ ଦେଇଥିଲେ ଯେ ସେମାନେ ଉପଯୁକ୍ତ ମୂଲ୍ୟ ଦେଇ ଟୋପି, ଗାଉନ୍‌ ପ୍ରଭୃତି କିଣି ଘରେ ରଖିଦେବେ । ସେମାନେ ତାହାହିଁ କଲେ ।

 

ଘୋଡ଼ା ସଜ ହେବାରୁ ପେଟ୍ରୁସିଓ ସ୍ତ୍ରୀଙ୍କୁ କହିଲେ ଯେ ସେମାନେ ତାଙ୍କ ଘରେ ଦୁଇପ୍ରହର ବେଳକୁ ପହଞ୍ଚି ସେଠାରେ ଖାଇବେ । ଏବେ ତ ସାତଟା ବାଜି ନାହିଁ । ପ୍ରକୃତ ପକ୍ଷରେ ସେତେବେଳକୁ ଦିନ ଦୁଇପ୍ରହର ଗଡ଼ିଲାଣି । ବାରଟା ବାଜି ଦୁଇଟା ହୋଇଥିଲା । ସ୍ୱାମୀଙ୍କର କଠୋର ବ୍ୟବହାରରେ ଟିକିଏ ଭୟ ହେଉଥିଲେ ମଧ୍ୟ କାଥେରିନ୍‌ ସାହସ ବାନ୍ଧି କହିଲେ, ‘‘ମୁଁ କହିପାରେ ବର୍ତ୍ତମାନ ଦୁଇଟା ବାଜିଲାଣି । ଘରେ ପହଞ୍ଚିଲାବେଳକୁ ସନ୍ଧ୍ୟା ଗଡ଼ି ଯାଇଥିବ । ହୁଏତ ସେଠାରେ ରାତ୍ରିଭୋଜନ ହେବ ।’’ କାଥେରିନ୍‌ଙ୍କୁ ପୂରାମାତ୍ରାରେ ଜବତ୍‌ କରିବା ପେଟ୍ରୁସିଓଙ୍କର ଇଚ୍ଛା । ତାଙ୍କ କଥାକୁ ନିର୍ବିଚାରରେ ମାନି ନ ନେଲେ ହେଲା କଅଣ ?

 

ସତେ ଯେପରି ସୂର୍ଯ୍ୟ ତାଙ୍କ କଥା ଅନୁସାରେ ଆତଯାତ ହୁଅନ୍ତି, ଯେପରି ତାଙ୍କ ଇଚ୍ଛା ଅନୁସାରେ ସମୟ ଗତି କରେ, ସେହିପରି ଭଙ୍ଗୀରେ ପେଟ୍ରୁସିଓ କହିଲେ, ‘‘ମୁଁ ଯାହା କହୁଛି, ତାହାହିଁ ହେବ । ମୋ କଥାକୁ ତୁମେ କାଟୁଛ । ତାହା ହେଲେ ମୁଁ ଆଜି ଯିବି ନାହିଁ । ମୁଁ ଯେତିକି ସମୟ କହିଛି, ସେତିକି ସମୟ ବୋଲି ତୁମେ ମାନିନେଲେ ଯିବା ।’’ କାଥେରିନ୍‌ଙ୍କୁ ଆଉ ଗୋଟିଏ ଦିନ ରହି ବାଧ୍ୟତା ଶିଖିବାକୁ ହେଲା । ତାଙ୍କର ଗର୍ବ ଏକବାରେ ଭାଙ୍ଗିଗଲା । କୌଣସି କଥାରେ ପ୍ରତିବାଦ କରିବାକୁ ତାଙ୍କର ଆଦୌ ସାହସ ହେଲା ନାହିଁ । କାଥେରିନ୍‌ ବୁଝିପାରିଲେ, ଏଭଳି ସ୍ୱାମୀଙ୍କର ପ୍ରତ୍ୟେକ କଥାକୁ ମାନି ନ ନେଲେ ରକ୍ଷା ନାହିଁ । ବାଟରେ ତାଙ୍କ ତୁଣ୍ଡରୁ ଟିକିଏ ପ୍ରତିବାଦ ଶୁଣାଗଲେ ପୁଣି ଫେରିଆସିବାକୁ ପଡ଼ିପାରେ ବୋଲି ତାଙ୍କର ଆଶଙ୍କା ହେଲା ।

 

ପେଟ୍ରୁସିଓ କାଥେରିନ୍‌ଙ୍କୁ ସଙ୍ଗରେ ଘେନି ଶ୍ୱଶୁର ଗୃହକୁ ଗଲେ । କିଛିଦୂର ଯିବାପରେ ସେ କହିଲେ, ‘‘କେଟ୍‌, ଦେଖିଲଣି, କେଡ଼େ ସୁନ୍ଦର ଚାନ୍ଦ ଉଇଁଛି !’’ ସେତେବେଳକୁ ଦିନ ଦ୍ୱିପ୍ରହର । ଉଜ୍ଜ୍ୱଳ ସୂର୍ଯ୍ୟକିରଣ ପଡ଼ିଥାଏ । କାଥେରିନ୍‌ କହିପକାଇଲେ, ‘‘ନାଇଁ ନାଇଁ, ସୂର୍ଯ୍ୟ ଉଇଁଛି ।’’ କିନ୍ତୁ ପେଟ୍ରୁସିଓଙ୍କର ଏକ କଥା-ଚନ୍ଦ୍ର ଉଇଁଛି । ସେ କହିଲେ, ‘‘ତା ହୋଇ ନପାରେ । ମୁଁ ଯେତେବେଳେ ସୂର୍ଯ୍ୟ ଉଇଁଛି ବୋଲି କହିବି, ସେତେବେଳେ ତୁମକୁ ମାନିବାକୁ ପଡ଼ିବ ଯେ ସୂର୍ଯ୍ୟ ଉଇଁଛି । ମୁଁ ଚନ୍ଦ୍ର ଉଇଁଛି ବୋଲି କହିଲେ ତୁମକୁ ସ୍ୱୀକାର କରିବାକୁ ହେବ ଯେ ଚନ୍ଦ୍ର ଉଇଁଛି । ତା ନ ହେବାଯାଏ, ମୋର ଶ୍ୱଶୁରଘର ଯିବା ବନ୍ଦ ।’’ ଏହା କହି ସେ ଫେରିଆସିବାକୁ ବସିଲେ । କାଥେରିନ୍‌ ଦେଖିଲେ, ପ୍ରତିବାଦ କଲେ ବିଷମ ସମସ୍ୟା ଉପୁଜିବ । ସେ ବହୁ ପରିମାଣରେ ଆଜ୍ଞାନୁବର୍ତ୍ତିତା ଶିଖି ସାରିଥିଲେ । ସେ ସ୍ୱାମୀଙ୍କର ପାଦତଳେ ପଡ଼ି କ୍ଷମାପ୍ରାର୍ଥନା କରି କହିଲେ, ଫେରିଯାଅ ନାହିଁ । ତୁମେ ଯାହା କହିବ, ତାହାହିଁ ହେବ । ମୁଁ ତୁମ କଥାକୁ ଅବଶ୍ୟ ମାନି ନେବି ।’’

 

ପେଟ୍ରୁସିଓ କାଥେରିନ୍‌ଙ୍କୁ ଭଲରୂପେ ପରୀକ୍ଷା କରିବା ପାଇଁ କହିଲେ, ‘‘ମୁଁ କହୁଛି, ଆକାଶରେ ଚାନ୍ଦ ଉଇଁଛି ।’’ ଅଗତ୍ୟା କାଥେରିନ କହିଲେ, ‘‘ହଁ, ଆକାଶରେ ଚାନ୍ଦ ଉଇଁଛି । ପର ମୁହୂର୍ତ୍ତରେ ପେଟ୍ରୁସିଓ କହିଲେ, ‘‘କେଟ୍‌, ମୁଁ ଦେଖୁଛି, ତୁମେ ମିଥ୍ୟା କହୁଛ । ଏ ତ ଚନ୍ଦ୍ର ନୁହେଁ, ସୂର୍ଯ୍ୟ ।’’ କାଥେରିନ୍‌ ଉତ୍ତର କଲେ, ‘‘ତାହା ହେଲେ ଆକାଶରେ ସୂର୍ଯ୍ୟ ଉଇଁଛନ୍ତି । ତୁମେ ଯେତେବେଳେ କହିବ ଯେ ଏଇଟା ସୂର୍ଯ୍ୟ ନୁହେଁ, ସେତେବେଳେ ସେ ସୂର୍ଯ୍ୟ ନୁହେଁ । ତୁମେ ଯାହାକୁ ଯାହା କହିବ, ତାହା ମୋ ପକ୍ଷରେ ସେଇଆ ।’’

 

ଦୁହେଁ କିଛି ଦୂର ଆଗେଇବା ପରେ ପେଟ୍ରୁସିଓ ଆଉ ଥରେ କାଥେରିନ୍‌ଙ୍କୁ ପରୀକ୍ଷା କରିବାକୁ ବିଚାରିଲେ । ଜଣେ ବୃଦ୍ଧ ଭଦ୍ରବ୍ୟକ୍ତି ଆସୁଥିବାର ଦେଖି ପେଟ୍ରୁସିଓ ସୁନ୍ଦରୀ ଯୁବତୀଙ୍କୁ ଦେଖିଥିବାର ଛଳନା କରି ତାଙ୍କୁ ‘ଭଦ୍ରେ, ବୋଲି ସମ୍ଭାଷଣ କଲେ ଓ ନମସ୍କାର ଜଣାଇଲେ । ତତ୍ପରେ ପତ୍ନୀଙ୍କୁ କହିଲେ, ‘‘କେଟ୍‌, ଦେଖ, କେଡେ ସୁନ୍ଦରୀ ଯୁବତୀଟିଏ । ଏପରି ସୁନ୍ଦରୀ ତୁମେ କେବେହେଲେ ଦେଖି ନଥିବ । ତାଙ୍କର ଗଣ୍ଡଦେଶରେ ରକ୍ତିମା ଉକୁଟି ଉଠୁଛି । ଆଖିଦୁଇଟିତ ଯୋଡ଼ିଏ ଉଜ୍ଜ୍ୱଳ ତାରକା । କେଟ୍‌, ଏପରି ସୁନ୍ଦରୀଙ୍କୁ ତୁମେ ସମ୍ଭାଷଣ କରିବା ଉଚିତ ।’’

 

କାଥେରିନ୍‌ଙ୍କର ଲବମାତ୍ର ନିଜତ୍ୱ ନ ଥିଲା । ସ୍ୱାମୀଙ୍କର କଥାକୁ ସେ ଅକ୍ଷରେ ଅକ୍ଷରେ ମାନିନେବାକୁ ପ୍ରସ୍ତୁତ ଥିଲେ । ସେ କିଛି ମାତ୍ର ପ୍ରତିବାଦ ନ କରି ସେହି ଦନ୍ତହୀନ ଲୋଳିତଚର୍ମ ବୃଦ୍ଧଙ୍କୁ ଆଲିଙ୍ଗନ କରି କହିଲେ, ‘‘ସୁନ୍ଦରୀ, ଆପଣ କେଉଁଠାକୁ ଯାଉଅଛନ୍ତି ? ଆପଣଙ୍କର ନିବାସ କେଉଁଠାରେ ? ଆପଣଙ୍କ ପରି ସୁନ୍ଦରୀର ପିତାମାତା ନିଶ୍ଚୟ ଭାଗ୍ୟବାନ ।’’ ଏହି କଥା ଶୁଣି ପେଟ୍ରୁସିଓ ମନେ ମନେ ଆନନ୍ଦିତ ହୋଇ କହିଲେ, ‘‘କେଟ୍‌, ଏ କଅଣ, ତୁମେ ପାଗଳ ହେଲଣି କି-? ଜଣେ ପଳିତକେଶ, ଲୋଳିତଚର୍ମ, ଦନ୍ତହୀନ, ଜରାଜୀର୍ଣ୍ଣ ବୃଦ୍ଧକୁ ସୁନ୍ଦରୀ ଯୁବତୀ ବୋଲି କହି ଆଲିଙ୍ଗନ କରୁଛ କିପରି ?’’ ତହୁଁ କାଥେରିନ୍‌ ନିଜ ମତ ପରିବର୍ତ୍ତନ କରି କହିଲେ, ‘‘ବୃଦ୍ଧ ମହାଶୟ, ମୋତେ କ୍ଷମା କରନ୍ତୁ । ସୂର୍ଯ୍ୟଙ୍କର ପ୍ରଖର କିରଣରେ ଆଖି ଝଲସି ଯିବାରୁ ମୁଁ ଆପଣଙ୍କୁ ଠିକ୍‌ ଦେଖି ନପାରି ଏପରି କହିପକାଇଛି । ମୋର ଏହି ଭ୍ରମପାଇଁ ମୋତେ କ୍ଷମା ଦିଅନ୍ତୁ ।’’

 

ପେଟ୍ରୁସିଓ ଦେଖିଲେ, କାଥେରିନ୍‌ ଏବେ ସମ୍ପୂର୍ଣ୍ଣରୂପେ ତାଙ୍କର ବଶୀଭୂତ । ସେ ବୃଦ୍ଧଙ୍କୁ ପଚାରିଲେ, ‘‘ବୃଦ୍ଧ ମହାଶୟ, ଆମକୁ କ୍ଷମା ଦିଅନ୍ତୁ । ଅନୁଗ୍ରହ କରି କହନ୍ତୁ, ଆପଣ କୁଆଡ଼େ ଯାଉଛନ୍ତି । ଆମେ ଯେଉଁଆଡ଼େ ଯାଉଛୁ, ଆପଣ ଯଦି ସେହିଆଡ଼େ ଯାଉଥାନ୍ତି, ତେବେ ଏକ ସଙ୍ଗରେ ଯିବା ।’’ ବୃଦ୍ଧ ଉତ୍ତର କଲେ, ‘‘ତୁମର ବିଚିତ୍ର ଆଚରଣ ଦେଖି ମୁଁ ବିସ୍ମିତ ହେଉଅଛି । ମୋର ନାମ ଭିନ୍‌ସେନ୍‌ସିଓ । ମୋର ଗୋଟିଏ ପୁଅ ପାଦୁଆରେ ଥାଏ । ମୁଁ ତାରି ପାଖକୁ ଯାଉଛି-।’’ ପେଟ୍ରୁସିଓ ଏହି ବୃଦ୍ଧଙ୍କୁ ଏବେ ଚିହ୍ନି ପାରିଲେ । ସେ ହେଉଛନ୍ତି ଲୁସେନ୍‌ସିଓଙ୍କର ପିତା । କାଥେରିନ୍‌ଙ୍କ ସାନଭଉଣୀ ବିଏଙ୍କା ସହିତ ଏହି ଲୁସେନ୍‌ସିଓଙ୍କର ବିବାହ ସ୍ଥିର ହୋଇଥିଲା । ପେଟ୍ରୁସିଓ ବୃଦ୍ଧଙ୍କୁ ଜଣାଇଦେଲେ ଯେ ସେମାନେ ମଧ୍ୟ ବାପିଷ୍ଟାଙ୍କ ଘରକୁ ଯାଉଛନ୍ତି । ତାଙ୍କ ପୁଅର ବିବାହ ଖୁବ୍‌ ଆଡ଼ମ୍ବରରେ ହେବ ।

 

ବୃଦ୍ଧଙ୍କ ସହିତ ପେଟ୍ରୁସିଓ ଓ କାଥେରିନ୍‌ ବାପିଷ୍ଟାଙ୍କ ଗୃହରେ ଉପସ୍ଥିତ ହେଲେ । ସେତେବେଳକୁ ବିଏଙ୍କା ଓ ଲୁସେନ୍‌ସିଓଙ୍କ ବିବାହ ଉପଲକ୍ଷରେ ସେଠାରେ ଅନେକ ଅତିଥି ସମବେତ ହୋଇଥିଲେ । ବାପିଷ୍ଟା ବଡ଼ଝିଅ, ବଡ଼ଜ୍ୱାଇଁ ଓ ସମୁଧି ଭିନ୍‌ସେନସିଓଙ୍କୁ ଭୋଜିସଭାକୁ ନିମନ୍ତ୍ରଣ କରିନେଲେ ।

 

ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ଆଉ ଗୋଟିଏ ନବ ବିବାହିତା ଦମ୍ପତି ଉପସ୍ଥିତ ଥିଲେ-। ବରଙ୍କର ନାମ ହର୍ଟେନସିଓ ।

 

ବିଏଙ୍କାର ସ୍ୱାମୀ ଲୁସେନ୍‌ସିଓ ଓ ହର୍ଟେନସିଓଙ୍କ ମଧ୍ୟରେ ଥଟ୍ଟାତାମସା ଚାଲିଥାଏ । ଦୁହେଁଯାକ ନିଜ ନିଜ ସ୍ତ୍ରୀଙ୍କର ଶାନ୍ତଶିଷ୍ଟ ସ୍ୱଭାବ, ଭଦ୍ର ବ୍ୟବହାର ଓ ଆଜ୍ଞାନୁବର୍ତ୍ତିତାର ପ୍ରଶଂସା କରିବା ସଙ୍ଗେ ସଙ୍ଗେ କଳିହୁଡ଼ୀ କାଥେରିନ୍‌ କଥା କହୁଥାନ୍ତି । ଦୁହେଁଯାକ ଏକମତ ଯେ ଏପରି ଏକ କଳିହୁଡ଼ୀ ସ୍ତ୍ରୀକୁ ବିବାହ କରି ପେଟ୍ରୁସିଓ ଖୁବ୍‌ ଅନୁତାପ କରିବେ; ସେ ବଡ଼ ହତଭାଗ୍ୟ । ସେମାନଙ୍କ କଥାବାର୍ତ୍ତା ପେଟ୍ରୁସିଓଙ୍କ କାନରେ ପଡ଼ୁଥାଏ; କିନ୍ତୁ ସେ ସେହି କଥାକୁ ମନ ଦେଉ ନଥାନ୍ତି । ଭୋଜି ଶେଷ ହେବାରୁ ମହିଳାମାନେ ଭିତରକୁ ଚାଲିଗଲେ । ପୁରୁଷମାନେ ଗଳ୍ପ କରିବାରେ ଲାଗିଥାନ୍ତି । କାଥେରିନ୍‌ଙ୍କୁ ବିବାହ କରିଥିବାରୁ ଅନେକେ ପେଟ୍ରୁସିଓଙ୍କର ବୁଦ୍ଧିକୁ ବିଦ୍ରୂପ କରୁଥାନ୍ତି । ସେମାନଙ୍କ ମଧ୍ୟରେ ଲୁସେନ୍‌ସିଓ ଓ ହର୍ଟେନ୍‌ସିଓ ପ୍ରଧାନ । କିଛି ସମୟ ପରେ ବାପିଷ୍ଟା ମଧ୍ୟ ସେମାନଙ୍କ ସଙ୍ଗେ ଯୋଗ ଦେଲେ । ପେଟ୍ରୁସିଓ ସେମାନଙ୍କର ଆଲୋଚନା ଶୁଣି କହିଲେ, ‘‘ଆପଣମାନଙ୍କର ଧାରଣା ଭୁଲ । ମୋର ସ୍ତ୍ରୀ କାଥେରିନ୍‌ ଆପଣମାନଙ୍କ ସ୍ତ୍ରୀଙ୍କଠାରୁ ଅଧିକ ଆଜ୍ଞାନୁବର୍ତ୍ତିନୀ ।’’ ବାପିଷ୍ଟା ଏହା ଶୁଣି କହିପକାଇଲେ, ‘‘ବତ୍ସ, ମୁଁ ତୁମପାଇଁ ଦୁଃଖିତ । ସତ କହିବାକୁ ଗଲେ କାଥେରିନ୍‌ ସବୁଠାରୁ ବଳି କଳିହୁଡ଼ୀ ।’’

 

ଏତେଜଣଙ୍କ କଥାରେ ମଧ୍ୟ ପେଟ୍ରୁସିଓ ଦବି ନ ଯାଇ କହିଲେ, ‘‘ମୁଁ ପୁନରାୟ କହୁଛି, ଆପଣମାନଙ୍କର ଧାରଣା ଭୁଲ । ମୋ ସ୍ତ୍ରୀ ସବୁଠାରୁ ବେଶି ଆଜ୍ଞାନୁବର୍ତ୍ତୀନୀ । ମୋ କଥାର ପ୍ରମାଣ ଦେବାକୁ ମୁଁ ପ୍ରସ୍ତୁତ । ଆସନ୍ତୁ, ଆମେ ତିନିଜଣଯାକ ବାଜିରଖି ନିଜ ନିଜ ସ୍ତ୍ରୀଙ୍କୁ ଡକାଇପଠାଇବା । ଯାହାଙ୍କ ସ୍ତ୍ରୀ ଆଦେଶ ମାନି ପ୍ରଥମେ ଆସିବେ, ସେଇ ଜିଣିବେ ।’’ ଅନ୍ୟ ଦୁଇଜଣଙ୍କର ଦୃଢ଼ବିଶ୍ୱାସ ଥିଲା ଯେ ସେମାନଙ୍କର ସ୍ତ୍ରୀ କାଥେରିନ୍‌ଠାରୁ ଅଧିକ ବାଧ୍ୟ । ତେଣୁ ସେ ଦୁହେଁ ସହଜରେ ଏ ପ୍ରସ୍ତାବରେ ରାଜି ହୋଇଗଲେ । ସେମାନେ କୋଡ଼ିଏ ଟଙ୍କା ଲେଖାଏଁ ବାଜି ରଖିବାକୁ କହିଲେ । କିନ୍ତୁ ପେଟ୍ରୁସିଓ କହିଲେ, ‘‘ମୁଁ ମୋର କୁକୁରଟାଏ ପାଇଁ କୋଡ଼ିଏ ଟଙ୍କା ବାଜି ରଖିପାରେ; କିନ୍ତୁ ମୋର ସ୍ତ୍ରୀ ବିଷୟରେ ବାଜି ରଖିବାକୁ ହେଲେ ତାର ଅନ୍ତତଃ କୋଡ଼ିଏ ଗୁଣ ଅର୍ଥାତ୍‌ ଚାରିଶ ଟଙ୍କା ବାଜି ରଖିବି ।’’ ଏ କଥା ଶୁଣି ସେ ଦୁହେଁଯାକ ପ୍ରତ୍ୟେକେ ଶହେଟଙ୍କା ଲେଖାଏଁ ବାଜି ରଖିଲେ ।

 

ପ୍ରଥମେ ଲୁସେନସିଓ ତାଙ୍କ ଚାକରଦ୍ୱାରା ବିଏଙ୍କାକୁ ଡାକି ପଠାଇଲେ । ଅଳ୍ପ ସମୟ ପରେ ଚାକରଟି ଫେରିଆସି ଜଣାଇଲା, ‘‘ତାଙ୍କୁ ଆପଣ ଡକାଇଛନ୍ତି ବୋଲି କହିବାରୁ ସେ କାର୍ଯ୍ୟବ୍ୟସ୍ତ ଅଛନ୍ତି; ବର୍ତ୍ତମାନ ଆସି ପାରିବେ ନାହିଁ ବୋଲି କହିଲେ ।’’ ପେଟ୍ରୁସିଓ କହିଉଠିଲେ, ‘‘କଅଣ, କଅଣ ? କାର୍ଯ୍ୟବ୍ୟସ୍ତ ଅଛନ୍ତି, ଆସି ପାରିବେ ନାହିଁ ବୋଲି କହିଲେ ? କୌଣସି ସ୍ତ୍ରୀ ପକ୍ଷରେ ଏପରି ଉତ୍ତରଦେବା ଉଚିତ କି ?’’ ଲୁସେନ୍‌ସିଓ ବାଜିରେ ହାରିଗଲେ; ତଥାପି ସେ ଓ ହର୍ଟେନ୍‌ସିଓ ଦୁହେଁଯାକ ପେଟ୍ରୁସିଓଙ୍କୁ ପରିହାସ କରିବାକୁ ଛାଡ଼ିଲେ ନାହିଁ । ସେମାନଙ୍କର ବିଶ୍ୱାସ, କାଥେରିନ୍‌ ଏହାଠାରୁ ଅଭଦ୍ର ଭାଷାରେ ଉତ୍ତର ଦେବେ ।

 

ଏହାପରେ ହର୍ଟେନ୍‌ସିଓଙ୍କର ପାଳି । ସେ ତାଙ୍କ ଚାକରକୁ ଡାକି କହିଲେ, ‘‘ଯାଅ, ମୋର ପତ୍ନୀଙ୍କୁ ମୋର ବିଶେଷ ଅନୁରୋଧ ଜଣାଇ କହିବ, ସେ ବର୍ତ୍ତମାନ ଆସି ମୋ ସଙ୍ଗେ ଦେଖାକରିବେ ।’’ ପେଟ୍ରୁସିଓ ଥଟ୍ଟା କରି କହିଲେ, ‘‘ବେଶ୍‌, ଦେଖା କରିବାକୁ ‘ବିଶେଷ ଅନୁରୋଧ’ ଜଣାଇବାକୁ ପଡ଼ୁଛି । ତା ହେଲେ ସେ ତ ନିଶ୍ଚୟ ଆସିବାର କଥା ।’’ ହର୍ଟେନ୍‌ସିଓ କହିଲେ, ‘‘ଆପଣଙ୍କ ସ୍ତ୍ରୀଙ୍କୁ ସବିଶେଷ ଅନୁରୋଧ କଲେ ସୁଦ୍ଧା କିଛି ଫଳ ହେବନାହିଁ ।’’ ଅଳ୍ପ ସମୟ ପରେ ଚାକରଟି ଫେରିଆସୁଥିବାର ଦେଖି ହେର୍ଟେନ୍‌ସିଓ ଟିକିଏ ଅପଦସ୍ଥ ହୋଇଗଲେ । ଚାକରଟି ଆସି କହିଲା, ‘‘ସେ କହିଲେ ‘ଆପଣ କଅଣ ଗୋଟାଏ ତାମସା କରୁଛନ୍ତି; ତେଣୁ ସେ ଆସିପାରିବେ ନାହିଁ ।’ ଆପଣ ତାଙ୍କ ପାଖକୁ ଯିବାପାଇଁ ତାଙ୍କର ଅନୁରୋଧ ।’’ ପେଟ୍ରୁସିଓ ବ୍ୟଙ୍ଗ କରି କହିଲେ, ‘‘ଦେଖୁଛି, ଏ ଉତ୍ତରଟା ଆହୁରି ଭଲ ।’’

 

ବର୍ତ୍ତମାନ ପେଟ୍ରୁସିଓଙ୍କର ପାଳି ପଡ଼ିଲା । ସେ ଚାକରକୁ ଡାକି କହିଲେ, ‘‘ଯାଅ, କାଥେରିନ୍‌ଙ୍କୁ କହିଦେବ ସେ ବର୍ତ୍ତମାନ ମୋର ଆଦେଶ ଅନୁସାରେ ଏଠାକୁ ଆସିବେ ।’’ ଚାକର ଚାଲିଗଲା; ମୁହୂର୍ତ୍ତକ ମଧ୍ୟରେ କେହି କିଛି ମନ୍ତବ୍ୟ ପ୍ରକାଶ କରିବା ପୂର୍ବରୁ ଦେଖାଗଲା ଯେ କାଥେରିନ୍‌ ଆସୁଅଛନ୍ତି । ଏଥର ସେମାନଙ୍କର ବିସ୍ମୟର ସୀମା ରହିଲା ନାହିଁ । ବାପିଷ୍ଟା ଚିତ୍କାର କରି ଉଠିଲେ, ‘‘ଏ କଅଣ ? ପତିର ଆଦେଶ ପାଇବାମାତ୍ରେ ଯେ କାଥେରିନ୍‌ ଏଠାକୁ ଧାଇଁଆସିଛି-!’’

 

କାଥେରିନ୍‌ ପହଞ୍ଚିବାମାତ୍ରେ ସ୍ୱାମୀଙ୍କୁ ନମ୍ରଭାବରେ କହିଲେ, ‘‘ଆପଣ ଡକାଇଛନ୍ତି ଶୁଣି ଆସିଲି । କଅଣ କରିବାକୁ ହେବ, କହନ୍ତୁ ।’’ ପେଟ୍ରୁସିଓ ପଚାରିଲେ, ‘‘ତୁମ ସାନଭଉଣୀ ବିଏଙ୍କା ଓ ହର୍ଟେନ୍‌ସିଓଙ୍କ ସ୍ତ୍ରୀ କଅଣ କରୁଛନ୍ତି ?’’

 

କାଥେରିନ୍‌–’‘ସେମାନେ ଘରଭିତରେ ନିଆଁ ପାଖରେ ବସି ଗଳ୍ପ କରୁଛନ୍ତି ।’’

 

ପେଟ୍ରୁସିଓ ସେ ଦୁହିଁଙ୍କୁ ଡାକି ଆଣିବା ପାଇଁ କାଥେରିନ୍‌ଙ୍କୁ ଆଦେଶ ଦେଲେ ।

 

କାଥେରିନ୍‌ ପଦେ ମାତ୍ର କିଛି ନ କହି ସ୍ୱାମୀଙ୍କ ଆଦେଶ ମାନି ଚାଲିଗଲେ । ଲୁସନ୍‌ସିଓ କହି ଉଠିଲେ, ‘‘ସଂସାରରେ ଯେବେ ବିସ୍ମୟ ଥାଏ, ତେବେ ଏହାହିଁ ହେଉଛି ବଡ଼ ବିସ୍ମୟ । ହର୍ଟେନସିଓ ମଧ୍ୟ ତାଙ୍କୁ ସମର୍ଥନ କରି କହିଲେ, ‘‘ମୁଁ ଆଶ୍ଚର୍ଯ୍ୟ ହେଉଛି । ତେବେ ଏଥିରୁ ଭବିଷ୍ୟତରେ କି ସୁଫଳ ଫଳିବ ?’’ ପେଟ୍ରୁସିଓ ଉତ୍ତର କଲେ, ‘‘ଏହାର ଭବିଷ୍ୟତ ଫଳ ହେଉଛି ଶାନ୍ତି, ପ୍ରୀତି ଓ ନିଶ୍ଚିନ୍ତ ଜୀବନଯାତ୍ରା । ସଂକ୍ଷେପରେ, ଜଗତରେ ଯାହା କିଛି ସୁଖକର ସବୁ ଏଇଥିରୁ ମିଳିବ ।’’

 

କାଥେରିନ୍‌ଙ୍କ ପିତା ବାପିଷ୍ଟା କନ୍ୟାର ଏହି ବିସ୍ମୟକର ପରିବର୍ତ୍ତନ ଦେଖି ଆନନ୍ଦରେ ବିହ୍ୱଳ ହୋଇ ପଡ଼ିଲେ । ସେ ପେଟ୍ରୁସିଓଙ୍କୁ ଲକ୍ଷ୍ୟ କରି କହିଲେ, ‘‘ବତ୍ସ, ଈଶ୍ୱର ତୁମର ମଙ୍ଗଳ କରନ୍ତୁ । ତୁମେ ବାଜିରେ ଜିଣିଛ । ମୁଁ ଯୌତୁକସ୍ୱରୂପ ତୁମକୁ ଆହୁରି ଏକଲକ୍ଷ ଟଙ୍କା ଦେଉଅଛି । ସେ ତ ଆଉ ଆଗର କାଥେରିନ୍‌ ନୁହେଁ; ମୋର ଆଉ ଗୋଟିଏ ନୂଆ ଝିଅ ପରି । ତାର ପୂରାପୂରି ପରିବର୍ତ୍ତନ ହୋଇଯାଇଛି ।’’

 

ପେଟ୍ରୁସିଓ କହିଲେ, ‘‘ମୁଁ ଆହୁରି ଭଲ କରି ବାଜିରେ ଜିତିବି । କାଥେରିନ୍‌ ଯେ କିପରି ଗୁଣବତୀ ଓ ଆଦେଶ ପାଳନ କରିବାରେ ନିପୁଣା ତାହା ଆପଣମାନଙ୍କୁ ଦେଖାଇଦେବି ।’’ କାଥେରିନ୍‌ ଅନ୍ୟ ଦୁଇ ମହିଳାଙ୍କ ସହିତ ଆସୁଥିବାର ଦେଖି ପେଟ୍ରୁସିଓ ସେ ଦୁହିଁଙ୍କ ସ୍ୱାମୀଙ୍କୁ ଲକ୍ଷ୍ୟକରି କହିଲେ, ‘‘ଦେଖ, କାଥେରିନ୍‌ କିପରି ତୁମର ସ୍ତ୍ରୀମାନଙ୍କୁ ବୁଝେଇ ସୁଝେଇ ଏଠାକୁ ନେଇଆସୁଛନ୍ତି ।’’

 

ସେମାନେ ଉପସ୍ଥିତ ହେବାରୁ ପେଟ୍ରୁସିଓ କହିଲେ, ‘‘କାଥେରିନ୍‌, ତୁମେ ଯେଉଁ ଟୋପିଟା ପିନ୍ଧିଛ ସେଇଟା ଖରାପ ଦିଶୁଛି, ତାହା ଫିଙ୍ଗିଦିଅ ।’’ କାଥେରିନ୍‌ ତତ୍‌କ୍ଷଣାତ୍‌ ଟୋପିଟା ତଳକୁ ଫୋପାଡ଼ି ଦେଲେ । ଏହା ଦେଖି ହର୍ଟେନ୍‌ସିଓଙ୍କ ସ୍ତ୍ରୀ କହିଲେ, ‘‘ଭଗବାନ ମୋତେ ରକ୍ଷା କରନ୍ତୁ । ମୋ ଭାଗ୍ୟରେ ଏପରି ଦୁର୍ଦ୍ଦଶା ନଘଟୁ । ବିଏଙ୍କା ମଧ୍ୟ କହିଲେ, ‘‘ଧିକ୍‌, ସ୍ୱାମୀଙ୍କର ଆଦେଶକୁ ଏପରି ଅନ୍ଧଭାବରେ ପାଳନ କରିବା କେବଳ ଗୋଟାଏ ନିର୍ବୋଧର କର୍ତ୍ତବ୍ୟ ହୋଇପାରେ ।’’ ଏହା ଶୁଣି ତାଙ୍କର ସ୍ୱାମୀ କହିଲେ, ‘‘ବିଏଙ୍କା, ତୁମେ କାଥେରିନ୍‌ ଭଳି ନିର୍ବୋଧ-କର୍ତ୍ତବ୍ୟ ପାଳନ କରିଥିଲେ ମୁଁ ନିଜକୁ ଭାଗ୍ୟବାନ୍‌ ମନେ କରିଥାନ୍ତି । ଜାଣ ବିଏଙ୍କା, ତୁମର ନିଜ କର୍ତ୍ତବ୍ୟଜ୍ଞାନ ଫଳରେ ମୋତେ ଶହେ ଟଙ୍କା ହରାଇବାକୁ ପଡିଛି ।’’ ବିଏଙ୍କା ଉତ୍ତର କଲେ, ‘‘ମୋର କର୍ତ୍ତବ୍ୟ କଅଣ, ସେ ବିଷୟରେ ବାଜି ରଖିବା ତୁମ ପକ୍ଷରେ ଘୋର ମୂର୍ଖତା ।’’

 

ପେଟ୍ରୁସିଓ କହିଲେ, ‘‘କାଥେରିନ୍‌, ସ୍ତ୍ରୀର ସ୍ୱାମୀପ୍ରତି କଅଣ କର୍ତ୍ତବ୍ୟ, ସେ ବିଷୟରେ ତୁମେ ଏ ଦୁହିଁଙ୍କୁ ଟିକିଏ ଉପଦେଶ ଦିଅ ।’’

 

କାଥେରିନ୍‌ ଯୁକ୍ତିଯୁକ୍ତ ଭାବରେ ସେ ଦୁହିଁଙ୍କୁ ବୁଝାଇ ଦେଲେ ଯେ ସ୍ତ୍ରୀର ପ୍ରଧାନ କର୍ତ୍ତବ୍ୟ ହେଉଛି ସ୍ୱାମୀଙ୍କର ଅନୁଗତ ହୋଇ ତାଙ୍କର ଆଦେଶ ପାଳନ କରିବା । ସମସ୍ତେ ତାଙ୍କ କଥା ଶୁଣି ବିସ୍ମିତ ହୋଇଗଲେ ।

 

ପୂର୍ବରୁ କାଥେରିନ୍‌ଙ୍କର ଗୋଟାଏ ଦୁର୍ନାମ ଥିଲା ଯେ ତାଙ୍କପରି କେହି କଳିହୁଡ଼ୀ ନାହାନ୍ତି । ଏବେ ସେ ସବୁଠାରୁ ବେଶି ଅନୁଗତା ଓ କର୍ତ୍ତବ୍ୟପରାୟଣା ସ୍ତ୍ରୀ ବୋଲି ତାଙ୍କର ସୁନାମ ଚାରିଆଡ଼େ ବ୍ୟାପିଗଲା ।

Image

 

ଟାଇମନ୍‌

 

ଏଥେନ୍‌ସ ସହରରେ ଟାଇମନ୍‌ ନାମରେ ଜଣେ ବିରାଟ ଧନୀ ଜମିଦାର ବାସ କରୁଥିଲେ । ତାଙ୍କର ଧନ-ସମ୍ପତ୍ତିର କଳନା ନଥିଲା । ତାଙ୍କର ବୃହତ୍ ପ୍ରାସାଦ ଧନରତ୍ନରେ ପରିପୂର୍ଣ୍ଣ ଥିଲା ଓ ତାଙ୍କ ଜମିଦାରୀ ବହୁଦୂର ବିସ୍ତୃତ ରହିଥିଲା । ତାଙ୍କର ସମ୍ପତ୍ତି ଯେପରି ବିଶାଳ, ହୃଦୟ ମଧ୍ୟ ସେହିପରି ବିଶାଳ । ଦାତାପଣରେ ସମଗ୍ର ଏଥେନ୍‌ସରେ ସେ ଅଦ୍ୱିତୀୟ ଥିଲେ । ଦାନ କଲାବେଳେ ସେ ପାତ୍ରାପାତ୍ର ବିଚାର କରୁନଥିଲେ । ତେଣୁ ନାନା ଶ୍ରେଣୀର ଲୋକ ଧନୀ, ଦରିଦ୍ର, ସାଧୁ, ସନ୍ଥ, ଏପରିକି ପ୍ରତାରକମାନେ ମଧ୍ୟ ତାଙ୍କ ଉଦାରତାର ସୁଯୋଗ ନେବାକୁ ଛାଡ଼ୁ ନଥିଲେ । ସହଜେ ଶତ ଶତ ଲୋକ ତାଙ୍କର ଭୃତ୍ୟ ଓ ଆଶ୍ରିତରୂପେ ଥିଲେ । ସେମାନଙ୍କ ସଙ୍ଗେ ଶତ ଶତ ଯାଚକ ତଥା ଅଳସ, ସୁଖଲିପ୍‌ସୁ ଲୋକ ସର୍ବଦା ତାଙ୍କ ପ୍ରାସାଦକୁ ମୁଖର କରି ରଖୁଥିଲେ । ଏପରିକି ଅନେକ ଉଚ୍ଚକୁଳଜାତ ଜମିଦାରଶ୍ରେଣୀର ଲୋକ ମଧ୍ୟ ଅନାୟାସରେ ତାଙ୍କ ପ୍ରାସାଦରେ ସମସ୍ତ ସୁଖସମ୍ଭୋଗ ପାଇବାପାଇଁ ସମବେତ ହେଉଥିଲେ । ସ୍ଥୁଳତଃ ତାଙ୍କ ପ୍ରାସାଦ ଦ୍ୱାର ସବୁଶ୍ରେଣୀର ଲୋକଙ୍କପାଇଁ ସର୍ବଦା ଉନ୍ମୁକ୍ତ ଥିଲା ଓ କେହି ତାଙ୍କର ରାଜଯୋଗ୍ୟ ସମ୍ବର୍ଦ୍ଧନାରୁ ବଞ୍ଚିତ ହେଉନଥିଲେ ।

 

ତାଙ୍କର ବିଶାଳ ଐଶ୍ୱର୍ଯ୍ୟ ଓ ବିଶାଳ ହୃଦୟ ସହସ୍ର ସହସ୍ର ଲୋକଙ୍କୁ ତାଙ୍କ ନିକଟକୁ ଆକୃଷ୍ଟ କରି ଆଣୁଥିଲା । ସେମାନେ ଟାଇମନ୍‌ଙ୍କର ଉଚ୍ଚ ପ୍ରଶଂସା କରିବାରେ ହେଳା କରୁ ନଥିଲେ-। ଟାଇମନ୍‌ ନିଜକୁ ଯେପରି ଦେଖୁଥିଲେ, ସମସ୍ତଙ୍କୁ ସେହି ଦୃଷ୍ଟିରେ ଦେଖୁଥିଲେ । ଜଗତରେ ଯେ କୂଟକପଟତା ଅଛି, ଲୋକେ ସ୍ୱାର୍ଥରେ ଅନ୍ଧ ହୋଇ ଭାଇର ଗଳା ମଧ୍ୟ କାଟିପାରନ୍ତି, ଏପ୍ରକାରେ ଚିନ୍ତା କେବେ ତାଙ୍କ ମନରେ ସ୍ଥାନ ପାଉନଥିଲା । ସେ ମନେ କରୁଥିଲେ ‘ବସୁଧୈବ କୁଟୁମ୍ବକମ୍‌’ ।

 

ଟାଇମନ୍‌ଙ୍କ ସରଳ ପ୍ରକୃତିର ସୁଯୋଗ ନେଇ ଅନେକ ଲୋକ ଧନବାନ୍‌ ହୋଇଯାଉଥିଲେ । କେହି ଜଣେ ଖଣ୍ଡିଏ ବହି ଲେଖି ତାଙ୍କ ନାମରେ ଉତ୍ସର୍ଗ କରିଦେଲେ ଟାଇମନ୍‌ ବହିଟିର ଦୋଷଗୁଣ କିଛି ନ ବିଚାରି ଲେଖକଙ୍କୁ ଯଥେଷ୍ଟ ପୁରସ୍କାର ଦେଉଥିଲେ । ତେଣିକି ତାଙ୍କ ପ୍ରାସାଦରେ ଲେଖକପାଇଁ ଦୈନିକ ଖାଦ୍ୟପେୟର ବ୍ୟବସ୍ଥା ହୋଇଯାଉଥିଲା । ଜଣେ ଜଣେ ଚିତ୍ରକର କୌଣସି ଚିତ୍ରଟିଏ ଆଙ୍କି ଟାଇମନ୍‌ଙ୍କ ମତାମତ ପଚାରିବା ବାହାନାରେ ତାଙ୍କ ପାଖକୁ ନେଉଥିଲେ । ବେଶ୍‌, ଏତିକିରେ ଚିତ୍ରକରଙ୍କର ଉଦ୍ଦେଶ୍ୟ ସିଦ୍ଧ ହୋଇଯାଉଥିଲା । ବଜାରରେ ଚିତ୍ରଟିର ଦାମ୍‌ ଯାହା ହୁଅନ୍ତା, ହୁଏତ ତାହାର ଶତଗୁଣ ମୂଲ୍ୟ ଦେଇ ଟାଇମନ୍‌ ତାହା କିଣି ନେଉଥିଲେ । କୌଣସି ଜହୁରୀ ମୂଲ୍ୟବାନ୍‌ ରତ୍ନ ବିକିବାକୁ ଗ୍ରାହକ ନପାଇଲେ ଟାଇମନ୍‌ଙ୍କ ପାଖେ ଉପସ୍ଥିତ ହେଉଥିଲା । ସେହିପରି ଅଳଙ୍କାର ବିକ୍ରେତାମାନେ ଟାଇମନ୍‌ଙ୍କୁ ଜଣେ ଚିହ୍ନରା ଗ୍ରାହକରୂପେ ପାଉଥିଲେ । ଏସବୁ ଜିନିଷର ପ୍ରକୃତ ମୂଲ୍ୟ କେତେ ହେବ, ତାହା ଚିନ୍ତା କରିବା ଟାଇମନ୍‌ଙ୍କ ପ୍ରକୃତି ବିରୁଦ୍ଧ ଥିଲା । ମାତ୍ର ସେ ଯେଉଁ ମୂଲ୍ୟ ଦେଉଥିଲେ ତାହା ଯେ ଅତ୍ୟଧିକ, ଏଥିରେ ସନ୍ଦେହ ନାହିଁ । ବିକ୍ରେତାମାନେ କେବେହେଲେ ତାଙ୍କ ଦ୍ରବ୍ୟର ମୂଲ୍ୟ କହିବା ଆବଶ୍ୟକ ପଡ଼ୁ ନଥିଲା । ଏହା ଫଳରେ ଟାଇମନ୍‌ଙ୍କ ପ୍ରାସାଦରେ ବହୁତ ଅନାବଶ୍ୟକ ପଦାର୍ଥ ଜମି ରହିଥିଲା-। କାହାରି ଜିନିଷ ନ କିଣି ତାକୁ ଫେରାଇ ଦେବାଦ୍ୱାରା ତା’ପ୍ରତି ଅପମାନ ଓ ନିଜପ୍ରତି ମଧ୍ୟ ଅପମାନ ବୋଲି ତାଙ୍କର ଧାରଣା ଥିଲା । ତେଣୁ ସେ କୌଣସି ଜିନିଷ କିଣିଲାବେଳେ ବିକ୍ରେତା ତାହା ଆଣିଥିବାରୁ ତାକୁ ଧନ୍ୟବାଦ ନ ଦେଇ ଛାଡ଼ୁ ନଥିଲେ ।

 

ଗୁଡ଼ିଏ ନିଷ୍କର୍ମା, ଅଳସ, ତୋଷାମୋଦକାରୀ ଲୋକ ସର୍ବଦା ଟାଇମନ୍‌ଙ୍କୁ ବେଢ଼ି ରହିଥିଲେ । କେତେ ନାମମାତ୍ର କବି, ଚିତ୍ରକର, ଲେଖକ, ବ୍ୟବସାୟୀ ତାଙ୍କ ଧନରେ ରଜାଭଳି ଆଡ଼ମ୍ବରରେ ରହିଥିଲେ । ଏପରିକି କେତେ ଉଚ୍ଚକୁଳର ଭଦ୍ର ସନ୍ତାନ-ପୁରୁଷ ଓ ସ୍ତ୍ରୀ-ତାଙ୍କ ପାଖରେ ରହି, ତାଙ୍କୁ ଚାଟୁବାକ୍ୟ ଶୁଣାଇ ନିଜ ନିଜର ଅର୍ଥାଗମର ବାଟ ଫିଟାଇ ଦେଇଥିଲେ । କିଏ ତାଙ୍କୁ ସ୍ୱର୍ଗର ଦେବତା ବୋଲି କହୁଥିଲା ତ ଆଉ କିଏ ତାଙ୍କ କଥାକୁ ଅମୃତ ସଙ୍ଗେ ତୁଳନା କରୁଥିଲା । କେହି କେହି କହୁଥିଲେ ଯେ ଟାଇମନ୍‌ଙ୍କ ଯୋଗେ ଏ ସାରା ସଂସାର ଆତଯାତ ହେଉଅଛି । ଏପରି ପ୍ରଶଂସା କରିବା ପଛରେ ଯେ ଗୋଟାଏ କିଛି ସ୍ୱାର୍ଥ ବା ଦୁରଭିସନ୍ଧି ରହିଛି, ଏହା ଟାଇମନ୍‌ କଳ୍ପନା କରିପାରୁନଥିଲା ।

 

କୌଣସି କୌଣସି ଧନୀ ପରିବାରର ସନ୍ତାନ ବିଳାସବ୍ୟସନରେ ନିଜା ପୈତୃକ ଧନ ଉଡ଼ାଇ ବେଳେବେଳେ ଋଣ ପରିଶୋଧ କରି ନପାରି ବନ୍ଦିଶାଳାକୁ ଯିବାକୁ ବାଧ୍ୟ ହେଉଥିଲେ । ଟାଇମନ୍‌ ଏପ୍ରକାର ଧନୀ ସନ୍ତାନଙ୍କର ଋଣ ପରିଶୋଧ କରି ସେମାନଙ୍କୁ କେବଳ ଯେ କାରାଗାରରୁ ମୁକ୍ତ କରୁଥିଲେ ତାହା ନୁହେଁ; ସେମାନଙ୍କୁ ନିଜ ଗୃହରେ ସ୍ଥାନ ଦେଇ ସେମାନଙ୍କର ଯଥାଯୋଗ୍ୟ ଚଳାଚଳର ବ୍ୟବସ୍ଥା କରିଦେଉଥିଲେ । ସେମାନେ ଟାଇମନଙ୍କ ଧନକୁ ନିଜ ପିତାଙ୍କ ଧନ ଅପେକ୍ଷା ଅଧିକ ଉଦାର ଭାବରେ ବ୍ୟୟ କରିବାକୁ କୁଣ୍ଠିତ ହେଉ ନଥିଲେ । ଉଦାରତା ଗୁଣରେ ସେମାନେ ପୃଷ୍ଠପୋଷକ ଟାଇମନ୍‌ଙ୍କ ପଛରେ ପଡ଼ିବେ କାହିଁକି ? ଏହିପରି ଯୁବକମାନଙ୍କ ମଧ୍ୟରେ ଭେଣ୍ଟିଡ଼ିଅସ୍‌ ନାମକ ଜଣେ ଜମିଦାରପୁତ୍ର ପ୍ରଧାନ ଥିଲେ ।

 

ଟାଇମନ୍‌ଙ୍କ ସହିତ ସାକ୍ଷାତ କରିବାପାଇଁ ପ୍ରତିଦିନ ଲୋକଙ୍କର ସୁଅ ଛୁଟିଥାଏ । ସେମାନଙ୍କ ଭିତରେ ଅନେକେ ତାଙ୍କୁ କିଛି କିଛି ଭେଟି ଦେବାପାଇଁ ଆଣିଥାନ୍ତି । କେହି କୁକୁର, କେହି ଘୋଡ଼ା, କେହି ଅବା କୌଣସି ଘରକରଣା ଜିନିଷ ଆଣିଥାଆନ୍ତି । ଟାଇମନ୍‌ଙ୍କର ଏଥିମଧ୍ୟରୁ କେତେକ ପସନ୍ଦ ହୋଇ ପାରିଥାଏ ବା ନ ହୋଇ ପାରିଥାଏ; ମାତ୍ର ଉପହାରଦାତା ଯେ ତାଙ୍କ କୁକୁର ବା ଘୋଡ଼ା ବା ଦ୍ରବ୍ୟର କୋଡ଼ିଏ ପଚିଶଗୁଣ ମୂଲ୍ୟର ଉପହାର ଫେରି ପାଉଥିଲେ, ଏଥିରେ ସନ୍ଦେହ ନାହିଁ । ଥରେ ଲୁସିଅସ୍‌ ବୋଲି ଜଣେ ଜମିଦାର ଟାଇମନ୍‌ଙ୍କ ପାଖକୁ ଚାରିଟି ଧଳା ଘୋଡ଼ା ଉପହାର ପଠାଇଥିଲେ । ଲିଉକଲସ୍‌ ନାମକ ଆଉ ଜଣେ ଜମିଦାର ସେହିପରି ଦୁଇଟି ଶିକାରୀ କୁକୁର ଉପହାର ଦେଇଥିଲେ । ଟାଇମନ୍‌ ଏମାନଙ୍କ ଉପହାରର ପ୍ରତିଦାନସ୍ୱରୂପ ସେମାନଙ୍କ ପାଖକୁ କେତେକ ହୀରାନୀଳାର ହାର ପଠାଇ ଦେଇଥିଲେ । ଟାଇମନଙ୍କର ପ୍ରତିଦାନର ମୂଲ୍ୟ ଯେ ଉପହାରର ମୂଲ୍ୟଠାରୁ ପଚାଶ ଗୁଣ ଅଧିକ ହେବ, ଏହା କହିବା ବାହୁଲ୍ୟ ମାତ୍ର । ଅତି ସାମାନ୍ୟ ବ୍ୟୟରେ ମୂଳଧନର ଶତଗୁଣ କିପରି ଆଦାୟ କରାଯାଇପାରେ ଏହା ସେମାନଙ୍କୁ ଭଲରୂପେ ଜଣାଥିଲା ।

 

ଟାଇମନ୍‌ଙ୍କଠାରୁ ଅର୍ଥଶୋଷଣ କରିବାକୁ ଆଉ ଗୋଟାଏ ଶ୍ରେଣୀର ଲୋକ ଥିଲେ । ସେମାନଙ୍କୁ କିଛି ହେଲେ ମୂଳଧନ ଖଟାଇବାକୁ ପଡ଼ୁନଥିଲା; ଅଥଚ ଯଥେଷ୍ଟ ଲାଭ ମିଳୁଥିଲା । ଯଦି କିଛି ମୂଳଧନ ଲାଗୁଥିଲା, ତାହା ହେଉଛି ଦୁଇପଦ ଖୋସାମତିଆ କଥା । ସେମାନେ ଟାଇମନ୍‌ଙ୍କ ପ୍ରାସାଦକୁ ଯାଇ ତାଙ୍କର କୌଣସି ପୋଷାକ ବା ଆସବାବ ବା ବ୍ୟବହାର୍ଯ୍ୟ ଦ୍ରବ୍ୟର ପ୍ରଶଂସା କରି କହନ୍ତି । ତା ସଙ୍ଗେ ଟାଇମନ୍‌ଙ୍କୁ ସୁରୁଚିର ପ୍ରଶଂସା ମଧ୍ୟ ଥାଏ । ଏତିକିରେ ଉଦ୍ଦେଶ୍ୟ ସିଦ୍ଧ ହୋଇଯାଏ । ଟାଇମନ୍‌ ସେଇଟିକୁ ସଙ୍ଗେ ସଙ୍ଗେ ସେ ଖୋସାମତକାରୀଙ୍କୁ ଦାନ କରିଦିଅନ୍ତି-। ଟାଇମନ୍‌ଙ୍କର ଗୋଟିଏ ଭଲ ଘୋଡ଼ା ଥିଲା । ସେ ନିଜେ ଏହା ଉପରେ ଚଢ଼ୁଥିଲେ । ଦିନେ ଜଣେ ଜମିଦାର ଆସି ଘୋଡ଼ାଟିର ପ୍ରଶଂସା କରି କହିଲେ, ‘‘ଏଭଳି ସୁଲକ୍ଷଣ ଘୋଡ଼ା ମୁଁ ଆଉ କେଉଁଠାରେ ଦେଖିନାହିଁ । ରୂପ ଯେପରି ଗୁଣ ମଧ୍ୟ ସେହିପରି । ଘୋଡ଼ାର ଚାଲି ଦେଖିଲେ ଆଖି ପିଛାଡ଼ିବାକୁ ମନ ହେବ ନାହିଁ ।’’ ବେଶ୍‌, ଏଇ କେତେ ପଦ କଥାରେ ତାଙ୍କର କାମ ହୋଇଗଲା । ଟାଇମନ୍‌ ସଙ୍ଗେ ସଙ୍ଗେ ଘୋଡ଼ାଟିକୁ ତାଙ୍କୁ ଦେଇପକାଇଲେ । ତାଙ୍କର ଧାରଣା ଥିଲା ଯେ ମନୁଷ୍ୟ ଯେଉଁ ପଦାର୍ଥର ପ୍ରଶଂସା କରେ, ତାକୁ ଅବଶ୍ୟ ପାଇବାକୁ ଇଚ୍ଛା କରେ । ଜଗତର ସମସ୍ତଙ୍କୁ ସେ ନିଜର ବନ୍ଧୁ ବୋଲି ବିଚାରୁଥିଲେ, ତେଣୁ କାହାରିକୁ ନିରାଶ କରିବା ବା କାହା ମନରେ ଦୁଃଖ ଦେବା ତାଙ୍କ କଳ୍ପନାର ଅତୀତ ଥିଲା । ଯଦି ତାଙ୍କର ରାଜ୍ୟ ସମସ୍ତ ପୃଥିବୀ ବ୍ୟାପିରହିଥାନ୍ତା, ତେବେ ସେ ତାହା ମଧ୍ୟ ଦାନ ଦେବାକୁ କୁଣ୍ଠିତ ହୁଅନ୍ତେ ନାହିଁ ।

 

ଅନେକ ଖୋସାମତକାରୀ ଟାଇମନ୍‌ଙ୍କ ପ୍ରାସାଦକୁ ଆସି ଫେରିଲାବେଳକୁ ଧନୀ ହୋଇଯାଉଥିଲେ । ମାତ୍ର ପ୍ରକୃତ ଅଭାବଗ୍ରସ୍ତ କେତେ ଲୋକ ଯେ ତାଙ୍କ ଦାନଦ୍ୱାରା ଉପକୃତ ହେଉନଥିଲେ ଏପରି ନୁହେଁ । ଥରେ ତାଙ୍କର ଜଣେ ଚାକରର ପୁଅ ଜଣେ ଧନୀ ଓ ସମ୍ଭ୍ରାନ୍ତ ପରିବାରର ଝିଅକୁ ବିଭାହେବାକୁ ଇଚ୍ଛା କଲା । କିନ୍ତୁ କନ୍ୟାପିତା ଏପରି ଗରିବଘର ପୁଅ ସଙ୍ଗେ ଝିଅର ବିବାହ ଦେବାକୁ ମନା କରିଦେଲେ । ଟାଇମନ୍‌ ଚାକରଟିକୁ ଏତେ ଟଙ୍କା ଦେଲେ ଯେ ଧନରେ ସେ କନ୍ୟାପିତାଙ୍କ ସମକକ୍ଷ ହୋଇପାରିଲା । ଏହାପରେ ବିବାହ ହେଲା ଓ କନ୍ୟା ଯଥେଷ୍ଟ ଯୌତୁକ ଆଣିଲା । ଏପରି କେତେକ ଘଟନାରେ ଟାଇମନ୍‌ଙ୍କର ଧନର ସଦ୍‌ବ୍ୟବହାର ହେଉଥିଲେହେଁ ଅଧିକାଂଶ କ୍ଷେତ୍ରରେ ଖୋସାମତକାରୀ ପ୍ରତାରକଦଳ ହିଁ ତାଙ୍କ ଧନର ଅଧିକାରୀ ହୋଇଥିଲେ । ସେମାନେ ହସଖୁସିରେ ଟାଇମନ୍‌ଙ୍କର ପ୍ରଶଂସା ଗାଇ ବୁଲୁଥିଲେ । ଟାଇମନ୍‌ ମନେ କରୁଥିଲେ ଯେ ଏମାନେ ପ୍ରକୃତରେ ତାଙ୍କର ବନ୍ଧୁ । ଏମାନେ ପ୍ରାସାଦରେ ବସି ତାଙ୍କ ସଙ୍ଗରେ ଉତ୍ତମ ଖାଦ୍ୟ ଖାଇ ଓ ଉତ୍କୃଷ୍ଟ ମଦ୍ୟ ପିଇ ତାଙ୍କର ଭଣ୍ଡାର ଯେ ଶୂନ୍ୟ କରିଦେଉଅଛନ୍ତି, ତାହା ସେ ଆଦୌ ଭାବୁ ନଥିଲେ । ବରଂ ଏପରି ଚାଟୁକାରଦଳଙ୍କୁ ଦେଖି ତାଙ୍କର ଏତେ ବନ୍ଧୁ ଅଛନ୍ତି ବୋଲି ସେ ମନେ ମନେ ଗର୍ବ ଅନୁଭବ କରୁଥିଲେ । ଏମାନଙ୍କ ସଙ୍ଗରେ ଥିଲାବେଳେ ସେ ନିଜକୁ ଭାଗ୍ୟବାନ୍‌ ମନେ କରୁଥିଲେ; ଭାବୁଥିଲେ-ଯାହାର ସଂସାରରେ ଏତେ ବନ୍ଧୁ ଅଛନ୍ତି, ତାର କେବେ କି କିଛି ଦୁଃଖ ଥାଇପାରେ ?

 

ବାସ୍ତବରେ ଟାଇମନ୍‌ଙ୍କର ସମ୍ପତ୍ତି ସରି ଆସିଥିଲା । ଯଦି କୁବେର ଭଣ୍ଡାର ତାଙ୍କର ହୋଇଥାନ୍ତା, ତେବେ ମଧ୍ୟ ରହିପାରି ନ ଥାନ୍ତା । ଖର୍ଚ୍ଚର ସୀମା ନାହିଁ; କିନ୍ତୁ ତାଙ୍କର ସମ୍ପତ୍ତିର ଗୋଟାଏ ସୀମା ଥିଲା । ଫଳରେ ସେ ଧନ ସରିଆସିଲା । ମାତ୍ର ତାଙ୍କୁ ଏପରି ଅପବ୍ୟୟରୁ ବାରଣ କରିବ କିଏ ? ଯେଉଁମାନେ ତାଙ୍କର ବନ୍ଧୁ ହୋଇଥିଲେ, ସେହିମାନେ ହିଁ ତାଙ୍କ ଅପବ୍ୟୟର ସୁଫଳ ଲାଭ କରୁଥିଲେ । ଅତଏବ ନିରଙ୍କୁଶ ଭାବରେ ତାଙ୍କର ଧନ ବିତରଣ ଚାଲିଥିଲା ।

 

କେବଳ ଜଣେମାତ୍ର ଲୋକ ଟାଇମନ୍‌ଙ୍କର ଅପରିମାଣଦର୍ଶିତା ଭଲରୂପେ ଜାଣିପାରିଥିଲେ । ସେ ହେଉଛନ୍ତି ଫ୍ଲେବିୟସ; ତାଙ୍କର ଭଣ୍ଡାର ମ୍ୟାନେଜର । ସେ ଅନେକଥର ଆୟବ୍ୟୟର ହିସାବ ତିଆରି କରି ଟାଇମନ୍‌ଙ୍କୁ ପ୍ରକୃତ ଆର୍ଥିକ ଅବସ୍ଥା ଜଣାଇ ଦେବାକୁ ଚେଷ୍ଟା କରିଥିଲେ । ଏପରିକି ଆଖିରୁ ଲୁହ ଢାଳି, ତାଙ୍କ ପାଦତଳେ ପଡ଼ି ଏପ୍ରକାର ଅପବ୍ୟୟରୁ ନିବୃତ୍ତ ହେବାପାଇଁ ପ୍ରାର୍ଥନା କରିଥିଲେ । କିନ୍ତୁ ଟାଇମନ୍‌ ହିସାବ ଦେଖିବାକୁ ପ୍ରସ୍ତୁତ ନଥିଲେ କିମ୍ବା ବ୍ୟୟ କମାଇବାକୁ ଇଚ୍ଛୁକ ନଥିଲେ । ମ୍ୟାନେଜର ଆୟବ୍ୟୟ ପ୍ରସଙ୍ଗ ଉଠାଇଲେ ଟାଇମନ୍‌ ଅନ୍ୟ କୌଣସି ବିଷୟ ଆଲୋଚନା କରିବସନ୍ତି । ବୋଧହୁଏ, ଧନୀଲୋକ ଗରିବ ହୋଇଯାଇପାରେ, ସେ କଥା ଟାଇମନ୍‌ ବିଶ୍ୱାସ କରି ପାରନ୍ତି ନାହିଁ । ଯେତେବେଳେ ଟାଇମନ୍‌ଙ୍କ ପ୍ରାସାଦରେ ଆଲୋକମାଳା ଆଖି ଝଲସାଇ ଦେଉଥାଏ, ସଙ୍ଗୀତର ମଧୁର ମୂର୍ଚ୍ଛନା ପ୍ରତିଧ୍ୱନିତ ହେଉଥାଏ, ଆମନ୍ତ୍ରିତ ଅଭ୍ୟାଗତମାନଙ୍କର ଖାଦ୍ୟର ମଧୁର ଗନ୍ଧ ଭାସି ଆସୁଥାଏ, ମଦର ସ୍ରୋତ ବହି ଯାଉଥାଏ, ସେତେବେଳେ ଫ୍ଳେବିୟସ ଘୋର ଦୁଃଖରେ ନିଜ କୋଠରୀରେ ଆଖିରୁ ଲୁହ ଗଡ଼ାଇ ଭଗବାନଙ୍କୁ ପ୍ରାର୍ଥନା କରୁଥାନ୍ତି । ତାଙ୍କର ଚିନ୍ତା-ଆଉ କେତେ ଦିନ ଏପରି ଚାଲିବ ? ହଠାତ୍‌ ଦିନେ ଏସବୁ ଉଭେଇ ଯିବ । ସେତେବେଳେ ତାର ପ୍ରଭୁ ଟାଇମନ୍‌ଙ୍କର ଅବସ୍ଥା କଅଣ ହେବ ? ସେତେବେଳେ ତ ଆଉ ଏ ରକ୍ତଶୋଷକ ଚାଟୁକାରଦଳ ନଥିବେ !

 

ଶେଷରେ ଏପରି ସମୟ ଆସିଲା ଯେ ଟାଇମନ୍‌ ମ୍ୟାନେଜରଙ୍କ କଥା ଶୁଣିବାକୁ ବାଧ୍ୟ ହେଲେ । ଭଣ୍ଡାରରେ ଆଉ ଟଙ୍କା ନାହିଁ । ଖର୍ଚ୍ଚ ତୁଲାଇବା ପାଇଁ ଟଙ୍କା ଦରକାର । କାହୁଁ ଆସିବ ? ଟାଇମନ୍‌ ସବୁ କଥା ଶୁଣି କହିଲେ, ‘‘ଆଚ୍ଛା, ଆମର ଏତେ ଜମି ଅଛି । କିଛି ବିକି ଦେଇ ଟଙ୍କା ଆଣ ।’’ ଫ୍ଳେବିଅସ୍‌ ବିନୀତ ଭାବରେ ଉତ୍ତର କଲେ, ‘‘ଆଉ ଜମି କାହିଁ ? ପ୍ରାୟ ସବୁ ଜମି ବିକ୍ରି ସରିଛି । ବର୍ତ୍ତମାନ ଯେଉଁ ସାମାନ୍ୟ ଜମି ଅଛି, ସେସବୁ ବନ୍ଧକ ପଡ଼ିଛି । ବିକ୍ରି କଲେ ମଧ୍ୟ ଆପଣଙ୍କ ଋଣର ଅଧେ ସୁଦ୍ଧା ସୁଝି ହେବ କି ନା ସନ୍ଦେହ । ବହୁ ଦିନରୁ ମୁଁ ଏହା ଆପଣଙ୍କୁ ଜଣାଇଆସୁଛି ।’’ ଟାଇମନ୍‌ ହଠାତ୍‌ କହିଉଠିଲେ, ‘‘କଅଣ, ଆମର ଜମି ଏଥେନ୍‌ସ ଠାରୁ ଲାସିଡ଼ିମନ ଯାଏ ବ୍ୟାପିଥିଲା । ସବୁ କଅଣ ବିକ୍ରି ହୋଇଗଲାଣି ?’’ ଫ୍ଳେବିଅସ୍‌ ଉତ୍ତର କଲେ, ‘‘ପୃଥିବୀ ବିଶାଳ ହେଲେସୁଦ୍ଧା ତାର ଗୋଟାଏ ସୀମା ଅଛି । ସମଗ୍ର ପୃଥିବୀଟା ଆପଣଙ୍କର ହୋଇଥିଲେ ମଧ୍ୟ ଏତେବେଳକୁ ଆଉ ଆପଣଙ୍କର କିଛି ନ ଥାନ୍ତା । ଆପଣଙ୍କ ଦାନର ଯେ ସୀମା ନାହିଁ ।’’

 

ଟାଇମନ୍‌ ଏବେ ପ୍ରକୃତ ଅବସ୍ଥା ବୁଝିପାରିଲେ । ସେ ମନେ ମନେ ଚିନ୍ତା କଲେ-ମୁଁ ସତ୍‌କାର୍ଯ୍ୟରେ ଧନ ବ୍ୟୟ କରିଛି; କୌଣସି ଅନ୍ୟାୟ କାର୍ଯ୍ୟରେ ବ୍ୟୟ କରିନାହିଁ । ମୋର ବନ୍ଧୁମାନଙ୍କୁ ସାହାଯ୍ୟ କରିବାରେ ମୋର ସମ୍ପତ୍ତି ସରିଯାଇଛି । ଏଥିରେ ଅନୁତାପ କରିବାର କାରଣ ନାହିଁ ।

 

ମ୍ୟାନେଜର ଟାଇମନ୍‌ଙ୍କ ଦୁରବସ୍ଥା ଚିନ୍ତା କରି କାନ୍ଦିବାକୁ ଲାଗିଲେ । ମାତ୍ର ଟାଇମନ୍‌ ତାଙ୍କୁ ଆଶ୍ୱାସନା ଦେଇ କହିଲେ-‘‘ତୁମେ ଏପରି ବିଚଳିତ ହେଉଛ କାହିଁକି ? ମୋର ସମ୍ପତ୍ତି ସରିଯାଇଛି ବୋଲି ଚିନ୍ତା କରିବାର କାରଣ ନାହିଁ । ସମ୍ପତ୍ତି ଚାଲିଯାଇଛି ସତ, କିନ୍ତୁ ମୋର ଶତ ଶତ ବନ୍ଧୁ ରହିଅଛନ୍ତି । ଯାହାର ଏତେ ବନ୍ଧୁ ଥାଆନ୍ତି, ତାର କି କେବେ ଟଙ୍କାର ଅଭାବ ହୋଇପାରେ ?’’

 

ବୋଧହୁଏ ଟାଇମନ୍‌ଙ୍କର ଧାରଣା ଥିଲା ଯେ ବନ୍ଧୁମାନେ ଯେପରି ଯଥେଚ୍ଛା ତାଙ୍କର ଟଙ୍କା ଖରଚ କରୁଥିଲେ, ସେ ମଧ୍ୟ ସେହିପରି ସେମାନଙ୍କର ଟଙ୍କା ଖରଚ କରିପାରିବେ । କେବଳ ବନ୍ଧୁମାନଙ୍କୁ ନିଜର ଦୁରବସ୍ଥା ଜଣାଇ ଟଙ୍କା ମଗାଇଲେ ହେଲା ।

 

ହାୟ ନିର୍ବୋଧ ଟାଇମନ୍‌ ! ସଂସାର ଯେ କେଡ଼େ ସ୍ୱାର୍ଥପର ତାହା ଜାଣିଥିଲେ ତୁମେ ଏପରି ଚିନ୍ତାକୁ ମନରେ ସ୍ଥାନ ଦେଇ ନ ଥାନ୍ତ ।

 

ଅବିଳମ୍ବେ ଟଙ୍କା ଆସିବ ବୋଲି ଆଶା କରି ଲୁସିଅସ୍‌, ଲିଉକଲସ୍‌ ଓ ସେମ୍ପ୍ରୋନିଅସ୍‌ ଏହି ତିନିଜଣ ବିଶିଷ୍ଟ ଜମିଦାରଙ୍କ ପାଖକୁ ଟାଇମନ୍‌ ଜଣେ ଲେଖାଏଁ ଲୋକ ପଠାଇଲେ । ଏ ତିନିଜଣଯାକ ଟାଇମନ୍‌ଙ୍କ ଦ୍ୱାରା ବିଶେଷ ଅନୁଗୃହୀତ ହୋଇଥିଲେ । ଏମାନଙ୍କର ଆର୍ଥିକଅବସ୍ଥା ଅତି ଉତ୍ତମ ଓ ପ୍ରତ୍ୟେକେ ଯଥେଷ୍ଟ ସାହାଯ୍ୟ କରିବାକୁ ସମର୍ଥ । ଯେଉଁ ଭେଣ୍ଟିଡ଼ିଅସଙ୍କ ପାଇଁ ଟାଇମନ୍‌ ଋଣ ପରିଶୋଧ କରି ତାଙ୍କୁ କାରାମୁକ୍ତ କରିଥିଲେ, ସେ ଏବେ ପିତାଙ୍କ ମୃତ୍ୟୁପରେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଥିବାରୁ ତାଙ୍କ ପାଖକୁ ମଧ୍ୟ ଜଣେ ଲୋକ ପଠାଗଲା । ଟାଇମନ୍‌ଙ୍କର ବିଶ୍ୱାସ ଥିଲା ଯେ ଏମାନେ ଯେତେ ଟଙ୍କା ଦେବେ ସେଥିରେ ସେ ନିଶ୍ଚିନ୍ତରେ ଚଳିପାରିବେ ।

 

ପ୍ରଥମେ ଟାଇମନଙ୍କ ପତ୍ରବାହକ ଲିଉକଲସଙ୍କ ପାଖେ ପହଞ୍ଚିଲା । ଏତେ ବଡ଼ ଜମିଦାର ହେଲେ ମଧ୍ୟ ସେ ନିତାନ୍ତ ଲୋଭୀ ଓ କୃପଣ ଥିଲେ । ତା ପୂର୍ବଦିନ ରାତ୍ରିରେ ଲିଉକଲସ୍‌ ସ୍ୱପ୍ନରେ ଦେଖିଥିଲେ ଯେ ଜଣେ ଲୋକ ତାଙ୍କୁ ରୂପାର ଗୋଟିଏ ସାର ବାସନ ଦେଇଗଲା । ଟାଇମନ୍‌ଙ୍କ ପାଖରୁ ଜଣେ ଲୋକ ଆସିଛି ବୋଲି ଶୁଣିଲା ମାତ୍ରେ ସେ ଭାବିଲେ କାଲି ରାତ୍ରିର ସ୍ୱପ୍ନ ନିଶ୍ଚୟ ସଫଳ ହୋଇଛି । ଟାଇମନ୍‌ ମୋ ପାଇଁ ରୂପାର ବାସନ ପଠାଇଥିବେ । ତାଙ୍କୁ ନ ମାଗୁଣୁ ସେ ଏହିପରି ଇଚ୍ଛାନୁରୂପ ଜିନିଷ ଦାନ ଦେଇଥାନ୍ତି ।

 

ମାତ୍ର ପତ୍ରବାହକଠାରୁ ଟାଇମନ୍‌ଙ୍କର ଉଦ୍ଦେଶ୍ୟ ଜାଣିପାରି ସେ ହତାଶ ହୋଇପଡ଼ିଲେ-। ଟାଇମନ୍‌ଙ୍କ ପ୍ରତି ତାଙ୍କର ବନ୍ଧୁତା କିପରି ତାହା ସଙ୍ଗେ ସଙ୍ଗେ ପ୍ରକାଶ ପାଇଗଲା-। ସେ ପତ୍ରବାହକକୁ କହିଲେ–‘‘ମୁଁ ଜାଣେ, ଟାଇମନ୍‌ ଦିନେ ଏହିପରି ଦୁରବସ୍ଥାରେ ପଡ଼ିବେ । ନିମନ୍ତ୍ରଣ ରକ୍ଷାକରି ମୁଁ ଯେତେବେଳେ ତାଙ୍କ ଭୋଜିକୁ ଯାଏଁ, ସେତେବେଳେ ଏତେ ଖର୍ଚ୍ଚ ନ କରିବାକୁ ତାଙ୍କୁ ପରାମର୍ଶ ଦିଏ । କିନ୍ତୁ ସେ ମୋ କଥା ଶୁଣନ୍ତି ନାହିଁ । ତାଙ୍କୁ ଏହି ପରାମର୍ଶ ଦେବାପାଇଁ ମୁଁ ତାଙ୍କର ସବୁ ଭୋଜିରେ ଯୋଗ ଦେଇଛି । ଏପରି ଅପବ୍ୟୟ କଲେ ଯାହା ହୁଏ, ଟାଇମନ୍‌ଙ୍କର ତାହାହିଁ ହୋଇଛି ।’’

 

ସେ ଯେ ଟାଇମନ୍‌ଙ୍କୁ ସଦୁପଦେଶ ଦେବାକୁ ତାଙ୍କ ଭୋଜିକୁ ଯାଉଥିଲେ, ଏ କଥାଟା ସମ୍ପୂର୍ଣ୍ଣ ମିଥ୍ୟା । ମାତ୍ର ପତ୍ରବାହକ ଆଗରେ ଏପରି ପ୍ରକାଶ କଲେ ତାଙ୍କର କ୍ଷତି କଅଣ ? ତତ୍ପରେ ସେ ପତ୍ରବାହକକୁ କିଛି ବକ୍‌ସିସ୍‌ ଦେଇ କହିଲେ, ‘‘ତୁମେ ଚିଠିଟି ଫେରାଇ ନେଇଯାଅ । ଟାଇମନ୍‌ଙ୍କୁ କହିବ ଯେ ତୁମର ମୋ ସଙ୍ଗେ ଭେଟ ହୋଇପାରିଲା ନାହିଁ ।’’

 

ହାୟ, କି ନୀଚତା !

 

ଲୁସିଅସ୍‌ଙ୍କ ପାଖକୁ ଯେଉଁ ଲୋକ ଯାଇଥିଲା, ତାର ଅନୁଭୂତି ମଧ୍ୟ ସେହିପରି ନୈରାଶ୍ୟଜନକ ହେଲା । ଲୁସିଅସ୍‌ ଟାଇମନ୍‌ଙ୍କ ଧନରେ କମ୍‌ ଧନୀ ହୋଇନଥିଲେ । ତାଙ୍କର ପ୍ରତ୍ୟେକ ଭୋଜିରେ ଲୁସିଅସ୍‌ ଯୋଗ ଦେଉଥିଲେ । ଲୁସିଅସ୍‌ ଯେଉଁ ଉପହାର ପାଉଥିଲେ, ସେଥିରେ ତାଙ୍କ ଘର ପୂର୍ଣ୍ଣ ହୋଇଥିଲା । ତାଙ୍କ ଦେହର ପ୍ରତ୍ୟେକ ରକ୍ତବିନ୍ଦୁରେ ଟାଇମନ୍‌ଙ୍କର ଧନ କାର୍ଯ୍ୟ କରୁଥିଲା ବୋଲି କୁହାଯାଇପାରେ । କିନ୍ତୁ ଏହି କୃତଘ୍ନ ଲୁସିଅସ୍‌ ସମ୍ବାଦ ପାଇଲା ମାତ୍ରେ ପ୍ରଥମେ ଅବିଶ୍ୱାସ ପ୍ରକାଶ କରି କହିଲେ-‘‘ଟାଇମନ୍‌ଙ୍କର ପୁଣି ଟଙ୍କାର ଅଭାବ ? ଏ ଚିଠି ହୁଏତ ଜାଲ କିମ୍ବା ସେ ଥଟ୍ଟାରେ ଲେଖିଥିବେ । କିଏ ବିଶ୍ୱାସ କରିବ ଯେ ଅଭାବରେ ପଡ଼ି ଟାଇମନ୍‌ ଟଙ୍କା ଧାର ମାଗି ପଠାଇଛନ୍ତି ?’’

 

ପତ୍ରବାହକ କହିଲା ଯେ ଟାଇମନ୍‌ ପ୍ରକୃତରେ ଅର୍ଥାଭାବରେ ପଡ଼ିଛନ୍ତି । ତା ନୋହିଥିଲେ ଧାର ଚାହିଁଥାନ୍ତେ କାହିଁକି ? ତହୁଁ ଲୁସିଅସ୍‌ ଗଭୀର ଦୁଃଖ ପ୍ରକାଶ କରି କହିଲେ, ‘‘ଟାଇମନ୍‌ ଅଭାବରେ ପଡ଼ିଛନ୍ତି ଶୁଣି ମୁଁ ବିଶେଷ ଦୁଃଖିତ । ସେ ମୋର ପରମ ବନ୍ଧୁ । ମୋତେ ନାନାପ୍ରକାରେ ସାହାଯ୍ୟ କରିଆସିଛନ୍ତି । ମୁଁ କଅଣ କିଛି ଦିନ ପାଇଁ ତାଙ୍କୁ ଟଙ୍କା ଧାର ଦିଅନ୍ତି ନାହିଁ-? ତାଙ୍କପରି ବନ୍ଧୁଙ୍କୁ ସାହାଯ୍ୟ କରିବା ସୌଭାଗ୍ୟର କଥା । କିନ୍ତୁ ଦେବର ବରାଦ ଦେଖ । କାଲି ମୁଁ ଗୁଡ଼ିଏ ଜମି କିଣିପକାଇଲି । ଯାହାକିଛି ଟଙ୍କା ଥିଲା, ସବୁ ସେଥିରେ ଗଲା । ବର୍ତ୍ତମାନ ମୋ ହାତ ଶୂନ୍ୟ । ବଡ଼ ଦୁଃଖର କଥା, ମୁଁ କିଛି ମାତ୍ର ସାହାଯ୍ୟ କରିବାକୁ ଅକ୍ଷମ ।’’

 

ଜମି କିଣିଥିବାରୁ ହାତରେ ଟଙ୍କା ନଥିବା କଥା ଯେ ଏକବାରେ ମିଥ୍ୟା, ତାହା କହିବା ଅନାବଶ୍ୟକ । ପତ୍ରବାହକ ନିରାଶ ହୋଇ ଟାଇମନ୍‌ଙ୍କ ପାଖକୁ ଫେରିଗଲା ।

 

ଭେଣ୍ଟିଡ଼ିଅସ ଓ ସେମ୍ପ୍ରୋନିଅସ ମଧ୍ୟ ସେହିପରି ଅସାମର୍ଥ୍ୟ ପ୍ରକାଶ କରି ପତ୍ରବାହକଙ୍କୁ ଫେରାଇଦେଲେ ।

 

ସମସ୍ତଙ୍କଠାରୁ ଏ ପ୍ରକାରର ଉତ୍ତର ପାଇ ଟାଇମନ୍‌ ଏବେ ବନ୍ଧୁମାନଙ୍କର ପ୍ରକୃତ ଗୁଣ ବୁଝିପାରିଲେ । ଏହି ବନ୍ଧୁମାନେ ସମ୍ପଦବେଳେ ଟାଇମନ୍‌ଙ୍କୁ ଯେତିକି ପ୍ରଶଂସା କରୁଥିଲେ, ଏବେ ବିପଦବେଳେ ସେତିକି ନିନ୍ଦା କରିବାକୁ ଲାଗିଲେ । ଯେଉଁ ପ୍ରାସାଦରେ ଶତ ଶତ ଲୋକ ଦିନରାତି ଆମୋଦ-ପ୍ରମୋଦରେ ମତ୍ତ ଥିଲେ, ଏବେ ସେହି ପ୍ରାସାଦ ଜନଶୂନ୍ୟ ମରୁଭୂମି ତୁଲ୍ୟ । କେହି ଜଣେ ହେଲେ ବନ୍ଧୁ ଭୁଲରେ ତାଙ୍କ ପ୍ରାସାଦକୁ ଯିବାର ଦେଖାଗଲା ନାହିଁ । ବନ୍ଧୁମାନଙ୍କ ପରିବର୍ତ୍ତରେ ସେଠାରେ କେବଳ ଋଣଦାତାମାନେ ଦେଖାଗଲେ । ସେମାନେ ନିଜ ନିଜର ଟଙ୍କା ଦାବିକରି ବସିଲେ । ମୂଳଧନ, ସୁଧ, କରଜ, ବନ୍ଧକିପତ୍ର, ଜମିବିକ୍ରି କେବଳ ଏହି ସବୁକଥା ଛଡ଼ା ଆଉ କିଛି ସେଠାରେ ଶୁଣାଗଲା ନାହିଁ । ସମସ୍ତଙ୍କର ଦାବି-ଟଙ୍କା ପରିଶୋଧ କର । ଟାଇମନ୍‌ଙ୍କୁ ଜୀବନ ଅସହ୍ୟ ବୋଧ ହେଲା । ନିଜ ଘରକୁ ସେ ବନ୍ଦିଶାଳାଠାରୁ ଆହୁରି କଷ୍ଟଦାୟକ ମନେକଲେ-

 

ସମସ୍ତେ ଜାଣିଗଲେ ଯେ ଟାଇମନ୍‌ଙ୍କର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ।

 

ଏହି ସମୟରେ ଦିନେ ହଠାତ୍‌ ଏପରି ଏକ ଘଟନା ଘଟିଲା ଯେ ବିସ୍ମୟରେ ଲୋକଙ୍କର ଆଖି ଖୋସି ହୋଇଗଲା ।

 

ଟାଇମନ୍‌ ତାଙ୍କର ସେହି ପୂର୍ବତନ ବନ୍ଧୁମାନଙ୍କୁ ସମ୍ବାଦ ଦେଲେ ଯେ ସେ ଗୋଟିଏ ବିରାଟ ଭୋଜିର ବ୍ୟବସ୍ଥା କରିଅଛନ୍ତି । ନିର୍ଦ୍ଦିଷ୍ଟ ଦିନ ଯଥାସମୟରେ ସେମାନେ ଉକ୍ତ ଭୋଜି ଉତ୍ସବରେ ଯୋଗଦେଲେ ଟାଇମନ୍‌ ଆପ୍ୟାୟିତ ହେବେ ।

 

ଏଥିରେ ସମସ୍ତେ ବିସ୍ମିତ ହେବାର କଥା । ଉଷୁନା ଧାନ ଗଜା ହେଲା କିପରି ? ଅସ୍ତଗତ ସୂର୍ଯ୍ୟ ଉଜ୍ଜ୍ୱଳ କିରଣ ଦେଲେ କାହୁଁ ?

 

ଯାହା ହେଉ ତାଙ୍କର ବନ୍ଧୁମାନେ ଲୁସିଅସ୍‌, ଲିଉକଲସ, ଭେଣ୍ଟିଡ଼ିଅସ, ସେମ୍ପ୍ରୋନିଅସ୍‌ ପ୍ରଭୃତି ସମସ୍ତେ ଉପସ୍ଥିତ ହେଲେ । ସେମାନଙ୍କର ଧାରଣା ହେଲା ଯେ ଟାଇମନ୍‌ ଦରିଦ୍ର ହୋଇ ଯାଇଥିବାର ଛଳନା କରି ସେମାନଙ୍କ ପାଖକୁ ଧାର ମାଗି ପଠାଇଥିଲେ । ହୁଏତ ସେମାନଙ୍କ ବନ୍ଧୁତ୍ୱ ପରୀକ୍ଷା କରିବାପାଇଁ ଏପରି କରିଥିଲେ । ପତ୍ରବାହକକୁ ଏକବାରେ ଶୂନ୍ୟହସ୍ତରେ ଫେରାଇ ଦେଇ ଭୁଲ ହେଲା । ସାମାନ୍ୟ କିଛି ସାହାଯ୍ୟ ଦେଇଥିଲେ ଦଶଗୁଣ ଲାଭ ମିଳିଥାନ୍ତା । ଏବେ ସେମାନେ ମନେକଲେ ଯେ ଯେଉଁ ଝରଣା ଶୁଖିଯାଇଥିଲା, ସେଥିରୁ ପୁଣି ପାଣି ବହିଲାଣି । ତେଣୁ ସେମାନେ ଟାଇମନ୍‌ଙ୍କ ପାଖରେ ନାନାପ୍ରକାରେ କ୍ଷମାପ୍ରାର୍ଥନା କରିବସିଲେ । ସେମାନଙ୍କ କହିବାର ସାର କଥା ହେଲା-‘‘ଆପଣଙ୍କ ପରି ଅନ୍ତରଙ୍ଗ ବନ୍ଧୁଙ୍କୁ ସାହାଯ୍ୟ କରିବା ବଡ଼ ସୌଭାଗ୍ୟର କଥା । କିନ୍ତୁ ଦୈବ ବଳ ପାଖରେ ଚାରା କଅଣ ? ଠିକ୍‌ ସେତିକିବେଳକୁ ପାଖରେ କିଛି ନ ଥିଲା । ନୋହିଲେ କି ଆମେ ଆପଣଙ୍କ ଲୋକକୁ ଶୂନ୍ୟହସ୍ତରେ ଫେରାଇ ଦେଇଥାନ୍ତୁ ?’’

 

ଟାଇମନ୍‌ ଏସବୁ କଥା ଶୁଣି ନ ଶୁଣିଲା ପରି ବସିଥାନ୍ତି । ଶେଷରେ ସେ କହିଲେ-‘‘ଆପଣମାନେ ସେ ସାମାନ୍ୟ କଥା ଭୁଲିଯାଆନ୍ତୁ । ମୁଁ ଯେ କେଉଁ ଦିନ ଟଙ୍କା ପାଇଁ ଲୋକ ପଠାଇଥିଲି, ସେକଥା ଏକବାରେ ଭୁଲିଯାଇଛି । ଏସବୁ ଛୋଟ କଥା ମନରେ ସ୍ଥାନ ଦେବା ଉଚିତ ନୁହେଁ ।’’

 

ଏହି ଜମିଦାର ଓ ଧନୀଲୋକମାନେ ଟାଇମନ୍‌ଙ୍କ ଅଭାବବେଳେ ଲବମାତ୍ର ସାହାଯ୍ୟ କରିବାକୁ ବାହାରି ନଥିଲେ । ମାତ୍ର ଏବେ ତାଙ୍କର ଐଶ୍ୱର୍ଯ୍ୟର ସୂଚନା ପାଇଲାକ୍ଷଣି ଆଗଭଳି ତାଙ୍କ ଭୋଜିସଭାରେ ଯୋଗ ଦେବାପାଇଁ ଉପସ୍ଥିତ । ଏପ୍ରକାରର ଲୋକେ ଧନ ଥିବାଯାଏ ଧନୀଲୋକ ପାଖେ ରୁଣ୍ଡ ହୋଇଥାନ୍ତି; ଠିକ୍‌ ଯେମିତି ବସନ୍ତ ଆସିଲାମାତ୍ରେ କୋଇଲି ଆସି ଆମ୍ବଡାଳରେ ବସି ଆନନ୍ଦରେ ଗୀତ ଗାଏ । ମାତ୍ର ଧନ ସରିଗଲାକ୍ଷଣି ଶୀତଦିନେ ପତ୍ର ଗଛରୁ ଝଡ଼ି ପଡ଼ିଲା ପରି କୁଆଡ଼େ ଉଭେଇ ଯାଆନ୍ତି । ପୁଣି ଯେତେବେଳେ ଟାଇମନ୍‌ଙ୍କ ପ୍ରାସାଦରେ ଭୋଜିର ଆୟୋଜନ ହେଲାଣି, ମଧୁର ସଙ୍ଗୀତ ଧ୍ୱନି ଶୁଣାଗଲାଣି, ସେମାନେ ନ ଆସିବେ କାହିଁକି ?

 

ଆମନ୍ତ୍ରିତ ଅତିଥିମାନେ ଭୋଜନଗୃହରେ ବସିଗଲେ । ସେମାନଙ୍କ ମନରେ ଗୋଟାଏ ପ୍ରଶ୍ନ ଜାଗୁଥାଏ-ଏପରି ବିରାଟ ଭୋଜିପାଇଁ ଟାଇମନ୍‌ ଏତେ ଟଙ୍କା ପାଇଲେ କାହୁଁ ?

 

ଯଥାସମୟରେ ଅତିଥିମାନଙ୍କ ଆଗରେ ଶୁକ୍ଳ ବସ୍ତ୍ରରେ ଆଚ୍ଛାଦିତ ଖାଦ୍ୟପାତ୍ରମାନ ରଖାଗଲା । ସେଥିରୁ ଉଷ୍ଣ ବାଷ୍ପ ବାହାରୁଥାଏ । ଟାଇମନ୍‌ଙ୍କଠାରୁ ସଙ୍କେତ ପାଇ ଭୃତ୍ୟମାନେ ପାତ୍ର ଉପରୁ ବସ୍ତ୍ରଖଣ୍ଡମାନ ଉଠାଇନେଲେ । ମାତ୍ର ଏ କଅଣ ? ପାତ୍ରରେ ଖାଦ୍ୟ ପଦାର୍ଥ କାହିଁ ? କେବଳ ଗରମ ଜଳଛଡ଼ା ଆଉ କିଛି ନାହିଁ । ଅତିଥିମାନେ ଆଶା କରିଥିଲେ ଯେ ଟାଇମନ୍‌ ସେମାନଙ୍କପାଇଁ ପୂର୍ବପରି ନାନାପ୍ରକାରର ଚର୍ବ୍ୟ, ଚୋଷ୍ୟ, ଲେହ୍ୟ ଓ ପେୟର ଆୟୋଜନ କରିଥିବେ; କିନ୍ତୁ ଏବେ ସେମାନଙ୍କର ଆଖି ଫିଟିଗଲା । ଟାଇମନ୍‌ ଏବେ ସେ କାଳର ଟାଇମନ୍‌ ନାହାନ୍ତି । ଯେଉଁ ଟାଇମନ୍‌ଙ୍କର ହସ୍ତ ଶୂନ୍ୟ, ସେ ଗରମ ଜଳଛଡ଼ା ଆଉ କଅଣ ଦେଇପାରନ୍ତେ ? ସେମାନଙ୍କର ବନ୍ଧୁତା ଯେ ପାଣିରେ ଗାରପରି, ସେମାନଙ୍କର ସହାନୁଭୂତି ଯେ ଧୂଆଁ ପରି ଅର୍ଥହୀନ ଏହା ବୁଝାଇ ଦେବାପାଇଁ, ବୋଧହୁଏ, ଟାଇମନ୍‌ ଏପରି ଧୂଆଁ ବାହାରୁଥିବା ଗରମ ଜଳର ବ୍ୟବସ୍ଥା କରିଥିଲେ । ଅତିଥିମାନେ ବିସ୍ମୟରେ, ଲଜ୍ଜାରେ ଏହିପରି ଚିନ୍ତା କରୁଥିଲାବେଳେ ଟାଇମନ୍‌ ସ୍ୱାଗତ ସମ୍ଭାଷଣ ଜଣାଇ କହିଲେ, ‘‘ତୁମ୍ଭେମାନେ ବସିଲ କାହିଁକି ? ତୁମେ ଗୁଡ଼ାକ କୁତ୍ତାଠାରୁ ମଧ୍ୟ ହୀନ । ମୋର ଯାହା ଦେବାର ଶକ୍ତି ଥିଲା, ତାହା ଦେଇଛି; ଚାଟି ଖାଇଯାଅ ।’’ ଉପସ୍ଥିତ ଭଦ୍ରବ୍ୟକ୍ତିମାନେ ଉଠି ପଳାଇବାକୁ ବସିଲେ । କେତେକ ଭଦ୍ରମହିଳା ଟୋପି ଓ ଗାଉନଛାଡ଼ି ଦୌଡ଼ିଲେ । କେତେକ ଭଦ୍ରବ୍ୟକ୍ତି ପଳାଇବାକୁ ବାଟ ନପାଇ ପରସ୍ପର ଠେଲାଠେଲି ହେଲେ । ଗୋଟାଏ ଭୀଷଣ ଗୋଳମାଳ ସୃଷ୍ଟି ହେଲା । ଏଣେ ଟାଇମନ୍‌ ସେମାନଙ୍କ ପଛରେ ଗୋଡ଼ାଇଥାନ୍ତି । ତାଙ୍କ ତୁଣ୍ଡରେ ଶୁଣାଯାଉଥାଏ-’‘ଯାଅ କୁତ୍ତାପଲ ! ତୁମେଗୁଡ଼ାକ ବାଘଭାଲୁଙ୍କଠାରୁ ହୀନ । ପରର ରକ୍ତ ଶୋଷିବାକୁ ଆସିଛ; ବରଷା ଦେଖି ଛତା ଟେକି ଶିଖିଛ । ଭୋଜି ଖାଇଲା ବେଳକୁ ବନ୍ଧୁ; ଅନ୍ୟବେଳେ ଦେଖାନାହିଁ । ଯାଅ, ତମ ମୁହଁକୁ ଚାହିଁବା ବି ପାପ ।’’

 

ଟାଇମନ୍‌ଙ୍କର ଏଭଳି ରୁଦ୍ରମୂର୍ତ୍ତି ଦେଖି କିଏ କୁଆଡ଼େ ପଳାଇଲେ । କେତେ ଭଦ୍ରଲୋକଙ୍କର କୋଟ, ଜୋତା ହଜିଲା ତ କେତେ ଭଦ୍ରମହିଳାଙ୍କର ଟୋପି, ହାର, ଅଳଙ୍କାର ହଜିଲା । ସମସ୍ତେ ଜୀବନ ନେଇ ପଳାଇବାକୁ ବ୍ୟାକୁଳ । ପାଗଳ ଟାଇମନ୍‌ଙ୍କ ଘରୁ ପଳାଇପାରିଲେ ରକ୍ଷା । ଅଳ୍ପ ସମୟ ଭିତରେ ଭୋଜିଘର ଶୂନ୍ୟ ।

 

ଏହାହିଁ ହେଉଛି ଟାଇମନ୍‌ଙ୍କର ଶେଷ ଭୋଜି । ସେ ଏହି ସ୍ୱାର୍ଥପର ଓ ଛଳନାପୂର୍ଣ୍ଣ ମାନବସମାଜକୁ ଭୀଷଣ ଘୃଣା କରିବାକୁ ଲାଗିଲେ । ସହର ଓ ନଗରପ୍ରତି ତାଙ୍କର ଘୋର ବିତୃଷ୍ଣା ଜନ୍ମିଲା । ସେ ଚିରଦିନପାଇଁ ମାନବସମାଜରୁ ବିଦାୟ ନେଇ ବନ ଭିତରେ ପଶୁମାନଙ୍କ ମଧ୍ୟରେ ଜୀବନ କଟାଇବାକୁ ସ୍ଥିର କଲେ । ତାଙ୍କର ଦୃଢ଼ ବିଶ୍ୱାସ ହୋଇଗଲା ଯେ ମନୁଷ୍ୟମାତ୍ରେ କୃତଘ୍ନ, ସ୍ୱାର୍ଥପର, ପଶୁଠାରୁ ମଧ୍ୟ ହିଂସ୍ର । ସେ ଇଚ୍ଛା କଲେ-ରୋଗ, ମହାମାରୀ, ଯୁଦ୍ଧ, ମଡ଼କ ଆସି ଏଇ ମାନବସମାଜକୁ ଧ୍ୱଂସ କରିଦେଉ । ସେ ଭଗବାନଙ୍କୁ ପ୍ରାର୍ଥନା କଲେ-ହେ ପ୍ରଭୁ, ଏହି ଏଥେନ୍‌ସ ନଗରର ସ୍ତ୍ରୀ, ପୁରୁଷ, ଶିଶୁ, ବୃଦ୍ଧ, ଯୁବକ, ଯୁବତୀ ସମସ୍ତଙ୍କୁ ଧ୍ୱଂସ କରିଦିଅ; ଜଣକୁ ସୁଦ୍ଧା ରକ୍ଷା କର ନାହିଁ । ଆଜି ଟାଇମନ୍‌ଙ୍କ ଚକ୍ଷୁରେ ମନୁଷ୍ୟ ମାତ୍ରେ ତାଙ୍କର ଶତ୍ରୁ । ତାର ବିନାଶରେ ଜଗତର ମଙ୍ଗଳ ।

 

ଏହାପରେ ସେ ଉଲଗ୍ନ ଅବସ୍ଥାରେ ବନକୁ ପଳାଇଲେ ଓ ସେଠାରେ ଗୋଟିଏ ଗୁହା ମଧ୍ୟରେ ବନ୍ୟ ପଶୁପରି ବାସ କରିବାକୁ ଲାଗିଲେ । ଗଛର ଫଳମୂଳ ହିଁ ତାଙ୍କର ଖାଦ୍ୟ ହେଲା, ନଦୀ ଝରଣାର ଜଳ ତାଙ୍କର ତୃଷ୍ଣା ନିବାରଣ କଲା । ମନୁଷ୍ୟର ଛାଇ ସୁଦ୍ଧା ଯେପରି ତାଙ୍କ ଆଖିରେ ନପଡ଼େ, ସେଥିପାଇଁ ସେ ବନର ବାହାରକୁ ଆସିଲେ ନାହିଁ ।

 

ଏଥେନ୍‌ସର ପ୍ରାସାଦବାସୀ, ଧନଶାଳୀ, ବୀର, ଉଦାରହୃଦୟ ଓ ବିଳାସପ୍ରିୟ ଟାଇମନ୍‌ କାହିଁ ? ଆଉ ଆଜିର ଗହ୍ୱରବାସୀ, ଉଲଗ୍ନ, ମାନବବିଦ୍ୱେଷୀ, ଫଳମୂଳାହାରୀ ଟାଇମନ୍‌ କାହିଁ ? କି ବିରାଟ ପରିବର୍ତ୍ତନ ! ଏବେ ତାଙ୍କର ଭୃତ୍ୟବର୍ଗ କାହାନ୍ତି; ଭୋଜିସଭାର ବନ୍ଧୁଗଣ କାହାନ୍ତି ?

 

ଦିନେ ଟାଇମନ୍‌ ଖାଇବା ପାଇଁ ଗୋଟିଏ ଗଛର ମୂଳ ଖୋଳୁଅଛନ୍ତି, ଏହି ସମୟରେ ତାଙ୍କର ଶାବଳ ଗୋଟାଏ କିଛି କଠିନ ପଦାର୍ଥରେ ବାଜିଲା । ସେ ଆଉ ଟିକିଏ ଖୋଳି ଦେଖିଲେ ଯେ ସେଠାରେ ଗୋଟିଏ ଧାତୁପାତ୍ରରେ ବହୁପରିମାଣରେ ସୁନା ରହିଅଛି । ହୁଏତ କୌଣସି କୃପଣ ଲୋକ ହଠାତ୍‌ କୌଣସି କାରଣରୁ ଏହାକୁ ଏଠାରେ ଲୁଚାଇ ରଖିଥିଲା; ପରେ ସୁବିଧା ଦେଖି ଖୋଳି ନେଇଥାନ୍ତା; କିନ୍ତୁ ସେପରି ସୁଯୋଗ ଘଟିବା ଆଗରୁ ହୁଏତ ତାର ମୃତ୍ୟୁ ହୋଇଥିଲା । ତାର କୌଣସି ବିଶ୍ୱସ୍ତ ଲୋକକୁ ସେ ଏହା ମଧ୍ୟ କହି ଯାଇନଥିବ । ଫଳରେ କେତେକାଳ ଧରି ଏହା ଭୂଗର୍ଭରେ ଲୁଚି ରହିଥିଲା; ସତେ ଯେପରିକି ଏହା କେବେହେଲେ ଭୂମିରୁ ମନୁଷ୍ୟହସ୍ତକୁ ଆସି ନଥିଲା । ଭୂଗର୍ଭରେ ଏହା ପୋତିହୋଇ ରହିଥିବା ହେତୁ ମନୁଷ୍ୟଜାତିର ଏହାଦ୍ୱାରା କିଛି କ୍ଷତି ବା ଲାଭ ହୋଇନଥିଲା । ଏବେ ଦୈବାତ୍‌ ତାହା ଟାଇମନ୍‌ଙ୍କ ଆଖିରେ ପଡ଼ିଲା ।

 

ଏହି ବିପୁଳ ପରିମାଣ ସୁନାର ମୂଲ୍ୟରେ ଟାଇମନ୍‌ ଇଚ୍ଛା କରିଥିଲେ, ପୁଣି ଶତ ଶତ ବନ୍ଧୁ କିଣି ପାରିଥାଆନ୍ତେ; ପୁଣି ଶତ ଶତ ଚାଟୁକାର ତାଙ୍କ ପାଖରେ ପହଞ୍ଚିଥାଆନ୍ତେ । କିନ୍ତୁ ଟାଇମନ୍‌ ସଂସାରର ଯଥେଷ୍ଟ ଅଭିଜ୍ଞତା ଅର୍ଜ୍ଜନ କରିସାରିଥିଲେ । ମନୁଷ୍ୟମାତ୍ରେ ଯେ ସ୍ୱାର୍ଥରେ ଚାଳିତ ହୋଇ କାର୍ଯ୍ୟ କରନ୍ତି, ତାହା ସେ ମର୍ମେ ମର୍ମେ ଅନୁଭବ କରିଥିଲେ । ମାନବଜାତି ଓ ସମାଜ ଏବେ ତାଙ୍କର ଶତ୍ରୁ । ସେ ପ୍ରଥମେ ଭାବିଥିଲେ ଯେ ସୁନାତକ ପୁଣି ମାଟିରେ ପୋତିଦେବେ । ମାତ୍ର ପର ମୁହୂର୍ତ୍ତରେ ସେ ଚିନ୍ତା କଲେ-ଏ ସୁନା ହେଉଛି ସାକ୍ଷାତ୍‌ ବିଷ । ଏହି ସୁନାପାଇଁ ଜଗତରେ ସବୁ ପାପ ଓ ଅତ୍ୟାଚାର ଘଟୁଅଛି । ସଂସାରରେ ଯେତେ ଚୋରି, ଡକାୟତି, ଅନ୍ୟାୟ, ନରହତ୍ୟା ପ୍ରଭୃତି ହେଉଅଛି ସେସବୁର ମୂଳରେ ଏହି ସୁନା ଛଡ଼ା ଆଉ କିଛି ନାହିଁ ।

 

ଭଗବାନ ଏବେ ଏତେ ସୁନା ମୋ ପାଖରେ ପହଞ୍ଚାଇଅଛନ୍ତି । ଏହାରି ସାହାଯ୍ୟରେ ମୁଁ ଯଦି ମୋର ଶତ୍ରୁ ମାନବସମାଜକୁ ଧ୍ୱଂସ କରିପାରେ, ତେବେ ଏହାର ସଦ୍‌ବ୍ୟବହାର ହେଲା ବୋଲି ଜାଣିବି ।

 

ଦୈବାତ୍‌ ଠିକ୍‌ ଏହି ସମୟରେ ଟାଇମନ୍‌ ଦେଖିବାକୁ ପାଇଲେ ଯେ ଏକ ପ୍ରକାଣ୍ଡ ସୈନ୍ୟଦଳ ତାଙ୍କ ଗୁହା ପାଖଦେଇ ଯାଉଛନ୍ତି । ଏହି ସୈନ୍ୟଦଳକୁ ଚାଳନା କରୁଥିଲେ ଆଲ୍‌ସିବିଏଡ଼ସ୍‌ । ଏକସମୟରେ ଆଲ୍‌ସିବିଏଡ଼ସ୍‌ ଏଥେନ୍‌ସର ସୈନ୍ୟବିଭାଗରେ ଉଚ୍ଚ ପଦରେ ପ୍ରତିଷ୍ଠିତ ଥିଲେ ଓ କେତେକ ଯୁଦ୍ଧରେ ଏଥେନ୍‌ସ ପାଇଁ ବିଜୟ ଗୌରବ ଆଣିଥିଲେ । ଟାଇମନ୍‌ଙ୍କ ସହିତ ତାଙ୍କର କଥାବାର୍ତ୍ତା ହେଲା । ଆଲ୍‌ସିବିଏଡ଼ସ୍‌ ଏଥେନ୍‌ସର ଏତେ ଉପକାର କରିଥିଲେହେଁ ଲୋକେ ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଦୂରେ ଥାଉ, ତାଙ୍କ ଉପରେ ନାନାପ୍ରକାର ଦୋଷାରୋପ କରିଥିଲେ । ତେଣୁ ସେ କ୍ରୋଧପରବଶ ହୋଇ କୃତଘ୍ନ ଏଥେନ୍‌ସବାସୀଙ୍କ ଉପରେ ପ୍ରତିଶୋଧ ନେବାପାଇଁ ସୈନ୍ୟଦଳ ସହ ଯାତ୍ରା କରୁଥିଲେ । ଦିନେ ଯେଉଁ ଏଥେନ୍‌ସର ରକ୍ଷାପାଇଁ ସେ ନିଜ ଜୀବନକୁ ତୁଚ୍ଛ ମନେକରି ଶତ୍ରୁ ବିରୁଦ୍ଧରେ ସୈନ୍ୟଚାଳନା କରୁଥିଲେ, ଆଜି ସେହି ଏଥନ୍‌ସର ଧ୍ୱଂସ ପାଇଁ ସେ ଅଗ୍ରସର ହେଉଅଛନ୍ତି ।

 

ଟାଇମନ୍‌ ଦେଖିଲେ, ସେ ଯାହା ଚାହାନ୍ତି ଆଲ୍‌ସିବିଏଡ଼ସ୍‌ ଠିକ୍‌ ତାହାହିଁ କରିବାକୁ ଯାଉଅଛନ୍ତି । ତେଣୁ ସେ ସେହି ସୁନାତକ ସେନାପତିଙ୍କୁ ଅର୍ପଣ କରି କହିଲେ, ‘‘ଏ ସୁନା ନେଇ ତୁମର ସୈନ୍ୟମାନଙ୍କୁ ଭଲରୂପେ ବେତନ ଦିଅ; ସେମାନଙ୍କର ସବୁ ଅଭାବ ଦୂର କରିଦିଅ । ଏହା ପରିବର୍ତ୍ତରେ ମୁଁ ତୁମଠାରୁ ଏତିକିମାତ୍ର ଚାହେଁ ଯେ ସେମାନେ ଯେପରି ସମଗ୍ର ଏଥେନ୍‌ସ ନଗରୀକୁ ଜାଳିପୋଡ଼ି ଛାରଖାର କରିଦିଅନ୍ତି, ତାହାର ବିରାଟ ପ୍ରାସାଦଗୁଡ଼ିକୁ ଧୂଳିରେ ମିଶାଇ ଦିଅନ୍ତି । ସୈନିକମାନଙ୍କୁ ଆଦେଶ ଦେବ, ଯେପରିକି ଜଣେହେଲେ ଏଥେନ୍‌ସବାସୀ ପ୍ରାଣଘେନି ପଳାଇ ନଯାଏ । କି ଶିଶୁ କି ବୃଦ୍ଧ, କି ଯୁବକ କି ଯୁବତୀ, କି ଧନୀ କି ଦରିଦ୍ର କାହାରିକୁ ପ୍ରାଣରେ ରଖିବେ ନାହିଁ । ବୃଦ୍ଧମାନଙ୍କର ପକ୍ୱ ଶ୍ମଶ୍ରୁ ଦେଖି ଦୟା କରିବା ଅନୁଚିତ । ସେମାନେ ହେଉଛନ୍ତି ରକ୍ତଶୋଷକ । ଶିଶୁର ହସ ହସ ମୁହଁ ଦେଖି ଭୁଲିଯିବା ଠିକ୍‌ ହେବ ନାହିଁ । ସେମାନେ ବଞ୍ଚିରହି ବଡ଼ ହେଲେ କୃତଘ୍ନ ଓ ସ୍ୱାର୍ଥପର ଜୀବରେ ପରିଣତ ହେବେ ଓ କେତେ ବିଶ୍ୱାସଘାତକତା କରିବେ-। ତେଣୁ ସେମାନଙ୍କ ପ୍ରତି ଲବମାତ୍ର ଦୟା ନ ଦେଖାଇ ସେମାନଙ୍କର ବିନାଶସାଧନା କରିବାକୁ ହେବ । ସମଗ୍ର ଏଥେନ୍‌ସ ଧ୍ୱଂସସ୍ତୁପରେ ପରିଣତ ହେଉ; ସେଠାରେ ଯେପରି ମନୁଷ୍ୟର ସତ୍ତା ନ ରହେ । ଶେଷରେ ମୋର ପ୍ରାର୍ଥନା, ଏହାପରେ ଯେପରି ଭଗବାନ୍‌ ତୁମକୁ ମଧ୍ୟ ଧ୍ୱସଂ କରିଦିଅନ୍ତୁ-।’’

 

ସତେ ଅବା ପ୍ରତିହିଂସାର ବହ୍ନିରେ ଟାଇମନ୍‌ କେବଳ ଏଥେନ୍‌ସ ନୁହଁ, ସମଗ୍ର ମାନବସମାଜକୁ ଓ ସମଗ୍ର ପୃଥିବୀକୁ ଜାଳିପୋଡ଼ି ଭସ୍ମରେ ପରିଣତ କରିଦେବେ ।

 

ଏହିପରି ଗୁହାରେ ରହି ପଶୁତୁଲ୍ୟ ଜୀବନ ଯାପନ କରୁଥିଲା ବେଳେ ଦିନେ ଟାଇମନ୍‌ ଦେଖିଲେ ଯେ ଜଣେ ଲୋକ ତାଙ୍କ ଗୁହାର ଦ୍ୱାର ପାଖରେ ଛିଡ଼ା ହୋଇଅଛି । ଏହି ଲୋକଟି ହେଉଛି ଟାଇମନ୍‌ଙ୍କର ଭୂତପୂର୍ବ ବିଶ୍ୱସ୍ତ ମେନେଜର ଫ୍ଳେବିଅସ୍‌ । ସେ ନିଜ ପ୍ରଭୁଙ୍କର ଅନୁସନ୍ଧାନ କରିକରି ସେଠାରେ ଉପସ୍ଥିତ ହୋଇଥିଲେ । ଟାଇମନ୍‌ ଏକବାରେ ଉଲଗ୍ନ, ଗୁହାରେ ରହୁଛନ୍ତି ଓ ଗଛର ଫଳମୂଳ ଖାଉଛନ୍ତି । ଏହା ଦେଖିଲାକ୍ଷଣି ସେ ଏପରି ବିସ୍ମିତ ହୋଇଗଲେ ଯେ ତାଙ୍କର ତୁଣ୍ଡରୁ କଥା ବାହାରିଲା ନାହିଁ ଓ ଆଖିରୁ ଧାର ଧାର ହୋଇ ଲୁହ ବହିଗଲା । ତାଙ୍କୁ ଚିହ୍ନିବାକୁ ଟାଇମନ୍‌ଙ୍କୁ ଅନେକ ସମୟ ଲାଗିଲା । ଶେଷରେ ସେ ଟାଇମନ୍‌ଙ୍କୁ ଅନୁରୋଧ କରି କହିଲେ ଯେ, ତାଙ୍କର ସେବା କରିବାକୁ ସେ ଆସିଛନ୍ତି ଓ ନିଜ ପ୍ରଭୁଙ୍କୁ ବନବାସରେ ସେବା କରିବା ଛଡ଼ା ତାଙ୍କର ଅନ୍ୟ କୌଣସି କାମନା ନାହିଁ । କିନ୍ତୁ ଟାଇମନ୍‌ ଏକଥା ବିଶ୍ୱାସ କରିପାରିଲେ ନାହିଁ । ଯେତେହେଲେ ଫ୍ଳେବିଅସ୍‌ ହେଉଛି ମନୁଷ୍ୟ ଓ ତାର ମନୁଷ୍ୟ ପରି ହାତ ଗୋଡ଼ ମୁଣ୍ଡ ଆଖି କାନ ଅଛି । ତେଣୁ ତାହାକୁ ବିଶ୍ୱାସ କରିବାକୁ ଟାଇମନ୍‌ ପ୍ରସ୍ତୁତ ନୁହନ୍ତି । ହୁଏତ ସେ ମଧ୍ୟ ଜଣେ ବିଶ୍ୱାସଘାତକ, ସ୍ୱାର୍ଥପର, ମିଥ୍ୟାବାଦୀ ଓ ବିଶ୍ୱାସ ଜନ୍ମାଇବାପାଇଁ ମିଛରେ ଆଖିରୁ ଲୁହ ଗଡ଼ାଉଛି ।

 

ନାନାପ୍ରକାରେ ଟାଇମନ୍‌ ଜାଣିପାରିଲେ ଯେ ଫ୍ଳେବିଅସ୍‌ଙ୍କର ଉଦ୍ଦେଶ୍ୟ ମନ୍ଦ ନୁହେଁ ଓ କେବଳ ପ୍ରଭୁଭକ୍ତି ତାଙ୍କୁ ବନମଧ୍ୟକୁ ଟାଣିଆଣିଛି । ଯାହାହେଉ, ଏ ପାପପୂର୍ଣ୍ଣ ସଂସାରରେ ଜଣେମାତ୍ର ସାଧୁ ନିଃସ୍ୱାର୍ଥପର ଲୋକଅଛି ଓ ସେ ହେଉଛି ଫ୍ଳେବିଅସ୍‌-ଏହା ଟାଇମନ୍‌ ସ୍ୱୀକାର କଲେ । ତଥାପି ସେ ଫ୍ଳେବିଅସ୍‌କୁ ପାଖରେ ରଖିଲେ ନାହିଁ । ଆଖିରେ ମନୁଷ୍ୟର ମୁହଁକୁ ଚାହିଁବାକୁ କିମ୍ୱା କାନରେ ମନୁଷ୍ୟର କଣ୍ଠସ୍ୱର ଶୁଣିବାକୁ ତାଙ୍କର ଘୃଣା ଜନ୍ମିଥିଲା । ତେଣୁ ସେ ଫ୍ଳେବିଅସ୍‌ଙ୍କୁ ପାଖରେ ରଖିବାକୁ ମନାକରି ଫେରାଇଦେଲେ ।

 

ଏହି ଘଟନାର କିଛିଦିନ ପରେ ଟାଇମନ୍‌ଙ୍କ ନିର୍ଜନ ଗୁହାରେ ଅନ୍ୟ କେତେଜଣ ଲୋକଙ୍କର ଆବିର୍ଭାବ ଘଟିଲା ।

 

ଏଥେନ୍‌ସର ଧନୀ ଓ ସମ୍ଭ୍ରାନ୍ତ ଜମିଦାରଶ୍ରେଣୀର ଲୋକେ ଟାଇମନ୍‌ଙ୍କ ପ୍ରତି ଯେଉଁ ଘୋର ଅବିଚାର କରିଥିଲେ, ତାହା ବୁଝିପାରି ଅନୁତାପ କରିବାକୁ ଲାଗିଲେ । ଆଲସିବିଏଡ଼ସ୍‌ ମତ୍ତହସ୍ତୀପରି ଏଥେନ୍‌ସ ନଗରୀର ସମସ୍ତ ଅଂଶରେ ବିଚରଣ କରି ଧ୍ୱଂସର ତାଣ୍ଡବ ଲୀଳା ଲଗାଇଦେଲେ । ତାଙ୍କର ସୈନ୍ୟମାନଙ୍କ ଅତ୍ୟାଚାରରେ ନଗରର ଲୋକେ ତ୍ରାହି ତ୍ରାହି ଡାକିଲେ । ଏବେ ନଗରବାସୀମାନେ ଟାଇମନଙ୍କର ବୀରତ୍ୱ, ତାଙ୍କର ଦେଶପ୍ରୀତି ସ୍ମରଣ କଲେ । ଦିନେ ଏହି ଟାଇମନ୍‌ ଏଥେନ୍‌ସ ସୈନ୍ୟବାହିନୀର ନାୟକ ଥିଲେ । କେତେ ଥର ସେ ନିଜ ଜୀବନକୁ ବିପନ୍ନ କରି ଶତ୍ରୁମାନଙ୍କୁ ଏଥେନ୍‌ସରୁ ବିତାଡ଼ିତ କରିଥିଲେ । ବର୍ତ୍ତମାନର ପରିସ୍ଥିତିରେ ତାଙ୍କ ସାହାଯ୍ୟ ବିନା ଏଥେନ୍‌ସର ରକ୍ଷା ନାହିଁ । ଏହିପରି ବିଚାର କରି କେତେ ଜଣ ମୁଖ୍ୟ ନଗରବାସୀ ବନ ମଧ୍ୟରେ ଟାଇମନ୍‌ଙ୍କ ଗୁହା ନିକଟରେ ଉପସ୍ଥିତ ହେଲେ । ଟାଇମନ୍‌ଙ୍କ ବିପଦ ସମୟରେ ଯେଉଁମାନେ ତାଙ୍କୁ ଲବମାତ୍ର ଅନୁଗ୍ରହ ଦେଖାଇ ନଥିଲେ, ଏବେ ସେହିମାନେ ନିଜର ବିପଦବେଳେ ତାଙ୍କର ଅନୁଗ୍ରହ ପାଇବାପାଇଁ ଉପସ୍ଥିତ ।

 

ସେମାନେ ଗଭୀର ଅନୁତାପ ପ୍ରକାଶ କରି ଟାଇମନ୍‌ଙ୍କୁ ପ୍ରାର୍ଥନା କଲେ-‘‘ମହାଭାଗ, ବର୍ତ୍ତମାନ ଏଥେନ୍‌ସ ବିପନ୍ନ । ଜନ୍ମଭୂମିକୁ ରକ୍ଷା କରିବାପାଇଁ କେବଳ ଆପଣ ହିଁ ସମର୍ଥ ହେବେ । ଆପଣଙ୍କ ପ୍ରତି ଯେଉଁ ଅନ୍ୟାୟ କରାଯାଇଅଛି, ତାର ବିହିତ ପ୍ରତିକାର କରାଯିବ । ଏଥେନ୍‌ସର ସମସ୍ତ ଧନସମ୍ପତ୍ତି ଓ ଏହାର ସମସ୍ତ ଅଧିବାସୀ ଏବେ ଆପଣଙ୍କ ଅଧୀନରେ ରହିବେ । ଆପଣ ନିଜ ଇଚ୍ଛା ଅନୁସାରେ ଏସବୁ ବ୍ୟବହାର କରିପାରିବେ । ନଗରର ଉଚ୍ଚତମ ସମ୍ମାନ ଆପଣଙ୍କୁ ଅର୍ପଣ କରିବାକୁ ଆମ୍ଭେମାନେ ପ୍ରସ୍ତୁତ । ଆପଣ ନଗରକୁ ଫେରିଆସି ଆମ୍ଭମାନଙ୍କୁ ରକ୍ଷା କରନ୍ତୁ ।

 

କିନ୍ତୁ ଯେଉଁ ଟାଇମନ୍‌ ଦୟା-ଦାକ୍ଷିଣ୍ୟର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ, ଯିଏ ବୀରତ୍ୱରେ ସମସ୍ତଙ୍କୁ ଚମତ୍କୃତ କରିଦେଉଥିଲେ ଓ ଶତ୍ରୁ ହସ୍ତରୁ ଦେଶକୁ ରକ୍ଷା କରୁଥିଲେ, ସେ ଟାଇମନ୍‌ କାହାନ୍ତି ? ଆଜିର ଏ ଟାଇମନ୍‌ ଉଲଗ୍ନ, ମାନବଜାତିର ବିଦ୍ୱେଷୀ ଓ ପଶୁମାନଙ୍କ ମଧ୍ୟରେ ଗୋଟିଏ ପଶୁସଦୃଶ । ଆଲସିବିଏଡସ୍‌ ତାଙ୍କ ଦେଶବାସୀଙ୍କୁ ହତ୍ୟା କଲେ, ସେଥିରେ ଏ ଟାଇମନ୍‌ ଚିନ୍ତିତ ହେବେ କାହିଁକି ? ଆଲସିବିଏଡ଼ସ୍‌ ଏଥେନ୍‌ସ ନଗର ଲୁଣ୍ଠନ କଲେ କି ନଗରବାସୀଙ୍କୁ ହତ୍ୟା କଲେ ସେଥିରେ ଟାଇମନ୍‌ଙ୍କର ଲାଭ ବା କ୍ଷତି କଅଣ ? ବରଂ ଏଥିରେ ସେ ଆନନ୍ଦିତ ହେବେ । ତାଙ୍କ ଆଖିରେ ଶତ୍ରୁସୈନ୍ୟଙ୍କ ଖଣ୍ଡାର ମୂଲ୍ୟ ନିକଟରେ ଏଥେନ୍‌ସବାସୀଙ୍କ ଗଳାର ମୂଲ୍ୟ କମ୍‌ ।

 

ଟାଇମନ୍‌ ତାଙ୍କର ଏହି ମନୋଭାବ ସ୍ପଷ୍ଟଭାଷାରେ ଜଣାଇଦେଲେ । ନଗରର ପ୍ରତିନିଧିଗଣ ଯେତେ ନ୍ୟୂନ ହୋଇ ତାଙ୍କ ପାଦତଳେ ପଡ଼ି ପ୍ରାର୍ଥନା କଲେ ସୁଦ୍ଧା ସେ ଟିକିଏ ହେଲେ ମତ ପରିବର୍ତ୍ତନ କଲେ ନାହିଁ । ଶେଷରେ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଲା-। ବିଦାୟବେଳେ ଟାଇମନ୍ କହିଲେ-‘‘ମୋ କଥା ମୋର ଦେଶବାସୀଙ୍କୁ ଜଣାଇଦେବ । ଆଲସିବିଏଡ଼ସ୍ ଯେଉଁ ଅତ୍ୟାଚାର ଓ ଧ୍ୱଂସଲୀଳା ଲଗାଇଅଛି; ସେଥିରୁ ରକ୍ଷା ପାଇବାପାଇଁ ଏବେ ସୁଦ୍ଧା ଗୋଟିଏ ଉପାୟ ଅଛି । ଏବେ ମଧ୍ୟ ମୋର ଦେଶବାସୀଙ୍କ ପାଇଁ ସ୍ନେହ ଅଛି । ମୋର ମୁତ୍ୟୁ ପୂର୍ବରୁ ସେ ଉପାୟଟି ଦେଶବାସୀଙ୍କୁ ଜଣାଇଦେବା ମୋର କର୍ତ୍ତବ୍ୟ ବୋଲି ମନେହୁଏ ।’’

 

ଏହା ଶୁଣିଲା ମାତ୍ରେ ପ୍ରତିନିଧିମାନଙ୍କର ହତାଶ ହୃଦୟରେ ପୁଣି ଟିକିଏ ଆଶାର ସଞ୍ଚାର ହେଲା । ଟାଇମନ୍‌ଙ୍କର ପୂର୍ବ ଦେଶପ୍ରୀତି ପୁଣି ଜାଗିଉଠିଛି ବୋଲି ସେମାନେ ଆନନ୍ଦିତ ହେଲେ । ଏହି ଉପାୟଟି କହିବା ପାଇଁ ସେମାନେ ଟାଇମନ୍‌ଙ୍କୁ ବିନୀତ ଅନୁରୋଧ ଜଣାଇଲେ ।

 

ଟାଇମନ୍‌ କହିଲେ, ‘‘ଉପାୟଟି ସେପରି କିଛି କଷ୍ଟକର ନୁହେଁ । ମୋର ଏଇ ଗୁହା ପାଖରେ ଗୋଟିଏ ବଡ଼ ଗଛ ଅଛି, ଦେଖି ପାରୁଥିବ । ସଂସାରରେ ଯେତେ ପ୍ରକାରର ଦୁଃଖ ଯନ୍ତ୍ରଣା ଅଛି, ସେସବୁ ଦୂର କରିବାର ଶକ୍ତି ଏହି ଗଛଟିର ଅଛି । ମାତ୍ର ଅଳ୍ପ ଦିନ ଭିତରେ ମୁଁ ସେ ଗଛଟିକୁ ହାଣିଦେବାକୁ ସ୍ଥିର କରିଛି । ମୋର ଧନୀ ଦରିଦ୍ର ସବୁ ବନ୍ଧଙ୍କୁ କହିଦେବ ଯେ ସେମାନେ ଦୁଃଖ ଦୂର କରିବାକୁ ଇଚ୍ଛା କରୁଥିଲେ ମୋର ଏହି ଗଛର ଆଶ୍ରୟ ନେଇ ପାରିବେ । ଗଛଟି କଟା ହେବା ଆଗରୁ ଶୀଘ୍ର ଆସିବା ଦରକାର । ହଁ, ଆଉ ଗୋଟିଏ କଥା, ସେମାନେ ଆସିଲାବେଳେ ଖଣ୍ଡିଏ ଲେଖାଏଁ ଦଉଡ଼ି ଆଣି ଆସିଥିବେ ।’’

 

ଏବେ ଲୋକମାନେ ଟାଇମନ୍‌ଙ୍କ କଥାରେ ପ୍ରକୃତ ମର୍ମ ବୁଝି ପାରିଲେ । ଗଛରେ ଦଉଡ଼ିଦେଇ ମଲେ ସେମାନଙ୍କର ଦୁଃଖ ଦୂର ହେବ ବୋଲି କହିବା ତାଙ୍କର ଉଦ୍ଦେଶ୍ୟ ଥିଲା ।

 

ଏହାହିଁ ଥିଲା ଟାଇମନ୍‌ଙ୍କର ମାନବଜାତି ପାଇଁ ଶେଷ ଉପଦେଶ । ଏହା ପରେ କୌଣସି ଦେଶବାସୀ ତାଙ୍କୁ ଆଉ ଦେଖିବାକୁ ପାଇନଥିଲେ ।

 

ଏହାର କିଛିଦିନ ପରେ ଜଣେ ସୈନିକ ସେହି ବନର ନିକଟବର୍ତ୍ତୀ ସମୁଦ୍ରକୂଳରେ ବୁଲୁ ବୁଲୁ ଗୋଟାଏ ସମାଧି ଦେଖିବାକୁ ପାଇଲା । ସେଥିରେ ଟାଇମନ୍‌ଙ୍କ ପରିଚୟ ଦେଇ ଲେଖା ହୋଇଥିଲା-‘ଯିଏ ଜୀପଦ୍ଦଶାରେ ପ୍ରତ୍ୟେକ ଲୋକକୁ କେବଳ ଘୃଣା କରି ଆସିଥିଲେ ଓ ମୃତ୍ୟୁ ସମୟରେ ସମସ୍ତଙ୍କର ଧ୍ୱଂସକାମନା କରିଥିଲେ, ସେହି ଟାଇମନ୍‌ ଏଠାରେ ଚିରନିଦ୍ରାରେ ଶୋଇଅଛନ୍ତି ।’

 

ଟାଇମନ୍ ଆତ୍ମହତ୍ୟା କରିଥିଲେ କି ଆପଣା ଜୀବନ ପ୍ରତି ଅନସ୍ଥା ଓ ମାନବସମାଜ ପ୍ରତି ଘୃଣାରେ ତାଙ୍କର ମୃତ୍ୟୁ ଘଟିଥିଲା, ତାହା ଜାଣିବାର ଉପାୟ ନାହିଁ । କିନ୍ତୁ ତାଙ୍କ ସମାଧି ଉପରେ ଯାହା ଲେଖାଥିଲା, ତାହା ଯେ ଠିକ୍, ଏଥିରେ ସନ୍ଦେହ ନାହିଁ । ଜୀଇଥିବାଯାଏ, ଏପରିକି ମରଣକାଳରେ ମଧ୍ୟ ସେ ମାନବଜାତି ପ୍ରତି ଘୃଣା ପ୍ରକାଶ କରିଥିଲେ । ଏପରିକି ସେ ଯେଉଁଠାରେ ସମାଧି ନେଇଥିଲେ ସେ ସ୍ଥାନଟି ସ୍ଥିର କରିବାରେ ତାଙ୍କର ସେହି ଘୃଣାଭାବର ପରିଚୟ ମିଳେ । ସ୍ୱାର୍ଥାନ୍ଧ ମନୁଷ୍ୟ ପ୍ରିୟଜନର ସମାଧି ଉପରେ ଯେଉଁ ଲୋତକ ଢାଳେ, ଯେଉଁ ବିଳାପ କରେ, ସେ ସବୁ ଛଳନାପୂର୍ଣ୍ଣ । ସମୁଦ୍ର ତରଙ୍ଗ ତାଙ୍କର ସମାଧି ନିକଟରେ ଯେଉଁ ଶବ୍ଦ କରୁଛି ଓ ଶୀତଳ ଜଳକଣା ବର୍ଷୁଛି, ସେଥିରେ କିନ୍ତୁ ଛଳନା ବା ପ୍ରତାରଣା ନାହିଁ ।

Image

 

Unknown

ପେରିକ୍ଳସ

 

ଗ୍ରୀସ୍‌ର ସମ୍ରାଟ୍‌ ଆଣ୍ଟିଓକସ୍‌ ବଡ଼ ଅତ୍ୟାଚାରୀ ଥିଲେ । ଥରେ ସେ ଗୋଟାଏ ଭୀଷଣ ଅନ୍ୟାୟ କରିଥିଲେ । ସମ୍ରାଟ୍‌ଙ୍କର ଏହି ଗୋପନ ଦୁଷ୍କାର୍ଯ୍ୟ ଟାୟାର୍‌ର ରାଜା ପେରିକ୍ଳସ ଜାଣିପାରିଥିଲେ । ଟାୟାର ଆଣ୍ଟିଓକସ୍‌ଙ୍କର ଗୋଟିଏ ଅଧୀନ ରାଜ୍ୟ । କାଳେ ପେରିକ୍ଳସ ତାଙ୍କର ଏହି ଦୁଷ୍କର୍ମ ପଦାରେ ପକାଇଦେବେ, ଏହି ଆଶଙ୍କାରେ ଆଣ୍ଟିଓକସ୍‌ ପେରିକ୍ଳସଙ୍କ ଉପରେ ପ୍ରତିଶୋଧ ନେବାକୁ ଉଦ୍ୟତ ହେଲେ । ବଡଲୋକଙ୍କର ଅନ୍ୟାୟର ପ୍ରତିବାଦ କରିବ କିଏ ? ଟାୟାର୍‌ର ନିରୀହ ପ୍ରଜାମାନେ ମଧ୍ୟ ଆଣ୍ଟିଓକସ୍‌ଙ୍କର ବିଷଦୃଷ୍ଟିରେ ପଡ଼ିଲେ । ଏହି ବିପଦରୁ ଉଦ୍ଧାର ପାଇବାର ଉପାୟ ଦେଖି ନପାରି ପେରିକ୍ଳସ ସ୍ୱେଚ୍ଛାରେ ରାଜଗାଦି ତଥା ରାଜ୍ୟ ଛାଡ଼ି ଚାଲିଯିବାକୁ ସ୍ଥିର କଲେ । ହେଲିନେକସ ନାମରେ ତାଙ୍କର ଜଣେ ବିଶ୍ୱସ୍ତ ଓ ନ୍ୟାୟପର ମନ୍ତ୍ରୀ ଥିଲେ । ତାଙ୍କରି ହାତରେ ରାଜ୍ୟର ଶାସନଭାର ନ୍ୟସ୍ତ ହେଲା । ଆଣ୍ଟିଓକ୍‌ସଙ୍କର କ୍ରୋଧର ଉପଶମ ହେଲେ ପେରିକ୍ଳସ ସ୍ୱଦେଶକୁ ଫେରିଆସି ପୁଣି ଶାସନଭାର ନେବେ ବୋଲି ସ୍ଥିର ହେଲା ।

 

ପେରିକ୍ଳସ ଜାହାଜରେ ବସି ଟାର୍ସସ ଅଭିମୁଖରେ ଯାତ୍ରା କଲେ । ସେ ଶୁଣିପାରିଲେ ଯେ ଟାର୍ସସ ସହରରେ ଭୀଷଣ ଦୁର୍ଭିକ୍ଷ ପଡ଼ିଛି । ତେଣୁ ଲୋକଙ୍କୁ ସାହାଯ୍ୟ କରିବାପାଇଁ ସେ ଯଥେଷ୍ଟ ପରିମାଣରେ ଖାଦ୍ୟଦ୍ରବ୍ୟ ସଙ୍ଗରେ ନେଇଥିଲେ । ଟାର୍ସସରେ ପହଞ୍ଚି ପେରିକ୍ଳସ ଦେଖିଲେ ବାସ୍ତବରେ ଲୋକଙ୍କର ଅବସ୍ଥା ନିତାନ୍ତ ଶୋଚନୀୟ । ସେ ନେଇଥିବା ଖାଦ୍ୟଦ୍ରବ୍ୟ ଲୋକମାନଙ୍କ ମଧ୍ୟରେ ବିତରଣ କରାଗଲା । ଟାର୍ସସର ଶାସନକର୍ତ୍ତା କ୍ଳିଅନ ପେରିକ୍ଳସଙ୍କ ନିକଟରେ ଏହି ଅଯାଚିତ ସାହାଯ୍ୟପାଇଁ କୃତଜ୍ଞତା ପ୍ରକାଶ କଲେ । ନଗରବାସୀମାନେ ମନେକଲେ, ସ୍ୱୟଂ ଭଗବାନ ସେମାନଙ୍କ ସାହାଯ୍ୟ ଲାଗି ପେରିକ୍ଳସଙ୍କୁ ସ୍ୱର୍ଗର ଦୂତରୂପେ ପଠାଇଅଛନ୍ତି । ପେରିକ୍ଳସ ସେଠାରେ ଅଳ୍ପଦିନ ରହିଲା ପରେ ତାଙ୍କର ବିଶ୍ୱସ୍ତ ମନ୍ତ୍ରୀଙ୍କଠାରୁ ଏକ ପତ୍ର ପାଇଲେ । ସେଥିରେ ସେ ଜଣାଇଥିଲେ ତାଙ୍କର ଟାର୍ସସରେ ରହିବା ସମ୍ୱାଦ ଆଣ୍ଟିଓକ୍‌ସ ଜାଣିପାରି ତାଙ୍କର ପ୍ରାଣନାଶ ନିମନ୍ତେ କେତେ ଜଣ ଗୁପ୍ତଚର ନିଯୁକ୍ତ କରିଅଛନ୍ତି; ତେଣୁ ଟାର୍ସସରେ ରହିବା ତାଙ୍କ ପକ୍ଷରେ ନିରାପଦ ନୁହେଁ । ପତ୍ର ପାଇବା ମାତ୍ରେ ପେରିକ୍ଳସ ପୁଣି ସମୁଦ୍ରପଥରେ ଯାତ୍ରା କରିବାକୁ ବାହାରିଲେ । ଟାର୍ସସର ଅଧିବାସୀମାନେ ତାଙ୍କର ଦୀର୍ଘଜୀବନ କାମନା କରି ତାଙ୍କୁ ବିଦାୟ ଦେଲେ ।

 

ସମୁଦ୍ରବକ୍ଷରେ କିଛିଦୂର ଅଗ୍ରସର ହେବାପରେ ପେରିକ୍ଳସଙ୍କର ଜାହାଜ ଏକ ଭୀଷଣ ବାତ୍ୟାର ସମ୍ମୁଖୀନ ହେଲା । ଏହା ଫଳରେ ଜାହାଜରେ ସମସ୍ତ ଲୋକ ମୃତ୍ୟୁମୁଖରେ ପଡ଼ିଲେ । ଏକମାତ୍ର ପେରିକ୍ଳସ୍‍ ସମୁଦ୍ରବକ୍ଷରେ ଭାସି ଭାସି ଗୋଟିଏ ଅଜ୍ଞାତ ରାଜ୍ୟର କୂଳରେ ଲାଗିଲେ । ସେ କୂଳେ କୂଳେ କିଛି ଦୂର ଯିବାପରେ କେତେ ଜଣ ଦରିଦ୍ର କେଉଟଙ୍କୁ ଭେଟିଲେ । ସେମାନେ ପେରିକ୍ଳସଙ୍କୁ ନିଜ ଘରକୁ ନେଇ ତାଙ୍କୁ ନୂତନ ବସ୍ତ୍ର ଦେଲେ ଓ ଯଥାସାଧ୍ୟ ଅତିଥି ସତ୍କାର କଲେ । ପେରିକ୍ଳସ ଏମାନଙ୍କଠାରୁ ଅବଗତ ହେଲେ ଯେ ଏହି ରାଜ୍ୟର ନାମ ପେଣ୍ଟାପଲିସ ଓ ରାଜାଙ୍କ ନାମ ସିମୋନିଡ଼ିସ । ରାଜା ପ୍ରଜାମାନଙ୍କୁ ସୁଖଶାନ୍ତିରେ ପାଳନ କରୁଥିଲେ । ରାଜାଙ୍କର ଗୋଟିଏ ମାତ୍ର ସୁନ୍ଦରୀ ଯୁବତୀ କନ୍ୟା ଥିଲା । ତତ୍ପର ଦିନ କନ୍ୟାଟିର ଜନ୍ମଦିନ । ଏହି ଉତ୍ସବ ଉପଲକ୍ଷରେ ଗୋଟିଏ ପ୍ରତିଯୋଗିତାର ବ୍ୟବସ୍ଥା ହୋଇଥିଲା । ଅନେକ ବୀର ରାଜପୁତ୍ର ଓ ସମ୍ଭ୍ରାନ୍ତ ଯୁବକ ଏଥିରେ ଯୋଗଦେବାକୁ ଆସିଥିଲେ । ଏହି ପ୍ରତିଯୋଗିତାରେ ଯେ ସବୁଠାରୁ ଅଧିକ କୃତିତ୍ୱ ଦେଖାଇ ବିଜୟୀ ହେବ, ତାହାରି ସହିତ ରାଜା ନିଜ କନ୍ୟା ଥଇସାଙ୍କର ବିବାହ ଦେବାକୁ ସ୍ଥିର କରିଥିଲେ । ପେରିକ୍ଳସ ଜଣେ ବୀର ପୁରୁଷ । ପ୍ରତିଯୋଗିତାରେ ଯୋଗ ଦେବାକୁ ତାଙ୍କର ମନ ଅସ୍ଥିର ହେଉଥାଏ । କିନ୍ତୁ ଜାହାଜଡୁବିରେ ତାଙ୍କର ସାଞ୍ଜୁଟି ହଜିଯାଇଥିଲା । ପୁଣି ପ୍ରତିଯୋଗୀ ପକ୍ଷରେ ସାଞ୍ଜୁ ପିନ୍ଧିବା ବିଧି । ଏହି ସାଞ୍ଜୁଟି ସେ ତାଙ୍କ ପିତାଙ୍କଠାରୁ ଉତ୍ତରାଧିକାର ସୂତ୍ରେ ପାଇଥିବାରୁ ତାଙ୍କର ଅତ୍ୟନ୍ତ ପ୍ରିୟ ଥିଲା । ଏହାକୁ ହରାଇଥିବାରୁ ସେ ଆଜି ପ୍ରତିଯୋଗିତାରେ ଯୋଗଦେବାକୁ ବଞ୍ଚିତ ହେଉଅଛନ୍ତି, ଏହା ଭାବି ତାଙ୍କ ମନରେ ଗଭୀର ଦୁଃଖ ଜନ୍ମିଲା । ଦୈବାତ୍ ଠିକ୍ ଏହି ସମୟରେ ଜଣେ କେଉଟ ସମୁଦ୍ରକୂଳରୁ ଗୋଟିଏ ସାଞ୍ଜୁ ପାଇ ପେରିକ୍ଳସଙ୍କୁ ଦେଲା । ସେ ଦେଖିଲେ, ଏଇଟି ତାଙ୍କର । ବୋଧହୁଏ ଭଙ୍ଗା ଜାହାଜରୁ ତାହା ଭାସିଆସି କୂଳରେ ଲାଗିଥିଲା-। ସାଞ୍ଜୁଟି ମିଳିଯିବାରୁ ତାଙ୍କର ମନରେ ଅପୂର୍ବ ଆନନ୍ଦ ଜାତ ହେଲା । ସେ ଭାବିଲେ, ଈଶ୍ୱରଙ୍କ ରାଜ୍ୟରେ ଦୁଃଖ ସଙ୍ଗେ ସୁଖ ମଧ୍ୟ ଅଛି, ଅନ୍ଧାର ପାଖରେ ଟିକିଏ ହେଲେ ଆଲୁଅ ଥାଏ । ସେ ଏହି ଜାହାଜଡୁବିକୁ କେବଳ ଗୋଟାଏ ବିପଦ ବୋଲି ମନେ କରି ପାରିଲେ ନାହିଁ ।

 

ତତ୍ପର ଦିନ ପେରିକ୍ଳସ ସାଞ୍ଜୁ ପିନ୍ଧି ପ୍ରତିଯୋଗିତାରେ ଯୋଗ ଦେବାପାଇଁ ସିମୋନିଡ଼ିସଙ୍କ ପ୍ରାସାଦରେ ଉପସ୍ଥିତ ହେଲେ । ସେଠାରେ ତାଙ୍କର କୃତିତ୍ୱ ଦେଖି ଦର୍ଶକମାନେ ବିସ୍ମିତ ହୋଇଗଲେ । ସେ ପ୍ରତିଯୋଗିତାମାନଙ୍କରେ ଅକ୍ଳେଶରେ ଅନ୍ୟାନ୍ୟ ରାଜପୁତ୍ର ଓ ସମ୍ଭ୍ରାନ୍ତ ଯୁବକଙ୍କୁ ପରାସ୍ତ କରିଦେଲେ । ସେଠାରେ ଗୋଟିଏ ପ୍ରଥା ଥିଲା ଯେ କେହି ଏପ୍ରକାର ପ୍ରତିଯୋଗିତାରେ ଅନ୍ୟ ସମସ୍ତଙ୍କୁ ପରାସ୍ତ କରି ଶ୍ରେଷ୍ଠ ବିଜେତାରୂପେ ପରିଗଣିତ ହେଲେ, ତାଙ୍କୁ ସ୍ୱୟଂ ରାଜକନ୍ୟା ସାଦର ଅଭ୍ୟର୍ଥନା ଜଣାଇ ସମ୍ମାନ ପ୍ରଦର୍ଶନ କରୁଥିଲେ । ପରାଜିତ ପ୍ରତିଯୋଗୀମାନେ ବିଦାୟ ନେଲା ପରେ ରାଜଜେମା ଥଇସା ତାଙ୍କୁ ସମ୍ମାନସହକାରେ ଅଭିବାଦନ କଲେ ଓ ବିଜୟର ଚିହ୍ନସ୍ୱରୂପ ତାଙ୍କ ଗଳାରେ ଗୋଟିଏ ପୁଷ୍ପମାଲ୍ୟ ଲମ୍ୱାଇ ଦେଲେ । ପେରିକ୍ଳସ ଏହି ଅପୂର୍ବ ସୁନ୍ଦରୀ ରାଜକନ୍ୟାଙ୍କୁ ଦେଖିବାମାତ୍ରେ ତାଙ୍କ ପ୍ରତି ଆସକ୍ତ ହୋଇପଡ଼ିଲେ । ରାଜକନ୍ୟା ଥଇସା ମଧ୍ୟ ଏପରି ଜଣେ ରୂପବାନ୍‌ ବୀର ଯୁବକଙ୍କୁ ପତିରୂପେ ପାଇଥିବାରୁ ନିଜକୁ ଧନ୍ୟ ମନେକଲେ ।

 

ପେରିକ୍ଳସ ପେଣ୍ଟାପଲିସ ରାଜ୍ୟରେ ଅଛନ୍ତି, ଏହି ସମ୍ୱାଦ ପାଇଲେ ଆଣ୍ଟିଓକସ ତାଙ୍କର ଅନିଷ୍ଟ କରିପାରନ୍ତି, ଏପରି ଆଶଙ୍କା ଥିବାରୁ ପେରିକ୍ଳସ ନିଜର ପ୍ରକୃତ ପରିଚୟ ନଦେଇ କହିଥିଲେ–ସେ ଟାୟାରର୍‌ ଜଣେ ସାଧାରଣ ଭଦ୍ରବ୍ୟକ୍ତିଙ୍କର ପୁତ୍ର । ରାଜପୁତ୍ର ବୋଲି ଜାଣି ନ ଥିଲେ ମଧ୍ୟ ରାଜା ସିମୋନିଡ଼ିସ ତାଙ୍କର ରୂପ, ବୀରତ୍ୱ ଓ କଳାନୈପୁଣ୍ୟ ଦେଖି ଓ ତାଙ୍କ ପ୍ରତି କନ୍ୟାର ଅନୁରାଗ ବୁଝିପାରି, ତାଙ୍କୁ ଜାମାତାରୂପେ ଗ୍ରହଣ କଲେ । ବିବାହ କର୍ମ ଯଥାବିଧି ଅନୁଷ୍ଠିତ ହୋଇଗଲା ।

 

ବିବାହର କେତେକ ମାସପରେ ପେରିକ୍ଳସଙ୍କ ନିକଟରେ ସମ୍ୱାଦ ପହଞ୍ଚିଲା ଯେ ତାଙ୍କର ଚିରଶତ୍ରୁ ଆଣ୍ଟିଓକସଙ୍କର ମୃତ୍ୟୁ ହୋଇ ଯାଇଅଛି । ତାଙ୍କର ଦୀର୍ଘ ଅନୁପସ୍ଥିତ ହେତୁ ଟାୟାରର ପ୍ରଜାମାନେ ଅଧୀର ହୋଇ ପଡ଼ିଅଛନ୍ତି । ସେମାନଙ୍କ ମଧ୍ୟରେ ବିଦ୍ରୋହର ସୂଚନା ଦେଖାଦେଇଛି । ଅନେକେ ହେଲିନେକସଙ୍କୁ ରାଜସିଂହାସନରେ ବସାଇବା ପକ୍ଷପାତୀ ।

 

ଏହି ସମ୍ୱାଦଟି ନିଜେ ହେଲିନେକସ ପଠାଇଥିଲେ । ସେ ରାଜାଙ୍କର ଏକାନ୍ତ ବିଶ୍ୱସ୍ତ ହୋଇଥିବାରୁ ରାଜପଦ ପ୍ରତ୍ୟାଖ୍ୟାନ କରିଦେଇ ପ୍ରକୃତ ଘଟଣା ଜଣାଇଥିଲେ ଓ ଅନୁରୋଧ କରିଥିଲେ ଯେ ସେ ଶୀଘ୍ର ନିଜ ରାଜ୍ୟକୁ ଫେରିଯାଇ ପୁନରାୟ ରାଜ୍ୟଭାର ଗ୍ରହଣ କରନ୍ତୁ । ରାଜା ସିମୋନିଡ଼ିସ୍‌ ଯେତେବେଳେ ଜାଣିପାରିଲେ ଯେ ତାଙ୍କର ଜାମାତା ଜଣେ ସାଧାରଣ ଭଦ୍ର ସନ୍ତାନ ନୁହନ୍ତି, ଏକ ବିଶାଳ ରାଜ୍ୟର ଅଧୀଶ୍ୱର, ସେତେବେଳେ ତାଙ୍କର ଆନନ୍ଦ ଶତଗୁଣିତ ହୋଇଗଲା; ମାତ୍ର ତାହା ସଙ୍ଗେ ସଙ୍ଗେ ଦୁଃଖର କାରଣ ମଧ୍ୟ ଥିଲା । ଏବେ ପେରିକ୍ଳସ ନିଜ ରାଜ୍ୟକୁ ଫେରିଯିବେ । କନ୍ୟା ଥଇସା ମଧ୍ୟ ତାଙ୍କଠାରୁ ବିଦାୟ ନେଇ ପତିଙ୍କ ସଙ୍ଗେ ଟାୟାର୍‌ରାଜ୍ୟକୁ ଚାଲିଯିବ । ସମୁଦ୍ରପଥରେ ଯାତ୍ରା କଲାବେଳେ ଯେ କିଛି ବିପଦ ଘଟିବ ନାହିଁ ତାହା କିଏ କହିପାରେ ? ପେରିକ୍ଳସ ପତ୍ନୀଙ୍କୁ ପିତୃଗୃହରେ ଛାଡ଼ିଦେଇ ଯିବାକୁ ସ୍ୱୀକୃତ ଥିଲେ; କିନ୍ତୁ ଥଇସା ପତିଙ୍କ ସଙ୍ଗରେ ଟାୟାରକୁ ଯିବାର ଇଚ୍ଛା ପ୍ରକାଶ କଲେ । ଅଗତ୍ୟା ରାଜା ସ୍ୱୀୟ କନ୍ୟା ଓ ଜାମାତାଙ୍କୁ ଦୁଃଖପୂର୍ଣ୍ଣ ହୃଦୟରେ ବିଦାୟ ଦେଲେ ।

 

ଦୈବ-ଦୁର୍ବିପାକରୁ ଏହି ସମୁଦ୍ରଯାତ୍ରାରେ ପେରିକ୍ଳସଙ୍କୁ ଘୋର କଷ୍ଟ ଭୋଗିବାକୁ ପଡ଼ିଲା । ଟାୟାର୍‌ରେ ପହଞ୍ଚିବା ପୂର୍ବରୁ ଗୋଟାଏ ଭୀଷଣ ତୋଫାନ ହେଲା । ଜାହାଜର କେତେକ କ୍ଷତି ଘଟିଲା । ଥଇସା ଭୟରେ ରୋଗଗ୍ରସ୍ତ ହୋଇପଡ଼ିଲେ । କେତେକ ସମୟପରେ ତାଙ୍କର ପରିଚାରିକା ଲିକୋରିଡା ପେରିକ୍ଳସଙ୍କୁ ଏକ ଘୋର ଦୁଃସମ୍ୱାଦ ଦେଲା । ସେ ଗୋଟିଏ ସଦ୍ୟୋଜାତ କନ୍ୟାସନ୍ତାନ କୋଳରେ ଧରି କହିଲା, ‘‘ମହାରାଜ, ଅତି ଦୁଃଖର କଥା, ଏହି ସନ୍ତାନଟିକୁ ପ୍ରସବ କରିବା ସଙ୍ଗେ ସଙ୍ଗେ ଥଇସା ମୁତ୍ୟୃମୁଖରେ ପଡ଼ିଅଛନ୍ତି । ଏ ଦୁର୍ଦ୍ଦିନରେ ଶିଶୁଟିକୁ କିପରି ବଞ୍ଚେଇବାକୁ ହେବ ?’’ ପେରିକ୍ଳସଙ୍କ ମୁଖରୁ ଅନେକ ବେଳଯାଏ କଥା ବାହାରିଲା ନାହିଁ । ତାଙ୍କ ଚକ୍ଷୁରୁ ଲୋତକଧାରା ବହିଗଲା । ଟିକିଏ ପ୍ରକୃତିସ୍ଥ ହେଲା ପରେ ସେ କହିଲା, ‘‘ହେ ଭଗବାନ୍, ତୁମର ଏ କି ମାୟା ? ତୁମେ କାହୁଁ ପ୍ରିୟବସ୍ତୁ ଆଣି ମନୁଷ୍ୟ ପାଖରେ ପହଞ୍ଚାଇ ଦିଅ; ପୁଣି ତା ପ୍ରତି ମାୟାମମତା ଲାଗିଗଲାବେଳକୁ ତାକୁ ମନୁଷ୍ୟଠାରୁ ଛଡ଼ାଇ ନିଅ । ଏଥିରେ ତୁମର ଲାଭ କଣ ?’’ ଲିକୋରିଡା ରାଜାଙ୍କୁ ସାନ୍ତ୍ୱନା ଦେଇ କହିଲା, ‘‘ଧୈର୍ଯ୍ୟ ଧରନ୍ତୁ ମହାରାଜ ! ରାଣୀ ଥଇସା ଚାଲିଯାଇଅଛନ୍ତି; କିନ୍ତୁ ତାଙ୍କର ଏକ ଅଂଶ ରଖିଦେଇ ଅଛନ୍ତି । ଏହି ଶିଶୁ କନ୍ୟାଟି ତାଙ୍କର ସୃତିକୁ ଜାଗ୍ରତ କରି ରଖିବ । ଏହାରି ମୁହଁକୁ ଚାହିଁ ଶୋକ ଦୂର କରନ୍ତୁ ।’’ ପେରିକ୍ଳସ ଶିଶୁଟିକୁ ଆପଣାକୋଳକୁ ନେଇ କିଛି ବେଳଯାଏ ତାକୁ ଚାହିଁ କହିଲେ, ‘‘ତୋର ଜନ୍ମ ଅଭୁତ । ଏପରି ଝଡଝଞ୍ଜା ମଧ୍ୟରେ ସମୁଦ୍ରବକ୍ଷରେ ଖୁବ୍‌ କମ୍ ଶିଶୁ ଜନ୍ମି ଥିବେ । ଈଶ୍ୱର ତୋର ଜୀବନକୁ ଶାନ୍ତିମୟ କରନ୍ତୁ । ପୃଥିବୀକୁ ଆସିବା ସଙ୍ଗେ ସଙ୍ଗେ ତୁ ଯେଉଁ ଅମୂଲ୍ୟ ରତ୍ନ ହରାଇଲୁ, ତାହା ତୁଳନାରେ ସଂସାରର ସମଗ୍ର ସୁଖସମ୍ପଦ ନିତାନ୍ତ ତୁଚ୍ଛ । ପୃଥିବୀର କୌଣସି ପଦାର୍ଥ ତୋର ସେ ଅଭାବ ପୂରଣ କରି ପାରିବ ନାହିଁ ।

ଲିକୋରିଡା ସନ୍ତାନଟିର ଯତ୍ନ ନେବାରେ ଲାଗିଲେ । ଏଣେ ଭୀଷଣ ତୋଫାନରେ ଜାହାଜ ଇତସ୍ତତଃ । ନାବିକମାନଙ୍କର ଏକ ବିଶ୍ୱାସ ଯେ ଜାହାଜରେ ମୃତ ଦେହ ଥିବାଯାଏ ଝଡ଼ର ପ୍ରକୋପ କମିବ ନାହିଁ । ସେମାନେ ରାଣୀଙ୍କ ଶବକୁ ସମୁଦ୍ରରେ ଫିଙ୍ଗି ଦେବା ପାଇଁ ରାଜାଙ୍କର ଅନୁମତି ପ୍ରାର୍ଥନା କଲେ । ସେମାନେ କହିଲେ, ‘‘ଈଶ୍ୱର ଆପଣଙ୍କୁ ରକ୍ଷା କରନ୍ତୁ । ଏଭଳି ବିପଦ ସହ୍ୟ କରିବାକୁ ଆପଣଙ୍କୁ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ।’’

ପେରିକ୍ଳସ ଉତ୍ତର କଲେ, ‘‘ତୁମ୍ଭେମାନେ ତୋଫାନ ଭୟରେ ମୃତ ରାଣୀଙ୍କୁ ସମୁଦ୍ରରେ ଫିଙ୍ଗି ଦେବାକୁ କହୁଛି । ମୋର ତୋଫାନକୁ ଭୟ ନାହିଁ । ତୋଫାନ ଯେତେ କ୍ଷତି କରିପାରେ, ତାହା କରିସାରିଛି । କିନ୍ତୁ ଏହି ଶିଶୁ ସନ୍ତାନଟି ପାଇଁ ମୁଁ ଚାହେଁ, ଏ ତୋଫାନ ଉଭେଇଯାଉ ଓ ସମୁଦ୍ର ଶାନ୍ତ ହେଉ ।’’

ଅବଶ୍ୟ ପେରିକ୍ଳସଙ୍କର ଏଭଳି ଅନ୍ଧବିଶ୍ୱାସ ନଥିଲା । ତଥାପି ସେ ନାବିକମାନଙ୍କୁ ସନ୍ତୁଷ୍ଟ କରିବାପାଇଁ କହିଲେ, ‘‘ତୁମେମାନେ ଯାହା ଉଚିତ ମନେକରୁଛ, ତାହା କରାଯିବ ।’’ ପେରିକ୍ଳସ ଶେଷ ଥର ପାଇଁ ଥଇସାଙ୍କୁ ଚାହିଁ କହିଲେ, ’‘ହାୟ ପ୍ରିୟେ, ତମ ଭାଗ୍ୟରେ ଏହା ଥିଲା । ମୃତ୍ୟୁ ସମୟରେ ପ୍ରକୃତି ତୁମପ୍ରତି ଏଡେ ନିର୍ଦ୍ଦୟ ! ବିଧାତାର କି ବିଦ୍ରୂପ ! ତୁମର ଏ ଶରୀରକୁ ସମାଧି ମନ୍ଦିରରେ ରଖିବା ମଧ୍ୟ ସମ୍ଭବ ହେଲା ନାହିଁ । ଗୋଟାଏ ସ୍ମୃତିଫଳକ ମଧ୍ୟ ରହିଲା ନାହିଁ । ତୁମ ପାଇଁ କେହି ଶୋକ ପ୍ରକାଶ କଲେନାହିଁ । ତୁମର ଶରୀର ଏ ଅନନ୍ତ ସାଗରଗର୍ଭରେ କେଉଁଠାରେ ଲୀନ ହୋଇଯିବ ।’’ ଗଭୀର ଦୁଃଖରେ ରାଜା ରାଣୀଙ୍କର ଶବକୁ ଗୋଟିଏ କାଠ ବାକ୍‌ସରେ ସ୍ଥାପନ କଲେ । ଶବ ଉପରେ କେତେକ ମଣିମାଣିକ୍ୟ ଓ ସୁଗନ୍ଧ ଦ୍ରବ୍ୟ ରଖାଗଲା । ରାଜା ଖଣ୍ଡିଏ କାଗଜରେ ନିଜ ହାତରେ ରାଣୀଙ୍କର ପରିଚୟପତ୍ର ଲେଖି ବାକ୍‌ସ ଭିତରେ ରଖିଦେଲେ । ସେଥିରେ ସେ ଲେଖିଥିଲେ- ଯଦି ଦୈବକ୍ରମେ କେହି ଏ ବାକ୍‌ସଟି ପାଏ, ତେବେ ଶବଟିକୁ ଉପଯୁକ୍ତ ଭାବରେ ସମାଧି ଦେବାକୁ ମୋର ଏକାନ୍ତ ଅନୁରୋଧ ।’

ବାକ୍‌ସ ବନ୍ଦ କରି ରାଜା ନିଜ ହାତରେ ତାହା ସମୁଦ୍ରଗର୍ଭରେ ନିକ୍ଷେପ କଲେ । ତତ୍ପରେ ନାବିକ ଓ ଅନୁଚରମାନଙ୍କୁ କହିଲେ–‘‘ବର୍ତ୍ତମାନ ଏହି ଶିଶୁଟିର ଜୀବନରକ୍ଷା ହେଉଛି ପ୍ରଥମ କର୍ତ୍ତବ୍ୟ । ଜାହାଜରେ ଟାୟାର ପର୍ଯ୍ୟନ୍ତ ଯିବାଯାଏ ଶିଶୁଟି ବଞ୍ଚିପାରିବାର ଆଶା ନାହିଁ । ଚାଲ ଟାର୍ସସକୁ ଯିବା । ସେଠାରେ ଏହାର ଲାଳନପାଳନର ବ୍ୟବସ୍ଥା କରିପାରିବା ।’’ ନାବିକମାନେ ଟାର୍ସସ ଲକ୍ଷ୍ୟରେ ଜାହାଜ ଚଳାଇଲେ ।

ଥଇସାଙ୍କର ଶବ ଥିବା ବାକ୍‌ସଟି ସମୁଦ୍ରରେ ନିକ୍ଷିପ୍ତ ହେବାର କେତେକ ଘଣ୍ଟା ପରେ ତାହା ଭାସିଯାଇ କୂଳରେ ଲାଗିଲା । ସେତେବେଳକୁ ଏଫିସସର ଜଣେ ବିଶିଷ୍ଟ ଚିକିତ୍ସକ ସମୁଦ୍ରକୂଳରେ ଉପସ୍ଥିତ ଥିଲେ । ତାଙ୍କର ନାମ ସେରିମନ । ସେ ଦେଖିଲେ ଗୋଟାଏ ପ୍ରକାଣ୍ଡ ଲହରୀର ଆଘାତରେ ବକ୍‌ସଟି ଆସି କୂଳରେ ପଡ଼ିଲା । ବାକ୍‌ସରେ କଣ ଅଛି ଦେଖିବାପାଇଁ ତାଙ୍କର କୌତୁହଳ ଜାତ ହେଲା । କେତେଜଣ ଲୋକଙ୍କ ସାହାଯ୍ୟରେ ସେ ବାକ୍‌ସଟିକୁ ନିଜ ଘରକୁ ନେଇଗଲେ । ବାକ୍‌ସ ଖୋଲି ଥିବା ସୁଗନ୍ଧଦ୍ରବ୍ୟ ଓ ବହୁମୂଲ୍ୟ ରତ୍ନରାଜି ଦେଖି ସେ ଅନୁମାନ କଲେ ଯେ ରମଣୀଟି ଉଚ୍ଚବଂଶରେ ଜାତ । ବାକ୍‌ସ ଭିତର ଅନୁସନ୍ଧାନ କରୁ କରୁ ଖଣ୍ଡିଏ କାଗଜ ତାଙ୍କର ହସ୍ତଗତ ହେଲା । ତାହାକୁ ପାଠକରି ସେରିମନ୍ ଜାଣିପାରିଲେ ଯେ ଏହା ହେଉଛି ଟାୟାରର ରାଜା ପେରିକ୍ଳସଙ୍କ ରାଣୀଙ୍କର ମୃତ ଦେହ । ତାଙ୍କ ମନରେ ଗଭୀର ଦୁଃଖ ଓ ପେରିକ୍ଳସ୍‌ଙ୍କ ପ୍ରତି ସହାନୁଭୂତି ଜାତ ହେଲା । ସେ ଚିନ୍ତାଶୀଳ ଭାବରେ ଥାଇସାଙ୍କ ମୁଖକୁ ଚାହିଁ ରହିଲେ ।

ସେ ଥଇସାଙ୍କ ମୁଖମଣ୍ଡଳର ବର୍ଣ୍ଣ ଦେଖି ସନ୍ଦେହ କଲେ, ଏବେ ମଧ୍ୟ ତାଙ୍କ ଶରୀରରେ ଜୀବନର କ୍ଷୀଣଧାରା ପ୍ରବାହିତ ହେଉଅଛି । ବୋଧହୁଏ, କେହି ତାଙ୍କର ଏପ୍ରକାର ଅବସ୍ଥା ଦେଖି ତାଙ୍କୁ ମୃତ ବୋଲି ଘୋଷଣା କରିଅଛି ଏବଂ ପ୍ରକୃତ ଅବସ୍ଥା ନବୁଝି ତାଙ୍କୁ ସମୁଦ୍ରରେ ଫିଙ୍ଗି ଦିଆଯାଇଅଛି । ସେ ଥଇସାଙ୍କୁ ବାକ୍‌ସରୁ ବାହାର କରି ଆଣି ଚିକିତ୍ସାରେ ଲାଗିଗଲେ । ପ୍ରଥମେ ନିଆଁ ଜାଳି ସେ ଥଇସାଙ୍କ ଶୀତଳ ଶରୀରକୁ ସେକିଲେ । କିଛି ସମୟ ପରେ ଶରୀର ଉଷୁମ ହୋଇଗଲା ଓ ବକ୍ଷରେ କ୍ଷୀଣ ସ୍ପନ୍ଦନ ଅନୁଭୂତ ହେଲା । ଅନେକ ଲୋକ ଏହି ବିଚିତ୍ର ଘଟନା ଦେଖିବାକୁ ଓ ସେଠାରେ ରୁଣ୍ଡ ହୋଇଥିଲେ । ସେ ସେମାନଙ୍କୁ ସେଠାରୁ ଅନ୍ତର କରିଦେଇ କହିଲେ, ‘‘ଆପଣମାନେ ଅନୁଗ୍ରହ କରି ଟିକିଏ ଦୂରେଇ ଯାଆନ୍ତୁ; ବାୟ ଆସିବାରେ ପ୍ରତିବନ୍ଧକ ହୁଅନ୍ତୁ ନାହିଁ । ମୋର ବିଶ୍ୱାସ, ରାଣୀ ପୁନର୍ଜୀବନ ଲାଭ କରିବେ ।’’ କେତେକ ଔଷଧ ପ୍ରସ୍ତୁତ କରି ସେ ତାହା ପ୍ରୟୋଗ କଲେ । ତାଙ୍କ ଆଦେଶରେ ନିକଟରେ ନିମ୍ନସ୍ୱରରେ ବାଦ୍ୟ ବାଜିଲା । ରାଣୀ ସଂଜ୍ଞା ଲାଭ କଲେ ହଠାତ୍‌ ଉତ୍ତେଜିତ ହୋଇ ପାରନ୍ତି; ଏହି ମଧୁର ବାଦ୍ୟଧ୍ୱନିରେ ସେ ଶାନ୍ତଭାବ ଧାରଣ କରିପାରିବେ ।

 

ବାସ୍ତବରେ ସେରିମନଙ୍କର କଥା ସତ୍ୟ ହେଲା । କ୍ରମଶଃ ରାଣୀ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଲେ । ସେ ଗଭୀର ନିଦ୍ରାରୁ ଉଠିଲା ପରି ଚକ୍ଷୁ ମେଲିଲେ । ସେରିମନଙ୍କର ଶ୍ରମ ସାର୍ଥକ ହେଲା ।

 

ପ୍ରକୃତପକ୍ଷରେ ଥଇସାଙ୍କର ମୃତ୍ୟୁ ଘଟି ନ ଥିଲା । ଜାହାଜରେ ସନ୍ତାନଟି ପ୍ରସବ କରିବା ପରେ ପରେ ସେ ସଂଜ୍ଞା ହରାଇ ଦୀର୍ଘ ସମୟ ନିଶ୍ଚେଷ୍ଟ ହୋଇପଡ଼ିଥିଲେ । ଜାହାଜର ଲୋକେ ସେତେବେଳେ ତାଙ୍କୁ ଦେଖି ତାଙ୍କର ମୃତ୍ୟୁ ହୋଇଅଛି ବୋଲି ମନେ କରିଥିଲେ ।

 

ଥଇସା ଚୈତନ୍ୟ ଫେରିପାଇ କହିଲେ, ‘‘ମୁଁ କେଉଁଠାରେ ? ମୋର ସ୍ୱାମୀ କାହାନ୍ତି ? ଏ କେଉଁ ରାଜ୍ୟ ?’’ ସେରିମନ୍ କୌଶଳସହକାରେ ଓ ଧୀରସ୍ଥିର ଭାବରେ ପ୍ରକୃତ ଘଟଣା ଜଣାଇଦେଲେ । ସେ ପୂର୍ଣ୍ଣମାତ୍ରାରେ ଆରୋଗ୍ୟ ଲାଭ କରିବାକୁ ସେରିମନ୍‌ ତାଙ୍କୁ ସୁଗନ୍ଧଦ୍ରବ୍ୟ, ମଣିମାଣିକ୍ୟ ଓ ପେରିକ୍ଳସଙ୍କ ସ୍ୱହସ୍ତଲିଖିତ କାଗଜଖଣ୍ଡି ଦେଖାଇଲେ । ଏସବୁ ଦେଖି ଥଇସା କହିଲେ, ‘‘ପ୍ରକୃତରେ ଏହା ମୋର ସ୍ୱାମୀଙ୍କର ହାତଲେଖା । ଜାହାଜରେ ଆମେ ଆସୁଥିବା କଥା ମନେପଡ଼ୁଛି; କିନ୍ତୁ ମୋର ଯେ ଗୋଟିଏ କନ୍ୟାସନ୍ତାନ ଜନ୍ମିଥିଲା ସେକଥା ସ୍ମରଣ ହେଉନାହିଁ । ସେ ଯାହାହେଉ, ଏ ଜନ୍ମରେ ଆଉ ମୋର ସ୍ୱାମୀଙ୍କ ସହ ସାକ୍ଷାତ ଘଟିବ ନାହିଁ । ମୋର ଜୀବନ ଫେରି ଆସିଛି ସତ; କିନ୍ତୁ ଏ ସ୍ୱାମୀହୀନ ଜୀବନରେ କି ଫଳ ? ଅବଶିଷ୍ଟ ଜୀବନ ମୁଁ ସନ୍ନ୍ୟାସିନୀ ଭାବରେ କୌଣସି ମନ୍ଦିର ବା ନାରୀ ଆଶ୍ରମରେ କଟାଇବାକୁ ସ୍ଥିର କରିଛି । ବ୍ରହ୍ମଚର୍ଯ୍ୟ ପାଳନ କରି ଦେବପ୍ରଜା ଓ ଆରାଧନାରେ ସମୟ ଅତିବାହିତ କରିବା ମୋର ଇଚ୍ଛା ।’’ ସେରିମନ୍‌ ଏହା ଶୁଣି କହିଲେ, ’‘ଆପଣଙ୍କ ମହତ୍‍ ଉଦ୍ଦେଶ୍ୟରେ କେହି ବାଧା ଦେବାର କାରଣ ନାହିଁ । ଏଠାରୁ ଅଳ୍ପ ଦୂରରେ ଡାଏନାଦେବୀଙ୍କର ମନ୍ଦିର । ସେଠାରେ ଆପଣ ନିଶ୍ଚିନ୍ତରେ ସନ୍ନ୍ୟାସିନୀ ଭାବରେ ରହି ପାରିବେ । ମୋର ଗୋଟିଏ ଝିଆରୀ ଅଛି । ଆପଣଙ୍କର ଆପତ୍ତି ନ ଥିଲେ, ସେ ପାଖେ ପାଖେ ରହି ଆପଣଙ୍କୁ ସାହାଯ୍ୟ କରିବ ।’’

 

ସେରିମନ୍‌ଙ୍କ ସାହାଯ୍ୟରେ ଥଇସା ଡାଏନାଦେବୀଙ୍କ ମନ୍ଦିରରେ ସନ୍ନ୍ୟାସିନୀ ଭାବରେ ରହି ଦେବୀଙ୍କର ସେବା ପୂଜା କଲେ । ସନ୍ନ୍ୟାସିନୀ କଠୋର ଜୀବନ ଯାପନ କରୁଥିଲେହେଁ ସେ ନିଜ ପ୍ରାଣପ୍ରିୟ ପତିଙ୍କ କଥା ଭୁଲିପାରୁ ନଥିଲେ । ପେରିକ୍ଳସ ଯେ ଆଉ ଜୀବନରେ ଥିବେ, ତାଙ୍କର ଏପରି ଆଶା ନଥିଲା ।

 

ପେରିକ୍ଳସ ଶିଶୁକନ୍ୟାଟିର ନାମ ଦେଲେ ମେରାଇନା । ସମୁଦ୍ରକୁ ଲାଟିନ୍‌ ଭାଷାରେ ମେରାଇନସ୍‌ କହନ୍ତି । ଶିଶୁଟି ସମୁଦ୍ରରେ ଜନ୍ମଗ୍ରହଣ କରିଥିବାରୁ ତାହାକୁ ଏପରି ନାମ ଦିଆଯାଇଥିଲା । ପେରିକ୍ଳସ ଟାର୍ସସ ରାଜ୍ୟକୁ ଯାଇ ସେଠାରେ ଶାସନକର୍ତ୍ତା କ୍ଳିଅନ ସ ତାଙ୍କର ପତ୍ନୀ ଡାଇଓନିସିଆଙ୍କ ନିକଟରେ ନିଜର କନ୍ୟାଟିକୁ ଛାଡ଼ିଯିବେ ବୋଲି ବିଚାରିଲେ । କ୍ଳିଅନ୍‌ଙ୍କ ସହିତ ପୂର୍ବରୁ ତାଙ୍କର ବନ୍ଧୁତା ଜନ୍ମିଥିଲା ଓ ସେ ଶିଶୁଟିର ଉପଯୁକ୍ତ ଲାଳନପାଳନର ବ୍ୟବସ୍ଥା କରିବେ ବୋଲି ତାଙ୍କର ଆଶା ଥିଲା ।

 

ଟାର୍ସସରେ ପହଞ୍ଚି ପେରିକ୍ଳସ ଶାସନକର୍ତ୍ତାଙ୍କୁ ସମସ୍ତ ଘଟଣା କହିଲେ । କ୍ଳିଅନ ଗଭୀର ଦୁଃଖ ପ୍ରକାଶ କରି କହିଲେ, ‘‘ଈଶ୍ୱରଙ୍କ କୃପାରୁ ଯଦି ଆପଣଙ୍କ ରାଣୀଙ୍କର ଦର୍ଶନ ମିଳିଥାନ୍ତା, ତେବେ କେଡ଼େ ଆନନ୍ଦର ବିଷୟ ହୋଇ ନଥାନ୍ତା ? ହାୟ, ଆମର ସେ ଭାଗ୍ୟ ନାହିଁ ।’’ ପେରିକ୍ଳସ ଉତ୍ତର କଲେ, ‘‘ବନ୍ଧୁ ବର, ଆମର ଇଚ୍ଛା ସବୁବେଳେ ପୂର୍ଣ୍ଣ ହୁଏ ନାହିଁ । ଆମ ଉପରେ ଯେଉଁ ଅଦୃଶ୍ୟ ଶକ୍ତି ଅଛି, ତାହାର ଆଦେଶ ପାଳନ କରିବାକୁ ଆମେ ବାଧ୍ୟ । ମୋର ପ୍ରିୟତମା ଥଇସା ଏବେ ସମୁଦ୍ରଗର୍ଭରେ । ସମୁଦ୍ର ଘୋର ଗର୍ଜ୍ଜନ କରି ତାକୁ ତରଙ୍ଗରେ ଆଘାତ କରୁଥିବ । ମୁଁ କଅଣ ସେହିପରି ଗର୍ଜନ କରି କ୍ରୋଧ ପ୍ରକାଶ କରିବି ? ନା, ଆମକୁ ଭାଗକୁ ଆଦରିନେବାକୁ ପଡ଼ିବ । ଏବେ ଏଇ ଶିଶୁସନ୍ତାନଟିର ଭାର ଆପଣଙ୍କ ଉପରେ ଅର୍ପଣ କରୁଅଛି । ଆପଣ ତାକୁ ଲାଳନପାଳନ କରି ରାଜ୍ୟକନ୍ୟାର ଉପଯୁକ୍ତ ଶିକ୍ଷା ଦେବେ-ଏଇମୋର ଅନୁରୋଧ ।’’ ତତ୍ପରେ ସେ କ୍ଳିଅନ୍‌ଙ୍କ ସ୍ତ୍ରୀ ଡାଇଓନିସିଆଙ୍କୁ କହିଲେ, ‘‘ଭଦ୍ରେ, ମୋର ଏହି ଶିଶୁ ସନ୍ତାନଟିର ଜୀବନ ଆପଣଙ୍କ ଯତ୍ନ ଉପରେ ନିର୍ଭର କରେ । ଆପଣ ତାକୁ ମଣିଷ କରିପାରିଲେ ମୁଁ ନିଜକୁ ଭାଗ୍ୟବାନ ମନେ କରିବି । ମାତୃହରା ଏଇ କନ୍ୟାଟିର ମାତା ହେବେ ଆପଣ ।’’ ଡାଇଓନିସିଆ ଉତ୍ତର କଲେ, ‘‘ମହାଶୟ, ଆପଣ ସ୍ୱଚ୍ଛନ୍ଦରେ ମୋ ଉପରେ ନିର୍ଭର କରି ପାରନ୍ତି । ମୋର ମଧ୍ୟ ଗୋଟିଏ ଶିଶୁକନ୍ୟା ଅଛି । ମୁଁ ତାର ଯେତକି ଯତ୍ନ ନିଏ, ଆପଣଙ୍କ କନ୍ୟାଟି ଯତ୍ନ କଦାପି ତହିଁରୁ ଉଣା ହେବ ନାହିଁ ।’’ କ୍ଳିଅନ୍‌ ମଧ୍ୟ ଶିଶୁଟିଏ ଯତ୍ନ ନେବାରେ ହେଳା କରିବି ନାହିଁ ବୋଲି ଜଣାଇଲେ । ସେ କହିଲେ, ’‘ବନ୍ଧୁ ପେରିକ୍ଳସ୍, ମୋର ପ୍ରଜାମାନେ ଖାଦ୍ୟାଭାବରେ ପ୍ରାଣ ହରାଇଲାବେଳେ ଆପଣ ଦେବଦୁତରୂପେ ଆସି ସେମାନଙ୍କ ତୁଣ୍ଡରେ ଆହାର ଦେଇଥିଲେ ଏବେ ମଧ୍ୟ ସେମାନେ ଆପଣଙ୍କୁ ପ୍ରତ୍ୟହ ସ୍ମରଣ କରିଥାନ୍ତି । ସେମାନେ ଏହି ଶିଶୁଟିକୁ ଆପଣଙ୍କର ପ୍ରତିନିଧି ବୋଲି ମନେକରିବେ । ମୁଁ ଏହାକୁ ଅବହେଳା କଲେ ପ୍ରଜାବର୍ଗ ମୋତେ କ୍ଷମା ଦେବେ ନାହିଁ ; ମୋତେ କର୍ତ୍ତବ୍ୟ ପାଳିବାକୁ ବାଧ୍ୟ କରିବେ । ସର୍ବୋପରି ଭଗବାନ ଅଛନ୍ତି । ମୁଁ କୃତଘ୍ନତା ଦେଖେଇଲେ ମୋ ଉପରେ, ମୋ ପରିବାର ଉପରେ, ଏପରିକି ମୋ ରାଜ୍ୟ ଉପରେ ଦେବତାଙ୍କର ଅଭିଶାପ ପଡ଼ିବ ।’’

 

ଶିଶୁଟିର ଜୀବନ ବିଷୟରେ ଆଶ୍ୱସ୍ତ ହୋଇ ସେ ତାହାକୁ କ୍ଳିଅନ ଓ ତାଙ୍କ ପତ୍ନୀଙ୍କ ହସ୍ତରେ ଅର୍ପଣ କରିଦେଲେ । ଲିକୋରିଡ଼ା ଦାସୀ ମଧ୍ୟ ଶିଶୁଟିର ଯତ୍ନ ନେବାକୁ ରହିଲା ।

 

ପେରିକ୍ଳସ ନିରାପଦରେ ଟାୟାରରେ ପହଞ୍ଚି ପୁଣି ରାଜସିଂହାସନରେ ବସିଲେ । ତାଙ୍କର ‘ମୃତ’ ସ୍ତ୍ରୀ ଯେ ସନ୍ନ୍ୟାସିନୀ ଭାବରେ ଡାଏନାଙ୍କ ମନ୍ଦିରରେ ରହିଛନ୍ତି, ତାହା ତାଙ୍କୁ ଜଣା ନଥିଲା । ତାଙ୍କର କନ୍ୟା ମେରାଇନା ଟାର୍ସସ ରାଜପ୍ରାସାଦରେ ରହି ବଢ଼ୁଥାଏ । କ୍ଳିଅନ ତାର ଉପଯୁକ୍ତ ଶିକ୍ଷାଦୀକ୍ଷାର ବନ୍ଦୋବସ୍ତ କରି ଦେଇଥିଲେ । ଚଉଦ ବର୍ଷ ବେଳକୁ ମେରାଇନା ନାନା ବିଦ୍ୟାରେ ପାଣ୍ଡିତ୍ୟ ଅର୍ଜନ କରି ସାରିଥିଲା । ଗୀତ, ବାଦ୍ୟ, ନୃତ୍ୟ, ସୂଚୀକର୍ମ, ଚିତ୍ରବିଦ୍ୟା ପ୍ରଭୃତି ଚାରୁକଳାରେ ତାର ଅପୂର୍ବ କୃତିତ୍ୱ ଆସିଥିଲା । ତାର ସ୍ୱର କୋକିଳର ସ୍ୱର ପରି ମଧୁର ଥିଲା । ଲୋକ ତାର ଗାନକୁ ବିଦ୍ୟାଧରୀଙ୍କ ସଙ୍ଗୀତ ସଙ୍ଗେ ତୁଳନା କରୁଥିଲେ । ସେ ନୃତ୍ୟ କଲାବେଳେ ଦେବୀମୂର୍ତ୍ତି ବୋଲି ଭ୍ରମ ହେଉଥିଲା । ସମଗ୍ର ରାଜ୍ୟର ଲୋକେ ମେରାଇନାର ରୂପ ଓ ଗୁଣର ପ୍ରଶଂସାରେ ମୁଖର ହୋଇ ଉଠିଲା ବେଳକୁ ଜଣକର ହୃଦୟ କିନ୍ତୁ ହିଂସାରେ ଜର୍ଜରିତ ହେଉଥିଲା । ସେ ହେଉଛନ୍ତି ପାଳକ ମାତା ଡାଇଓନିସିଆ । ତାଙ୍କର ନିଜ କନ୍ୟାଟିର ଶିକ୍ଷାରେ ଯେ ହେଳା କରାଯାଇଥିଲା, ତାହା ନୁହେଁ; ବରଂ ଯଥେଷ୍ଟ ଅଧିକ ଯତ୍ନ ନିଆଯାଇଥିଲା । କିନ୍ତୁ ଏହି ଶିକ୍ଷାର କିଛି ଫଳ ଦେଖାଯାଇନଥିଲା । ଝିଅଟି ବୟସରେ ମେରାଇନାର ସମାନ, କିନ୍ତୁ କୌଣସି କଳା ବିଦ୍ୟାରେ ତାର ଆଦୌ ପ୍ରବେଶ ନଥିଲା । ମେରାଇନାର ପ୍ରଶଂସା ଶୁଣି ଶୁଣି ଡାଇଓନିସିଆଙ୍କ ମନରେ ଏକ ତୀବ୍ର ପ୍ରତିହିଂସା ଜାଗି ଉଠିଲା । ସେ ଠିକ୍‌ କଲେ ଯେ, ମେରାଇନାକୁ, ଏ ପୃଥିବୀରୁ ଅନ୍ତର କରିଦେଲେ ଯାଇ ତାଙ୍କ ନିଜ କନ୍ୟାର ରୂପ ଓ ଗୁଣ ଲୋକଙ୍କର ପ୍ରଶଂସା ପାଇପାରିବ ।

 

ମେରାଇନାକୁ ଗୋପନରେ ହତ୍ୟା କରିବା ପାଇଁ ଲିଓନିନ୍‌ ବୋଲି ଜଣେ ଲୋକକୁ ସେ ନିଯୁକ୍ତି କଲେ । ଏଥିମଧ୍ୟରେ ଦାସୀ ଲିକୋରିଡାର ମୃତ୍ୟୁ ହେଲା । ଡାଇଓନିସିଆ ଲିଓନିନ୍ ସହିତ ଗୁପ୍ତ ପରାମର୍ଶ କରୁଛନ୍ତି, ଏହି ସମୟରେ ମେରାଇନା କାନ୍ଦି କାନ୍ଦି ସେ ଆଡ଼କୁ ଆସିଲା । ସେ ଦାସୀ ଲିକୋରିଡାର ଗୁଣ ବାହୁନି ହେଉଥିଲା । ଲିଓନିନ୍‌ ମେରାଇନାର ନିରୀହ ମୁଖ ଓ ଦସୀ ପ୍ରତି ଅନୁରକ୍ତି ଦେଖି ବିସ୍ମିତ ହେଲା; ତାର ପାଷାଣ ହୃଦୟ ମଧ୍ୟ ତରଳିଗଲା । ଏପରି ଏକ ନିରୀହା ବାଳିକାକୁ ସେ ହତ୍ୟା କରିବ କିପରି ? ସେ ପ୍ରକାଶ୍ୟରେ ଏତିକି ମାତ୍ର କହିଲା, ‘‘ବଡ ଭଲ ଝିଅଟିଏ ।’’ ଏହା ଶୁଣି ଡାଇଓନିସିଆ କହିଲେ, ‘‘ହଁ, ଭଲ ଝିଅଟିଏ । ତାହାହେଲେ ତ ତାକୁ ଦେବତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଦେବା ଉଚିତ । ଦେଖ, ଦାସୀଟା ମରିଗଲା ବୋଲି ତାପାଇଁ କାନ୍ଦି କାନ୍ଦି ଆସୁଛି । ଏବେ କହ, ତୁମେ ମୋ ଆଦେଶ ପାଳିବାକୁ ପ୍ରସ୍ତୁତ କି ନାଁ ? ଲିଓନିନ୍ ଦେଖିଲା ଯେ ରାଣୀଙ୍କର ଆଦେଶ ପାଳନ କରିବାକୁ ମନା କଲେ ନିଜର ବିପଦ । ତେଣୁ ‘‘ମୁଁ ପ୍ରସ୍ତୁତଅଛି’’ କହି ସେ ଚାଲିଗଲା ।

 

ଏହି ସମୟରେ ମେରାଇନା ଫୁଲଚାଙ୍ଗୁଡ଼ିଟିଏ ହାତରେ ଧରି ଡାଇଓନିସିଆଙ୍କ ନିକଟରେ ଉପସ୍ଥିତ ହୋଇ ଏହାକୁ ଲିକୋରିଡାର ସମାଧିରେ ଦେବାପାଇଁ ନେଉଛି ବୋଲି କହିଲା-। ପ୍ରତିଦିନ କିଛି ନା କିଛି ଫୁଲ ନେଇ ସେହି ସମାଧିରେ ଦେବା ତାର ଇଚ୍ଛା । ଶେଷରେ ସେ କହିଲା, ‘‘ମାଆ, ମୋର ଭାଗ୍ୟ ବଡ଼ ଖରାପ । ସମୁଦ୍ରରେ ଝଡ଼ ତୋଫାନ ହେଉଥିଲାବେଳେ ଗୋଟାଏ ଜାହାଜ ଭିତରେ ମୋର ଜନ୍ମ । ପୁଣି ମୋର ଜନ୍ମ ସଙ୍ଗେ ସଙ୍ଗେ ମୋର ମାଆ ମରିଗଲା-। ମୁଁ ଦେଖୁଛି, ଏ ସଂସାରଟା ମୋ ପକ୍ଷରେ ଗୋଟାଏ ଝଡ଼ ସ୍ୱରୂପ । ଝଡ଼ରେ ପତ୍ର ଉଡ଼ିଗଲାପରି ମୋ ଉପକାରୀ ବନ୍ଧୁମାନେ ଗୋଟିକ ପରେ ଗୋଟିଏ ଚାଲିଯାଉଛନ୍ତି ।’’

 

ଡାଇଓନିସିଆ ଏଭଳି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ସେ ମନେ ମନେ ଖୁବ୍‌ ବିରକ୍ତ ହୋଇ କହିଲେ, ‘‘ମେରାଇନା, ତୁ ଏପରି ଏକୁଟିଆ କାନ୍ଦୁଛୁ କାହିଁକି ? ମୋ ଝିଅ ତୋ ସାଥିରେ ନାଇଁ; ଏ ତ ବଡ଼ ଆଶ୍ଚର୍ଯ୍ୟ କଥା ! ଲିକୋରିଡା ମରିଗଲା, ସେଥିପାଇଁ ତୁ କାନ୍ଦିବାର କିଛି କାରଣ ନାହିଁ । ମୁଁ କଅଣ ତୋ ଭଲମନ୍ଦ ବୁଝିବି ନାହିଁ । ଦାସୀଟି ପାଇଁ ବୃଥା କାନ୍ଦି କାନ୍ଦି ତୋ ମୁହଁ କଳା ପଡ଼ିଗଲାଣି । ଫୁଲଚାଙ୍ଗୁଡ଼ିଟା ମୋତେ ଦେଇପକା । ସମୁଦ୍ରକୂଳିଆ ପବନରେ ଫୁଲତକ ନଷ୍ଟ ହୋଇଯିବ । ଲିଓନିନ୍ ସାଥିରେ ଯାଇ ସମୁଦ୍ରକୂଳଆଡ଼େ ଟିକିଏ ବୁଲିଆସେ । ସମୁଦ୍ର ପବନ ବାଜିଲେ ମନଟା ବଦଳିଯିବ, ଫୁର୍ତ୍ତି ଆସିବ ।’’ ଏହା କହି, ମେରାଇନାକୁ ସମୁଦ୍ରକୂଳରେ ବୁଲାଇ ଆଣିବାକୁ ସେ ଲିଓନିନ୍‌କୁ ଆଦେଶ ଦେଲେ ।

 

ମେରାଇନା ଏଥିରେ ଆପତ୍ତି ଜଣାଇ କହିଲା, ‘‘ନାଁ, ମାଆ ଲିଓନିନ୍‌ ମୋ ସେଙ୍ଗରେ ଗଲେ ଆପଣଙ୍କର ଅସୁବିଧା ହେବ । ମୋର ଅନ୍ୟ କୁଆଡ଼େ ଯିବାକୁ ଇଚ୍ଛା ନାହିଁ ।

 

ଡାଇଓନିସିଆଙ୍କର ଭିତିରି ଅଭିପ୍ରାୟ ଥିଲା କିପରି ମେରାଇନା ଏକୁଟିଆ ଲିଓନିନ୍‌ ସାଙ୍ଗରେ ସମୁଦ୍ରକୂଳକୁ ଯାଉ । ତାହାହେଲେ ସେ ସେଠାରେ ମେରାଇନାକୁ ହତ୍ୟା କରିବ । ତେଣୁ ସେ କହିଲେ, ‘‘ତୁ ମୋ କଥା ଚିନ୍ତା କରୁଛୁ କାହିଁକି ? ଜାଣିଥିବୁ, ତୋର ବାପାଙ୍କୁ ଆମେ କେତେ ଭଲପାଉ । ତୋ ପ୍ରତି ମୋର ସେହିପରି ସ୍ନେହ । ତୋର ବାପା ଏଠାକୁ ଆସିବେ ବୋଲି ସମ୍ୱାଦ ମିଳିଛି । ଆମେ ତ ତାଙ୍କୁ ପ୍ରତିଦିନ ଚାହିଁ ରହିଛୁ । ତାଙ୍କ ପାଖକୁ ଆମେ ଲେଖିଛୁ ଯେ ମେରାଇନା ଦେଖିବାକୁ ବଡ଼ ସୁନ୍ଦରୀ ଓ ସବୁବେଳେ ତା ମୁହଁରେ ହସ ପୂରିଥାଏ । ସେ ଆସି ତୋର ଏ ଶୁଖିଲା କଳା ମୁହଁ ଦେଖିଲେ କଅଣ କହିବେ ? ସେ ମନେକରିବେ, ଆମେ ତା କଥା କିଛି ବୁଝୁନା । ଯା, ଯା, ଟିକିଏ ବୁଲିଆସି ମନ ଖୁସି କର । ତୋ ଚେହେରାଟି ସଭିଙ୍କର ପସନ୍ଦ; ତାକୁ ଅଣହେଳା କର ନା ।’’ ମେରାଇନା କହିଲା, ‘‘ହଉ, ଯାଉଛି; କିନ୍ତୁ ଯିବାକୁ ମନ ହେଉନି ।’’ ଡାଇଓନିସିଆ ଯିବାବେଳେ ଲିଓନିନ୍‌କୁ କହିଲେ, ’‘ଯାଆ, ମୋ କଥା ଭୁଲିବ ନାହିଁ ।

 

‘ମୋ କଥା ଭୁଲିବ ନାହିଁ’ ଏହି କେତୋଟି ପଦରେ ବହୁତ ଅର୍ଥ ରହିଗଲା । ଏତିକିରେ ସେ ମେରାଇନାର ଭାଗ୍ୟ ମୀମାଂସା କରିଦେଲେ ବୋଲି ଭାବିଲେ । ଲିଓନିନ୍ ବୁଝିଲା-ମେରାଇନାକୁ ହତ୍ୟା କରିବାପାଇଁ ଏହା ହେଉଛି ତାଙ୍କର ଶେଷ ଆଦେଶ ।

 

ଲିଓନିନ୍ ସହିତ ମେରାଇନା ସମୁଦ୍ରକୂଳରେ ପହଞ୍ଚିଲା । ସମୁଦ୍ରକୁ ଚାହିଁଲାକ୍ଷଣି ତା ମନରେ କେତେ ଚିନ୍ତା ଖେଳିଗଲା । ଏହି ସମୁଦ୍ର ହେଉଛି ତାର ଜନ୍ମସ୍ଥାନ । ଥଣ୍ଡା ପବନର ସ୍ପର୍ଶ ଅନୁଭବ କରି ସେ ପଚାରିଲା, ‘‘ଲିଓନିନ୍, ପବନ କଅଣ ପଶ୍ଚିମରୁ ବହୁଛି ?’’

 

‘‘ନାଁ, ଦକ୍ଷିଣ-ପଶ୍ଚିମରୁ’’ ଲିଓନିନ୍ ଉତ୍ତର କଲା । ମେରାଇନା କହିଲା, ‘‘ମୁଁ ଜନ୍ମ ହେଲା ଦିନ ପବନ ଉତ୍ତର ଦିଗରୁ ବହୁଥିଲା ବୋଲି ଶୁଣିଛି ।’’ ଲିଓନିନ୍ ନୀରବ । ମେରାଇନା ଅନେକ କଥା ଭାବିଗଲା । ଝଡ଼ରେ ଜାହାଜ ଟଳମଳ ହେଉଥିବ; ତାର ବାପା ଦୁଃଖରେ କାନ୍ଦୁଥିବେ; ନାବିକମାନେ ଚିତ୍କାର କରୁଥିବେ; ଆଉ ତାର ମାଆ ତାକୁ ଜନ୍ମଦେଇ କେଉଁ କୋଣରେ ଚିରଦିନ ପାଇଁ ଆଖି ବୁଜିଦେଇଥିବେ ।

 

ମେରାଇନା ଲିଓନିନ୍‌କୁ କହିଲା, ‘‘ଲିକୋରିଡା ମୋତେ କହୁଥିଲା ମୋର ବାପା ଭାରୀ ସାହାସୀ । ଝଡ଼ରେ ଜାହାଜ ଟଳମଳ ହେଉଥିଲା ବେଳେ ସେ ନାବିକମାନଙ୍କୁ ଉତ୍ସାହ ଦେଇ କହୁଥିଲେ, ‘ଭୟ ନାହିଁ, ଲାଗିପଡ଼, ଜାହାଜର କିଛି ହେବ ନାହିଁ ।’ ପୁଣି ନିଜ ହାତରେ ଦଉଡ଼ି ଧରି ଟାଣୁଥିଲେ, ପାଲ ବାନ୍ଧୁଥିଲେ ମାସ୍ତୁଲକୁ ଟେକି ଧରୁଥିଲେ । ଜାହାଜର ଡେକ୍ ଫାଟିଗଲାପରି ହେଉଥାଏ; ତେବେ ବି ତାଙ୍କର ଭୟ ନଥାଏ ।’’

 

ଲିଓନିନ୍‌ ପଚାରିଲେ, ‘‘ଏ କେଉଁ ଦିନର କଥା ?’’ ମେରାଇନା ଉତ୍ତର କଲା, ‘‘ମୁଁ ଯେଉଁଦିନ ଜନ୍ମ ହେଲି, ସେଦିନ ଏକ ଭୀଷଣ ଝଡ଼ ହୋଇଥିଲା । ଲିକୋରିଡା କହେ -ଝଡ଼ବେଳେ ନାବିକମାନେ କଅଣ କରିବେ ସ୍ଥିର କରି ପାରୁନଥିଲେ । କପ୍ତାନ ଖୁବ୍‌ ଚିତ୍କାର କରି ଆଦେଶ ଦେଉଥାନ୍ତି ; ମାତ୍ର ଗୋଳମାଳରେ କିଛି ଶୁଣାଯାଉ ନଥାଏ ।’’

 

ମେରାଇନା ଆହୁରି କେତେ କଥା କହିଯାଇଥାନ୍ତା । କିନ୍ତୁ ହଠାତ୍‌ ଲିଓନିନ୍ ବାଧା ଦେଇ କହିଲା, ’‘ଥାଉ, ଆଉ ଶୁଣିବା ଦରକାର ନାହିଁ । ତୋର ଶେଷ ମୁହୂର୍ତ୍ତ ଏବେ ଉପସ୍ଥିତ । ଈଶ୍ୱରଙ୍କୁ ପ୍ରାର୍ଥନା କରିବୁ ତ କର ।’’ ଲିଓନିନ୍‌ର ଏ ରୁକ୍ଷ ସ୍ୱରରେ ମେରାଇନା ଭୟ କରିଗଲା । ସେ ଥରି ଥରି ପଚାରିଲା, ‘‘ତୁମେ ଏ କଅଣ କହୁଛ ଲିଓନିନ୍ ?’’

 

ଲିଓନିନ୍‌ ଉତ୍ତର କଲା, ‘‘ମୋ କଥା କଅଣ ବୁଝିପାରୁନ ? ଯଦି ଇଚ୍ଛାଥାଏ, ଭଗବାନଙ୍କୁ ପ୍ରାର୍ଥନା କରିନିଅ । ଶୀଘ୍ର ସାରିଦେବ । ଈଶ୍ୱରଙ୍କର ପ୍ରାର୍ଥନା ଶୁଣିବାକୁ ଡେରି ହୁଏନା । ମୁଁ ଶପଥ କରି ଆସିଛି ଯେ ମୋର କାମ ଶୀଘ୍ର ଶେଷ କରି ଫେରିବି ।’’

 

ମେରାଇନା ଥରି କହିଲା, ‘‘ତେବେ ତୁମେ ମୋତେ ହତ୍ୟା କରିବ ? କିନ୍ତୁ କାହିଁକି ? ମୁଁ ତ ତୁମର କି ଅନ୍ୟ କାହାରି କିଛି ଅନିଷ୍ଟ କରିନାହିଁ ?’’

 

ଲିଓନିନ୍‌-ତା ସତ, କିନ୍ତୁ ମୁଁ ଯେଉଁ ଡାଇଓନିସିଆଙ୍କ ଅନ୍ନରେ ପ୍ରତିପାଳିତ, ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୋତେ ଏ କାର୍ଯ୍ୟ କରିବାକୁ ହେବ ।

 

ମେରାଇନା–ମୁଁ ତାଙ୍କର କି ଅନିଷ୍ଟ କରିଛି ଯେ ସେ ମୋର ମରଣ ଇଚ୍ଛା କରନ୍ତି ? ଜୀବନରେ କେବେହେଲେ ତାଙ୍କୁ କଷ୍ଟ ଦେଇଥିବାର ମନେ ପଡ଼ୁନାହିଁ; ଦିନେ ହେଲେ କାହାକୁ କୁବାକ୍ୟ କହିନାହିଁ । ତାଙ୍କର ତ ଦୂରର କଥା, ଗୋଟିଏ ସାମାନ୍ୟ ଜୀବର ମଧ୍ୟ କ୍ଷତି କରିନାହିଁ । ଗୋଟାଏ ମାଛି ସୁଦ୍ଧା କେବେ ମାରି ନାହିଁ । ଥରେ ଭୁଲରେ ଗୋଟାଏ ପିମ୍ପୁଡି ମୋ ପାଦତଳେ ଚିପି ହୋଇ ମରିଯାଇଥିଲା ବୋଲି କେତେ କାନ୍ଦିଛି । ମୁଁ କି ଦୋଷ କରିଛି ଯେ ମୋତେ ହତ୍ୟା କରିବ-?

 

ଲିଓନିନ୍-କାହିଁକି ହତ୍ୟା କରିବାକୁ ହେବ, ସେ ବିଷୟରେ ତର୍କ କରିବା ମୋର କାମ ନୁହେଁ, ହତ୍ୟା କରିବା ମୋର କାମ । ମୁଁ ସେତିକି ଆଦେଶ ପାଇଛି ।

 

ମେରାଇନାକୁ ହତ୍ୟା କରିବାକୁ ଲିଓନିନ୍‌ ଉଦ୍ୟତ ହେଉଛି, ଠିକ୍‌ ଏହି ସମୟରେ ଦଳେ ଜଳଦସ୍ୟୁ ସେଠାରେ ଉପସ୍ଥିତ ହେଲେ । ଲିଓନିନ୍‌ ଏମାନଙ୍କୁ ଦେଖି ପଳାଇଗଲା ଓ ଜଳଦସ୍ୟୁମାନେ ମେରାଇନାକୁ ନିଜ ଜାହାଜକୁ ନେଇଗଲେ ।

 

ଦସ୍ୟୁମାନଙ୍କର ଜାହାଜ ମିଟିଲେନ୍‌ ରାଜ୍ୟରେ ପହଞ୍ଚିଲା । ଦସ୍ୟୁମାନଙ୍କର ସର୍ଦାର ମେରାଇନାକୁ କ୍ରୀତଦାସୀରୂପେ ବିକ୍ରୟ କରି ପ୍ରଚୁର ଅର୍ଥ ପାଇଲା । ସାମାନ୍ୟ କ୍ରୀତଦାସୀ ହୋଇଥିଲେହେଁ ଅଳ୍ପକାଳ ମଧ୍ୟରେ ମେରାଇନାର ରୂପଗୁଣର କଥା ସମଗ୍ର ମିଟିଲେନ୍‌ ସହରରେ ବ୍ୟାପିଗଲା । ନୃତ୍ୟ, ଗୀତ, ବାଦ୍ୟ, ସୂଚୀକର୍ମ ପ୍ରଭୃତି ଶିକ୍ଷା ଦେଇ ସେ ଯଥେଷ୍ଟ ଅର୍ଥ ପାଉଥିଲା ଓ ତାହାଦ୍ୱାରା ତାର ପ୍ରଭୁ ଧନୀ ହୋଇଗଲା । କ୍ରମେ ମେରାଇନାର ପାଣ୍ଡିତ୍ୟ, ରୂପ ଓ କଳାନୈପୁଣ୍ୟ ବିଷୟ ମିଟିଲେନ୍ ଶାସନକର୍ତ୍ତା ଲିସିମେକସ୍‌ ଶୁଣିବାକୁ ପାଇଲେ । ଶେଷରେ ସେ ନିଜେ ମେରାଇନାକୁ ଦେଖିବାକୁ ଗଲେ । ସେ ମେରାଇନା ବିଷୟରେ ଯାହା ଣୁଣିଥିଲେ, ତାହା ଯେ ସତ୍ୟ ଏଥିରେ ତାଙ୍କର ସନ୍ଦେହ ରହିଲା ନାହିଁ । ମେରାଇନାର ଆଚାର-ବ୍ୟବହାର, ଭଦ୍ରୋଚିତ ଆଚରଣ ଓ ବିଚକ୍ଷଣ ବୁଦ୍ଧିରେ ସେ ମୁଗ୍‌ଧ ହୋଇଗଲେ । ବିଦାୟ ନେଲାବେଳେ ସେ ମେରାଇନାକୁ ଉପଦେଶ ଦେଇ କହିଲେ, ’‘ତୁମେ ଅଧ୍ୟବସାୟସହକାରେ ନିଜର ଉନ୍ନତି ପଥରେ ଚାଲିଥାଅ । ମୁଁ ସମ୍ୱାଦ ଦେଲେ ମୋ ପାଖକୁ ଯିବ । ସେଥିରେ ତୁମର ମଙ୍ଗଳ ଛଡ଼ା ଅମଙ୍ଗଳ ହେବନାହିଁ ।’’

 

ଲିସିମେକସ୍‌ ମେରାଇନାଙ୍କ ରୂପ ଓ ଗୁଣରେ ମୁଗ୍‌ଧ ହୋଇ ତାଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ । ତାଙ୍କର ଧାରଣା ହୋଇଥିଲା ଯେ ଇତର କୂଳରେ ଏପରି ରୂପ ଓ ଗୁଣ ସମ୍ଭବ ନୁହେଁ । କିନ୍ତୁ ତାହାର ପରିଚୟ ପଚାରିଲେ ସେ କିଛି ଉତ୍ତର ନ ଦେଇ କେବଳ କାନ୍ଦୁଥିଲା ।

 

ଏଣେ ଟାର୍ସସ୍‌ରେ ଲିଓନିନ୍‌ ଡାଇଓନିସିଆଙ୍କୁ ମିଛରେ କହିଥାଏ ଯେ ସେ ମେରାଇନାକୁ ହତ୍ୟା କରି ଦେଇଛି । ମେରାଇନାର ଅକାଳମୃତ୍ୟୁ ହୋଇଛି ବୋଲି ପ୍ରଚାର କରାଇ ଡାଇଓନିସିଆ ତାହା ଉଦ୍ଦେଶ୍ୟରେ ଏକ ସମାଧିମନ୍ଦିର ତୋଳେଇ ଦେଲେ । ଏହାର ଅଳ୍ପଦିନ ପରେ ପେରିକ୍ଳସ ଝିଅକୁ ଦେଖିବାପାଇଁ ବିଶ୍ୱସ୍ତ ମନ୍ତ୍ରୀ ହେଲେନେକସ୍‌ଙ୍କ ସହିତ ଟାର୍ସସ୍‌ରେ ଉପସ୍ଥିତ ହେଲେ । ଦୀର୍ଘକାଳ ପରେ ତାଙ୍କ ମାତୃହୀନା କନ୍ୟାକୁ ଦେଖିବେ ବୋଲି ପେରିକ୍ଳସ ଆଶା କରି ଆସିଥିଲେ; କିନ୍ତୁ ପହଞ୍ଚି ସମ୍ୱାଦ ପାଇଲେ ଯେ କନ୍ୟାର ମୃତ୍ୟୁ ହୋଇଅଛି । କ୍ଳିଅନ ଓ ତାଙ୍କ ପତ୍ନୀ ମେରାଇନାର ସମାଧିମନ୍ଦିର ଦେଖାଇଦେଲେ; କିନ୍ତୁ ତାହା ଦେଖି ପେରିକ୍ଳସଙ୍କର ଦୁଃଖ ବଢ଼ିଲା ମାତ୍ର । ସେ ଆଉ ଟାର୍ସସ୍‌ରେ ନ ରହି ସଙ୍ଗେ ସଙ୍ଗେ ଦେଶକୁ ଫେରିବାପାଇଁ ଜାହାଜରେ ବସିଲେ ।

 

ପତ୍ନୀର ମୃତ୍ୟୁ ହୋଇଥିଲା; ଏବେ କନ୍ୟାର ମୃତ୍ୟୁ ସମ୍ୱାଦରେ ପେରିକ୍ଳସ ଏତେ କାତର ହୋଇପଡ଼ିଲେ ଯେ ତାଙ୍କର ଆଉ ବାହ୍ୟଜ୍ଞାନ ରହିଲା ନାହିଁ । ତାଙ୍କ ଚାରିପାଖେ କଅଣ ହେଉଛି, ସେ ଜାଣିପାରିଲେ ନାହିଁ । କୌଣସି ପ୍ରଶ୍ନ ପଚାରିଲେ କିଛି ଉତ୍ତର ମିଳିଲା ନାହିଁ–ସତେ ଯେପରି ଜଡ଼, ମୂକ ଓ ନିର୍ବୋଧ ।

 

ଟାର୍ସସରୁ ଟାୟାର୍‌କୁ ଜାହାଜରେ ଯିବାକୁ ହେଲେ ବାଟରେ ମିଟିଲେନ୍‌ ପାଖ ଦେଇ ଯିବାକୁ ହୁଏ । ଦିନେ ଲିସିମେକସ୍‌ ସମୁଦ୍ରକୂଳରେ ଭ୍ରମଣ କରୁଥିବାବେଳେ ସମୁଦ୍ରରେ ଗୋଟିଏ ଜାହାଜ ଯାଉଥିବାର ଦେଖିପାରିଲେ । ଜାହାଜର ସାଜସଜ୍ଜାରୁ ଜଣାପଡ଼ୁଥିଲା ଯେ ବୋଧହୁଏ ସେଥିରେ କୌଣସି ରାଜା ଯାଉଛନ୍ତି । କୌତୁହଳବଶତଃ ସେ ଗୋଟିଏ ନୌକାରେ ବସି ଜାହାଜ ନିକଟରେ ପହଞ୍ଚିଲେ । ହେଲିନେକସ୍‌ ତାଙ୍କୁ ଅଭ୍ୟର୍ଥନା ଜଣାଇ ଉପରକୁ ନେଇଗଲେ । ତାଙ୍କଠାରୁ ଲିସିମେକସ୍‌ ଜାଣିପାରିଲେ, ରାଜା ପେରିକ୍ଳସ ଜାହାଜରେ ନିଜ ରାଜ୍ୟ ଟାୟାରକୁ ଯାଉଅଛନ୍ତି; କିନ୍ତୁ ପ୍ରିୟତମା ପତ୍ନୀ ଓ କନ୍ୟାର ମୃତ୍ୟୁରେ ମୂକ ଓ ଅଥର୍ବ ପାଲଟି ଯାଇଅଛନ୍ତି । ଲିସିମେକସ୍‌ ପେରିକ୍ଳସଙ୍କୁ ଦେଖି ସେ ଦିନ ସୁପୁରୁଷ ଥିଲେ ବୋଲି ଜାଣିପାରିଲେ । କିନ୍ତୁ ଶତ ଚେଷ୍ଟା ସତ୍ତ୍ୱେ ତାଙ୍କ ମୁହଁରୁ ପଦେହେଲେ କଥା ବାହାରିଲା ନାହିଁ ।

 

ଲିସିମେକସ୍‌ ବିଚାରିଲେ-ମେରାଇନା ନାନା କୌଶଳ ଜାଣେ । ସେ ଚେଷ୍ଟା କଲେ ରାଜା ପେରିକ୍ଳସଙ୍କର ମନକଷ୍ଟ ଦୂର କରିପାରିବ ଓ ସେ ଭଲ ହୋଇଯିବେ । ହେଲିନେକସ୍‌ଙ୍କ ସଙ୍ଗେ ପରାମର୍ଶ କରି ସେ ମେରାଇନାକୁ ସେହି ଜାହାଜକୁ ଡକାଇ ଆଣିଲେ । ତାହାକୁ ଦେଖିଲାମାତ୍ରେ ଜାହାଜରେ ନାବିକ ଓ କର୍ମଚାରୀମାନେ ତାହାର ଉଚ୍ଚ ପ୍ରଶଂସା କଲେ ଓ ସତେ ଯେପରି ସେ ରାଜଜେମା, ସେହିପରି ସମ୍ମାନ ଦେଖାଇଲେ । ଲିସିମେକସ୍‌ ଏଥିରେ ସନ୍ତୋଷ ପ୍ରକାଶ କରି ସେମାନଙ୍କୁ କହିଲେ, ‘‘ବାସ୍ତବରେ ମେରାଇନାର ବ୍ୟବହାର ରାଜକନ୍ୟାଭଳି । ଗୁଣରେ ସେ ଅଦ୍ୱିତୀୟା । ଯଦି ଉଚ୍ଚକୂଳରେ ତାର ଜନ୍ମ ବୋଲି ଜଣାପଡ଼ନ୍ତା, ତାକୁ ବିବାହ କରି ମୁଁ ସୁଖୀ ହୋଇପାରନ୍ତି ।’’ ମେରାଇନାକୁ ମଧ୍ୟ ସମ୍ମାନ ଦେଖାଇ ସେ କହିଲେ, ’‘ଭଦ୍ରେ, ସମଗ୍ର ମିଟିଲନରେ ଆପଣଙ୍କର ଯଶଃ ବ୍ୟାପିଯାଇଛି । ବୁଦ୍ଧି ଓ କୌଶଳରେ ଆପଣ ଅସାଧ୍ୟ ସାଧନ କରିପାରନ୍ତି । ଅବସ୍ଥାଚକ୍ରରେ ପଡ଼ି ଆମେ ଆପଣଙ୍କର ସାହାଯ୍ୟ ଚାହୁଁ । ଏହି ଜାହାଜରେ ଜଣେ ମହାରାଜା ଅଛନ୍ତି; କିନ୍ତୁ କେତେଦିନ ହେଲା ସେ ମୂକ ପାଲଟିଯାଇଛନ୍ତି । କାହାରି କଥା ବୁଝି ପାରୁନାହାନ୍ତି । ନିଜର ଦେହପ୍ରତି ତାଙ୍କର ଆଦୌ ଯତ୍ନ ନାହିଁ । ଯଦି ଆପଣ ନିଜର ଅଭୂତ ଶକ୍ତିବଳରେ ତାଙ୍କର ବିଷାଦ ଦୂରକରି ତାଙ୍କୁ ଭଲ କରିପାରନ୍ତି, ତେବେ ଆମେମାନେ ଆପଣଙ୍କଠାରେ ଚିରଋଣୀ ହୋଇ ରହିବୁ ।’’ ମେରାଇନା ଧୀର ମଧୁର ଭାଷାରେ ଉତ୍ତର କଲା, ‘‘ମୋତେ କିଛି ସମୟ ପାଇଁ ରାଜାଙ୍କ ପାଖରେ ଛାଡ଼ି ଦିଅନ୍ତୁ । ସେଠାରେ ମୋର ଦାସୀ ଛଡ଼ା ଆଉ କେହି ମୋ ପାଖରେ ରହିବେ ନାହିଁ । ରାଜାଙ୍କୁ ଆରୋଗ୍ୟ କରିବା ପାଇଁ ମୁଁ ଯଥାଶକ୍ତି ଚେଷ୍ଟା କରିବି । ମୋ ଉଦ୍ୟମରେ ଆପଣମାନଙ୍କର ଉଦ୍ଦେଶ୍ୟ ସଫଳ ହେଲେ ମୁଁ ନିଜକୁ ଧନ୍ୟ ମନେ କରିବି ।’’

 

ମେରାଇନା ଓ ତାର ଦାସୀ ପେରିକ୍ଳସଙ୍କ ନିକଟରେ ରହିଲେ । ଅନ୍ୟମାନେ ସେହି କୋଠରୀରୁ ବାହାରିଗଲେ ।

 

ମେରାଇନା ରାଜକନ୍ୟା ହେଲେହେଁ ବର୍ତ୍ତମାନ ସମାନ୍ୟ କ୍ରୀତଦାସୀ । ତା ଭାଗ୍ୟରେ ନାନା ପରିବର୍ତ୍ତନ ଘଟିଯାଇଥିଲା । ତେଣୁ ସେ ମିଟିଲେନ୍‌ରେ କାହାରି ପାଖେ ନିଜର ପରିଚୟ ଦେଇ ନ ଥିଲା । ଏହି ବିଷାଦଗ୍ରସ୍ତ ରାଜା ଯେ ତାହାର ପିତା ପେରିକ୍ଳସ, ତାହା ମଧ୍ୟ ସେ ଜାଣି ନଥିଲା । କିନ୍ତୁ ସେ ଭାବିଲା-କୌଣସି ଲୋକ ଘୋର ବିପଦରେ ପଡ଼ି ବିଷାଦଗ୍ରସ୍ତ ହୋଇଥିଲେ, ତାହା ପାଖରେ ଅନ୍ୟର ବିପଦ ବର୍ଣ୍ଣନା କଲେ ସେ ନିଜର ବିପଦକୁ ଲଘୁ ମନେ କରେ ଓ ତାର ବିଷାଦ ଦୂର ହୋଇପାରେ । ଏହିପରି ବିଚାରି ସେ ପେରିକ୍ଳସଙ୍କ ଆଗରେ ନିଜ ଜୀବନର ବିଷାଦକାହାଣୀ କହି ଚାଲିଲା । ତାର ମଧୁର କୋମଳ କଣ୍ଠ ଶବ୍ଦରେ ରାଜା ଚମକି ଉଠି ଆଖି ମେଲିଲେ ଓ ମେରାଇନା ଆଡ଼କୁ ଚାହିଁଲେ । ସେ ଦେଖିଲେ ତାଙ୍କ ଆଗରେ ଯେଉଁ ଯୁବତୀଟି ବସି ନିଜ ଜୀବନର ଦୁଃଖ ବର୍ଣ୍ଣନା କରୁଛି, ସେ ଦେଖିବାକୁ ଠିକ୍‌ ତାଙ୍କ ମୃତ ପତ୍ନୀ ଥଇସାଙ୍କ ପରି । ସେ ସତେ ଅବା ଦର୍ପଣରେ ଥଇସାଙ୍କର ପ୍ରତିବିମ୍ବ ଦେଖୁଛନ୍ତି । ଆଜିଯାଏ ତାଙ୍କ ତୁଣ୍ଡରୁ ପଦେ ହେଲେ କଥା ବାହାରି ନଥିଲା । ଏବେ ତାଙ୍କର ଚିନ୍ତାଶକ୍ତି ଫେରିଆସିଲା । ସେ କହିଉଠିଲେ, ‘‘ହାୟ ! ମୋର ପତ୍ନୀ ଦେଖିବାକୁ ଠିକ୍‌ ତୋରି ପରି ଥିଲେ । ଆଉ ମୋ ଝିଅଟି ବଞ୍ଚିଥିଲେ ଠିକ୍‌ ତୋରି ପରି ଦିଶୁଥାନ୍ତା । ଥଇସାର ଭ୍ରୂଲତା ଯୋଡ଼ିକ ଠିକ୍‌ ଏହିପରି ଦୀର୍ଘ ଥିଲା । ତୋଠାରେ ମୁଁ ତାହାରି ସ୍ୱର ଶୁଣିପାରୁଛି । ତୋର ଆଖିଯୋଡ଼ିକ ମଧ୍ୟ ତାରିପରି ଉଜ୍ଜ୍ୱଳ । ମାଆ, ତୋ ଘର କେଉଁଠି ? ତୁ କହିଲୁ ପରା ଜୀବନରେ ବହୁତ ଦୁଃଖ ଭୋଗିଛୁ ? ମୋ ଦୁଃଖଠାରୁ ତୋର ଦୁଃଖ ଆହୁରି ବେଶି ବୋଲି କହିଲୁ ?’’

 

ମେରାଇନା ଉତ୍ତର କଲା,–‘‘ହଁ, ସେହିପରି କିଛି କହିଥିଲି । ମୋ ମନକୁ ଯାହା ଆସିଥିଲା, ତାହା କହି ଦେଇଥିଲି ।’’

 

ନିଜର ଦୁଃଖ ବିଶଦଭାବରେ ବର୍ଣ୍ଣନା କରିବାପାଇଁ ଅନୁରୋଧ କରି ପେରିକ୍ଳସ ମେରାଇନାକୁ କହିଲେ, ‘‘ମାଆ, ତୁ କି ଦୁଃଖ ଭୋଗିଛୁ କହିଯା । ମାତ୍ର ମୁଁ ଯେଉଁ ଦୁଃଖ ଅଙ୍ଗେ ଲିଭେଇଛି, ତୁ ତାର ହଜାର ଭାଗରୁ ଭାଗେ ମଧ୍ୟ ଭୋଗିଥିଲେ, ମୁଁ କହିବି ଯେ ତୁ ଝିଅ ହେଲେହେଁ ବୀରପୁରୁଷ, ଆଉ ମୁଁ ପୁରୁଷ ହେଲେହେଁ ନାରୀପରି ଦୁର୍ବଳ । ମୁଁ ଦେଖୁଛି, ତୁ ସାକ୍ଷାତ୍‌ ସହିଷ୍ଣୁ ତାର ପ୍ରତିମୂର୍ତ୍ତି । ଯେଡ଼େ ବିପଦ ଆସିଲେ ବି ତାକୁ ହସରେ ଉଡ଼େଇଦେବୁ । କହ ମାଆ, ତୋର ଜୀବନକାହାଣୀ ମୋତେ କହ । ମୋ ପାଖକୁ ଆ ।’’

 

ମେରାଇନା ଯେତେବେଳେ ତାର ନାଁଟି କହିଲା, ସେତେବେଳେ ପେରିକ୍ଳସ ବିସ୍ମୟରେ ଚମକି ପଡ଼ିଲେ । ଏ ଗୋଟିଏ ସାଧାରଣ ନାମ ନୁହେଁ । ଏ ନାଁଟି ପେରିକ୍ଳସ ନିଜେ ସୃଷ୍ଟି କରିଥିଲେ-। ଏହାର ଅର୍ଥ ହେଉଛି, ‘ସମୁଦ୍ରରେ ଜନ୍ମ’ । ଶିଶୁଟି ସମୁଦ୍ରରେ ଜନ୍ମିଥିବାରୁ ସେ ତାର ନାମ ଦେଇଥିଲେ ମେରାଇନା । ସେ କହିଲେ, ‘‘ଓହୋ ମୁଁ ଦେଖୁଛି, କେଉଁ ଦେବତା ମୋତେ ଦଣ୍ଡ ଦେବାପାଇଁ ତୋତେ ଏଠାକୁ ପଠାଇଛନ୍ତି । ଦୁନିଆଁଯାକ ମୋତେ ଉପହାସ କରିବେ ।’’ ମେରାଇନା କହିଲା, ‘‘ଆପଣ ଏପରି ଅସ୍ଥିର ହେଲେ କଅଣ କହିବି ? ଆପଣ ଟିକିଏ ଧୈର୍ଯ୍ୟ ଧରି ଶୁଣନ୍ତୁ; ତା ନହେଲେ ମୁଁ ଆଉ କିଛି କହିବି ନାହିଁ ।’’ ପେରିକ୍ଳସ ଏଭଳି ଅଭିମାନିଆ କଥା ଶୁଣି କହିଲେ, ‘‘ନାଇଁ ମାଆ, ତୋ କଥା ନଶୁଣି ଆଉ କଅଣ ଶୁଣିବି ? ତେବେ ତୋ ନାଁ ମେରାଇନା ବୋଲି ଶୁଣିଲା ମାତ୍ରେ ମୁଁ କାହିଁକି ଆଶ୍ଚର୍ଯ୍ୟ ହୋଇଗଲି, ସେ କଥା ତୁ ବୁଝିବୁ କାହୁଁ ? ମୁଁ ନିଶ୍ଚୟ ଶୁଣିବି, ତୁ କହି ଯା ।’’

 

ମେରାଇନା କହିବାକୁ ଲାଗିଲା- ‘‘ଯିଏ ମୋତେ ଏ ନାଁଟି ଦେଇଥିଲେ, ତାଙ୍କର କ୍ଷମତା ଥିଲା; ସେ ଥିଲେ ଗୋଟାଏ ରାଜ୍ୟର ରାଜା ।’’ ପେରିକ୍ଳସ କହିଉଠିଲେ, ‘ତେବେ ତୁ ରଜାଘର ଝିଅ, ଆଉ ତୋର ନାଁ ହେଉଛି ମେରାଇନା ? ତୁ ସ୍ୱର୍ଗର ଅପସରା ନୋହୁଁ ? କିନ୍ତୁ ମୁଁ ଦେଖୁଛି, ତୋର ରକ୍ତମାଂସର ଦେହ ଅଛି । କହିଲୁ ଦେଖି, କେଉଁଠି ତୋର ଜନ୍ମ ହୋଇଥିଲା ?

 

ମେରାଇନା ଉତ୍ତର କଲା-‘‘ସମୁଦ୍ରମଝିରେ ମୋର ଜନ୍ମ ହୋଇଥିଲା । ସେଥିପାଇଁ ମୋତେ ‘ମେରାଇନା’ ନାଁ ଦିଆଯାଇଥିଲା । ମୋର ମାଆ ମଧ୍ୟ ଥିଲେ ଏକ ରାଜାଙ୍କର ଝିଅ । ମୋର ଜନ୍ମ ସଙ୍ଗେ ସଙ୍ଗେ ସେ ପ୍ରାଣ ହରାଇଲେ । ମୋର ଧାଈମା’ର ନାମ ହେଉଛି ଲିକୋରିଡ଼ା । ସେ ଜୀଇଥିଲାବେଳେ କାନ୍ଦି କାନ୍ଦି ମୋତେ ଏସବୁକଥା କହୁଥିଲା । ମୋର ବାପା ମୋତେ ଟାର୍ସସରେ ଛାଡ଼ି ଯାଇଥିଲେ । ମାତ୍ର ମୁଁ ଟିକିଏ ବଡ଼ ହେଲା ପରେ ରାଜା କ୍ଳିଅନଙ୍କ ଦୁଷ୍ଟା ସ୍ତ୍ରୀ ମୋତେ ହତ୍ୟା କରାଇବାକୁ ଚେଷ୍ଟା କରିଥିଲେ; କିନ୍ତୁ ଦଳେ ଜଳଦସ୍ୟୁ ମୋତେ ମରଣମୁହଁରୁ ରକ୍ଷାକରି ମିଟିଲେନ୍‌କୁ ନେଇଆସିଲେ । ହୁଏତ ମୁଁ ଏତେ କଥା ମିଛରେ ଫାନ୍ଦି କରି କହୁଛି । ତେଣୁ ମୋର ବାପାଙ୍କ ନାମ କହୁଛି । ତାଙ୍କର ନାମ ହେଉଛି ରାଜା ପେରିକ୍ଳସ; ମାତ୍ର ସେ ବଞ୍ଚିଛନ୍ତି କି ନା ଜାଣିନାହିଁ ।’’ ଏହା ଶୁଣିଲାକ୍ଷଣି ପେରିକ୍ଳସଙ୍କର ଆନନ୍ଦ ଏତେ ବେଶି ହେଲା ଯେ ସେ ଚାକରମାନଙ୍କୁ ଉଚ୍ଚସ୍ୱରରେ ଡାକ ପକାଇଲେ । ତା ସଙ୍ଗେ ସଙ୍ଗେ ମେରାଇନାଙ୍କ କଥାରେ ପୂରା ବିଶ୍ୱାସ ଆସୁଥାଏ । ଚାକରମାନେ ମୂକ ରାଜାଙ୍କର ପାଟିରୁ ଏଭଳି ଡାକ ଶୁଣି ଆନନ୍ଦରେ ଦୌଡ଼ି ଆସିଲେ । ରାଜା ହେଲିନେକସ୍‌ଙ୍କୁ କହିଲେ, ‘‘ହେଲିନେକସ୍‌, ଓଃ କି ଆନନ୍ଦର କଥା ! ମୋତେ ଧର, ଏ ଆନନ୍ଦରେ ମୁଁ ଥୟ ଧରି ରହିପାରୁନି । ଆନନ୍ଦରେ ମୋ ପ୍ରାଣ ଛାଡ଼ିଯିବ ବୋଲି ଭୟ ହେଉଛି । ମୋ ମାଆ, ମେରାଇନା, ଆହୁରି ମୋ ପାଖକୁ ଆ ! ତୁଇ ସମୁଦ୍ରରେ ଜନ୍ମ ହୋଇଥିଲୁ । ଟାର୍ସସରେ ତୋର ସମାଧି ଦିଆହୋଇଥିଲା । ପୁଣି ସେହି ସମୁଦ୍ରରେ ଆଜି ତୋତେ ପାଇଛି ।’’ ପେରିକ୍ଳସ ଜାନୁପାତ କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଇ କହିଲେ, ‘‘ଏଇ ହେଉଛି ମୋର ଝିଅ ମେରାଇନା ! ଈଶ୍ୱର ତୋତେ ଆଶୀର୍ବାଦ କରନ୍ତୁ । ହେଲିନେକସ୍‌, ତୁମେ ମୋର ମହାନ୍‌ ଉପକାର କରିଛ । ମୋତେ ଭଲ ପୋଷାକ ଦିଅ । ଡାଇଓନିସିଆ ତାର ମରଣ ଚାହିଁଥିଲା, କିନ୍ତୁ ସେ ମରିନାହିଁ । ତୁମେମାନେ ତୁମର ରାଜଜେମାଙ୍କ ପାଖେ ଜାନୁ ପାତି ସମ୍ମାନ କର । ତା ନିଜ ମୁହଁରୁ ଶୁଣିଲେ ସବୁ ଜାଣିପାରିବ ।’’ ତାପରେ ଲିସିମେକସଙ୍କ ଉପରେ ଦୃଷ୍ଟି ପଡ଼ିବାରୁ କହିଲେ, ‘‘ଏ କିଏ-?’’ ହେଲିନେକସ୍‌ ଉତ୍ତର କଲେ, ‘‘ଏ ମହାଶୟ ହେଉଛନ୍ତି ମିଟିଲେନର ଶାସନକର୍ତ୍ତା ଲିସିମେକସ-। ସେ ଆପଣଙ୍କ ରୋଗର ସମ୍ବାଦ ପାଇ ଆପଣଙ୍କୁ ଦେଖିବାକୁ ଆସିଥିଲେ ।’’ ପେରିକ୍ଳସ ଲିସିମେକସଙ୍କୁ ଆଲିଙ୍ଗନ କରିବାକୁ ଉଠିପଡ଼ି କହିଲେ, ‘‘ହେଲିନେକସ୍‌, ମୋର ପୋଷାକ ଦିଅ । ଆଃ କି ସୁନ୍ଦର ସଙ୍ଗୀତ ଶୁଣାଯାଉଛି ! ଏପରି ମଧୁର ସଙ୍ଗୀତ କେବେ ଶୁଣି ନଥିଲି ।’’ ଲିସିମେକସ କୌଣସି ସଙ୍ଗୀତଧ୍ୱନି ଶୁଣିପାରୁନଥିଲେ । ତେଣୁ ସେ ପ୍ରଥମେ କହିଲେ ଯେ ସେପରି କିଛି ଶବ୍ଦ ଶୁଣାଯାଉନାହଁ । ଆନନ୍ଦର ଆତିଶଯ୍ୟରେ ପେରିକ୍ଳସ ବିଚାରଶକ୍ତି ହରାଉଅଛନ୍ତି ବୋଲି ତାଙ୍କର ଧାରଣା ହେଲା । ତେଣୁ ସେ ରାଜାଙ୍କ କଥାର ପ୍ରତିବାଦ କରିବାକୁ ଉଚିତ ମନେ କଲେ ନାହିଁ । ପେରିକ୍ଳସଙ୍କୁ ଟିକିଏ ତନ୍ଦ୍ରା ଆସୁଥିଲା; ତେଣୁ ତାଙ୍କୁ ଗୋଟିଏ ଶଯ୍ୟାରେ ଶୁଆଇ ଦିଆଗଲା । ମେରାଇନା ତାଙ୍କ ଶଯ୍ୟା ପାଖରେ ଜଗି ରହିଲେ ।

 

ଶୋଇଥିବା ଅବସ୍ଥାରେ ପେରିକ୍ଳସ ଗୋଟିଏ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଡାଏନାଦେବୀ ଦେଖାଦେଇ ତାଙ୍କୁ କହିଲେ, ‘‘ପେରିକ୍ଳସ, ତୁ ଏଫିସସ୍‌କୁ ଯାଇ ମୋ ମନ୍ଦିରରେ ତୋର ଜୀବନର ସମସ୍ତ କଥା ପ୍ରକାଶ କର । ତାହାହେଲେ ତୋର ସୌଭାଗ୍ୟ ହେବ, ଏଥିରେ ସନ୍ଦେହ ନାହିଁ । ନିଦ୍ରାରୁ ଉଠିଲା ପରେ ରାଜା ସମସ୍ତଙ୍କୁ ଏହି ସ୍ୱପ୍ନ ବିଷୟରେ କହିଲେ । ଡାଏନା ଦେବୀଙ୍କ ମନ୍ଦିରକୁ ଯିବା ସ୍ଥିର ହେଲା ।

 

ଲିସିମେକସ୍‌ଙ୍କ ଅନୁରୋଧରେ ରାଜା ପେରିକ୍ଳସ ମିଟିଲେନ୍‌ରେ ଓହ୍ଳାଇ ଦିନେ ଦୁଇଦିନ ରହିବାକୁ ସ୍ୱୀକୃତ ହେଲେ । ଲିସିମେକସ୍‌ ରାଜାଙ୍କୁ ଯଥୋଚିତ ସମ୍ୱର୍ଦ୍ଧନା କରି ଆନନ୍ଦ ଉତ୍ସବର ବ୍ୟବସ୍ଥା କଲେ । ମେରାଇନାଙ୍କ ଦୁରବସ୍ଥା ସମୟରେ, ନୀଚ କ୍ରୀତଦାସୀ ଅବସ୍ଥାରେ ମଧ୍ୟ ଲିସିମେକସ୍‌ ତାଙ୍କୁ ସମ୍ମାନ କରୁଥିଲେ ବୋଲି ଜାଣିପାରି ପେରିକ୍ଳସ ଶାସନକର୍ତ୍ତାଙ୍କୁ ଆହୁରି ଆଦର କଲେ । ସେ ମେରାଇନାଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କରିବାରୁ ପେରିକ୍ଳସ ଆନନ୍ଦରେ ସେଥିରେ ସ୍ୱୀକୃତ ହେଲେ । ମେରାଇନାର ମଧ୍ୟ ଏହି ପ୍ରସ୍ତାବରେ ଆପତ୍ତି ନଥିଲା; କିନ୍ତୁ କଥା ହେଲା ଯେ ଡାଏନାଦେବୀଙ୍କ ଦର୍ଶନ ପରେ ବିବାହ ହେବ ।

 

ଲିସିମେକସ୍‌ ଓ ମେରାଇନାକୁ ସଙ୍ଗରେ ନେଇ ପେରିକ୍ଳସ ଏଫିସସ୍‌କୁ ଜାହାଜରେ ଯାତ୍ରାକଲେ । ଦେବୀଙ୍କ କୃପାରୁ ସମୁଦ୍ରରେ କୌଣସି ବିପତ୍ତି ଘଟିଲା ନାହିଁ । କେତେକ ସପ୍ତାହ ମଧ୍ୟରେ ସେମାନେ ଏଫିସସ୍‌ରେ ପହଞ୍ଚିଲେ ।

 

ପେରିକ୍ଳସ ତାଙ୍କ ଲୋକମାନଙ୍କ ସହିତ ଡାଏନା ଦେବୀଙ୍କ ମନ୍ଦିରେ ପ୍ରବେଶ କରି ସେରିମନ ଓ ସନ୍ନ୍ୟାସିନୀ ଥଇସାଙ୍କୁ ଦେଖି ପାରିଲେ; କିନ୍ତୁ ସେ ସେମାନଙ୍କୁ ଚିହ୍ନି ନଥିଲେ । ଏହି ସେରିମନ ହିଁ ଥଇସାଙ୍କୁ ଚିକିତ୍ସା କରି ପୁନର୍ଜୀବନ ଦେଇଥିଲେ । ଏବେ ସେ ଅତ୍ୟନ୍ତ ବୃଦ୍ଧ ହୋଇଯାଇଥିଲେ । ଥଇସାଙ୍କୁ ହରାଇ ପେରିକ୍ଳସ ଏତେବର୍ଷ ହେଲେ ଦୁଃଖ ଭୋଗି ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଥିଲେ । ତଥାପି ଥଇସା ତାଙ୍କ ଚେହେରା ଓ ତାଙ୍କର କଣ୍ଠସ୍ୱରରୁ ତାଙ୍କୁ ଚିହ୍ନି ପାରିଥିଲେ-। ଏଥିରେ ତାଙ୍କର ହୃଦୟରେ ଯେତିକି ବିସ୍ମୟ ଜାତ ହୋଇଥିଲା, ସେତିକି ଆନନ୍ଦ ମଧ୍ୟ ହୋଇଥିଲା-। ଦେବୀଙ୍କ ସିଂହାସନ ଆଗରେ ଠିଆହୋଇ ପେରିକ୍ଳସ କହିଲେ, ‘‘ହେ ଦେବୀ, ତୁମରି ସ୍ୱପ୍ନାଦେଶ ପାଳନ କରି ମୁଁ ତୁମ ଆଗରେ ମୋର ଜୀବନର ସବୁ ଘଟନା ସର୍ବସମକ୍ଷରେ ପ୍ରକାଶ କରୁଛି । ମୁଁ ହେଉଛି ଟାୟାରର ରାଜା ପେରିକ୍ଳସ । ସମ୍ରାଟ୍‌ଙ୍କ ଭୟରେ ମୁଁ ରାଜ୍ୟରୁ ପଳାଇଯାଇ ପେଣ୍ଟିଗଲିସର ରାଜକନ୍ୟା ଥାଇସଙ୍କୁ ବିବାହ କରିଥିଲି । ସେଠାରୁ ଆସିଲାବେଳେ ଜାହାଜରେ ଥଇସା ଗୋଟିଏ କନ୍ୟା ପ୍ରସବ କରି ପ୍ରାଣତ୍ୟାଗ କଲେ । ଶିଶୁଟିର ଲାଳନପାଳନ ପାଇଁ ମୁଁ ତାହାକୁ ଟାର୍ସସର ଶାସନକର୍ତ୍ତାଙ୍କ ପାଖେ ଛାଡ଼ିଥିଲି । ତାକୁ ଚଉଦବର୍ଷ ହେବାବେଳକୁ ଶାସନକର୍ତ୍ତାଙ୍କ ସ୍ତ୍ରୀ ଡାଇଓନିସିଆ ତାକୁ ମାରିଦେବାକୁ ଚେଷ୍ଟା କରିଥିଲେ; ମାତ୍ର ଭାଗ୍ୟକ୍ରମେ ସେ ମରଣମୁଖରୁ ରକ୍ଷାପାଇ ମିଟିଲେନ୍‌ ରହିଥିଲା । ମୁଁ ମିଟିଲେନ୍‌ କୂଳରେ ସମୁଦ୍ରରେ ଯାଉଥିବା ସମୟରେ ତାକୁ ମୋ ଜାହାଜକୁ ଅଣାଗଲା । ସେ ଯେ ମୋରି କନ୍ୟା, ତାହା ମୁଁ ଜାଣିପାରିଲି ।’’

 

ଏସବୁ ଣୁଣି ସନ୍ନ୍ୟାସିନୀ ଥଇସା ଆନନ୍ଦରେ ଅଧୀର ହୋଇ କହିଲେ, ‘‘ତେବେ ତୁମେ-ହେଉଛ ରାଜା ପେରିକ୍ଳସ ?’’ ଏତିକି କହୁଁ କହୁଁ ତାଙ୍କର ଚେତା ବୁଡ଼ିଗଲା । ପେରିକ୍ଳସ କିଛି ବୁଝି ନପାରି କହିଲେ, ‘‘ଏ ସନ୍ନ୍ୟାସିନୀ କଅଣ କହୁଛନ୍ତି ? ତାଙ୍କର କଅଣ ହେଲା ? ତାଙ୍କୁ ସାହାଯ୍ୟ କର ।’’ ଏହି ସମୟରେ ସେରିମନ କହିଲେ, ’‘ମହାଭାଗ, ଆଜି ଡାଏନା ଦେବୀଙ୍କ ସମକ୍ଷରେ ଆପଣ ଯାହା କହିଲେ ତାହା ଯଦି ସତ୍ୟ ହୋଇଥାଏ, ତେବେ ମୁଁ କହିପାରେ ଯେ ଏହି ସନ୍ନ୍ୟାସିନୀ ହେଉଛିନ୍ତି ଆପଣ ଧର୍ମପତ୍ନୀ ।’’ ପେରିକ୍ଳସ ଏହା ଶୁଣି କହିଲେ, ‘‘ତାହା କିପରି ସମ୍ଭବ ହୋଇପାରେ ? ମୁଁ ନିଜ ହାତରେ ତାଙ୍କ ଶବକୁ ଗୋଟିଏ ବାକ୍‌ସରେ ପୁରାଇ ସମୁଦ୍ରରେ ଫୋପାଡ଼ିଦେଇଛି ।’’

 

ସେରିମନ କିପରି ସେହି ବାକ୍‌ସକୁ ପାଇ ସେଥିରୁ ଥଇସାଙ୍କୁ ଉଦ୍ଧାର କରି ଚିକିତ୍ସାଦ୍ୱାରା ନୂତନ ଜୀବନ ଦେଇଥିଲେ, ପରେ ସେ କିପରି ସନ୍ନ୍ୟାସିନୀରୂପେ ଡାଏନା ଦେବୀଙ୍କ ସେବାପୂଜାରେ ନିଯୁକ୍ତ ରହିଥିଲେ ତାହା ବର୍ଣ୍ଣନା କରିଗଲେ ।

 

ଥଇସା ଚେତନା ଲାଭ କରି କହିଲେ, ‘‘ଠିକ୍‌ ପେରିକ୍ଳସଙ୍କ ପରି ତୁମର ଚେହେରା, ତାଙ୍କରି ପରି ତୁମର ସ୍ୱର । ତୁମର କଥା ଠିକ୍‌ ତାଙ୍କରି ପରି । ତୁମେ କଅଣ ପେରିକ୍ଳସ ନୁହଁ ?’’ ଥଇସାଙ୍କର ସ୍ୱର ବାରି ପେରିକ୍ଳସ କହିଲେ, ‘‘ଏ କଅଣ ? ଏ ଯେ ମୋର ମୃତ ପତ୍ନୀ ଥଇସାର କଣ୍ଠସ୍ୱର ?’’

 

ଥଇସା କହିଉଠିଲେ–‘‘ହଁ ମୁଁ ସେହି ଥଇସା, ଯାହାକୁ ମୃତ ମନେକରି ସମୁଦ୍ରରେ ଫିଙ୍ଗି ଦିଆଯାଇଥିଲା । ଆଉ ତୁମ ଆଙ୍ଗୁଳିରେ ଯେଉଁ ମୁଦିଟା ଦେଖୁଛ, ସେଇଟି ମୋର ପିତା ତୁମକୁ ଦେଇଥିଲେ ।’’

 

ରାଜା ପେରିକ୍ଳସ ଓ ତାଙ୍କ ରାଣୀ ଥଇସାଙ୍କର ପୁନର୍ମିଳନ ହେଲା । ରାଜା ମେରାଇନାକୁ ଆଣି ରାଣୀ ସଙ୍ଗେ ପରିଚୟ କରାଇଦେଲେ । ନିଜ କନ୍ୟାକୁ ଏତେ କାଳ ପରେ ଫେରିପାଇ ତାଙ୍କର ହୃଦୟ ଆନନ୍ଦରେ ପୂରିଗଲା । ଏବେ ସସସ୍ତେ ଡାଏନା ଦେବୀଙ୍କୁ ସ୍ତୁତି କରି ତାଙ୍କର ଆଶୀର୍ବାଦ ଭିକ୍ଷା କଲେ । ଲିସିମେକସ୍‌ଙ୍କ ସହିତ ମେରାଇନାର ବିବାହ ଦେବାକୁ ରାଣୀ ଥଇସା ଆନନ୍ଦରେ ସ୍ୱୀକୃତ ହେଲେ ।

 

ଏହିପରି ନାନା ଦୁଃଖ ଭୋଗ କଲା ପରେ ରାଜା ପେରିକ୍ଳସ୍‌ ନିଜର ପତ୍ନୀ ଓ କନ୍ୟାକୁ ଫେରିପାଇଲେ ।

 

ହେଲିନେକସ୍‌ଙ୍କ ପରି ବିଶ୍ୱସ୍ତ ଭୃତ୍ୟ ଓ ସେରିମନଙ୍କ ପରି ପରୋପକାରୀ ଚିକିତ୍ସକ ଜଗତରେ ବିରଳ । ମନୁଷ୍ୟମାତ୍ରେ ଏମାନଙ୍କଠାରୁ ଯଥେଷ୍ଟ ଶିକ୍ଷା ପାଇପାରିବେ ।

 

କ୍ଳିଅନ୍‌ଙ୍କ ଦୃଷ୍ଟା ସ୍ତ୍ରୀ ଡାଇଓନିସିଆ ମେରାଇନାକୁ ହତ୍ୟା କରାଇବାକୁ ଉଦ୍ୟମ କରିଥିବା କଥା ଜଣାପଡ଼ିବାରୁ ଟାର୍ସସର ପ୍ରଜାଗଣ କ୍ରୋଧରେ ତାଙ୍କ ପ୍ରାସାଦ ଆକ୍ରମଣ କରି ସେଥିରେ ନିଆଁ ଲଗାଇଦେଲେ ଓ ଏହା ଫଳରେ ସେ ଦୁହିଁଙ୍କର ପ୍ରାଣନାଶ ଘଟିଲା । ସେମାନେ ନିଜେ ଅପକର୍ମର ଉପଯୁକ୍ତ ପ୍ରତିଫଳ ପାଇଲେ ।

Image

 

ତୋଫାନ

 

ସମୁଦ୍ର ମଧ୍ୟରେ ଗୋଟିଏ ଦ୍ୱୀପରେ ଦୁଇଜଣ ମାତ୍ର ମଣିଷ ବାସ କରୁଥିଲେ । ସେ ଦୁହିଁଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୃଦ୍ଧ; ବୟସ ଷାଠିଏରୁ ବେଶି, ତାଙ୍କର ନାମ ପ୍ରସ୍ପେରୋ । ଅନ୍ୟ ଜଣକ ହେଉଛି ତାଙ୍କର କନ୍ୟା ମିରେଣ୍ଡା; ଯୌବନରେ ପାଦ ଦେଇଛି, ଦେଖିବାକୁ ଅତି ସୁନ୍ଦରୀ । ମିରାଣ୍ଡା ତାର ବାଲ୍ୟକାଳରୁ ଏହି ଦ୍ୱୀପରେ ରହି ନିଜ ପିତାଙ୍କ ଛଡ଼ା ଅନ୍ୟ କୌଣସି ମଣିଷ ଦେଖି ନ ଥିଲା; ତେବେ ଅନ୍ୟ କାହାରିକୁ ଦେଖିଥିବା ତାର ସ୍ମରଣ ମଧ୍ୟ ନ ଥିଲା । ତାର ଧରଣା ଥିଲା ଯେ ଜଗତର ସବୁଲୋକ ତାର ବାପାଙ୍କଭଳି ଶୁକ୍ଳ କେଶ ଓ ଲୋଳିତଚର୍ମ ହୋଇଥିବେ ।

 

ପାହାଡ଼ ମଧ୍ୟରେ ଥିବା ଗୋଟିଏ ଗହ୍ୱରରେ ଦୁହେଁ ବାସ କରୁଥିଲେ । ଏହା କେତୋଟି କ୍ଷୁଦ୍ର ପ୍ରକୋଷ୍ଠରେ ବିଭକ୍ତ ଥିଲା । ସେଥିରୁ ଗୋଟିଏ ପ୍ରସ୍ଫେରୋଙ୍କ ପଢ଼ାପଢ଼ି ଲାଗି ବ୍ୟବହୃତ ହେଉଥିଲା । ସେଥିରେ ଯେଉଁସବୁ ପୁସ୍ତକ ଥିଲା, ସେସବୁ ବିଶେଷତଃ ଯନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ି ବିଷୟରେ । ସେକାଳେ ଅନେକ ଲୋକ ଏହିସବୁ ବିଦ୍ୟା ଶିକ୍ଷା କରିବାରେ ଆଗ୍ରହୀ ଥିଲେ । ପ୍ରସ୍ଫେରୋ ଏହି ବିଦ୍ୟାବଳରେ ଅନେକ ଅଦ୍ଭୁତ କାର୍ଯ୍ୟ କରିପାରୁଥିଲେ ।

 

ଏହି ଦ୍ୱୀପରେ ସାଇକୋରାକ୍‌ସ ବୋଲି ଏକ ଡାଆଣୀ ଥିଲା । ସେ ଅନେକ ଶାନ୍ତଶିଷ୍ଟ ପ୍ରେତଙ୍କୁ ମଧ୍ୟ ନିଜ ଶକ୍ତିରେ ବନ୍ଧନ କରି ରଖିଥିଲା ଓ ସେମାନଙ୍କ ଉପରେ ଅତ୍ୟାଚାର କରି ସେମାନଙ୍କୁ ମନ୍ଦ କାର୍ଯରେ ଲଗାଉଥିଲା । ପ୍ରସ୍ଫେରୋ ଗୁଣିବିଦ୍ୟା ଜାଣିଥିବାରୁ ସେମାନଙ୍କୁ ମୁକ୍ତି କରିଦେଇଥିଲେ । ତେଣୁ ସେମାନେ ପ୍ରସ୍ଫେରୋଙ୍କର ବିଶେଷ ଅନୁଗତ ଥିଲେ ଓ ତାଙ୍କ ଆଦେଶକୁ ଆନନ୍ଦରେ ପାଳନ କରୁଥିଲେ । ଏହି ପ୍ରେତମାନଙ୍କର ନେତା ଥିଲା ଏରିଏଲ ।

 

ଏରିଏଲର ଅନେକ ଭଲ ଗୁଣ ଥିଲା । ପ୍ରସ୍ଫେରୋ ତାକୁ ନିଜର ବିଶ୍ୱସ୍ତ ଭୃତ୍ୟପରି ବ୍ୟବହାର କରୁଥିଲେ । ଅନ୍ୟାନ୍ୟ ପ୍ରେତମାନଙ୍କ ପ୍ରତି ସେ ସଦୟ ବ୍ୟବହାର କରୁଥିଲା । ତାର ଗୋଟିଏ ମାତ୍ର ଦୋଷ ଥିଲା । ଯେଉଁ ସାଇକୋରାକ୍‌ସ ତାକୁ ବନ୍ଦୀକରି ରଖିଥିଲା, ତାହାର କାଲିବାନ୍‌ ବୋଲି ଗୋଟିଏ ପୁଅ ଥିଲା । ସେ ଦେଖିବାକୁ ନିତାନ୍ତ କଦାକାର ଓ ତାର ଆଚରଣ ଅତି କୁତ୍ସିତ । ଶତ୍ରୁର ପୁଅ ବୋଲି ତା ଉପରେ ଏରିଏଲର ରାଗ ରହିଥିଲା । କାଲିବାନକୁ ନାନାପ୍ରକାର ହଇରାଣ କରି ଏରିଏଲ ଆନନ୍ଦ ଅନୁଭବ କରୁଥିଲା ।

 

ପ୍ରସ୍ଫେରୋ ଏହି ଦ୍ୱୀପରେ ପହଞ୍ଚି କାଲିବାନ୍‌କୁ ଦେଖିବାକୁ ପାଇଲେ । ତାହାର ଆକାର ମାଙ୍କଡ଼ଠାରୁ ମଧ୍ୟ କଦର୍ଯ୍ୟ । ପ୍ରସ୍ଫେରୋ ତାକୁ ନିଜ ଗହ୍ୱରକୁ ନେଇ କଥା କହିବାକୁ ଶିଖାଇଲେ । ମାତ୍ର ତାକୁ ଯେତେ ଭଲକଥା ଶିକ୍ଷା ଦେଲେ ସୁଦ୍ଧା ସେ ତା ଦୁଷ୍ଟପଣ ଛାଡ଼ିଲା ନାହିଁ । ତା ମାଆର ଦୁର୍ଗୁଣଯାକ ତାଠାରେ ପୂରିରହିଥିଲା । ପ୍ରସ୍ଫେରୋ କାଲିବାନ୍‌କୁ ସଂଶୋଧନ କରିବାରେ ବିଫଳ ହୋଇ ତାକୁ ନିଜର ଦାସରୂପେ ରଖିଲେ । ସେ ସବୁ କଠିନ କାର୍ଯ୍ୟ ତା ହାତରେ କରାଉଥିଲେ । ଜଙ୍ଗଲରୁ କାଠ କାଟି ଆଣିବା ଓ ବୋହିବା କାମ ତାକୁ କରିବାକୁ ହେଉଥିଲା । ସେ ଏଥିରେ ହେଳା କଲେ, ଏରିଏଲ ତାକୁ ଦଣ୍ଡ ଦେଇ ଏସବୁ କାମ କରାଉଥିଲା ।

 

ମାତ୍ର ଏରିଏଲକୁ ପ୍ରସ୍ଫେରୋ ଛଡ଼ା ଅନ୍ୟ କେହି ଦେଖିପାରୁ ନ ଥିଲେ । କାଲିବାନ ଅଳସୁଆ ହୋଇ କାମ ନ କଲେ, ଏରିଏଲ ଧୀରେ ଧୀରେ ଆସି ତାକୁ ଚିମୁଟିପକାଏ ବା ପଙ୍କପୋଖରୀକୁ ଗଡ଼ାଇ ଦିଏ । ପୁଣି ଗୋଟିଏ ମାଙ୍କଡ଼ରୂପରେ ତାକୁ ଦେଖାଦେଇ ଖତାଇ ହୁଏ । ପରେ ପରେ ସେ ମାଙ୍କଡ଼ରୂପ ବଦଳାଇ ଝିଙ୍କପକ୍ଷୀ ହୋଇ କାଲିବାନ୍‌ର ଯିବା ବାଟରେ ବସିଯାଏ-। ଝିଙ୍କର ମୁନିଆ ପକ୍ଷୀ ତା ଦେହରେ ଗଳିଯିବ ବୋଲି କାଲିବାନ୍‌ ଭୟ କରେ । ଏହିପରି ନାନାପ୍ରକାରେ ହଇରାଣ କରି ଏରିଏଲ କାଲିବାନ୍‍ଠାରୁ କାମ ଆଦାୟ କରୁଥିଲା ।

 

ଅନେକଗୁଡ଼ାଏ ଭୂତ ଓ ପ୍ରେତଙ୍କୁ ବଶକରି ରଖିଥିବାରୁ ପ୍ରସ୍ଫେରୋ ନିଜ ଇଛାନୁସାରେ ସେମାନଙ୍କ ଦ୍ୱାରା ଅଭୁତ କାମମାନ କରାଇପାରୁଥିଲେ । ଏପରିକି ଜଳ ଓ ବାୟୁ ମଧ୍ୟ ତାଙ୍କର ଇଛାମତେ କାର୍ଯ୍ୟ କରୁଥିଲେ । ତାଙ୍କ ଆଦେଶରେ ଥରେ ଭୂତପ୍ରେତମାନେ ସମୁଦ୍ରରେ ଗୋଟାଏ ପ୍ରବଳ ତୋଫାନ ସୃଷ୍ଟି କଲେ । ଲହରୀମାନ ପାହାଡ଼ ଉଚ୍ଚକୁ ଉଠିଲା । ସମୁଦ୍ର ଭିତରେ ଥିବା ଗୋଟିଏ ଜାହାଜ ଏହି ଲହରୀ ମଧ୍ୟରେ ଉଠୁଥାଏ ଓ ପଡ଼ୁଥାଏ । ପ୍ରତି ମୁହୂର୍ତ୍ତରେ ଆଶଙ୍କା ହେଉଥାଏ ଯେ ଜାହାଜଟି ସମୁଦ୍ରରେ ବୁଡ଼ିଯିବ । ପ୍ରସ୍ପୋରୋ ମିରେଣ୍ଡାକୁ ଏହି ଜାହାଜ ଦେଖାଇ କହିଲେ, ‘‘ଦେଖ ମା, ଏଇ ଜାହାଜରେ ଆମରିଭଳି ଗୁଡ଼ିଏ ମଣିଷ ଅଛନ୍ତି ।’’ ମିରେଣ୍ଡା ଏହା ଶୁଣିଲାକ୍ଷଣି କାତର ହୋଇପଡ଼ିଲା । ସେ କହିଲା, ‘‘ବାପା, ଏଡ଼େ ସୁନ୍ଦର ଜାହାଜ ! ସେଥିରେ ପୁଣି ଆମରି ପରି ମନୁଷ୍ୟ ଅଛନ୍ତି । ଏ ପ୍ରବଳ ଝଡ଼ତୋଫାନରେ ଜାହାଜ ବୁଡ଼ିଗଲେ ସେମାନଙ୍କର ପ୍ରାଣ ଯିବ । ବାପା, ଏମାନଙ୍କ ପ୍ରତି ଟିକିଏ ଦୟା କର । ଏଇ ଯେ ଜାହାଜଟି ବୁଡ଼ିବା ଉପରେ । ତୁମେ ତ ମନ୍ତ୍ରବଳରେ ସମୁଦ୍ରର ଏ ତୋଫାନ ବନ୍ଦ କରିପାରନ୍ତ ! ଆହା, ଜାହାଜର ଲୋକେ କି କଷ୍ଟ ପାଉ ନ ଥିବେ ! ମୁଁ ଯଦି ତୁମ ପରି ମନ୍ତ୍ର ଜାଣିଥାନ୍ତି, ତେବେ ଏହିକ୍ଷଣି ତୋଫାନ ବନ୍ଦ କରିଦିଅନ୍ତି । କାହାର କିଛି ଅନିଷ୍ଟ ହୁଅନ୍ତା ନାହିଁ । ବାପା, ଟିକିଏ ଦୟା କର ।’’

 

ପ୍ରସ୍ପେରୋ ଝିଅକୁ ଆଶ୍ୱାସନା ଦେଇ କହିଲେ, ‘‘ମାଆ, ତୁ ଚିନ୍ତା କରନା । କାହାରି ଅନିଷ୍ଟ କରିବା ମୋର ଉବ୍ଦେଶ୍ୟ ନୁହେଁ । ମୁଁ ଏପରି ବ୍ୟବସ୍ଥା କରିଛି ଯେ ଜାହାଜରେ ଥିବା କୌଣସି ଲୋକର କିଛିମାତ୍ର କ୍ଷତି ହେବ ନାହିଁ । ମୁଁ ଯାହା କିଛି କରୁଛି ସେସବୁ କେବଳ ତୋରି ମଙ୍ଗଳ ପାଇଁ । ତୁ କିଏ, କେଉଁଠୁ କିପରି ଏଠାକୁ ଆସିଲୁ, କିଛି ଜାଣୁନା । ତୁ ଏତିକି ଜାଣୁ ଯେ ମୁଁ ତୋର ବାପା ଓ ଆମେ ଦୁହେଁ ଏହି ଗୃହରେ ବାସ କରୁଛେ । ଆଛା କହିଲୁ, ଏଠାକୁ ଆସିବା ପୂର୍ବରୁ କୌଣସି କଥା ତୋର ମନେଅଛି କି ? କାହୁଁ ମନେ ଥିବ ? ସେତେବେଳକୁ ତ ତୋତେ ତିନିବର୍ଷ ପୂରି ନ ଥିଲା ।’’

 

ମିରେଣ୍ଡା କହିଲା, ‘‘ହଁ, ହଁ, ଟିକିଏ ଟିକିଏ ମନେପଡ଼ୁଛି ।’’

 

‘‘ଆଚ୍ଛା, କଅଣ ମନେଅଛି କହିଲୁ ?’’

 

ପ୍ରସ୍ପେରୋଙ୍କର ଏହି ପ୍ରଶ୍ନର ଉତ୍ତରରେ ମିରେଣ୍ଡା କହିଲା, ‘‘ମୋର କିଛି ସ୍ପଷ୍ଟ ମନେ ନାହିଁ । ସବୁ କିପରି ସ୍ୱପ୍ନଭଳି ବୋଧ ହେଉଛି । ସେତେବେଳେ ଚାରି ପାଞ୍ଚ ଜଣ ସ୍ତ୍ରୀଲୋକ ମୋ ପାଖରେ ରହି ମୋର ସବୁ କାମ କରିଦେଉଥିଲେ ବୋଲି ଟିକିଏ ମନେପଡ଼ୁଛି ।’’

 

ପ୍ରସ୍ପେରୋ କହିଲେ, ‘‘ଚାରି ପାଞ୍ଚଜଣ କାହିଁକି, ଆହୁରି ବେଶୀ ଥିଲେ । ଆଶ୍ଚର୍ଯ୍ୟର ବିଷୟ, ତୁ ପିଲାଦିନର କଥା ମନେ ରଖିଛୁ । ଆଛା, ତୁ କିପରି ଏଠାକୁ ଆସିଲୁ ମନେପଡ଼ୁଛି ?’’

 

ମିରେଣ୍ଡା ଉତ୍ତର କଲା, ‘‘ନାଇଁ ବାପା, ମୋର ଆଉ କିଛି ସ୍ମରଣ ହେଉନାହିଁ ।

 

ପ୍ରସ୍ପେରୋ କହିଲେ, ‘‘ମନେ ନରହିବାର କଥା । ତେବେ ମୋ କଥା ଶୁଣ । ବାରବର୍ଷ ଆଗେ ମୁଁ ଥିଲି ମିଲାନ ବୋଲି ଗୋଟିଏ ରାଜ୍ୟର ରାଜା । ତୁ ଥିଲୁ ମୋର ଏକମାତ୍ର ସନ୍ତାନ । ତେଣୁ ମୋ ଅନ୍ତେ ତୁ ସେହି ରାଜ୍ୟର ଅଧିକାରୀଣୀ ହୋଇଥାନ୍ତୁ । ମୋର ଗୋଟିଏ ସାନ ଭାଇ ଥିଲା । ତାର ନାମ ଆଣ୍ଟେନିଓ । ମୁଁ ତାରି ଉପରେ ରାଜ୍ୟଭାର ଛାଡ଼ିଦେଇ ପଢ଼ାପଢ଼ିରେ ସମୟ କଟାଉଥିଲି । ମୋର ସଂସାର ବିଷୟରେ, କି ଧନସମ୍ପତ୍ତିରେ କୌଣସି ଲୋଭ ନଥିଲା । ମୁଁ ଭାବିଥିଲି, ମୋର ଭାଇ ସୁଖଶାନ୍ତିରେ ପ୍ରଜାଙ୍କୁ ପାଳିବ ଓ ମୁଁ ନିଶ୍ଚିନ୍ତରେ ଜ୍ଞାନ ଅର୍ଜନରେ ଲାଗିଥିବି-। କିନ୍ତୁ ମୋର ଏ ଧାରଣା ଭୁଲ ବୋଲି ପ୍ରମାଣିତ ହେଲା । ଆଣ୍ଟେନିଓ ମୋଠାରୁ ରାଜ୍ୟର କ୍ଷମତା ପାଇ କ୍ରମେ ନିଜର ଆଧିପତ୍ୟ ବିସ୍ତାର କଲା । ପ୍ରଜାମାନେ ଭାବିବାକୁ ଲାଗିଲେ ଯେ ସେ ହିଁ ହେଉଛି ପ୍ରକୃତ ରାଜା; ମୁଁ କିଛି ନୁହେଁ । ଶେଷରେ ତାର ଦୁଷ୍ଟବୁଦ୍ଧି ପ୍ରକାଶ ପାଇଲା । ନେପ୍ଳସ୍‌ର ରାଜାଙ୍କ ସଙ୍ଗେ ମୋର ପୂର୍ବରୁ ଶତ୍ରୁତା ଥିଲା । ଆଣ୍ଟେନିଓ ତାଙ୍କ ସାହାଯ୍ୟରେ ମୋତେ ରାଜ୍ୟରୁ ତଡ଼ିଦେବାର ଉପାୟ କଲା ।’’

 

ଏହି ସମୟରେ ମିରେଣ୍ଡା ପ୍ରଶ୍ନ କଲା, ‘‘ତାହାହେଲେ ସେ ତୁମକୁ ମାରି ନ ଦେଲା କାହିଁକି ?’’

 

ପ୍ରସ୍ପେରୋ ଉତ୍ତର କଲେ, ‘‘ତାର ଏତେ ଦୁର ସାହସ ହେଲା ନାହିଁ । ରାଜ୍ୟର ପ୍ରଜାମାନେ ମୋତେ ଆନ୍ତରିକ ଶ୍ରଦ୍ଧା କରୁଥିଲେ । ସେ ମୋତେ ମାରିପକାଇଥିଲେ ପ୍ରଜାମାନେ ବିଦ୍ରୋହୀ ହୋଇ ତାକୁ ମାରିଦେବାର ଆଶାଙ୍କା ଥିଲା । ତେଣୁ ସେ ଗୋଟିଏ କୌଶଳ କଲା । ଆମ ଦୁହିଁଙ୍କୁ ସେ ଗୋଟିଏ ଜାହାଜରେ ବସାଇ ସମୁଦ୍ରରେ ଅନେକ ଦୂରକୁ ଆଣିଲା । ସେଠାରେ ବାଧ୍ୟକରି ଆମ ଦୁହିଁଙ୍କୁ ଗୋଟିଏ ନୌକାରେ ବସାଇ ଦିଆଗଲା । ଜାହାଜ କୂଳକୁ ଫେରିଆସିଲା । ସମୁଦ୍ରରେ ଆମ ନୌକା ଭାସି ଭାସି ଚାଲିଲା । ଆଣ୍ଟେନିଓ ଭାବିଥିଲା ଯେ ଆମର ଡଙ୍ଗା କେଉଁଠାରେ ବୁଡ଼ିଯିବ କିମ୍ୱା ତା ନହେଲେ ବି ଆମେ ଖାଇବା ପିଇବାକୁ ନପାଇ କିଛିଦିନପରେ ମରିଯିବା । କିନ୍ତୁ ଗଞ୍ଜାଲୋ ବୋଲି ଜଣେ ବିଶ୍ୱସ୍ତ ରାଜକର୍ମଚାରୀ ଆଣ୍ଟେନିଓର ଷଡଯନ୍ତ୍ରର ସୁରାକ୍‌ ପାଇ ସେହି ଡଙ୍ଗାରେ ଆମପାଇଁ କିଛି ଖାଦ୍ୟ ଜିନିଷ, ପିଇବାପାଣି ଓ ମୋର କେତେକ ଅତି ଦରକାରୀ ବହି ରଖିଦେଇଥିଲା ।’’

 

ଏହା ଶୁଣି ମିରେଣ୍ଡାର ଆଖି ଛଳଛଳ ହୋଇଗଲା । ସେ କହିଲା, ‘‘ବାପା, ସେତେବେଳେ ତ ତୁମର ଏଡ଼େ ବିପଦ । ସେଥିରେ ପୁଣି ମୋ କଥା ବୁଝିବାକୁ ପଡ଼ୁଥିବ । ମୁଁ ସେତେବେଳେ ତୁମକୁ କି ଦୁଃଖ ଦେଇନଥିବି ?’’

 

ପ୍ରସ୍ପେରୋ କହିଲେ, ‘‘ନା, ନା, ତା ନୁହେଁ । ତୁ ଦୁଃଖର କାରଣ ହୁଅନ୍ତୁ କାହିଁକି ? ତୋର ମୁହଁକୁ ଚାହିଁ ମୁଁ ବରଂ ସବୁ ଦୁଃଖକଷ୍ଟ ଭୁଲିଯାଉଥିଲି । କିଛିଦିନ ପରେ ନୌକାଟି ଏହି ଦୀପରେ ଲାଗିଲା । ସେହି ଦିନଠାରୁ ମୁଁ ତୋତେ ପାଳିଆସିଛି; ଶିକ୍ଷା ଦେଇଆସିଛି । ଏହିପରି ତୋତେ ମଣିଷ କରିବାରେ ହଁ ମୋର ଆନନ୍ଦ ।’’

 

ମିରେଣ୍ଡା କହିଲା, ‘‘ସେକଥା ଥାଉ ବାପା ! ଏବେ କୁହ ଦେଖି, ତୁମେ ଏ ଭୟଙ୍କର ତୋଫାନ ସୃଷ୍ଟି କରିଛ କାହିଁକି ?’’

 

ପ୍ରସ୍ପେରୋ ଉତ୍ତର କଲେ, ‘‘ତୁ ତେବେ ଏଥିର କାରଣ ଜାଣିବାକୁ ଚାହୁଁ ? ଏହି ତୋଫାନ ଫଳରେ ମୋର ସେହି ଶତ୍ରୁ ଆଣ୍ଟେନିଓ ଏବଂ ନେପ୍‌ଲସର ରାଜାଙ୍କର ଜାହାଜ ଟଳମଳ ହେଉଚି । ସେ ଦୁହେଁ ଆସି ଆମର ଏଇ ଦ୍ୱୀପରେ ଲାଗିଛନ୍ତି ।’’

 

ଏହିପରି କଥାବାର୍ତ୍ତା ଚାଲିଥିବା ବେଳେ ଏରିଏଲ ଆସି ଉପସ୍ଥିତ ହେଲା । ଅବଶ୍ୟ ମିରେଣ୍ଡା ତାକୁ ଦେଖି ପାରୁନଥାଏ । କିନ୍ତୁ ପ୍ରସ୍ପେରୋ ତା ସାଙ୍ଗରେ କଥାବାର୍ତ୍ତା ହେଲାବେଳେ ମିରେଣ୍ଡା ଶୁଣିପାରିବ ଓ ସେ ଭାବିବ ଯେ ବାପା ଶୂନ୍ୟରେ କାହା ସାଥିରେ କଥାବାର୍ତ୍ତା ହେଉଛନ୍ତି । ତେଣୁ ସେ ମିରେଣ୍ଡାକୁ ନିଜର ମନ୍ତ୍ରବାଡ଼ି ଛୁଆଁଇ ଶୁଆଇ ପକାଇଲେ ।

 

ପ୍ରସ୍ପେରୋ ପଚାରିଲେ, ‘‘ଆଚ୍ଛା ଏରିଏଲ, ତୋତେ ଯେଉଁ କାମ ଦେଇଥିଲି, ଠିକ୍‌ଭାବରେ କରିଛୁ ତ ?’’

 

ଏରିଏଲ ତୋଫାନରେ ଯାହା ଯାହା ଘଟିଥିଲା, ସେ ସବୁ ବର୍ଣ୍ଣନା କରି କହିଲା, ‘‘ଆପଣଙ୍କ ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରିଛୁ । ଜାହାଜର ନାବିକମାନେ ତୋଫାନ ଦେଖି ଭୟରେ ଅସ୍ଥିର ହୋଇପଡ଼ିଛନ୍ତି । ପ୍ରଥେମ ନେପ୍ଳସର ରାଜାଙ୍କ ପୁଅ ଫର୍ଦ୍ଦିନଣ୍ଡ ଭୟରେ ସମୁଦ୍ରକୁ ଡେଇଁପଡ଼ିଲେ । ତାଙ୍କ ବାପା ଭାବିଛନ୍ତି ଯେ ପୁଅ ସମୁଦ୍ରରେ ବୁଡ଼ି ମଲାଣି । କିନ୍ତୁ ଆମେ ତାଙ୍କୁ ଆଣି ଦ୍ୱୀପର ଏକ ପ୍ରାନ୍ତରେ ନିରାପଦରେ ରଖିଛୁ । ସେ ମୁଣ୍ଡରେ ହାତ ଦେଇ ଦୁଃଖରେ ବସି ରହିଛନ୍ତି । ତାଙ୍କର ଧାରଣା ହୋଇଛି ଯେ ତାଙ୍କ ବାପା ଆଉ ଜୀବନରେ ନାହାନ୍ତି-ସମୁଦ୍ରରେ ବୁଡ଼ି ମରିଛନ୍ତି । କିନ୍ତୁ ତାଙ୍କର ଯେପରି କିଛି ମାତ୍ର କ୍ଷତି ନହୁଏ, ତାର ବ୍ୟବସ୍ଥା ହୋଇଛି । ଏପରିକି ତାଙ୍କ ରାଜକୀୟ ପୋଷାକରେ ଟିକିଏ ହେଲେ ମଇଲା ଲାଗିନାହିଁ; କେବଳ ଓଦା ହୋଇଯାଇଛି ।’’

 

ପ୍ରସ୍ପେରୋ ଏହା ଶୁଣି ଆନନ୍ଦିତ ହୋଇ କହିଲେ, ‘‘ସାବାସ୍‌ ଏରିଏଲ୍ ! ଯାଆ; ଯୁବରାଜ ଫର୍ବ୍ଦିନଣ୍ଡଙ୍କୁ ଏଠାକୁ ଘେନିଆ । ମିରେଣ୍ଡା ତାଙ୍କୁ ଦେଖିବ । ଆଛା, ମୋ ସାନଭାଇ ଓ ନେପ୍ଳସ୍‌ର ରାଜା କେଉଁଠାରେ ଅଛନ୍ତି ?’’

 

ଏରିଏଲ ଜଣାଇଲା, ‘‘ସେ ଦୁହେଁଯାକ ଫର୍ବ୍ଦିନଣ୍ଡଙ୍କୁ ଖୋଜିବାରେ ଲାଗିଛନ୍ତି; ମାତ୍ର ସେମାନେ ଆଉ ଫର୍ବ୍ଦିନଣ୍ଡଙ୍କୁ ଦେଖିବେ ବୋଲି ଆଶା ରଖିନାହାନ୍ତି । ଜାହାଜର ନାବିକମାନେ ସମସ୍ତେ ନିରାପଦ ଅଛନ୍ତି । କାହାରି ଲବମାତ୍ର କ୍ଷତି ହୋଇନାହିଁ; ମାତ୍ର କେହି କାହାକୁ ଦେଖିପାରୁନଥିବାରୁ ପ୍ରତ୍ୟେକ ନାବିକ ଭାବୁଛି ଯେ ସେ ଏକା ଏ ବିପଦରୁ ରକ୍ଷା ପାଇଯାଇଛି ଓ ଆଉ ସମସ୍ତେ ମଲେଣି । ସେମାନଙ୍କର ଦୃଢ଼ ବିଶ୍ୱାସ, ଜାହାଜ ତୋଫାନରେ ପଡ଼ି ବୁଡ଼ିଯାଇଛି; ମାତ୍ର ଆମେ ଜାହାଜକୁ ଆଣି ବନ୍ଦରରେ ନିରାପଦରେ ରଖିଛୁ ।’’

 

ପ୍ରସ୍ପେରୋ ଏରିଏଲର କାର୍ଯ୍ୟ ପାଇଁ ତାକୁ ପ୍ରଶଂସା କରି କହିଲେ, ‘‘ବେଶ୍‌, ଏରିଏଲ ! ତୋ କାମରେ ମୁଁ ଖୁବ୍‌ ସନ୍ତୁଷ୍ଟ; ମାତ୍ର ଏତିକିରେ ତୋର କାମ ଶେଷ ହେଲା ବୋଲି ମନେ କରିବୁ ନାହିଁ । ତୋତେ ଆହୁରି କେତେକ କାମ କରିବାକୁ ପଡ଼ିବ ।’’

 

ଏରିଏଲ ବିସ୍ମିତ ହୋଇ କହିଲା, ‘‘ଆହୁରି କାମ ଅଛି ? ହେଉ, ମୁଁ ତ ଆପଣଙ୍କ ଆଦେଶ କେବେ ଲଘଂନ କରିନାହିଁ । ଯାହା ଆଦେଶ ଦେବେ, ତେହା ଅବଶ୍ୟ କରିବି । ମାତ୍ର ମୁଁ ଆପଣଙ୍କୁ ଗୋଟିଏ କଥା ସ୍ମରଣ କରାଇଦେବାକୁ ଚାହେଁ । ଆପଣ ମୋତେ ଏହି ଦାସତ୍ୱରୁ ମୁକ୍ତି ଦେବେ ବୋଲି କହିଛନ୍ତି । ମୁଁ ଆପଣଙ୍କର ସେବା କରିଆସିଛି, କେବେ ମିଥ୍ୟା କହିନାହିଁ, କାର୍ଯ୍ୟରେ ହେଳା କରିନାହିଁ କି ଆଦେଶ ପାଳିବାରେ କୁଣ୍ଠା ପ୍ରକାଶ କରିନାହିଁ ।

 

ପ୍ରସ୍ପେରୋ ଟିକିଏ ବିସ୍ମୟ ପ୍ରକାଶ କରି କହିଲେ, ‘‘ଏରିଏଲ, ତୁ କଅଣ ସାଇକୋରାକ୍‌ସ କଥା ଭୁଲିଗଲୁଣି ? ସେ ପିଶାଚୀ ପରା ତୋତେ ଗୋଟିଏ ଗଛର କୋରଡ଼ରେ ବନ୍ଦୀ କରି ରଖିଥିଲା; ଆଉ ମୁଁ ତୋତେ ସେଥିରୁ ମୁକ୍ତ କରିଥିଲି ! ସେ ପିଶାଚୀର ଜନ୍ମ କେଉଁଠାରେ-?’’

 

ଏରିଏଲ ଅତି ବିନୀତ ଭାବରେ କହିଲା ଯେ ସେ ଦୁଷ୍ଟା ପିଶାଚୀ ଆଲ୍‌ଜିଏର୍ସରେ ଜନ୍ମିଥିଲା ।

 

ତହୁଁ ପ୍ରସ୍ପେରୋ କହିବାକୁ ଲାଗିଲେ, ‘‘ମୁଁ ଦେଖିଛି, ତୁ ପୂର୍ବ କଥା ଭୁଲିଗଲୁଣି । ଏହି ପିଶାଚୀ ଗୁଣିବିଦ୍ୟାରେ ନିପୁଣ ଥିଲା । ତାର ଦୁଷ୍ଟ ପ୍ରକୃତି ଯୋଗୁଁ ଆଲଜିଏର୍ସର ଲୋକେ ବହୁ ଚେଷ୍ଟାରେ ତାକୁ ରାଜ୍ୟରୁ ତଡ଼ିଦେଲେ । ସେ ଏଠାକୁ ଆସି ଭୂତପ୍ରେତମାନଙ୍କୁ ତାର ବଶ କରିବାକୁ ଉଦ୍ୟମ କଲା । ତୁ ତାର ଆଦେଶ ପାଳି ମନ୍ଦ କାର୍ଯ୍ୟ ନ କରିବାକୁ ସେ ତୋତେ ଗୋଟିଏ ଗଛରେ ବନ୍ଧନ କରି ରଖିଥିଲା । ମୁଁ ଏଠାକୁ ଆସିବା ପରେ ଦେଖିଲି ଯେ ତୁ ବନ୍ଧନରେ ପଡ଼ି ବିକଳରେ କାନ୍ଦୁଛୁ । ମୋର ଦୟା ଆସିଲା । ମୁଁ ମନ୍ତ୍ରବଳରେ ତୋତେ ବନ୍ଧନରୁ ମୁକ୍ତ କରିଦେଲି । ତୁ ଯେ କି ଘୋର ଯନ୍ତ୍ରଣାରୁ ଉଦ୍ଧାର ପାଇଛୁ ତାହା ଭୁଲିଯାଉଛୁ କିପରି ?

 

ଏରିଏଲ ଟିକିଏ ଲଜ୍ଜିତ ହୋଇ କହିଲା, ‘‘ମୋତେ କ୍ଷମା କରନ୍ତୁ । ମୁଁ ଏତେ କୃତଘ୍ନ ହୋଇ ନ ପାରେ । ଆପଣ ମୋର ଯେଉଁ ଉପକାର କରିଛନ୍ତି, ଭୁଲିପାରିବି ନାହିଁ । ଆପଣ ଯେଉଁ ଆଦେଶ ଦେବେ ତାହା ଅବଶ୍ୟ ପାଳନ କରିବି ।’’

 

ପ୍ରସ୍ପେରୋ କହିଲା, ‘‘ବେଶ୍‌, ମୋର କଥା ମାନି କାର୍ଯ୍ୟ କର । ଯଥାସମୟରେ ମୁଁ ତୋତେ ମୋର ସେବାରୁ ମୁକ୍ତି ଦେବି ।’’

 

ଏରିଏଲକୁ ଆଉ କଅଣ କରିବାକୁ ହେବ, ସେ ବିଷୟରେ ପ୍ରସ୍ପେରୋ ଉପଦେଶ ଦେଲେ । ତହୁଁ ଏରିଏଲ ଫର୍ଦ୍ଦିନଣ୍ଡଙ୍କ ପାଖକୁ ଯାଇ ଦେଖିଲା ଯେ ସେ ଗଭୀର ଦୁଃଖରେ ଘାସ ଉପରେ ବସିଛନ୍ତି । ସେ ତାଙ୍କୁ କହିଲା, ‘‘ଆପଣ ମୋ ସାଙ୍ଗରେ ଆସନ୍ତୁ । ଆମର ରାଜକନ୍ୟା ମିରେଣ୍ଡା ଆପଣଙ୍କୁ ଦେଖିବାକୁ ଚାହାନ୍ତି । ଶୀଘ୍ର ମୋ ପଛେ ପଛେ ଆସନ୍ତୁ ।

 

ଏରିଏଲର ଏ ପ୍ରକାର କଥା ଶୁଣି ଫର୍ଦ୍ଦିନଣ୍ଡଙ୍କ ମନରେ ଭୟ ପଶିଗଲା । ସେ କଅଣ କରିବେ, କିଛି ସ୍ଥିର କରିପାରିଲେ ନାହିଁ । ଏହି ସମୟରେ ଏରିଏଲ୍‌ ଗୋଟିଏ ଗୀତ ଗାଇବାକୁ ଲାଗିଲା–

 

‘ଅକାତ ଅମାପ ସମୁଦ୍ରପାଣି

ବାପା ତ ମଲେଣି କାହିଁ କେଜାଣି ।

ତାଙ୍କ ହାଡ଼ ହୋଇଅଛି ପୋହଳା

ଦେଖ ଭାସୁଅଛି ଭେଳାକୁ ଭେଳା ।

ମୁକୁତା ହୋଇଛି ଆଖି ତାଙ୍କର,

ଜକଜକ ଦିଶେ କେଡ଼େ ସୁନ୍ଦର ।

ଶୁଣ କାନ ଡେରି ଶୁଣି ଏ ଗୀତ

ଜଳଦେବଙ୍କର ଶୋକ-ସଙ୍ଗୀତ ।’

 

ଫର୍ଦ୍ଦିନଣ୍ଡ ଏରିଏଲର ଗୀତ ଶୁଣି ଚମକି ପଡ଼ିଲେ । ସେ ଭାବିଲେ ଯେ ତାଙ୍କର ବାପା ନିଶ୍ଚିୟ ସମୁଦ୍ରରେ ପ୍ରାଣ ହରାଇଛନ୍ତି । ଦୁଃଖ ଓ ବିସ୍ମୟରେ ସେ ଏରିଏଲ୍‌ର ପଛେ ପଛେ ଯାଇ ଗୋଟିଏ ବୃକ୍ଷମୂଳରେ ପହଞ୍ଚିଲେ । ସେଠାରେ ପ୍ରସ୍ପେରୋ ମିରେଣ୍ଡାକୁ ନେଇ ବସିଥିଲେ । ଆଜିଯାଏ ମିରେଣ୍ଡା ନିଜ ବାପାଙ୍କ ଛଡ଼ା ଅନ୍ୟ କୌଣସି ଲୋକକୁ ଦେଖି ନ ଥିଲା । ତେଣୁ ଫର୍ଦ୍ଦିନଣ୍ଡଙ୍କୁ ଦେଖିବା ମାତ୍ରେ ସେ ଆଶ୍ଚର୍ଯ୍ୟରେ ତାଙ୍କ ଆଡ଼କୁ ଅନେକ ବେଳଯାଏ ଚାହିଁ ରହିଲା ।

 

ପ୍ରସ୍ପେରୋ ମିରେଣ୍ଡାର ଏହି ମନୋଭାବ ବୁଝିପାରି କହିଲେ, ‘‘ମିରେଣ୍ଡା, ତୁ ଏପରି ଚାହିଁରହିଛୁ କାହାକୁ ?’’

 

ମିରେଣ୍ଡା ଉତ୍ତର କଲା, ‘‘ବାପା, ଏ ନିଶ୍ଚୟ ଗୋଟାଏ ପ୍ରେତ । ଦେଖୁନ, ସେ କିପରି ଚାରିଆଡ଼କୁ ଚାହୁଁଛି ! କିନ୍ତୁ ମୋର ବିଶ୍ୱାସ, ଏ ପ୍ରେତଟି ଦୁଷ୍ଟ ନୁହେଁ । ଏ ଗୋଟିଏ ପ୍ରେତ କି ନୁହେଁ ବାପା ?’’

 

ପ୍ରସ୍ପେରୋ କହିଲେ, ‘‘ନା, ଝିଅ; ଏ ପ୍ରେତ ନୁହେଁ । ଏ ଗୋଟିଏ ମଣିଷ; ଆମରି ଭଳି ସେ ଖାଏ, ପିଏ, ଶୁଏ । ଆମରି ପରି ସୁଖଦୁଃଖ ମଧ୍ୟ ଅନୁଭବ କରିପାରେ । ଏ ମଣିଷଟି ଦେଖିବାକୁ ସୁନ୍ଦର; ମାତ୍ର ଘୋର ଦୁଃଖରେ ପଡ଼ି ତାର ଚେହେରା ଖରାପ ଦେଖାଯାଉଛି । ତାର ସାଙ୍ଗସାଥୀମାନେ ହଜିଯାଇଛନ୍ତି; ସେ ସେମାନଙ୍କୁ ଖୋଜିବୁଲୁଛି ।

 

ମିରେଣ୍ଡାର ଧାରଣା ଥିଲା ଯେ ସବୁ ପୁରୁଷଙ୍କର ଚେହେରା ତାରି ବାପାଙ୍କ ଚେହେରା ପରି ହୋଇଥିବ; ସମସ୍ତଙ୍କର ସେହିଭଳି ଲମ୍ୱା ଧଳା ଦାଢିଥିବ । ଏବେ ଏହି ସୁନ୍ଦର ଯୁବକଙ୍କୁ ଦେଖି ତା ମନରେ ଆନନ୍ଦ ଜାତ ହେଲା । ଫର୍ଦ୍ଦିନଣ୍ଡଙ୍କର ମଧ୍ୟ କମ୍‌ ବିସ୍ମୟ ଜାତ ହୋଇ ନଥିଲା । ଏହି ନିର୍ଜନ ଦ୍ୱୀପରେ ସେ ଏତେବେଳଯାଏ କେବଳ ବିଷାଦର ଦୃଶ୍ୟ ଦେଖିଆସିଥିଲେ ଓ ଅଦ୍ଭୁତ ଶବ୍ଦମାନ ଶୁଣିଆସିଥିଲେ । ଏଠାରେ ତାଙ୍କୁ ସବୁ ଅଦ୍ଭୁତ ବୋଧ ହେଉଥିଲା । ସେ ଭାବିଥିଲେ ଯେ ଏ ଦ୍ୱୀପଟି ଗୋଟିଏ ମାୟାପୁରୀ ହୋଇଥିବ । ଏବେ ମିରେଣ୍ଡା ପରି ଏକ ସୁନ୍ଦରୀ ଯୁବତୀ ଦେଖି ସେ ମନେ ମନେ ସ୍ଥିର କରିନେଲେ ଯେ ଏ ହେଉଛନ୍ତି ଏହି ମାୟାପୁରୀର ଦେବୀ । ଏହିପରି ବିଚାରି ସେ ମିରେଣ୍ଡାକୁ ଦେବୀ ବୋଲି ସମ୍ୱୋଧନ କଲେ ।

 

ଏହା ଶୁଣି ମିରେଣ୍ଡା କହିଉଠିଲା, ‘‘ନା, ନା, ମୋତେ ଏପରି କହୁଛ କାହିଁକି ? ମୁଁ ଦେବୀ ନୁହେଁ, ଗୋଟିଏ ସାମାନ୍ୟ ବଳିକା ମାତ୍ର । ମୁଁ ଆଜିକୁ ବାରବର୍ଷ ହେଲା ଏଠାରେ– ।’’

 

ମିରେଣ୍ଡା ଆଉ କଣସବୁ କହିଯାଇଥାନ୍ତା, ପ୍ରସ୍ପେରୋ ତାକୁ ଚୁପ୍‌ କରିଦେଲେ । ସେ ଜାଣିପାରିଥିଲେ ଯେ ପ୍ରଥମ ଦେଖାରେ ହିଁ ମିରେଣ୍ଡା ଓ ଫର୍ଦ୍ଦିନଣ୍ଡ ଦୁହେଁ ପରସ୍ପରକୁ ଭଲ ପାଇଛନ୍ତି-। କିନ୍ତୁ ଫର୍ଦ୍ଦିନଣ୍ଡ ମନ କଳିବାପାଇଁ ସେ କଠୋର ଓ ନିର୍ବ୍ଦୟ ବୋଲି ଛଳନା କରି ତାଙ୍କୁ କହିଲେ, ‘‘ତୁ ଗୋଟିଏ ଗୁପ୍ତଚର । ମୁଁ ଏ ଦ୍ୱୀପର ରାଜା । ତୁ ସନ୍ଧାନ ବୁଝି ମୋର ରାଜ୍ୟ ଛଡ଼ାଇ ନେବାକୁ ଆସିଛୁ-। ମୁଁ ତୋତେ ଦଣ୍ଡ ନଦେଇ ଛାଡ଼ିବି ନାହିଁ । ମୋ ସାଙ୍ଗରେ ଆ; ତୋର ହାତଗୋଡ଼ ବନ୍ଧାହେବ । ତୋତେ କେବଳ ବଣର ଫଳମୂଳ ଖାଇବାକୁ ଦିଆଯିବ; ଆଉ ସମୁଦ୍ରପାଣିରୁ ମୁନ୍ଦାଏ ଲେଖାଏଁ ପିଇବାକୁ ମିଳିବ ।’’

 

ଫର୍ଦ୍ଦିନଣ୍ଡ ରାଜପୁତ୍ର । ସେ ଏକଥା ଶୁଣିଲାକ୍ଷଣି କ୍ରୋଧରେ କମ୍ପି ଉଠି କହିଲେ, ‘‘ମୁଁ ତୋପରି ସାମାନ୍ୟ ଲୋକକୁ ଭୟ କରେ ନାହିଁ । ମୋ ହାତରେ ଖଣ୍ଡା ଥିବାଯାଏ ମୁଁ କାହାରି ବଶ୍ୟତା ସ୍ୱୀକାର କରି ନ ପାରେ ।’’ ଏହା କହି ସେ ଖୋଳରୁ ଖଣ୍ଡା ବାହାର କରି ପ୍ରସ୍ପେରୋଙ୍କୁ ଆଘାତ କରିବାକୁ ବାହାରିଲେ । ପ୍ରସ୍ପେରୋ କିଛିମାତ୍ର ବିଚଳିତ ନ ହୋଇ ନିଜର ମନ୍ତ୍ରବାଡ଼ିଟିକୁ ସାମାନ୍ୟ ବୁଲାଇଦେଲେ । ଏତିକିରେ ଫର୍ଦ୍ଦିନଣ୍ଡଙ୍କ ହାତ ଅଚଳ ହୋଇ ରହିଲା; ଦେହରେ ହଲ୍‌ ଚଲ୍‌ ହେବାର ଶକ୍ତି ରହିଲା ନାହିଁ ।

 

ମିରେଣ୍ଡା ଏହା ଦେଖି ବାପାଙ୍କର ହାତ ଧରି ଅନୁନୟ କରି କହିଲା, ‘‘ବାପା, ତୁମଠାରେ କଅଣ ଟିକିଏ ଦୟା ନାହିଁ ? ମୁଁ ଏଠାରେ ରହିଲା ଦିନୁ ତୁମଛଡ଼ା ଅନ୍ୟ କୌଣସି ମଣିଷ ଦେଖି ନଥିଲି । ଆଜି ଏହାଙ୍କୁ ଦେଖି ମୋର ମନେହେଉଛି ଯେ, ସେ କେବେହେଁ ଦୁଷ୍ଟ ଲୋକ ନୁହଁନ୍ତି । ମୁଁ ଜବାବ ଦେଉଛି, ସେ କେବେହେଲେ ତୁମର କିଛି ଅନିଷ୍ଟ କରିବେ ନାହିଁ ।’’

 

ପ୍ରସ୍ପେରୋ ଏହା ଶୁଣି ମନେମନେ ଆନନ୍ଦିତ ହେଲେ; ମାତ୍ର ବାହାରେ କ୍ରୋଧ ପ୍ରକାଶ କରି କହିଲେ, ‘‘ତୁ ଚୁପ୍‌ କର । ଆଉ ଯେବେ ପାଟି ଫିଟାଉ, ତେବେ ମୋଠାରୁ ଗାଳି ଶୁଣିବୁ । ସେ ଗୋଟିଏ ବଦମାସ୍‌, ସଇତାନ । ତୁ ପୁଣି ତା’ପାଇଁ ଓକିଲାତି କରୁଛିୁ ? ତୁ ତ କେବଳ ମୋତେ ଆଉ କାଲିବାନ୍‌କୁ ଦେଖିଥିଲୁ; ସେଥିପାଇଁ ଏହାକୁ ଦେଖି ବିଚାରୁଛୁ ଯେ ଏ ଗୋଟିଏ ଭାରି ସୁନ୍ଦର ଓ ଗୁଣବାନ୍‌ ପୁରୁଷ । ଏପରି ଅନେକ ଲୋକ ଅଛନ୍ତି, ଯେ କି ଏହାଠାରୁ ଲକ୍ଷଗୁଣେ ସୁନ୍ଦର ।’’

 

ଅବଶ୍ୟ ପ୍ରସ୍ପେରୋ ଯାହା କହିଲେ, ତାହା ତାଙ୍କ ପେଟ ଭିତରର କଥା ନୁହେଁ । ପ୍ରକୃତରେ ମିରେଣ୍ଡା ଫର୍ଦ୍ଦିନଣ୍ଡଙ୍କୁ ଭଲ ପାଏ କି ନା, ତାହା ଜାଣିବାପାଇଁ ସେ ଏପରି କହିଥିଲେ । ପିତାଙ୍କର କଠୋର ବାକ୍ୟ ଶୁଣି ମିରେଣ୍ଡା ଅତି ବିନୟ ସହକାରେ କହିଲା, ‘‘ବାପା, ଏହାଙ୍କଠାରୁ ସୁନ୍ଦର ପୁରୁଷ ଥାଇପାରନ୍ତି; କିନ୍ତୁ ଏହାଙ୍କୁ ଦେଖିଲାବେଳୁ ମୋ ମନରେ ଯେଉଁ ଆନନ୍ଦ ହେଉଅଛି, ତାହା କଥାରେ କହିହେବ ନାହିଁ । ଏହାଙ୍କଠାରୁ ଅଧିକ ସୁନ୍ଦର ପୁରୁଷ ଦେଖିବାରେ ମୋର କିଛି ଲାଭ ନାହିଁ ।’’

 

ପ୍ରସ୍ପେରୋ ଫର୍ଦ୍ଦିନଣ୍ଡଙ୍କୁ ଲକ୍ଷ୍ୟ କରି କହିଲେ, ‘‘ଏବେ ଦେଖିଲୁ, ମୋ ଆଦେଶ ଅମାନ୍ୟ କରିବାକୁ କାହାରି ଶକ୍ତି ନାହିଁ । ଆଉ ଗୋଳମାଳ ନ କରି ମୋ ସାଥିରେ ଆ ।’’

 

ଫର୍ଦ୍ଦିନଣ୍ଡଙ୍କ ର ସବୁ ଶକ୍ତି ଯେ କୁଆଡ଼େ ଗଲା, ସେ ବୁଝିପାରିଲେ ନାହିଁ । ମନ୍ତ୍ରବଳରେ ଯେ ଏପରି ଘଟିଛି, ଏହା ତାଙ୍କୁ ଜଣା ନଥିଲା । ସେ ଟାଣିହେଲା ପରି ପ୍ରସ୍ପେରୋଙ୍କ ପଛେ ପଛେ ଚାଲିଥାନ୍ତି ଓ ମଝିରେ ମିରେଣ୍ଡାଆଡ଼କୁ ଦୃଷ୍ଟି ପକାଉଥାନ୍ତି । ଗୁହା ନିକଟରେ ପହଞ୍ଚି ସେ ମନେମନେ କହିଲେ, ‘‘ମୋତେ ଏସବୁ ସ୍ପଷ୍ଟ ଦେଖିଲା ପରି ବୋଧ ହେଉଛି; କିନ୍ତୁ ମୋ ଦେହରେ ଟିକିଏ ସୁଦ୍ଧା ବଳ ନାହିଁ । ଏ ଲୋକଟା ତ ମୋତେ ଭାରି ଭୟ ଦେଖାଉଛି । ମୋତେ କେଉଁଠି ବନ୍ଦୀକରି କି ଦଣ୍ଡ ଦେବେ କେଜାଣି ? ଯାହାହେଉ, ଯଦି ମୋ ବନ୍ଦିଗୃହରୁ ଦିନକ ଭିତରେ ଥରେହେଲେ ସୁନ୍ଦରୀ ମିରେଣ୍ଡାକୁ ଦେଖିପାରିବି, ତେବେ ମୋତେ କୌଣସି କଷ୍ଟ ବାଧିବ ନାହିଁ ।’’

 

ପ୍ରସ୍ପେରୋ ଫର୍ଦ୍ଦିନଣ୍ଡଙ୍କୁ ଗୋଟିଏ କୋଠରିରେ କିଛି ସମୟ ରଖି ବାହାରକୁ ନେଇ ଆସିଲେ ଓ ଆଦେଶ ଦେଲେ, ‘‘ଏ ଯେଉଁସବୁ କାଠଗଡ଼ ପଡ଼ିଛି, ତାକୁ ଆଣି ଏକାଠି ଗଦା କର ।’’ ଏହା କହି ସେ ନିଜ ପଢ଼ାଘରକୁ ଚାଲିଗଲେ । କିନ୍ତୁ ପ୍ରକୃତରେ ସେ ବହି ନ ପଢ଼ି ଫର୍ଦ୍ଦିନଣ୍ଡ ଓ ମିରେଣ୍ଡାକୁ ଲକ୍ଷ୍ୟ କରୁଥିଲେ ।

 

ଫର୍ଦ୍ଦିନଣ୍ଡଙ୍କ ରାଜପୁରୀରେ ବିଳାସରେ ବଢ଼ି ଆସିଥିଲେ । ସେ କେବେହେଲେ ଏପରି କଠିନ କାର୍ଯ୍ୟ କରି ନ ଥିଲେ । ଖଣ୍ଡେ ଦୁଇଖଣ୍ଡ କାଠ ବୁହାଇ ରଖିଲାବେଳକୁ ତାଙ୍କ ଦେହରୁ ଝାଳ ବୋହି ପଡ଼ିଲା । ମିରେଣ୍ଡା ଏହା ଦେଖି ତାଙ୍କ ପାଖକୁ ଆସି କହିଲା, ‘‘ତୁମେ ଏପରି ପରିଶ୍ରମ କରିବା ଦରକାର ନାହିଁ । ତୁମକୁ ବାଧା ହେଲାଣି । ଟିକିଏ ହାଲିଆ ମାର । ବାପା ତ ପଢ଼ିବାକୁ ଗଲେଣି । ଦୁଇ ତିନି ଘଣ୍ଟାଯାଏ ସେ ଘରୁ ବାହାରିବେ ନାହିଁ । ତୁମେ ଟିକିଏ ବସିଯାଅ । ମୁଁ ତୁମପାଇଁ କାଠତକ ବୋହିନେଇ ଏକାଠି ରଖେ ।’’

 

ଏଥିରେ ଫର୍ଦ୍ଦିନଣ୍ଡଙ୍କ ଆଦୌ ରାଜି ହେଲେ ନାହିଁ । ଦୁହିଁଙ୍କ ମଧ୍ୟରେ ନାନା ବିଷୟରେ କଥାବାର୍ତ୍ତା ଚାଲିଲା । କାଠ ବୁହା ହେବ କଣ, ମିରେଣ୍ଡା ସାହାଯ୍ୟ କରିବାକୁ ଆସି ବରଂ କାର୍ଯ୍ୟରେ ବାଧା ସୃଷ୍ଟି କଲା ।

 

ପ୍ରସ୍ପେରୋ ସେତେବେଳେ ପ୍ରକୃତରେ ପଢ଼ାଘରେ ନଥିଲେ । ସେ ମନ୍ତ୍ରବଳରେ ନିଜକୁ ଅଦୃଶ୍ୟ ରଖି, ପାଖରେ ଠିଆହୋଇ ସେ ଦୁହଁଙ୍କର କଥାବାର୍ତ୍ତା ଶୁଣୁଥିଲେ ।

 

ଫର୍ଦ୍ଦିନଣ୍ଡ କହିଲେ, ‘‘ତୁମଭଳି ସୁନ୍ଦରୀ ମୁଁ କୌଣସିଠାରେ ଦେଖିନାହିଁ । ତୁମେ ପାଖରେ ଥିଲେ ମୁଁ ସବୁ ଦୁଃଖକଷ୍ଟ ଭୁଲି ଯାଉଛି । ମୁଁ କେତେ ସ୍ତ୍ରୀଲୋକ ଦେଖିଛି ସତ; କିନ୍ତୁ ତୁମକୁ ଦେଖିଲାକ୍ଷଣି ମୋ ମନରେ ଯେପରି ଆନନ୍ଦ ଜାତ ହେଉଅଛି, ସେପରି ଆନନ୍ଦ କେବେହେଲେ ଅନୁଭବ କରି ନଥିଲି । ତୁମ ଛଡ଼ା ମୋର ସଂସାରରେ ଆଉ କିଛି ଲୋଡା ନାହିଁ । ମୁଁ ତୁମକୁ ପ୍ରାଣର ସହିତ ଭଲପାଏ । ଆମେ ଦୁହେଁ ଏକାଠି ରହିପାରିଲେ ଏଇ ନିର୍ଜନ ଦ୍ୱୀପରେ ମଧ୍ୟ ସ୍ୱର୍ଗସୁଖ ପାଇପାରିବା ।’’

 

ମିରେଣ୍ଡା କହିଲା, ‘‘ମୁଁ ତ ଆଉ କୌଣସି ସ୍ତ୍ରୀଲୋକ ଦେଖିଥିବା ମୋର ମନେ ପଡ଼ୁନାହିଁ; ତେଣୁ ମୁଁ ସୁନ୍ଦରୀ କି ଅସୁନ୍ଦରୀ କିପରି କହିବି ? ପୃଥିବୀରେ କିପରି ଲୋକ ଅଛନ୍ତି, ତା ମଧ୍ୟ ମୁଁ ଜାଣେନାହିଁ । ପୁରୁଷ ଭିତରେ କାଲିବାନ୍‌କୁ ଦେଖିଥିଲି ଓ ବାପାଙ୍କୁ ଦେଖିଥିଲି, ତା’ପରେ ତୁମକୁ ଦେଖିଲି । ଏ ସଂସାରରେ ତୁମଠାରୁ ଆହୁରି ସୁନ୍ଦରପୁରୁଷ ଥିଲେ ଥିବେ; କିନ୍ତୁ ସେଥିରେ ମୋର କିଛି ଯାଏ ଆସେ ନାହିଁ । ତୁମଛଡ଼ା ଅନ୍ୟ କୌଣସି ପୁରୁଷର ରୂପ ମୁଁ କଳ୍ପନା ସୁଦ୍ଧା କରିପାରୁନାହିଁ । ପାଖେ ପାଖେ ରହି ତୁମରି ସେବା କରିପାରିଲେ ମୋର ଜୀବନ ସାର୍ଥକ ହେବ । ଓଃ, ମୁଁ କେଡ଼େ ଭୁଲ କଲି ! ମୁଁ ତୁମକୁ ଏତେ କଥା କହିଗଲି । ବାପାଙ୍କ ଉପଦେଶ ଭୁଲିଯାଉଛି ।’’

 

ଏଣେ ପ୍ରସ୍ପେରୋ ଅଦୃଶ୍ୟଭାବରେ ରହି ଦୁହିଁଙ୍କର କଥାବାର୍ତ୍ତା ଶୁଣିଥିଲେ । ସେ ମନେ ମନେ ଭାବିଲେ, ‘‘ମୋର ଆଶା ସଫଳ ହେବ । ମୁଁ ଯାହା ଭାବିଥିଲି, ଠିକ୍‌ ତାହାହିଁ ହେଉଛି । ମୋ ଝିଅ ନିଶ୍ଚୟ ନେପ୍ଳସ୍‌ର ରାଣୀ ହେବ ।’’

 

ଫର୍ଦ୍ଦିନଣ୍ଡ୍‌ ନିଜର ପରିଚୟ ଦେଇ ମିରେଣ୍ଡାକୁ ଜଣାଇ ଦେଲେ ଯେ ସେ ହେଉଛନ୍ତି ନେପ୍ଳସ୍‌ର ଯୁବରାଜ ଓ ମିରେଣ୍ଡା ଦିନେ ନେପ୍ଳସ୍‌ର ରାଣୀ ହେବ ।

 

ଏହା ଶୁଣି ଆନନ୍ଦରେ ମିରେଣ୍ଡାର ଆଖିରୁ ଲୁହ ଗଡ଼ିଗଲା । ସେ କହିପକାଇଲା, ‘‘କି ଆଶ୍ଚର୍ଯ୍ୟ ! ମୋ ଆଖିରୁ ଲୁହ ବହୁଛି କାହିଁକି ? ମୁଁ ସରଳ ଭାବରେ ଏତିକି କହିପାରେ ଯେ ତୁମେ ମୋତେ ବିବାହ କଲେ ମୁଁ ତୁମର ପତ୍ନୀ ହୋଇ ସୁଖରେ ରହିବି ।’’

 

ଏହି ସବୁକଥା ଶୁଣି ପ୍ରସ୍ପେରୋଙ୍କ ମନରେ ବଡ଼ ଆନନ୍ଦ ଜାତ ହେଲା । ସେ ହଠାତ୍ ଦୃଶ୍ୟ ହୋଇ ଦୁହିଁଙ୍କ ଆଗରେ ଠିଆ ହୋଇଗଲେ । ଦୁହିଁଯାକ ଭୟରେ ଟିକିଏ ଦୂରକୁ ଘୁଞ୍ଚିଗଲେ । ପ୍ରସ୍ପେରୋ କହିଲେ, ‘‘କେହି ଭୟ କରିବାର କିଛି କାରଣ ନାହିଁ । ମୁଁ ତୁମମାନଙ୍କର ସବୁ କଥାବାର୍ତ୍ତା ଶୁଣିଛି । ଫର୍ଦ୍ଦିନଣ୍ଡ, ମୁଁ ତୁମକୁ ଅନେକ କଷ୍ଟ ଦେଲିଣି । ତାକୁ ଚାହିଁ ଉପଯୁକ୍ତ ପୁରସ୍କାର ମଧ୍ୟ ଦେବି-। ଆଜିଠାରୁ ମୁଁ ମିରେଣ୍ଡାକୁ ତୁମ ହାତରେ ସର୍ମପଣ କଲି । ତାକୁ ବିବାହ କରି ତୁମେ ସୁଖରେ ରହ, ଏହାହିଁ ମୋର କାମନା । ମୁଁ ଗର୍ବକରି କହିପାରେ, ସେ ତୁମର ଉପଯୁକ୍ତ ପତ୍ନୀ ହୋଇପାରିବ । ତୁମକୁ ଯେତେ କଷ୍ଟ ଦେଇଛି, ତାହା କେବଳ ତୁମର ମନ ପରୀକ୍ଷା କରିବାପାଇଁ । ଏବେ ଦୁହେଁଯାକ ବସି ନିଶ୍ଚିନ୍ତରେ କଥାବାର୍ତ୍ତା ହେଉଥାଅ । ମୋର କାମ ଅଛି, ମୁଁ ଯାଉଛି ।’’ ଏହା କହି ପ୍ରସ୍ପେରୋ ସେଠାରୁ ଚାଲିଗଲେ ଏବଂ ଫର୍ଦ୍ଦିନଣ୍ଡ ଓ ମିରେଣ୍ଡା ବସି ଖୁସିରେ ଗଳ୍ପ କରିବାକୁ ଲାଗିଲେ ।

 

ପ୍ରସ୍ପେରୋ ନିଜ କୋଠରିକୁ ଫେରିଆସି ଏରିଏଲକୁ ଡାକିଲେ ସେ ଆସି କହିଲା, ‘‘ଆପଣଙ୍କର ଭାଇ ଆଣ୍ଟେନିଓ ଏବଂ ନେପ୍ଳସ୍‌ର ରାଜା ଦୁହିଁଯାକ ଭୟରେ ଅସ୍ଥିର ହୋଇପଡ଼ିଛନ୍ତି । ଫର୍ଦ୍ଦିନଣ୍ଡଙ୍କୁ ଖୋଜି ଖୋଜି ସେମାନେ କ୍ଳାନ୍ତ ହୋଇପଡ଼ିଥିଲେ । କ୍ଷୁଧା-ତୃଷାରେ ସେମାନଙ୍କର ପ୍ରାଣ କଣ୍ଠାଗ୍ରତ ବୋଧହେଉଥିଲା ।

 

ଏହି ସମୟରେ ମୁଁ ଅଦୃଶ୍ୟଭାବରେ ଯାଇ ସେମାନଙ୍କ ପାଖରେ ଗୁଡ଼ାଏ ଉତ୍ତମ ଖାଦ୍ୟପଦାର୍ଥ ରଖିଦେଲି । ସେମାନେ ଖାଇବାକୁ ହାତ ବଢ଼ାଇଲାକ୍ଷଣି ମୁଁ ଗୋଟିଏ ବିକୃତ ରୂପ ଧରି ସେମାନଙ୍କ ହାତରୁ ଖାଇବା ଜିନିଷତକ ଛଡ଼ାଇ ନେଇଗଲି ଓ ତା’ପରେ କହିଲି, ‘‘ତୁମ୍ଭେମାନେ ପରା ପ୍ରସ୍ପେରୋ ଓ ତାଙ୍କ ଟିକି ଝିଅକୁ ରାଜ୍ୟରୁ ତଡ଼ି ସମୁଦ୍ରରେ ଛାଡ଼ିଦେଇଥିଲ, ଏବେ ସେ ଅନ୍ୟାୟର ଫଳ ଭୋଗକର ।’’ ସେମାନେ ବର୍ତ୍ତମାନ ଅନୁତାପ କଲେଣି । ସେମାନଙ୍କ ମନରେ ବଡ଼ କଷ୍ଟ ଯେ ସେମାନେ ଏଭଳି ପାପ କାର୍ଯ୍ୟ କରିଛନ୍ତି । ଆଣ୍ଟେନିଓ ଆପଣଙ୍କୁ ରାଜ୍ୟରୁ ବିତାଡ଼ିତ କରି ଯେଉଁ ପାପ ଅର୍ଜିଥିଲେ ତାହାର ଯଥେଷ୍ଟ ପ୍ରାୟଶ୍ଚିତ୍ତ କଲେଣି । ମୁଁ ଗୋଟିଏ ପ୍ରେତ; ମୋଠାରେ ଦୟାମାୟା କିଛି ନାହିଁ । ତେବେ ସୁଦ୍ଧା ତାଙ୍କର ମନକଷ୍ଟ ଦେଖି ମୋ ମନରେ ତାଙ୍କପ୍ରତି ଦୟା ଆସିଲା ।’’

 

ପ୍ରସ୍ପେରୋ କହିଲେ, ‘‘ତେବେ ସେମାନଙ୍କୁ ଶୀଘ୍ର ଏଠାକୁ ନେଇଆ । ପ୍ରେତ ହୋଇ ତୋର ସେମାନଙ୍କ ପ୍ରତି ଦୟା ଆସୁଛି । ମୁଁ ତାଙ୍କରି ପରି ମନୁଷ୍ୟ ହୋଇ ସେମାନଙ୍କୁ ଦୟା ନ କରିବି କିପରି ? ଯା, ଶୀଘ୍ର ସେମାନଙ୍କୁ ଏଠାକୁ ନେଇଆ ।’’

 

ଏରିଏଲ ଅଦୃଶ୍ୟରେ ରହି ଦେଖିଲା ଯେ ଆଣ୍ଟେନିଓ ଓ ନେପ୍ଳସ୍‌ର ରାଜା ଚିନ୍ତାରେ ବସିଅଛନ୍ତି । ପାଖରେ ଅଛନ୍ତି ବୃଦ୍ଧ ଗଞ୍ଜାଲୋ । ଏହି ଗଞ୍ଜାଲୋ ପ୍ରସ୍ପରୋଙ୍କ ନୌକାରେ ଖାଦ୍ୟ, ଜଳ ଓ ପୁସ୍ତକାଦି ରଖି ତାଙ୍କର ଜୀବନରକ୍ଷାରେ ସାହାଯ୍ୟ କରିଥିଲେ । ଏରିଏଲ ଏକ ପ୍ରକାର ବିଚିତ୍ର ସ୍ୱରରେ ବାଦ୍ୟ ବଜାଇ ପ୍ରସ୍ପେରୋଙ୍କ ବାସସ୍ଥାନ ଆଡ଼କୁ ଅଗ୍ରସର ହେଲା । ସେମାନେ ସେହି ସ୍ୱରରେ ଆକୃଷ୍ଟ ହୋଇ ତାର ପଛେ ପଛେ ଯାଇ ପ୍ରସ୍ପେରୋଙ୍କ ନିକଟରେ ପହଞ୍ଚିଲେ ।

 

ଦୁଃଖ, ଯନ୍ତ୍ରଣା ଓ ଭୟରେ ସେମାନେ ଏପରି ସ୍ତମ୍ଭୀଭୂତ ହୋଇ ଯାଇଥିଲେ ଯେ ପ୍ରସ୍ପେରୋଙ୍କୁ ସେମାନେ ଆଦୌ ଚିହ୍ନି ପାରିଲେ ନାହିଁ । ତହୁଁ ପ୍ରସ୍ପେରୋ ଗଞ୍ଜାଲୋଙ୍କୁ ସମ୍ୱୋଧନ କରି କହିଲେ, ‘‘ବନ୍ଧୁ ଗଞ୍ଜାଲୋ, ତୁମେ ହିଁ ମୋର ପ୍ରାଣ ରକ୍ଷା କରିଛ । ତୁମେ ଦୟାକରି ନୌକାରେ ମୋପାଇଁ ଖାଦ୍ୟ, ଜଳ ପ୍ରଭୃତି ରଖିନଥିଲେ ମୋର ଓ ମୋ ଶିଶୁକନ୍ୟାର ଯେ ମୃତ୍ୟୁ ହୋଇଥାନ୍ତା ଏଥିରେ ସନ୍ଦେହ ନାହିଁ ।’’ ଏବେ ଗଞ୍ଜାଲୋ, ଆଣ୍ଟାନିଓ ଓ ନେପ୍ଳସର ରାଜା ସମସ୍ତେ ପ୍ରସ୍ପେରୋଙ୍କୁ ଚିହ୍ନି ପାରିଲେ ।

 

ଆଣ୍ଟେନିଓ ଅନେକ ବେଳଯାଏ କିଛି କହିପାରିଲେ ନାହିଁ । ସେ ପ୍ରସ୍ପେରୋଙ୍କ ପାଦତଳେ ପଡ଼ିଗଲେ । ତାଙ୍କ ଆଖିରୁ ଲୋତକର ଧାରା ବହିଯାଉଥାଏ । କିଛି ସମୟ ପରେ ସେ କହିଲେ, ‘‘ଭାଇ, ମୁଁ ତୁମଠାରେ ଘୋର ଅପରାଧ କରିଛି । ତୁମେ କ୍ଷମା ନ ଦେଲେ ମୋ ପାପର ପ୍ରାୟଶ୍ଚିତ୍ତ ନାହିଁ । ତୁମେ ମିଲାନ୍‌ର ପ୍ରକୃତ ରାଜା । ମୁଁ ରାଜ୍ୟଲୋଭରେ ଯେଉଁ ଅନ୍ୟାୟ କାର୍ଯ୍ୟ କରିଛି, ସେଥିପାଇଁ ଅନୁତପ୍ତ । ଏବେ ଦେଶକୁ ଫେରିଯାଇ ପୁଣି ତୁମ ସିଂହାସନରେ ବସ । ତୁମର ସେବା କରିପାରିଲେ ମୁଁ ଯଥେଷ୍ଟ ସୁଖୀ ହେବି ।’’

 

ନେପ୍ଳସ୍‌ର ରାଜା ମଧ୍ୟ ଆଣ୍ଟେନିଓଙ୍କୁ ସାହାଯ୍ୟ କରିଥିବାରୁ ବଡ଼ ଅନୁତାପ ପ୍ରକାଶ କଲେ । ପ୍ରସ୍ପେରୋ ସେମାନଙ୍କୁ କ୍ଷମା ଦେଇ କହିଲେ, ‘‘ବର୍ତ୍ତମାନ ସେବାରୁ ଗତ କଥା ଚିନ୍ତା କରି କିଛି ଫଳ ନାହିଁ । ଯାହା ହେବାର ଥିଲା; ହୋଇଯାଇଛି । ମୋ ସାଙ୍ଗରେ ଆସ । ନେପ୍ଳସ୍‌ର ରାଜାଙ୍କ ପାଇଁ ମୁଁ ଗୋଟିଏ ଉପହାର ରଖିଛି ।’’ ଏହା କହି ସେ ରାଜାଙ୍କୁ ଗୋଟିଏ କୋଠରି ନିକଟକୁ ନେଇଗଲେ ଓ ଦ୍ୱାର ଖୋଲିଦେଇ କହିଲେ, ‘‘ଏଇ ମୋର ଉପହାର ।’’ ସେହି କୋଠରିରେ ମିରେଣ୍ଡା ଓ ଫର୍ଦ୍ଦିନଣ୍ଡ ଆରାମରେ ବସି ଗଳ୍ପ ଆମୋଦ କରୁଥିଲେ । ରାଜା ଏହି ଦୃଶ୍ୟ ଦେଖି ହାତରେ କୋଟିନିଧି ପାଇଲାପରି ମନେକଲେ । ଏହିପୂର୍ବରୁ ସେ ଭାବିଥିଲେ, ତାଙ୍କର ପୁଅ ସମୁଦ୍ରରେ ବୁଡ଼ି ମରିଯାଇଛି । ବାପାଙ୍କୁ ଦେଖି ଫର୍ଦ୍ଦିନଣ୍ଡଙ୍କର ମଧ୍ୟ ଆନନ୍ଦର ସୀମା ରହିଲା ନାହିଁ । ଫର୍ଦ୍ଦିନଣ୍ଡଙ୍କର ଧାରଣା ଥିଲା ଯେ ବାପା ଆଉ ଜୀବନରେ ନଥିବେ । ଏବେ ଦୁହେଁ ପରସ୍ପରକୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ ।

 

ମିରେଣ୍ଡା ହଠାତ୍‌ ଦୁଇଜଣ ପୁରୁଷଙ୍କୁ ଦେଖି ମନେ ମନେ ବଡ଼ ବିସ୍ମିତ ହେଲା । ସେ ଭାବିବାକୁ ଲାଗିଲା, ‘‘ଯେଉଁଠାରେ ଏପରି ସୁନ୍ଦର ମନୁଷ୍ୟ ରହିଥାନ୍ତି, ସେ ସ୍ଥାନ କେଡ଼େ ମନୋହର ହୋଇ ନଥିବ !’’

 

ରାଜା ମିରେଣ୍ଡାକୁ ଦେଖି କହିଲେ, ‘‘ଏ ଦେବୀମୂର୍ତ୍ତି କିଏ ? ବୋଧହୁଏ, ଏହି ଦେବୀ ଆମମାନଙ୍କୁ ମାୟାରେ ପକାଇ ପରସ୍ପରଠାରୁ ଅଲଗା କରି ଦେଇଥିଲେ; ପୁଣି ଏକତ୍ର ମିଳାଇ ଦେଇଛନ୍ତି ।’’

 

ଫର୍ଦ୍ଦିନଣ୍ଡ ଟିକିଏ ହସି କହିଲେ, ‘‘ବାପା, ତୁମେ ଠିକ୍‌ ମୋରିଭଳି ଭ୍ରମରେ ପଡ଼ିଛ । ଏହି ସୁନ୍ଦରୀ ବାଳିକାଟି ପ୍ରସ୍ପେରୋଙ୍କ କନ୍ୟା । ସେ ସ୍ୱେଚ୍ଛାରେ ତାଙ୍କୁ ମୋତେ ସମର୍ପଣ କରିଅଛନ୍ତି । ମୁଁ ମଧ୍ୟ ତାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଅଛି । ମୁଁ ଭାବିଥିଲି, ଏଇଜନ୍ମରେ ଆମର ଆଉ ସାକ୍ଷାତ୍ ହେବନାହିଁ । ତେଣୁ ତୁମକୁ ନ ପଚାରି ଏହାଙ୍କୁ ଗ୍ରହଣ କରିଅଛ । ଅଜ୍ଞାନରେ ଏ ଯେଉଁ ଦୋଷ କରିଛି, ସେଥିପାଇଁ ମୋତେ କ୍ଷମା ଦିଅ ।’’

 

ରାଜା ଆନନ୍ଦରେ ଗଦ୍‌ ଗଦ୍‌ ହୋଇ କହିଲେ, ‘‘ମିରେଣ୍ତା ତୁମେ ଆଜିଠାରୁ ମୋର ବୋହୁ ହେଲ । ବୋହୁ ହେଲେହେଁ, ଆଶୀର୍ବାଦ କରିବା ଆଗରୁ ମୁଁ ତୁମକୁ କ୍ଷମା ମାଗୁଛି । ତୁମ ପ୍ରତି ମୁଁ ଘୋର ଅନ୍ୟାୟ କରିଥିଲି । ଏପରିକି ତୁମର ପ୍ରାଣନାଶ କରିବା ଉଦ୍ୟମରେ ମଧ୍ୟ ସାହାଯ୍ୟ କରିଥିଲି । ସେଥିପାଇଁ ଏବେ ଅନୁତାପ କରୁଅଛି । ମୋତେ କ୍ଷମା ଦିଅ ।’’

 

ଏତିକିବେଳେ ପ୍ରସ୍ପେରୋ ଉଠିଆସି ତାକୁ ଆଲିଙ୍ଗନ କରି କହିଲେ, ‘‘ପୁଣି ସେ ଗତ କଥା ପକାଇ ଲାଭ କଅଣ ? ସେ ସବୁ କଥା ମନରୁ ପୋଛିଦେବା ଭଲ । ମୁଁ ଯେ ଏ ନିର୍ଜନ ଦ୍ୱୀପରେ ଝିଅକୁ ଘେନି ଏକାକୀ ଏତେ ବର୍ଷ ରହିଲି, ତାହା ଈଶ୍ୱରଙ୍କ ଇଚ୍ଛା । ଈଶ୍ୱର ଯାହା କରନ୍ତି, ତାହା ମନୁଷ୍ୟର ମଙ୍ଗଳ ପାଇଁ । ତା ହୋଇ ନଥିଲେ କି ମୋ ଝିଅ ଆଜି ନେପ୍ଲସ୍‌ର ରାଜାଙ୍କ ପୁତ୍ରବଧୂ ହୋଇପାରିଥାନ୍ତା ?’’

 

ଏ କଥା ଶୁଣି ଆଣ୍ଟେନିଓ ଲାଜରେ ସଢ଼ିଗଲେ । ଯେଉଁ ଭାଇକୁ ମାରିବାପାଇଁ ସେ ଏତେ ଉଦ୍ୟମ କରିଥିଲେ, ସେ ପୁଣି ଏତେ ସୁନ୍ଦର ବ୍ୟବହାର ଦେଖାଉଅଛନ୍ତି । ଶତ୍ରୁର ଅନିଷ୍ଠ କରି ତାହାକୁ ଜିଣିବାଠାରୁ ତାହାର ଉପକାର କରି ଓ ମଧୁର ବ୍ୟବହାରରେ ଜିଣିବା ଆହୁରି ବଡ଼ କଥା ।

 

ବୃଦ୍ଧ ଗଞ୍ଜାଲୋ ଏହି ଘଟନା ଦେଖି ଆନନ୍ଦରେ ଅଧିର ହୋଇପଡ଼ିଲେ । ସେ ନବଦମ୍ପତିଙ୍କର ସୁଖ-ସୌଭାଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଲାଗିଲେ ।

 

ପ୍ରସ୍ପେରୋ ଏବେ ସମସ୍ତଙ୍କୁ ଜଣାଇଦେଲେ ଯେ କାହାର ଚିନ୍ତାର କୌଣସି କାରଣ ନାହିଁ । ଜାହାଜଟି ବନ୍ଦରରେ ରହିଛି ଓ ତା’ର ନାବିକ କିମ୍ବା ଆରୋହୀ କାହାରି ଲବମାତ୍ର କ୍ଷତି ଘଟିନାହିଁ । ତତ୍‌ପରଦିନ ପ୍ରସ୍ପେରୋ ଓ ଅନ୍ୟ ସମସ୍ତେ ସେହି ଜାହାଜରେ ନିଜ ଦେଶକୁ ବାହୁଡ଼ିବା ସ୍ଥିର ହେଲା । ପ୍ରସ୍ପେରୋଙ୍କ ଆଦେଶରେ କାଲିବାନ୍‌ ସମସ୍ତଙ୍କ ପାଇଁ ଖାଦ୍ୟପେୟ ପ୍ରସ୍ତୁତ କଲା । ଭୋଜନ ପରେ ସନ୍ଧ୍ୟା ସମୟରେ ପ୍ରସ୍ପେରୋ ସମସ୍ତଙ୍କ ସମକ୍ଷରେ ନିଜର ଜୀବନ କାହାଣୀ ବର୍ଣ୍ଣନା କଲେ । ଦୀଘ ବାରବର୍ଷହେଲା ସେ କିପରି ଭୂତପ୍ରେତକୁ ବଶୀଭୂତ କରି ସେହି ନିର୍ଜନ ଦୀପରେ ଜୀବନ କଟାଇଥିଲେ, ତାହାର ବିବରଣ ଶୁଣି ଶ୍ରୋତାମାନଙ୍କର ଶରୀର ରୋମାଞ୍ଚିତ ହୋଇଉଠିଲା-। କାଲିବାନ୍‌ର ଅଭୂତ ବିକଟାଳ ରୂପ ଦେଖି ସେମାନେ ସ୍ତମ୍ଭୀଭୂତ ହୋଇଗଲେ । ସେଇ ଅଭୂତ ଜୀବଟି ତାଙ୍କର ଏକମାତ୍ର ବିଶ୍ୱସ୍ତ ଭୃତ୍ୟ ବୋଲି ପ୍ରସ୍ପେରୋ ପ୍ରକାଶ କରିବାରୁ ସେମାନଙ୍କର ବିସ୍ମୟର ସୀମା ରହିଲା ନାହିଁ ।

 

ସେହି ଦ୍ୱୀପ ତ୍ୟାଗ କରିବା ପୂର୍ବରୁ ପ୍ରସ୍ପେରୋ ଏରିଏଲକୁ ଦାସତ୍ୱରୁ ମୁକ୍ତି ଦେଇ କହିଲେ, ‘‘ମୁଁ ଜାଣେ, ତୁ ସ୍ୱାଧୀନଭାବରେ ମୁକ୍ତବାୟୁରେ ପକ୍ଷୀ ପରି ଉଡ଼ିବୁଲିବାକୁ ବ୍ୟାକୁଳ; ବନର ଫୁଲଫଳ ଓ ବୃକ୍ଷଲତା ମଧ୍ୟରେ ଭ୍ରମଣ କରିବାକୁ ତୋର ଇଚ୍ଛା । ଆଜିଯାଏ ତୁ ମୋର ସେବା କରିଆସୁଛୁ । ମୁଁ ତୋ ଉପରେ ସନ୍ତୁଷ୍ଟ । ଏବେ ମୁଁ ତୋତେ ମୁକ୍ତି ଦେଲି । ତୁ ସ୍ୱଚ୍ଛନ୍ଦରେ ଯେଣେ ଇଚ୍ଛା ତେଣେ ଯାଇପାରୁ । ଅବଶ୍ୟ ତୋତେ ଛାଡ଼ିବା ଯୋଗୁଁ ମୋ ମନରେ ଦୁଃଖ ହେବ । କିନ୍ତୁ ମୁଁ ଏଡ଼େ ସ୍ୱାର୍ଥପର ନୁହେଁ ଯେ ତୋତେ ଆଜୀବନ ଭୃତ୍ୟରୂପେ ରଖିଥିବି ।’’

 

ଏରିଏଲ ମୁକ୍ତି ପାଇ ପ୍ରସ୍ପେରୋଙ୍କୁ ଅଶେଷ ଧନ୍ୟବାଦ ଦେଲା ଏବଂ ଜାହାଜରେ ମିଲାନ ପର୍ଯ୍ୟନ୍ତ ଯାଇ ସେଠାରୁ ବିଦାୟ ନେବାକୁ ପ୍ରାର୍ଥନା କଲା । ଏହି ପ୍ରସ୍ତାବରେ ପ୍ରସ୍ପେରୋ ଆନନ୍ଦରେ ସ୍ୱୀକୃତ ଦେଲେ ।

 

ଜାହାଜରେ ବସିବା ପୂର୍ବରୁ ପ୍ରସ୍ପେରୋ ନିଜର ଗୁଣିଗାରେଡ଼ି ମନ୍ତ୍ରଯନ୍ତ୍ର ବିଷୟକ ପୋଥିଗୁଡ଼ିକ ସେହି ଦ୍ୱୀପରେ ପୋତିଦେଇ ଆସିଲେ । ତାଙ୍କର ଏହି ବିଦ୍ୟାରେ ଆଉ କିଛି ଦରକାର ନଥିଲା ।

 

ଯଥା ସମୟରେ ଜାହାଜ ମିଲାନ୍‌ରେ ପହଞ୍ଚିଲା । ପ୍ରସ୍ପେରୋ ଫେରିଆସିଥିବାର ଜାଣି ପ୍ରଜାମାନେ ଆନନ୍ଦରେ ନାଚିଉଠିଲେ । ବିପୁଳ ଆଡ଼ମ୍ବରସହକାରେ ମିରେଣ୍ତା ଓ ଫର୍ବ୍ଦିନଣ୍ତଙ୍କର ବିବାହ ଉତ୍ସବ ସମ୍ପନ୍ନ ହେଲା । ଆଣ୍ଟେନିଓ ଓ ପ୍ରସ୍ପେରୋ ମଧ୍ୟରେ ପୁଣି ସଭାବ ପ୍ରତିଷ୍ଠିତ ହୋଇଥିବାର ଦେଖି ପ୍ରଜାମାନେ ଆନନ୍ଦିତ ହେଲେ । ପ୍ରସ୍ପେରୋ ସିଂହାସନ ଆରୋହଣ କଲେ ଏବଂ ଆଣ୍ଟେନିଓ ବିଶ୍ୱସ୍ତଭାବରେ ତାଙ୍କୁ ଶାସନକାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲେ ।

Image